Bauribandhu Lenka

Others

4.3  

Bauribandhu Lenka

Others

ବିଶ୍ୱାସ

ବିଶ୍ୱାସ

8 mins
578



ପ୍ରାୟ ବର୍ଷେ ପାଖାପାଖି ହେବ । ସନ୍ଧ୍ୟା ସମୟରେ ନିଖିଳେଶ ବାବୁ ଓ ପତ୍ନୀ ନୀହାରିକା ଡ୍ରଇଁରୁମ୍ ରେ ବସି ଚାହା ପିଉଥାନ୍ତି । ଟିଭିରେ ଓଡିଆ ପ୍ରାର୍ଥନା ଚ୍ୟାନେଲ୍ ଚାଲିଥାଏ । ଠିକ ଛଅଟା ବେଳକୁ ଜଗନ୍ନାଥଙ୍କ ସନ୍ଧ୍ୟା ଆରତୀ ଆରମ୍ଭ ହେଲା । ଆରତୀ ସରିଲା ପରେ ନୀହାରିକା ସ୍ୱାମୀଙ୍କୁ କହିଲେ—

    "ଏଥର ଦୁର୍ଗାପୂଜା ସମୟରେ ଟିକେ ପୁରୀ ଆଡେ ଗଲେ ହୁଅନ୍ତାନି ? ବହୁତ ଦିନ ହୋଇଗଲାଣି ମହାପ୍ରଭୁଙ୍କ ଦର୍ଶନ କରିନେ । ଦର୍ଶନ କରି ସମୁଦ୍ରକୂଳ ଆଡେ ଟିକେ ବୁଲାବୁଲି କରି ଫେରି ଆସନ୍ତେ । "


ନିଖିଳେଶ ବାବୁ ଅବସର ନେଲା ପରେ ପ୍ରାୟ ଘରେ ହିଁ ରହୁଛନ୍ତି । କୁଆଡେ ବୁଲି ଯିବାକୁ କହିଲେ ଛେଳିକୁ ହାଣ ମୁହଁକୁ ନେଲା ପରି ହୁଅନ୍ତି । ସେପରି ହେବାର କାରଣ ମଧ୍ୟ ଅଛି । ତାଙ୍କର ଦେହ ଅନେକ ସମୟରେ ହଠାତ୍ ଖରାପ ହୋଇଯାଏ । ଏକୁଟିଆ ଗାଡି ଚଲାଇ କାହାକୁ ସାଙ୍ଗରେ ଧରି ବାହାରକୁ ଯିବାପାଇଁ ନିଜ ଉପରେ ଭରସା କରି ପାରନ୍ତି ନାହିଁ । ବାଟରେ ଗଲାବେଳେ କାଳେ କିଛି ଅସୁବିଧା ହେବ , ସେତେବେଳେ ସେ କଣ କରିବେ ଏହିପରି ଅନେକ କଥା ତାଙ୍କ ମୁଣ୍ଡରେ ପଶୁଥିବାରୁ ସେ ନିଜକୁ ନିରାପଦ ମଣନ୍ତି ନାହିଁ । ହେଲେ ତାଙ୍କ ପତ୍ନୀ ଏ ସବୁ ନଜାଣି ବିରକ୍ତିଭରା ସ୍ୱରରରେ କେତେ କଣ କହି ଯାଆନ୍ତି । 


ନିଖିଳେଶ ବାବୁଙ୍କର ନିରବତା ଦେଖି ନୀହାରିକା କହିବାକୁ ଆରମ୍ଭ କଲେ—


     "ଦେଖିବ ଗଲ ସେ ତ୍ରିପାଠୀ ବାବୁଙ୍କୁ, ଧନ୍ୟ ତାଙ୍କୁ କହିବ, ଏକୁଟିଆ କୁଆଡେ କୁଆଡେ ନ ବୁଲୁଛନ୍ତି । ତମେ କଣ ତାଙ୍କଠାରୁ ବେଶୀ ବୁଢା ହୋଇ ଗଲଣି ? ଯେତେବେଳେ ଯାହା କହିଲେ ପାଟିରୁ ତମର 'ନା' ପଦ ଛଡା ଆଉ କିଛି କେବେ ବାହାରିଛି ? ସବୁବେଳେ ଗଣ୍ଡେ ଖାଇଦେଇ ସେଇ ଘରଟା ଭିତରେ ବସିଥାଅ । ସକାଳୁ ଉଠି ସେ ସୋଫାଟା ଉପରେ ବସୁଛ ଯେ ରାତି ଏଗାରଟା ଯାଏ । ତମ ଅଣ୍ଟା ପିଠି କିଛି ହେଉନି ? "


ପତ୍ନୀଙ୍କର ଏ ସବୁ କଥା ଶୁଣୁ ଶୁଣୁ କଥା ନ ବଢେଇ କହିଲେ —


     "ଆରେ କହୁଛ ଯଦି ଯିବା ବ୍ୟବସ୍ଥା କରିବା । ସମୟ ତ ଅଛି । ଆଜିଠୁ କାହିଁକି ଏତେ ଅସମ୍ଭାଳ ହୋଇପଡୁଛ ?"


ଚାହୁଁ ଚାହୁଁ ଦୁର୍ଗାପୂଜା ସମୟ ଆସିଗଲା । ନୀହାରିକାଙ୍କ ମୁଣ୍ଡରେ ପୁରୀ ଯିବା ନିଶାଟା ସେବେଠୁ ଚଢିକରି ଅଛି । ସେ କଥା ସେ ଭୁଲନ୍ତେ ବା କିପରି ? ସପ୍ତମୀ ପୂଜା ଆରମ୍ଭ ଆରମ୍ଭ ହୋଇଯାଇଥାଏ । ପୁରୀ କେବେ ଯିବେ ସେ ଦିନ ସ୍ଥିର ହୋଇ ନଥାଏ । ନିଖିଳେଶ ବାବୁ ମନେ ମନେ ଭାବୁଥାନ୍ତି କି ଯଦି ନୀହାରିକା ପୁରୀ ଯିବା ବିଷୟଟିକୁ ପାସୋରି ଯାଇଥିବ ଭଲ ହୁଅନ୍ତା ।


ସନ୍ଧ୍ୟା ପ୍ରାୟ ପାଞ୍ଚଟା ପାଖାପାଖି ହେବ । ନୀହାରିକାଙ୍କର ମୋବାଇଲ୍ ରିଙ୍ଗ୍ ହେଲା । ସାଗରିକା, ତାଙ୍କ ସାନ ଭଉଣୀ ଫୋନ୍ କରିଥିଲା । ଦୁଇ ଭଉଣୀ ପାଞ୍ଚରୁ ଛଅ ବର୍ଷ ଭିତରେ ସାନ ବଡ । ବଡ ଦୁର୍ଭାଗ୍ୟ ତା'ର । ବହୁତ ଖରାପ ସମୟ ଦେଇ ଗତି କରୁଛି ସେ । ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗରେ କାମ କରେ । ସ୍ୱାମୀ ଶିକ୍ଷକତା କରନ୍ତି ସମ୍ବଲପୁରରେ । ସାଗରିକା ପିଲାମାନଙ୍କୁ ନେଇ ଭୁବନେଶ୍ୱରରେ ରୁହେ । ସମୟେ ସମୟେ ଭାଗ୍ୟ ମଣିଷର ସହାୟତା କରେନାହିଁ । ପ୍ରାୟ ବର୍ଷେ ପାଖାପାଖି ହେବ, ରାତିରେ ବସରେ ସମ୍ବଲପୁର ଯିବା ବାଟରେ ତା'ର ସ୍ୱାମୀଙ୍କର ଭୟଙ୍କର ବସ୍ ଦୁର୍ଘଟଣାରେ ସାଙ୍ଘାତିକ ବ୍ୟାକ୍ ବୋନ୍ ଇଂଜ୍ୟୁରୀ ହୋଇ ସମ୍ପୂର୍ଣ୍ଣ ରୂପେ ଅଚଳ ହୋଇଗଲେ । ଅପରେସନ୍ ରେ ବହୁତ ଟଙ୍କା ଖର୍ଚ୍ଚ ହେଲା , ହେଲେ କିଛି ସୁଧାର ହେଲା ନାହିଁ । 


ମୋବାଇଲ୍ ଉଠେଇ ନୀହାରିକା ପଚାରିଲେ—


   "ହଁ କହ ସାଗରିକା କଣ ଅସୁବିଧା ହେଲାକି ? "


   "ନାଁ ଦେଈ ସେମିତି କିଛି ନୁହେଁ । ଗୋଟେ କଥା କହିବାକୁ ଚାହୁଁଥିଲି । ଯଦି ମନା ନ କରିବୁ,ତେବେ କହିବି ।"


ସଙ୍ଗେ ସଙ୍ଗେ ନୀହାରିକା ଉତ୍ତରଦେଲେ—


    "ଆରେ କଣ୍ଡିସନ୍ କଣ କରୁଛୁ । ଏପରି କଣ କହିବୁ ଯେ ଦେଈ ତୋତେ ମନା କରିଦେବ ? ଆଜିଯାଏ କଣ ଦେଈକୁ ଚିହ୍ନିବାରେ ପୁଣି ବାକି ରଖିଛୁ ?"  


ସାଗରିକା କହିଲା—


    "କଥା କଣକି ଦେଈ ତୁ ତ ଜାଣିଛୁ ମୋର ଅବସ୍ଥା । ୟାଙ୍କ ଆକ୍ସିଡେଣ୍ଟ୍ ପରେ ଯେତେ ଠାକୁର ଠାକୁରାଣୀ ମୋ ଜାଣିବାରେ ଥିଲେ ସମସ୍ତଙ୍କୁ ମାନସିକ କରିଥିଲି । ଓଲଟପୁରରେ ଦୁଇ ମାସ ରହି ଫିଜିଓ ଥେରାପି ନେଲା ପରେ ତାଙ୍କର କିଛିଟା ଉନ୍ନତି ହୋଇଥିବା ମୁଁ ଦେଖୁଛି । ସମୟ ସାପେକ୍ଷ ହେଲେ ବି ଧୀରେ ଧୀରେ ଉନ୍ନତି ହେଉଥିବା ଜଣାପଡୁଛି । ଜଗନ୍ନାଥଙ୍କ ପାଖକୁ ଯିବା ପାଇଁ ମାନସିକ କରିଥିଲି । ହେଲେ ଯାଇପାରି ନାହିଁ । ତୁ ତ ଜାଣିଛୁ । କେମିତି ବା ଯାଇଥାନ୍ତି ଯେ ? ବହୁତ ଦିନ ଛୁଟିରେ ରହିବା ପରେ ଡ୍ୟୁଟିରେ ଯୋଗ ଦେଇଛି । ପୂଜା ପାଇଁ ଦୁଇଦିନ ଛୁଟି ଅଛି । ଆସନ୍ତାକାଲି ଯଦି ତୋର ଭାଇଙ୍କର ଯାଆନ୍ତ, ତମ ସାଙ୍ଗରେ ଯାଇ ଦର୍ଶନ କରି ଫେରିଆସନ୍ତି । ଆସନ୍ତାକାଲି ଅଷ୍ଟମୀ ଅଛି, ଭଲଦିନ । ଆସନ୍ତାକାଲି ଯଦି ନ ଯାଇ ପାରୁଛି ଆଉ କେବେ ଛୁଟି ମିଳିବକି ନାହିଁ କହି ହେବନି ।"


କହି ସାରିବା ପରେ ଦେଈର ଉତ୍ତର ଅପେକ୍ଷାରେ ଥାଏ ସାଗରିକା । ନୀହାରିକା ହଠାତ୍ କଣ କହିବେ ଠିକ୍ କରି ପାରିଲେନି । ଯଦି ହଁ କହି ଦେଉଛି ଆଉ ସ୍ୱାମୀ ନଯିବା ପାଇଁ କିଛି ବାହାନା ବାହାର କରନ୍ତି ସେ ଅସୁବିଧାର ପଡିଯିବେ । ତେଣୁ ସେ କଥାକୁ ଚଳେଇକି କହିଲେ କି—


    "ହଁ ଯିବା ଯେ, ତୁ ଟିକେ ଭାଇଙ୍କ ସାଙ୍ଗରେ କଥା ହୋଇଯାଆ । ତୁ କହିଲେ ସେ ଅରାଜି ହେବେନାହିଁ।" 


ଏତକ କହି ସେ ମୋବାଇଲ୍ ଟି ନିଖିଳେଶ ବାବୁଙ୍କ ହାତକୁ ବଢେଇଦେଲେ । କଥାରେ ଅଛି କାଳିଆର ଡୋରି ନ ଲାଗିଲେ , ଯେତେ ଚାହିଁଲେ ବି ପୁରୀ ଯାଇ ହୁଏନା । ନିଖିଳେଶ ବାବୁ ସାଗରିକା ସହ କଥା ହେଲା ପରେ ତାକୁ କିପରି ବା ମନା କରିଥାନ୍ତେ । ତା'ର ସବୁ ଅସୁବିଧା ନିଜ ଆଖିରେ ଦେଖି ଯଦି ଏତିକି ତା ପାଇଁ ନକରିବେ, ତେବେ ବାହାର ଲୋକ କିଏ କାହିଁକି ଅନେଇଁବ ? ସେ ବିଶେଷ କିଛି ନ କହି ଯିବାପାଇଁ ସମ୍ମତି ଜଣାଇଲେ । ସାଗରିକାର କଥା ରଖିବା ସହିତ ପତ୍ନୀଙ୍କୁ ଦେଇଥିବା କଥା ବି ରକ୍ଷା ହୋଇଯିବ ଭାବି ନିଖିଳେଶ ବାବୁ ଟିକେ ଖୁସି ହୋଇଗଲେ ।      


ନିଖିଳେଶ ବାବୁ ଟ୍ରାଭେଲ୍ ଏଜେନ୍ସି ସହ କଥାହୋଇ ଗାଡିଟିଏ ବୁକ୍ କରିଦେଲେ । ପରଦିନ ସକାଳ ଦଶଟା ସୁଦ୍ଧା ଗାଡିକୁ ଆସିବାକୁ କହିଦେଲେ । ସାଗରିକାକୁ ମଧ୍ୟ ପରଦିନ ସକାଳ ଦଶଟା ସୁଦ୍ଧା ପ୍ରସ୍ତୁତ ହୋଇ ରହିବାକୁ ଫୋନ୍ କରି ଜଣେଇଦେଲେ । ରାତିରେ ଶୋଇବା ସମୟରେ ତାଙ୍କୁ ନିଦ ଠିକ୍ ଭାବେ ହେଲାନାହିଁ । ପରଦିନ ପୁରୀ ଯିବା ବିଷୟ ତାଙ୍କ ମୁଣ୍ଡକୁ ଭାରି କରି ରଖିଥାଏ । ଦୁର୍ଗାପୂଜା ସମୟ ସାଙ୍ଗକୁ ପୁଣି ଅଷ୍ଟମୀ ତିଥି । ମନ୍ଦିରରେ ଅସମ୍ଭବ ପ୍ରକାରର ଭିଡ ହେବ । ମନ୍ଦିର ପ୍ରଶାସନ ବି ନୂଆ ନିୟମ କରି ସିଂହଦ୍ୱାର ଆଗରେ ଓ ମନ୍ଦିର ବେଢା ଭିତରେ ମନ୍ଦିର ପ୍ରବେଶ ପୂର୍ବରୁ ବ୍ୟାରୀକେଡ୍ ମଧ୍ୟଦେଇ ଯିବାକୁ ବ୍ୟବସ୍ଥା କରିଛନ୍ତି । ଏତେ ଭିଡ ଭିତରେ ଠିକ୍ ଭାବରେ ଦର୍ଶନ ମିଳିବକି ନାହିଁ ଅବଢା ଖାଇବାକୁ ମିଳିବକି ନାହିଁ ଏହି ସବୁ କଥା ନିଖିଳେଶ ବାବୁଙ୍କ ମୁଣ୍ଡକୁ ଭାରି କରି ରଖିଥାଏ । ସେ ନିଜେ ଦେଖିଛନ୍ତି ଏ ସବୁଦିନ ମାନଙ୍କରେ କେତେ ଭିଡ ହୁଏ । ପୁରୀରେ ସେ ଏକ ପବ୍ଲିକ ସେକ୍ଟର ବ୍ୟାଙ୍କ୍ ର ବ୍ରାଞ୍ଚ ମ୍ୟାନେଜର୍ ଭାବେ ଦୁଇବର୍ଷ କାର୍ଯ୍ୟ କରିଛନ୍ତି । ମନ୍ଦିର ଭିତରେ ତାଙ୍କ ବ୍ରାଞ୍ଚର ଏକ ସବ୍ ବ୍ରାଞ୍ଚ ଚାଲୁଥିବା ଦୃଷ୍ଟିରୁ ସେ ଅନେକ ସମୟରେ ମନ୍ଦିର ପରିସର ଭିତରକୁ ଯାଇଥାନ୍ତି । ଅନେକ ସେବାୟତ ତାଙ୍କର ପରିଚିତ । ଦର୍ଶନିଭିଳାଷୀମାନେ କିପରି ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି , ତାହା ସେ ନିଜ ଆଖିରେ ଦେଖିଛନ୍ତି । ଏହିପରି ଅନେକ କଥା ଭାବୁ ଭାବୁ ତାଙ୍କୁ ନିଦ ହୋଇ ଯାଇଥିଲା ।


ପରଦିନ ଯଥା ସମୟରେ ଗାଡି ଆସି ପହଞ୍ଚିଲା । ନିଖିଳେଶ ବାବୁ ପତ୍ନୀଙ୍କ ସହିତ ବାହାରି ପଡିଲେ ଓ ବାଟରେ ସାଗରିକାକୁ ନେଇ ପୁରୀ ଅଭେମୁଖେ ଯାତ୍ରା ଆରମ୍ଭହେଲା । ରାସ୍ତାରେ ସହରର ବିଭିନ୍ନ ସ୍ଥାନରେ ପୂଜାମଣ୍ଡପ ଶୋଭା ପାଉଥିଲା । ସେ ସବୁ ଅତିକ୍ରମ କରି ସହର ଭିତରୁ ବାହାରିବାକୁ ଟିକିଏ ଅଧିକ ସମୟ ଲାଗିଲା । ସହରରୁ ବାହାରିଲା ପରେ ଅତି ସୁନ୍ଦର ଫୋର୍ ଲେନ୍ ରାସ୍ତା । ଅନକ ଗାଡି, ଟୁରିଷ୍ଟ ବସ୍ ମାନ ପୁରୀ ଅଭିମୁଖେ ଯାତ୍ରା କରୁଥିଲେ । ରାସ୍ତାର ଦୁଇ ପାର୍ଶ୍ୱରେ ଶାରଦୀୟ ଶୋଭାର ଅପୂର୍ବ ଦୃଶ୍ୟରାଜି ସହିତ ସୁଲୁସଲିଆ ପବନରେ କାଶତଣ୍ଡୀ ଫୁଲର ରୂପ ଲାବଣ୍ୟ ଅତ୍ୟନ୍ତ ମନମୁଗ୍ଧକର ଥିଲା । ରାସ୍ତା ପାର୍ଶ୍ୱରେ ସ୍ଥାନେ ସ୍ଥାନେ ପଇଡ ବିକାଳି ମାନଙ୍କ ପାଖରେ ଗାଡି ଅଟକାଇ ଯାତ୍ରୀମାନେ ପଇଡ ପିଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । 


ବାଟରେ ସାଗରିକା ପଚାରିଲା—


     "ଭାଇ ମନ୍ଦିରରୁ ୟାଙ୍କପାଇଁ( ତା ସ୍ୱାମୀଙ୍କ ପାଇଁ) ଟିକିଏ ଅବଢା ଆଣି ହେବନି ?"


     "ସେଠାରେ ପହଞ୍ଚିଲା ପରେ ଦେଖିବା କଣ ହୋଇପାରିବ"—ବୋଲି କହିଥିଲେ ନିଖିଳେଶ ବାବୁ । 


ପୁରୀ ଟାଉନ୍ ଭିତରକୁ ପ୍ରବେଶ କଲାବେଳକୁ ସମୟ ଦିନ ବାରଟା ହୋଇଯାଇଥିଲା । ପାର୍କିଙ୍ଗ୍ ରେ ଗାଡି ରଖି ସମସ୍ତେ ମନ୍ଦିର ଅଭିମୁଖେ ଯାତ୍ରାକଲେ । ଅଷ୍ଟମୀ ତିଥି ଥିବାରୁ ବହୁ ଭକ୍ତଙ୍କର ସମାବେଶ ହୋଇଥିଲା । ବିଶେଷ କରି ବଙ୍ଗୀୟ ଯାତ୍ରୀମାନଙ୍କ ସଂଖ୍ୟା ଅଧିକ ଥିଲା । ବ୍ୟାରୀକେଡ୍ ଅତିକ୍ରମ କରି ମନ୍ଦିରରେ ପ୍ରବେଶ କଲାବେଳକୁ ପ୍ରାୟ ଦିନ ଦୁଇଟା ବାଜି ସାରିଥିଲା । ବାହାରେ ସିନା ବ୍ୟାରୀକେଡ୍ ର ବ୍ୟବସ୍ଥା ହୋଇଛି ହେଲେ ମନ୍ଦିର ଭିତର ଚରମ ବିଶୃଙ୍ଖଳା । ଏତେ ଗହଳି ଭିତରେ ଦର୍ଶନ କରିବା କାଠିକର ପାଠ । ନିଖିଳେଶ ବାବୁ ଦୁଇଜଣଙ୍କୁ ଧରି କୌଣସି ଭାବରେ ଗରୁଡଖମ୍ବ ନିକଟରେ ପହଞ୍ଚିଗଲେ । ସେଠାରେ ବି ଠେଲାପେଲା । ସେଠାରୁ ବିଗ୍ରହମାନଙ୍କର ମୁହଁ ଦିଶୁ ନଥାଏ । ଦର୍ଶନ ମିଳିବାର ଆଶା ସେ ଛାଡିଦେଲେ । ଟିକେ ସମୟ ଛାଡି ସାହାସ କରି ଦୁଇଜଣଙ୍କ ହାତ ଧରି ଗୋଟିଏ ପଟରୁ ଆଗକୁ ଧୀରେ ଧୀରେ ଆଗେଇବା ସମୟରେ ଭୀଷଣ ଠେଲାପେଲାରେ ପତ୍ନୀଙ୍କର ହାତ ତାଙ୍କ ହାତରୁ ଖସିଗଲା । ସେ ଠେଲାପେଲାରେ କୁଆଡେ ଗଲେ କିଛି ଦେଖା ଯାଉ ନଥାଏ । ନିଖିଳେଶ ବାବୁ କଣ କରିବେ କିଛି ଭାବି ପାରୁନଥାନ୍ତି । ମନେ ମନେ ସେହି କାଳିଆକୁ ହିଁ ଡାକୁଥାନ୍ତି । ସାଗରିକାକୁ ଏକୁଟିଆ ଛାଡି ଭିତର ପଶିବାକୁ ସାହସ ଜୁଟାଇ ପାରୁନଥାନ୍ତି । ସାଗରିକାକୁ ଧରି ଗରୁଡଖମ୍ବ ପଛ ଦେଇ ବାମପଟ କାନ୍ଥ ପାଖକୁ ପଳେଇଗଲେ ଓ ସେଠାରୁ କାନ୍ଥ ପାଖେ ପାଖେ ଯାଇ ବାହାରିବା ଦ୍ୱାର ଦେଇ ବାହାରକୁ ଆସି ଦେଖନ୍ତି ତ ନୀହାରିକା ଗୋଟିଏ କଡକୁ ଏକୁଟିଆ ଠିଆ ହୋଇଛନ୍ତି । ନିଖିଳେଶ ବାବୁ ରାଗରେ ତାଙ୍କୁ କିଛି କହିବା ପୂର୍ବରୁ ସେ ଓଲଟା ତାଙ୍କ ଉପରେ ବିରକ୍ତ ହୋଇ 

ପଚାରିଲେ—

   "କଣ ଦର୍ଶନ କଲ ନା ନାହିଁ ?"


ନିଖିଳେଶ ବାବୁ ବିରକ୍ତ ହୋଇ କହିଲେ—


   "କେମିତି ଦର୍ଶନ କରିଥାନ୍ତୁ ତମକୁ ଛାଡିଦେଇ । ଦେଖି ପାରୁନ କେତେ ଭିଡ ହୋଇଛି ଆଉ ସେତିକିବେଳକୁ ତମେ ଆଗକୁ ଠେଲି ହୋଇ ଚାଲିଗଲ ଯେ ତମେ କେଉଁ ସ୍ଥାନରେ ଅଛ କିଛି ବି ଦିଶିଲାନାହିଁ । ତା ଛଡା ସାଗରିକାକୁ ଏକୁଟିଆ ଛାଡି 

    ତମକୁ ଖୋଜିବାକୁ ଯିବା ବି ସମ୍ଭବ ହେଲା ନାହିଁ । ସେଥିରେ ପଚାରୁଛ ଯେ ଦର୍ଶନ ହେଲାକି ନାହିଁ । ଯାହା ହେଲା ହେଲା ଚାଲ ବେଢା ଭିତରେ ଥିବା ଦେବଦେବୀ ମାନଙ୍କୁ ଦର୍ଶନ କରି ପଳେଇଯିବା ।" 


    "ଯାହା ହେଉ ମୁଁ କିନ୍ତୁ ଦର୍ଶନ କରିଦେଲି । ସେ ଯେଉଁ ପୁଲିସ୍ ବାବୁ ସେଠି ଯିଏ ଠିଆ ହୋଇଛନ୍ତି ତାଙ୍କୁ ଯାଇ ଅନୁରୋଧକରିବାରୁ ସେ ବିନା ଦ୍ୱିଧାରେ ମୋତେ ନେଇ ଦର୍ଶନ କରେଇ ଆଣିଲେ । ତମେ ଆସ ମୁଁ ତାଙ୍କୁ ସବୁ ଅସୁବିଧା କଥା କହି ସାରିଛି । ଆଉଥରେ ଅନୁରୋଧ କଲେ ସେ କଥା ରଖିବେ ବୋଲି ମୋର ଆଶା "— ବୋଲି କହିଲେ ନୀହାରିକା । 


ନୀହାରିକାକୁ ପୁଣି ପାଖରେ ଦେଖି ପୁଲିସ୍ ବାବୁ କହିଲେ— 


    "କଣ ସମସ୍ତେ ପୁଣି ଏକାଠି ହୋଇଗଲ ? ଯାହାହେଉ ଭଲହେଲା ।"


ନୀହାରିକା ଆଉଥରେ ଅନୁରୋଧ କରିବା ପୂର୍ବରୁ ପୁଲିସ୍ ବାବୁ ପୁଣିଥରେ ସମସ୍ତଙ୍କୁ ନେଇ ଦର୍ଶନ କରାଇ ନେଇ ଆସିଲେ । ସମସ୍ତେ ତାଙ୍କୁ କୃତଜ୍ଞତା ଜଣାଇବାରୁ ସେ କହିଲେ—


     "ଦେଖନ୍ତୁ ମୁଁ ମୋର କର୍ତ୍ତବ୍ୟ ହିଁ କରିଛି । ଆପଣମାନେ ସେଇ କାଳିଆକୁ କୃତଜ୍ଞତା ଜଣାନ୍ତୁ ।"


ପୁଲିସ ବାବୁଙ୍କ ଠାରୁ ବିଦାୟ ନେଇ ନିଖିଳେଶ ବାବୁ ପତ୍ନୀ ଓ ସାଗରିକା ସହିତ ବଟଗଣେଶ ପାଖରେ ପହଁଞ୍ଚିଲେ । 

ଏକ ଦୀର୍ଘଶ୍ୱାସ ଛାଡି ସେ କହିଲେ —


    " ଯାହା ହେଉ ଦର୍ଶନଟା ହୋଇଗଲା । ସେଇଟା ହିଁ ମୁଖ୍ୟ କାର୍ଯ୍ୟ ଥିଲା । ଏଥର ଚାଲ ବେଢା ଭିତରେ ଥିବା ଦେବଦେବୀ ମନ୍ଦିରରେ ଦର୍ଶନ କରି ପଳେଇଯିବା । ଏ ଗହଳିରେ ଅବଢା ମିଳିବା ସମ୍ଭବ ନୁହେଁ । ମିଳିଲେ ବି ବସିବାକୁ ଟିକେ ଜାଗା ବି ମିଳିବନି । ଗଲାବେଳ ବାଟରେ ଢାବାରେ ଖାଇନେବା ।"


ସମୟ ପ୍ରାୟ ଅପରାହ୍ନ ତିନିଟା ହେବାକୁ ଯାଉଥାଏ । ବଟଗଣେଶ, କଳ୍ପବଟ ଓ ପାଖରେ ଥିବା ଅନ୍ୟ ଦେବଦେବୀଙ୍କୁ ଦର୍ଶନ କରି ବିମଳା ମନ୍ଦିର ଆଡକୁ ଯିବା ବାଟରେ "ସାର୍ ନମସ୍କାର" ବୋଲି କହି ନିଖିଳେଶ ବାବୁଙ୍କ ସାମ୍ନାରେ ଜଣେ ଭଦ୍ରବ୍ୟକ୍ତି ଠିଆ ହୋଇଗଲେ । ସେବାୟତଙ୍କ ପୋଷାକରେ ଥାଆନ୍ତି ସେ । ବହୁତ ଖୁସିହୋଇ କହିଲେ —


     "ଆଜି ମୋର ବଡ ଭାଗ୍ୟ । ଏତେଦିନ ପରେ ଏପରି ଏକ ପବିତ୍ର ଦିନରେ ମନ୍ଦିର ଭିତରେ ଆପଣଙ୍କ ସହ ଭେଟ ହେବ ବୋଲି ମୁଁ ଭାବି ନଥିଲି । ସବୁ ସେଇ କାଳିଆର ଇଚ୍ଛା ।"  


ନିଖିଳେଶ ବାବୁ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ପଚାରିଲେ—


     "କେମିତି ଅଛନ୍ତି ମହାପାତ୍ର ବାବୁ? ମୁଁ ପୁରୀରୁ ଟ୍ରାନ୍ସଫର୍ ହୋଇ ଗଲା ପରେ ଅନେକ ଥର ମନ୍ଦିରକୁ ଆସିଛି । ଆପଣଙ୍କୁ ଫୋନ୍ କରିଛି ହେଲେ ଯୋଗାଯୋଗ ହୋଇ ପାରିନି । ବୋଧେ ଆପଣ ନୂଆ ନମ୍ବର ନେଇଛନ୍ତି ଯାହା ମୁଁ ଜାଣିନି । ଯାହା ହେଉ କାଳିଆର ଦୟାରୁ ଭେଟ ମିଳିଗଲା ।"


ସେ ବହୁ ଆଦରର ସହ ବେଢା ଭିତରେ ଥିବା ତାଙ୍କର ଗୋପୀନାଥ ମନ୍ଦିରକୁ ନେଇ ବସେଇଲେ । ପିଲା ପଠେଇ ଖାଇବା ପାଇଁ ଅବଢା ମଗେଇଲେ । ଅବଢା ଆସିବା ଭିତରେ ଅବଶିଷ୍ଟ ପାର୍ଶ୍ୱ ଦେବଦେବୀ ମାନଙ୍କୁ ଦର୍ଶନ କରି ପଳେଇ ଆସିବାକୁ ଅନୁରୋଧ କଲେ । ସେଇଆ ହିଁ ହେଲା ପାର୍ଶ୍ୱ ଦେବଦେବୀ ଦର୍ଶନ କରି ପହଞ୍ଚିଲା ବେଳକୁ ଅବଢା ଆସି ସାରିଥିଲା । ଘରକୁ ନେବାପାଇଁ ମଧ୍ୟ ଅଲଗା ଏ କୁଡୁଆରେ ପ୍ୟାକ୍ କରି ଅଣେଇଥିଲେ । ବହୁ ତୃପ୍ତିର ସହିତ ଅବଢା ସେବନ କରି , ମହାପାତ୍ର ବାବୁଙ୍କୁ ଧନ୍ୟବାଦ ଜଣାଇ ସେଠାରୁ ବିଦାୟ ନେଲେ । ସମୟ ପ୍ରାୟ ପାଞ୍ଚଟା ବାଜିବାକୁ ଯାଉଥିଲା ଗାଡି ବାଟମଙ୍ଗଳାଙ୍କ ପାଖରେ ଅଟକିଲା । ମାଆ ମଙ୍ଗଳାଙ୍କୁ ଦୀପ ଦେବାପାଇଁ ସମସ୍ତେ ଗାଡିରୁ ଓହ୍ଲାଇଲେ । ନିଖିଳେଶ ବାବୁ ଲକ୍ଷ୍ୟ କଲେ ଦୁଇ ଭଉଣୀଙ୍କ ଆଖିରୁ ଲୁହର ଧାର ବହି ଯାଉଛି । ଦୁଇଜଣଯାକ ରୁମାଲ୍ ରେ ଆଖି ପୋଛୁଛନ୍ତି । ନିଖିଳେଶ ବାବୁ କିଛି କହିଲେ ନାହିଁ । ଦୀପଦାନ ପରେ ଗାଡି ଭୁବନେଶ୍ୱର ଅଭିମୁଖେ ଯାତ୍ରା କଲା । କିଛି ସମୟ ନିରବରେ ବିତିଗଲା ପରେ ନିରବତା ଭଙ୍ଗକରି ସାଗରିକା କହିଲା—


      "ଭାଇ ଆଜି ମୋର ଜୀବନ ଧନ୍ୟ ହୋଇଗଲା । ମୁଁ ଆଜି ଜଗନ୍ନାଥଙ୍କୁ ସ୍ୱଚକ୍ଷୁରେ ଦେଖିଲି ।" 


ନୀହାରିକା ବି କହି ଉଠିଲେ—


      "ଥରେ ନୁହେଁ ମୁଁ ଆଜି ଦୁଇ ଦୁଇ ଥର ଦର୍ଶନ କଲି । ଥରେ ପୁଲିସ୍ ବାବୁ ହୋଇ ଆମକୁ ଦର୍ଶନ ଦେଲେ, ଆଉଥରେ ମହାପାତ୍ର ବାବୁଙ୍କ ରୂପରେ ଆସି ଆମକୁ ଅବଢା ଖୁଆାଇଲେ । ଏ ସବୁ ମୁଁ ସେ ସମୟରେ ଜାଣିପାରିଲି ନାହିଁ କିନ୍ତୁ ଗାଡିରେ ବସିଲା ପରେ ମୋ ମନକୁ ଏଇ କଥା ବାରମ୍ବାର ଆନ୍ଦୋଳିତ କଲା ଏବଂ ଆଖିରୁ ସ୍ୱତଃ ଲୁହ ଗଡିଆସିଲା । "


       "ହଁ ତମେମାନେ ଠିକ୍ କହୁଛ । ମୁଁ ଗତ ରାତ୍ରିରୁ ଦର୍ଶନ ହୋଇ ପାରିବ କି ନାହିଁ,ଅବଢା ମିଳିବକି ନାହିଁ ବିଷୟରେ ଚିନ୍ତାକରି ବହୁ ଉତ୍କଣ୍ଠା ଭିତରେ ଥିଲି । ବିଶ୍ୱାସ ଥିଲେ ସେ କେତେବେଳେ କାହାକୁ କେଉଁ ରୂପରେ ଦେଖାଦେବେ ତାହା କହିବା ସମ୍ଭବ ନୁହେଁ ।

କଥାରେ ଅଛି ପରା ବିଶ୍ୱାସେ ମିଳଇ ହରି ତର୍କେ ବହୁ ଦୂର "—ବୋଲି କହିଲେ ନିଖିଳେଶ ବାବୁ ।


ସାଗରିକା ଆଣିଥିବା ଅବଢାକୁ ତା'ର ସ୍ୱାମୀଙ୍କୁ ଓ ପିଲାମାନଙ୍କୁ ଖାଇବାକୁ ଦେଇଥିଲା । ପ୍ରାୟ ବର୍ଷକ ଭିତରେ ତା'ର ସ୍ୱାମୀଙ୍କର ସ୍ୱାସ୍ଥ୍ୟରେ ବହୁତ ଉନ୍ନତି ହୋଇଛି । ସେ ଏବେ ଧୀରେ ଧୀରେ ଚାଲି ପାରୁଛନ୍ତି ବୋଲି, ଯାହା ନିଖିଳେଶ ବାବୁ କଥା ପ୍ରସଙ୍ଗରେ କହୁଥିଲେ । ଜୟ ଜଗନ୍ନାଥ ।


  *******



Rate this content
Log in