Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Panchanan Jena

Others

2.5  

Panchanan Jena

Others

ବିଦୂଷୀ ଗାନ୍ଧାରୀ

ବିଦୂଷୀ ଗାନ୍ଧାରୀ

7 mins
449


ପରାଶର ରଥଶର୍ମା, ପରାଶରବାବୁ, ଶର୍ମାବାବୁ ଇତ୍ୟାଦି ଯେତେ ବିଶେଷଣରେ ରଙ୍ଗେଇକରି ଡାକିଲେ ବି ସାର କାହିଁକି ଅନ୍ୟମନସ୍କ ରହୁଛନ୍ତି କେଜାଣି ? କ’ଣ ଦେହ ଖରାପ କି ? ଘରେ କଳି କରି ଆସିଛନ୍ତି ନିଶ୍ଚିତ ! ବ୍ୟାଙ୍କ କିସ୍ତି ଦେଇପାରିନାହାନ୍ତି କି ଏ ମାସ ? ଶାଳି ବାହାଘର ଠିକ ହୋଇ ଗଲା କି ? ବଦଳି ଖବର ସାର ଶୁଙ୍ଘି ନେଲେ କି ?


ଏମିତି କଳ୍ପିତ କିମ୍ଭାକାର କଳ୍ପନା ଜଳ୍ପନା ଚଳେଇଥିଲେ ପୁରୁଣା ପିଅନ ହରିପଦ ବେହେରା ଆଉ ଗଦାଧର ପଣ୍ଡା | ପାନ ଚୋବାଉ ଚୋବାଉ ପରାଶର ବାବୁଙ୍କର ମୁଡ ଅଫ କଥାଟାକୁ ଏତେ ଚର୍ବିତ ଚର୍ବଣ କରୁଥିଲେ , ଏତେ ମାତ୍ରାରେ ମନ୍ଥନ କରୁଥିଲେ, ଏତେ ସରାଗରେ ଗୋଳେଇ –ଘାଣ୍ଟି- ଫେଣ୍ଟି ବାଗେଇ କହୁଥିଲେ ଯେମିତି ଉପିଏସି ଏକଜାମର ଏସେ ପେପର ପାଇଁ ତୟାରି ପର୍ବ ଜୋର ସୋରରେ ଚାଲିଛି । ପାଠକେ ଧ୍ୟାନ ଦିଅନ୍ତୁ । କହିରଖେ ପରାଶର ରଥଶର୍ମା ଜଣେ ପଦସ୍ଥ ଓଏସ ଅଫିସର । ଦୀର୍ଘ ୨୦୦୫ ମସିହାରୁ ଚାକିରିରେ ଯଏନ କରି ଓଡିଶାର ବିଭିନ୍ନ ବିଭାଗ ଭିନ୍ନ ଜିଲ୍ଲାରେ ବୁଲି ଅଗତ୍ୟା ବାଲେଶ୍ଵର ଜିଲ୍ଲାର ବାଲିଆପାଳ ବ୍ଲକରେ ବିଡିଓ ରୂପେ ଯୋଗ ଦେଇଛନ୍ତି । ସାରଙ୍କ ପୌତୃକ ସ୍ଥାନ ଭଦ୍ରଖ ଜିଲ୍ଲାର ଚାନ୍ଦବାଲି ବ୍ଲକର କୁଚଳିଆଡ଼ିଆ ହୋଇଥିଲେବି ସାର ବାଲିଆପାଳରେ ବେଶ ୩ ବର୍ଷ ହେଲା ଆସନ ଯମେଇଛନ୍ତି । ମିତବ୍ୟୟୀ – ମିଷ୍ଟଭାସି –ସ୍ଵଳ୍ପବାକପ୍ରିୟ ଶର୍ମାବୁ ଜଣେ କଠୋର ଏବଂ ଶଚ୍ଚୋଟ ଅଫିସର । ସବୁବେଳେ ସଜସଜ ହସିଲା ମୁଁହ । ସମସ୍ତଙ୍କୁ ହସେଇ –ଫସେଇ –ଧମକେଇ – ଚମକେଇ କାମକୁ କରେଇ ନେବାର କଳା ତାଙ୍କ ପାଖରେ ଭରପୁର ।


ହଠାତ ସୋମବାର ଦିନ ସାରଙ୍କ ଏମିତିକା ଅନ୍ୟମନସ୍କତା ଦୁଇ ପୁରୁଣା ପିଅନଙ୍କୁ ଟିକେ ଆଖାଡୁଆ –ଅସଜଡା ଲାଗୁଥିଲା । ତା’ ପୁଣି ସୋମବାର ସକାଳୁ ସକାଳୁ ----କାହା ମୁଁହ ଦେଖିଲୁ କି ...? ଅସଲ କଥାଟା ଅନ୍ୟ କିଛି । ଚ୍ଛୋଟ ଚାକିରି । ଚ୍ଛୋଟ ମୁଣ୍ଡ । ମସଲା ବହୁତ ଚ୍ଛୋଟ । ଚିନ୍ତା – ଚଇତନ ତ ଆହୁରି କଟି – ଚ୍ଛୋଟ । କାଟ ଛାଟିଆ କଥାରେ କହିଲେ ତେଲ ଲୁଣ ଦୁନିଆରୁ ଦର ବୁଢା ମାନେ ଆଉ ଉପରକୁ ଉଠି ପାରୁ ଛନ୍ତି କାହିଁ ?

ସହଧର୍ମିଣୀ ବିଳାସିନୀଦେବୀ ଗର୍ଭବତୀ , ଆସନ୍ନପ୍ରସବା । ଆଉ ମାତ୍ର ଦୁଇ ସପ୍ତାହ ରହିଲା । ଡ଼େଲିଭାରି ଦିନ ପାଖେଇ ଆସୁଛି । ପ୍ରେମ ବିବାହ । ପରିବାର ବିରୁଦ୍ଧରେ ଯାଇ କୋର୍ଟରେ ରେଜେଷ୍ଟ୍ରି ମ୍ୟାରେଜ । ବାପା କପିଳାଶ ରଥଶର୍ମା ରିଟାୟାର୍ଡ ହେଡ଼ ପଣ୍ଡିତ । ନୀଚ ଜାତିର ବୋହୁକୁ ଗ୍ରହଣ କରିବେନି...... ଇତ୍ୟାଦି ......ତେଣୁ ଏପରି ସମୟରେ କେହି ଆତ୍ମୀୟ ସ୍ଵଜନ ନାହାନ୍ତି ବିଲାସିନୀର ପାଖେ ପାଖେ ରହି ତା’ର ଦେଖାଶୁଣା ଚବିଶ ଘଣ୍ଟା ଛାଇପରି କରନ୍ତା । ତେଣୁ ବାରଂବାର ଫୋନ କରି ପଚାରି ବୁଝୁଛନ୍ତି । ସବୁ କରୁଛନ୍ତି ........।


ମାତ୍ର ଦିନ ଯେତେ ପାଖେଇ ଆସୁଛି , ବ୍ୟସ୍ତତା –ଅନ୍ୟମନ୍ସକତା ସେତେ ବଢି ଯାଉଛି । ଏ ମୂର୍ଖ-ଗଣ୍ଡ- ଧଣ୍ଡ –ଷଣ୍ଡ- ଭୂଷଣ୍ଡମାନେ ଏ ଗୁରୁ କଥାର ଟେର ବି ପାଇ ନାହାନ୍ତି ବୋଧେ ? ସ୍ୱଳ୍ପବେତନଭୋଗୀ ସ୍ୱଳ୍ପକୈନ୍ଦ୍ରିକ ସ୍ୱଳ୍ପବୁଦ୍ଧିମାନ ଏହି ପାହ୍ୟାର ବର୍ଗର ମହାରଥୀ ବିରବର ବିରାଧିବିରବର ପଣ୍ଡା ବେହେରାଙ୍କୁ ଏକଥା କେମିତି ଅନାବିଷ୍କୃତ ରହିଗଲା , ଆଶ୍ଚର୍ଯ୍ୟ ଚକିତ ଲାଗେ ? ଶାରଦୀୟ ସନ୍ଧ୍ୟା ଆଗତ ପ୍ରାୟ । ସୁଲୁ ସୁଲୁ ପ୍ରଭଞ୍ଜନ ତା’ର ଚିରାଚରିତ ସନଇ ସନଇ ବେଗରେ ଫୁଲ ବଗିଚାର ସୁଗନ୍ଧ ସୁବାସକୁ ମହକେଇ ଚହକେଇ ଚହଟେଇ ଚାଲିଛି । ସୁନ୍ଦର ମନୋରମ ପରିବେଶ । ସଫା ଆକାଶତଳେ କୋମଳ ଘାସର ଗାଲିଚା । ଭସା ବାଦଲଦଳ ସବୁ ଧାଉଁ ଛନ୍ତି ଛୁଟି ଚାଲିଛନ୍ତି କେଉଁ ଏକ ଅଜଣା ଅକୁହା ରାଇଜେ ...ପ୍ରାଣ ପ୍ରିୟାର ପ୍ରୀତିଭରା ସନ୍ଦେଶକୁ ନେଇ ସେହି ପ୍ରାଣ –ପ୍ରିୟ ପାଶେ .....ଶର୍ମାବାବୁ ବି ଏଥିରୁ ବାଦ ଜାଆନ୍ତେ କିପରି ? ମ୍ୟାଡାମଙ୍କ ସହିତ ବସି ହସ –ଖୁସି ମିଠା ଗଳ୍ପ ଆଳାପରେ ବେଶ କଟେଇ ଦିଅନ୍ତି ସାୟଂକାଳର ଏହି କେତୋଟି ମୂହୁର୍ତ୍ତ । ଦିନଯାକର ଥକ୍କା ମନ ପକ୍କା ଚଙ୍ଗା ହୋଇଯାଏ ।

“ ହେଇ ଶୁଣୁଛ ! ଶୁଣ ମ ! କ’ଣ ସବୁ ବେଳେ ସେହି ଆକାଶକୁ ଦେଖୁଛ ଯେ ଦେଖୁଛ .....ମୋ’ କଥାକୁ ଟିକେ ଧ୍ୟାନ ଦିଅ ....” ସହଧର୍ମିଣୀ ପୁରା କଁଲେଇ ଆରମ୍ଭ କଲେ । “କୁହ ! ହେଲା ହେଲା । ପ୍ରକୃତିର ଏହି ନୈସର୍ଗିକ ରୂପ ସମ୍ଭାରକୁ-ଯଉବନକୁ ମନ ପୁରେଇ ଆଖି ତରାଟି ଉପଭୋଗ କରୁଥିଲି । କୁହ ମ ! କ’ଣ ସେ କଥା ?”—ଶର୍ମାବୁ ଉତ୍କଣ୍ଠାର ସହିତ ପାଖକୁ ଲାଗି ଆସିଲେ ଆଉ ଦେହକୁ ଦେହ ପୁଷି ବିଲେଇ ପରି ଘଷି ଗେହ୍ଲ୍ଲେଇ କଂଳେଇ ପଚାରିଲେ ।

“ ଆମ କଲୋନୀର ସେହି ଯେ କ୍ଵାଟର ନମ୍ବର ୪, ମହମ୍ମଦ ସାହିରୁଲ ହକ , ତୁମ ଅଫିସର ବଡସାର ହକବାବୁ । ତାଙ୍କ ମେମ୍ ସାହିବା ଫାରାନା ଖାତୁନ ଆଜି ଆସିଥିଲେ ଏବଂ ବହୁତ ମିଠା ମିଠା କଥାରେ ମୋତେ ହସେଇ ହସେଇ ତଳିପେଟ ବଥା କରି ଦେଇ ଗଲେ । ହେଇ ହାତ ମାରି ଦେଖୁନ ।” ଶର୍ମାବୁଙ୍କ ବାଁ ହାତକୁ ଅସମ୍ଭବ ଭାବରେ ବେଲୁନ ପରି ଫୁଲିଥିବା ପେଟ ପାଖକୁ ଆଣୁ ଆଣୁ ମିସେସ କହି ଚାଲିଥିଲେ ।

“ଗୋଟିଏ କଥାରେ ମୋତେ ଏତେ ହସ ମାଡିଲା ଯେ ମୁଁ ତୁମକୁ ନ କହି ରହି ପାରୁନି “--- ପୁଣି କଥା ଲମ୍ବିଲା ଆଳରେ କହିଲେ ।

“ କ’ଣ କୁହ ?”

“ତୁମେ ଅନ୍ୟଥା ନେବନି ତ ! ନୋହିଲେ କହିବିନି ।

‘’ହଉ ବାବା! ହେଲା ! ମୁଁ ଜମାରୁ ଖରାପ ଭାବିବିନି । କୁହ ତା’ହେଲେ --- ବେଗି ବେଗି କୁହ .....ତୁମ ମୁଖାରବିନ୍ଦୁରୁ କଥାର ଧାରାଟା ବାହାରି ଆସୁ କାରଣ ବହୁତ ସମୟ ହେଲା ଭିତରେ ରହି ପେଟ ଫାମ୍ଫୀ ଯିବନି ? କୁହ ! ମୁଁ ସହଜରେ ନେବି ।” ରସିକିଆ ନାଗର ଶର୍ମାବୁ ରସିକ ଚାତୁରୀ ଦେଖେଇ ମୁରୁକି ମୁରୁକି ଧୀରେ ଧୀରେ କହୁ ଥିଲେ ।

“ ସାତ ସାତଟା ପୁଅ ଝିଅର ମା’ ହେଲି, ମାତ୍ର ପ୍ରେମ ମିଳି ପାରିଲାନି, ସତସତିକା ହୃଦୟବତୁରା ପ୍ୟାର ପାଇଲିନି |”--- କହିଲେ ଆଉ ହସି ହସି ବେଦମ ହୋଇଗଲେ ମିସେସ ।

‘’କ’ଣ ହେଲା ସେଇଠୁ? ଏଥିରେ ତ କିଛି ହସିବାର ନାହିଁ ? କ’ଣ କହିବି ତୁମକୁ ? ପୁରା ନର୍ମାଲ କଥା |” ଶର୍ମାବୁ ଟିକିଏ ବି ନ ହସି କହି ପକେଇଲେ |

ମ୍ୟାଡ଼ାମ ଟିକେ ଗମ୍ଭୀର ହୋଇଗଲେ । ଅଳ୍ପ ଟିକେ ଦେହକୁ ଲଗେଇ କରି କହିଲେ ---- ମୁଁ ଭାବୁଥିଲି ଅନ୍ୟ ଏକ ଦିଗ । “ ଆମେ ଦୁଇ –ଆମର ଏକ , ଆମେ ଦୁଇ –ଆମର ଦୁଇ “ ରୁ ଟିକେ ଆଗକୁ ଯିବା । ଅର୍ଥାତ ମୁଁ ଗାନ୍ଧାରୀ କି କୁନ୍ତୀ ହେବାକୁ ଚାହୁଁନି । କିମ୍ବା ଫାରାନା ବେଗମ ପରି ସାତ ସାତଟା ପିଲା ଝିଲା ବି ଦରକାର ନାହିଁ । କମ ସେ କମ ତିନି ଚାରିଟି ସନ୍ତାନ ମୋର ଦରକାର । ମିନିମାମ ଗଣ୍ଡାଏ ପିଲାର ମା’ ହେବାକୁ ମୁଁ ଚାହେଁ ...... ବୁଝିଲ......।


ମୁଁ ଆଦୌ ସହମତ ନୁହେଁ । କାରଣ ଓଡିଶା ସରକାରଙ୍କ ଅଧୀନରେ ମୁଁ କାର୍ଯ୍ୟରତ । ସରକାରଙ୍କ ଜନସଂଖ୍ୟା ବିଶ୍ଫୋରଣ ନୀତି ପ୍ରତିରୋଧ କମିଟିର ମୁଁ ଜଣେ ତୁଙ୍ଗ ନେତା ଓ ସଦସ୍ୟ । ମୁଁ କେମିତି ତୁମ କଥାରେ ସହମତ ହେବି କହିଲ । ହେବନି, ବରଂ ଆମର ପ୍ରଥମ ପିଲା – ପୁଅ କି ଝିଅ , ତାହାହିଁ ଯଥେଷ୍ଟ । ଫ୍ୟାମିଲି ପ୍ଲାନିଙ୍ଗ ଅପରେଶନ କରିନେବା । ତୁମେ ବି ଆଉ ମୁଁ ମଧ୍ୟ । ସଂଯମ ହିଁ ସବୁକିଛି ।


କ’ଣ ବୋକା ଭଳିଆ ଯୁକ୍ତି ବାଢୁଛ । ଏହି ନୀତି ପାଇଁ ପରିବାର ସମାଜ ଦେଶ ଦୁନିଆର କି ଦଶା ହେଲାଣି ଦେଖୁଛ ? ଫାଇଲ ଚାଷ କରି କରି ମଗଜକୁ ନୂଆ କଥା ଆଦୌ ଢୁକୁନି । ଦେଖ ! ଆମ ପିଲାଦିନ | ଅର୍ଥନୀତି ତ ଏତେ ସ୍ବଚ୍ଛଳ ନ ଥିଲା , ଆମେ ଚାରି ପାଞ୍ଚ ଭାଇ ଭଉଣୀମାନେ ତ ବେଶ ଡେଣା ଝାଡି ଉଡି ଉଡି ଘୁରି ଘୁରି ବୁଲି ପାରୁଛେ । କିନ୍ତୁ ବର୍ତ୍ତମାନର ଏହି ସାଟେଲାଇଟ ପରିବାରରେ ଜଣେ ଛୁଆର ମାନବିକ ସାଙ୍ଗ –ସାଥି କାହିଁ । ତେଣୁ ସେ ବାଧ୍ୟ ହୋଇ କମ୍ପୁଟର / ଭିଡିଓ ଗେମ /ଇଣ୍ଟର୍ନେଟ ଓ ଅନ୍ୟ ଇଲେକ୍ଟ୍ରୋନିକ ଗ୍ୟାଜେଟ ସହିତ ଦୋସ୍ତ୍ତି କରିବାକୁ ବାଧ୍ୟ ହେଉଛି । ଧୀରେ ଧୀରେ ସେ ଟ୍ୟାକନୁସେଭି ହୋଇ ସ୍ନେହ ପ୍ରେମ କରୁଣା ଦୟା ଇତ୍ୟାଦି ମାନବିକ ମୂଲ୍ୟବୋଧରୁ ଦୂରକୁ ବହୁ ଯୋଜନକୁ ଚାଲି ଯାଉଛି । ଆଉ ଫେରି ପାରୁନି ,ଅମଡା ବାଟର ପଥିକ ସାଜି ଦିଗହରା ଦିଶାହରା ହୋଇ ହାଉଜାଉ ହେଉଛି - କଥା କଥାକେ ରାଗ , ହୁଁ ପଦିକେ ମାଡ ଦେବା ପାଇଁ ତୟାର ରହୁଛି ।


ତୁମେ ଥରେ ଭାବି ଦେଖ, ତୁମେ ଥରେ ଅବଚେତନ ମନରେ ହେଜି ଦେଖ । ତୁମେ ଥରେ କଳ୍ପନା ଚକ୍ଷୁରେ ଚିନ୍ତନ ମନ୍ଥନ କରି ପରଖ । ତୁମେ ଥରେ କମନ ସେନ୍ସ ଏପଲାଏ କରି ତର୍ଜମା କର । ବୁଝିପାରିବ ମୋ ତର୍କର ଗେଣ୍ଡୁ –ମଞ୍ଜି ଆଉ ଚେର ।

 ଆଜିର ପିଲାମାନଙ୍କୁ ବିପଥଗାମୀ କରେଇଛି କି’ଏ ? 

ଯଦି ତା’ର ଅନ୍ୟ ଦୁଇ ଚାରି ଜଣ ଭାଇ – ଭଉଣୀ ନିଜ ଘରେ ରହନ୍ତେ । ହସ –କଉତୁକରେ ଘରର ଚାରିକାନ୍ଥ ଭିତରେ ଖେଳ-ଖେଳରେ ଜୀବନର ମୂଲ୍ୟବୋଧକୁ ସ୍ଵତଃ ଆପେ ଆପେ ଶିଖି ନିଅନ୍ତି । ତୁମର ଅସୁବିଧା କ’ଣ ? ହୁଏତ ଆମର ବାପା –ମା’ ମାନେ , ପ୍ରାତସ୍ମରଣୀୟ ପୂର୍ବସୂରୀ ପୂର୍ବଜମାନେ ଏହି ସବୁ କଥାକୁ ବେଶ ଜାଣିପାରିଥିଲେ !

ତୁମ କଥା ଶୁଣିବା ପରେ ମୁଁ ଭାବୁଛି ବିଂଶ ଶତାଦ୍ଦୀରେ ଜନ୍ମନେଇ ଏକବିଂଶ ଶତାଦ୍ଦୀରେ ପଦାର୍ପଣ କରି ସାରିଥିଲେ ବି ମଧ୍ୟକାଳୀନ ମଧ୍ୟଯୁଗୀୟ ଚିନ୍ତାଧାରା ତୁମ ମନ-ମଗଜକୁ ଆସୁଛି କେମିତି ? ତୁମେ ଏସବୁ ମନୋବୈଜ୍ଞାନିକ ଚିନ୍ତାଧାରାକୁ ଜନ୍ମ ଦେଇ ମାନସିକ ଦୁଃଶ୍ଚିନ୍ତା ଛଡା ଆଉ କ’ଣ ବା ପାଇବ ? ତୁମ ପେଟରେ –ଗର୍ଭରେ ବଢୁଥିବା –ଗଜରୁଥିବା ଭାବି ବଂଶଧର କଥା ଚିନ୍ତା କର !

ଭାବିଲ ଦେଖି ,ତା’ ଉପରେ କି ପ୍ରଭାବ ପଡିବ ? ବସ –ଟ୍ରେନର ଅବସ୍ଥା କଥା ଭାବ ? ପ୍ରତ୍ୟେକ ବଜେଟରେ ଟ୍ରେନର ସଂଖ୍ୟା ବଢୁଛି । ମାତ୍ର ଦୈନିକ ୱେଟିଙ୍ଗ ଲିଷ୍ଟ ଯାତ୍ରୀଙ୍କ ଲମ୍ବା ଲାଇନ । ପ୍ଲାଟଫର୍ମରେ ବସିବା ପାଇଁ ସ୍ଥାନ ନାହିଁ । ଆମେ କେତେ ଥର ତଳେ ବେଡ଼ସିଟ ପକେଇ-ମେଲେଇ ବସିଛେ ମନ ମାନୁ-କହୁ ନ ଥିଲେ ବି । ଜନସଂଖ୍ୟା ବୃଦ୍ଧି ଏକ କାରାଳ-ବିକଟାଳ ଦାନବ । ଗରିବ-ନିରକ୍ଷରତା –ବାଳଶ୍ରମିକ ଇତ୍ୟାଦି ସମସ୍ୟାର ଜାଲସବୁ ଏହାରି ପେଟରୁ ଲେଲିହାନ ଶିଖା ପରି ନିର୍ଗତ । ବିଶ୍ବବିଦ୍ୟାଳୟର ଉଚ୍ଚତମ ଡିଗ୍ରୀଧାରୀ ହୋଇ ମଧ୍ୟ ଏଭଳି ଅବାନ୍ତର ଯୁକ୍ତି କ’ଣ ଶୋଭାପାଏ ବିଳାଶିନୀ !

ମୁଁ ଭାବୁଛି ! ମୋ ଚିନ୍ତାଧାରା ପୁରୁଣା କାଳିଆ । ମୁଁ କହୁଛି ! ମୋ କଥା ଆଦୌ ନୂଆ ନୁହେଁ । ମାତ୍ର ମୁଁ ସେହି ଭାବି ବଂଶଧର-ଦାୟାଦର ପକ୍ଷ ନେବାପାଇଁ ଏ କଥା କହୁଛି । ମୁଁ ତା’ର ବୌଦ୍ଧିକ ବିକାଶ , ମାନବୀୟ ଗୁଣ-ପ୍ରକୃତି –କର୍ତ୍ତବ୍ୟବୋଧ ମୂଳକ ଦାର୍ଶନିକ –ତଥ୍ୟ ସଂବଳିତ କଥା କହୁଛି ଯାହା ବାଲ୍ୟକାଳରେ ହିଁ ସଂଭବ, ଘରେ ହିଁ ସମୀଚୀନ ।


ଆମେ ସମସ୍ତେ ଚାହୁଁ ଆମ ପିଲା ଆଇଏସ /ଓଏସ/ଡାକ୍ତର /ଇଞ୍ଜିନିୟର/ବୈଜ୍ଞାନିକ ଟିଏ ହେଉ ; ମାତ୍ର ଜଣେ ଭଲ ନାଗରିକ – ସମାଜ ସୁଧାରକ କି’ଏ ଚାହେଁ ତା’ ପିଲା ହେଉ ? ଆମେ ସବୁ ଆଧୁନିକତାର ଢାଞ୍ଚାରେ , ପାଶ୍ଚାତ୍ୟ ସଭ୍ୟତାର ସାଇଡ଼ ଇଫେକ୍ଟରେ ଏତେ ବଶୀଭୂତ ଯେ, ଆମର ଭାରତୀୟ ବୈଦିକ ଢାଞ୍ଚାକୁ ପୁରା ମୂଳୋତ୍ପାଟନ ପାଇଁ ଲାଗିପଡିଛେ । ତୁମେ ଦେଖ ! ଅନ୍ୟମାନେ କ’ଣ କରୁଛନ୍ତି ; କ’ଣ କହିବେ ……. ସେଥିରେ ଆମର ଯାଏ କେତେ ନା ଆସେ କେତେ। ଆମେ ଆମ ଛୁଆମାନଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ଦେଉଛେ ।ଆମ ଅଜାଣତରେ କିଛି ନବୁଝି ନଶୁଝି ନଶୁଣି ସ୍ରୋତରେ ଭାସିଚାଲିଥିବା ଶୁଖିଲା ପତର ନୀତି ଧରିଛେ ।

କଥା କ’ଣ କି ? ଆମର ଗୋଟିଏ ପିଲା ଦରକାର ନାହିଁ , ଆମର ହସିଲା-ଖେଳିଲା-ପୁରିଲା ଦମ୍ ଦମ ଛମଛମ କରୁଥିବା ସୁଖୀ ପରିବାରଟେ ଦରକାର ........ ଗଣ୍ଡାଏ ଦିଗଣ୍ଡା କୁନା-କୁନି ମୁନ୍ନା-ମୁନ୍ନୀ ଦରକାର । ବୁଝିଲ କି ?

ଦେଖୁଛ ! ବହଳ ଅନ୍ଧାର ଜମି ଆସିଲାଣି । ଚାଲ ଯିବା । ଏ ବେକାରିଆ କଥାରେ ମଥା ବଥେଇବା ଏ ପରିସ୍ଥିତିରେ ଆଦୌ ସମୀଚୀନ ନୁହେଁ । ଚାଲିଲ ...ଚାଲ ........। ହାତ ଧରି ଧୀରେ ଧୀରେ ପରାଶର ବାବୁ ପତ୍ନୀ ବିଳାସିନୀ ଦେବୀଙ୍କୁ ଘରକୁ ନେଉଥିଲେ ।

ମାତ୍ର ମନରେ –ଆତ୍ମାରେ......କଥାଟା ତ ନିରାଟ ସତ , ତଥ୍ୟଟା ବେଶ ଚିନ୍ତା ମୂଳକ –ବୌଦ୍ଧକାଳ୍ପିକ –ଯୋଗୋପଯୋଗୀ .....। ଆଗାମୀ ବଂଶଧର ମାନଙ୍କୁ ସୁପଥଗାମୀ କରେଇବାରେ ଏକ ଅମୋଘ ବ୍ରହ୍ମାସ୍ତ୍ର ।


ସନ୍ଧ୍ୟା ଦ୍ବୀପର ମିଞ୍ଜି ମିଞ୍ଜି ଆଲୁଅରେ ଶର୍ମା ବାବୁ ଏକପ୍ରକାର ପବିତ୍ରତାର ଶୁପ୍ତଧନର ସମାଧାନର ପଥ ଯେମିତି ପାଇଗଲେ । ଆମେ ହେବା ଶହେ ପୁଅ-ଝିଅର ବାପା-ମା’; ଚକ୍ଷୁବାନ ଧୃତରାଷ୍ଟ୍ର ଓ ବିଦୁଷୀ ଗାନ୍ଧାରୀ ହେବେ ସୁଯୋଗ୍ୟ ଉତ୍ତରସୁରୀ । ଏବଂ ନୂତନ – ନବୀନ ଶହେ ପରିବାରର ଆରମ୍ଭ ଅଭିପ୍ରାୟରେ ପରାଶର ବାବୁଙ୍କ ମୁଖମଣ୍ଡଳରେ ସ୍ମିତ ହାସ୍ୟରେଖା ଦ୍ଵିପ ଆଲୁଅରେ ବେଶ ଦାଉ ଦାଉ ଜଳୁଥିଲା ଝଲସୁଥିଲା ।



Rate this content
Log in