Minakshi Samal

Others

3  

Minakshi Samal

Others

ବିଦ୍ରୋହୀ

ବିଦ୍ରୋହୀ

4 mins
563



ପବିତ୍ର କାର୍ତ୍ତିକ ମାସ ଓଡିଶା ମାଟିରେ ପଦାର୍ପଣ କରିସାରିଛି।ପୁରୀ ସହର ଲୋକାରଣ୍ୟ।ସମଗ୍ର ଓଡିଶା ଓ ଓଡିଶା ବାହାରୁ ଆସିଥିବା ହବିଷିଆଳୀ ମାନଙ୍କର ଭିଡରୁ ସ୍ପଷ୍ଟରୂପେ ପ୍ରତିଭାତ ହେଉଥିଲା କାର୍ତ୍ତିକ ମାସର ମାହାତ୍ମ୍ୟ।ଏଥର ଓଡିଶା ପର୍ଯ୍ୟଟନ ବିଭାଗ ତରଫରୁ ମଧ୍ୟ ପୁରୀ ଷ୍ଟେସନ ନିକଟରେ ହବିଷିଆଳୀ ମାନଙ୍କର ଥଇଥାନ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।ପ୍ରାତଃ ସ୍ନାନ ସହ ତୁଳସୀ ଚଉରା ନିକଟରେ ରାଇ ଦାମୋଦରଙ୍କ ଆରାଧନା,ପଞ୍ଚତୀର୍ଥ ଭ୍ରମଣ,ଅବଢା ସେବନ ଆଦି ପର୍ବ ସୁରୁଖୁରୁରେ ଯେପରି ସମାପନ ହେବ ସେନେଇ ପରିଚାଳନା କମିଟି ସଦା ତତ୍ପର।


ପୁରୀର ଧର୍ମଶାଳା,ଚଟିଘର,ହୋଟେଲ ଗୁଡିକ ମଧ୍ୟ ଖାଲି ନାହିଁ।ବଜାରରେ ସମସ୍ତ ଜିନିଷ ଚଢାଦରରେ ବିକ୍ରୀ କରାଯାଉଛି।ପରିବା ପତ୍ରଠାରୁ ଆରମ୍ଭ କରି ଫଳ ଫୁଲୁରୀ ସବୁର ଦର ହଠାତ୍ ହୁ ହୁ ହୋଇ ବଢି ଗଲା।ବଢିବା ମଧ୍ୟ ସ୍ବାଭାବିକ।ଏଇ ସବୁ ମଉକାରେ ତ ଦୋକାନୀ ମାନେ ଦି ପଇସା ମାରିନେଇ ନିଜର ଜମାପୁଞ୍ଜିକୁ ବଢାଇ ପାରିବେ।


ରିକ୍ସାବାଲା,ଅଟୋବାଲା ମାନଙ୍କ ଜୁଲୁମ ବି କିଛି କମ ନୁହଁ।ଶହେ ଜାଗାରେ ଦୁଇ ଶହ ଝଡାଉଛନ୍ତି।ଯାତ୍ରୀ ମାନେ ନାଚାର।ଚାରିଆଡେ ଖାଲି ଚଢାଦରକୁ ନେଇ ଝକଝକ,ମୁଲଚାଲ ର ପାଲା।ମନ୍ଦିର ଭିତରର ଅବସ୍ଥା ତ କହିଲେ ନସରେ।ଘରୋଇ ହବିଷିଆଳୀ ମାନେ ସିନା ନିଜ ଘରେ ସାତ୍ତ୍ଵିକ ଭୋଜନରେ ହବିଷ୍ୟାନ୍ନ ବନେଇ ଖାଇପାରନ୍ତି ହେଲେ ଦୂର ଦୂରାନ୍ତରୁ ଆସିଥିବା ମହିଳା ମାନେ ଅବଢା ଅନ୍ନ ପାଇଁ ଅନେଇ ବସିଥାନ୍ତି।ଠାକୁରଙ୍କ ଦ୍ବିପ୍ରହର ଧୂପ ଉଠିଲା ବେଳକୁ ପାଖାପାଖି ଅପରାହ୍ନ ଚାରିଟା ବାଜି ଯାଏ।ଅବଢା ଅନ୍ନ ର ଦାମ ବି ବଢାଯାଏ ଅସମ୍ଭବ ଭାବେ।କିନ୍ତୁ ସମସ୍ତେ ପରିସ୍ଥିତି ସହିତ ସାଲିସ କରିବା ପାଇଁ ମନସ୍ଥ କରି ଆସିଥାନ୍ତି,ତେଣୁ ଅସନ୍ତୁଷ୍ଟ ହେଲେ ମଧ୍ୟ ସବୁକିଛିକୁ ମାନି ନିଅନ୍ତି।


ଏସବୁ ହେଲା ମୋଟାମୋଟି ଭାବେ କାର୍ତ୍ତିକ ମାସରେ ପୁରୀ ସହରର ଏକ ଜଳଛବି।କାହାଣୀର ପ୍ରଛଦପଟର ଏକ ଅଖଣ୍ଡ ଭାଗ।


ବଙ୍ଗୋପସାଗରର ଉପକୂଳବର୍ତ୍ତୀ ଛୋଟ ଏଇ ରାଜ୍ୟ ଓଡିଶା।ଜଗନ୍ନାଥ ମନ୍ଦିର ଯୋଗୁଁ ଏହା ଆନ୍ତର୍ଜାତୀୟ ଖ୍ୟାତି ଲାଭ କରିଛି।ଏବର୍ଷ ଜାତୀୟ ସ୍ତରରେ ପୁରୀ ସହରର ଅଭିବୃଦ୍ଧି ପାଇଁ କୋଟି କୋଟି ଟଙ୍କାର ଅର୍ଥ ବଜେଟ ବନା ହୋଇଛି।ମନ୍ଦିର ଚତୁଃପାର୍ଶ୍ବରେ ଥିବା ସମସ୍ତ ପୁରୁଣା ମଠ ଓ  କୋଠାଘର ସବୁକୁ ଭାଙ୍ଗିଦେଇ ପୁରୀ ସହରର ନବୀକରଣ କରାଯାଉଛି।


ପୁରୀରେ ପଣ୍ଡା,ପଢିଆରୀ,ଦଇତାପତି,ସେବକ,ସେବାୟତ ମାନଙ୍କର ଖୁବ ଭାଉ।ଜଗନ୍ନାଥଙ୍କ ସେବା କରୁ ଥିବାରୁ ସେମାନେ ନିଜକୁ ଅନ୍ୟମାନଙ୍କ ଠାରୁ ଶ୍ରେଷ୍ଠ ମନେକରନ୍ତି।ସେମିତି ଏକ ସେବକ ପରିବାରର ଦ୍ବିତଳ ବିଶିଷ୍ଟ ପ୍ରାସାଦର ତଳ ମହଲାରେ ଭଡାରେ ରହୁଥିଲେ ମାନବେନ୍ଦ୍ର ଓ ତାଙ୍କର ପରିବାର।ପରିବାରର ଅନ୍ୟ ସଦସ୍ୟ ହେଲେ ତାଙ୍କର ମାତା, ପିତା ଓ ପତ୍ନୀ।ସକାଳ ନ' ଟାରେ ମାନବ ଜଳଖିଆ ଖାଇ ,ଅଫିସ ପାଇଁ ଟିଫିନ ନେଇ ବାହାରି ଯା'ନ୍ତି।ଫେରୁ ଫେରୁ ଛଅଟା ହୋଇଯାଏ।ଘରେ ପତ୍ନୀ ସୁରଭି ଶାଶୁ ଓ ଶଶୁରଙ୍କ ସହିତ ଖୁସିରେ ସମୟ କାଟିଦିଏ।ତିନିହେଁ ମିଶିକରି କେବେ କେବେ ମନ୍ଦିର,ସମୁଦ୍ର ନଚେତ କିଣାକିଣି ପାଇଁ ବିଗବଜାର,ରିଲାଏନ୍ସ ଫ୍ରେଶ୍ ଇତ୍ୟାଦି ଯାଗାକୁ ଚାଲିଯାଆନ୍ତି।ଶାଶୁ ଶଶୁର ଦୁହେଁ ସୁରଭିକୁ ନିଜର ଝିଅପରି ଦେଖିଥାନ୍ତି।ଖାଇବା ପିନ୍ଧିବାରେ କୌଣସି କଟକଣା ନଥାଏ ସୁରଭି ପାଇଁ।ତେଣୁ ଚଳଚଞ୍ଚଳା ଏକ ହରିଣୀ ପରି ସ୍ବଛନ୍ଦରେ ଶାଶୁ ଶଶୁରଙ୍କୁ ନିଜର ପିତାମାତା ସମ ମଣି ହର୍ଷ ଉଲ୍ଲାସରେ କଟିଯାଏ ସୁରଭିର ସମୟ।ପତିଙ୍କ ଫେରନ୍ତା ସମୟରେ ସାନ୍ଧ୍ୟ ଭୋଜନରେ ମାନବେନ୍ଦ୍ରଙ୍କ ମନ ପସନ୍ଦର ବିନା ତେଲ ମସଲା ଯୁକ୍ତ ବ୍ୟଞ୍ଜନାଦିରେ ଆପ୍ୟାୟିତ କରି ତାଙ୍କୁ ଖୁସି କରିଦିଏ ସୁରଭି।ପରିବାରଟି ଏକ ସୁଖ ଶାନ୍ତିମୟ ବାତାବରଣ ସୃଷ୍ଟି କରିଥାଏ।


ଅନ୍ୟ ମାନଙ୍କ ପରି ଏତେ ରୁଢିବାଦୀ ନୁହଁନ୍ତି ଏମାନେ।ସୁଶିକ୍ଷିତ ତଥା ପ୍ରଗତିଶୀଳ ଚିନ୍ତାଧାରାରେ ରୁଦ୍ଧିମନ୍ତ ଏଇ ଚାରିଜଣ ସଦସ୍ୟ।


ଅନ୍ୟ ପକ୍ଷରେ ଘରର ମାଲିକ ଜଗନ୍ନାଥ ସେବକ ନାରାୟଣ ଦାସ ମହାପାତ୍ର।ନିଜର ପତ୍ନୀ,ଦୁଇ ପୁଅ ଓ ଦୁଇ ବୋହୁଙ୍କୁ ନେଇ ତାଙ୍କର ପରିବାର।ମାସ ଆରମ୍ଭରୁ ଭଡା ଟଙ୍କା ନେବା ଉଦ୍ଦେଶ୍ୟରେ ବୁଲେଇ ବଙ୍କେଇ କଥା କହି ତଳ ମହଲାକୁ ଆସିଯାଆନ୍ତି।ଭଦ୍ରାମି ଦୃଷ୍ଟିରୁ ଚା'କରି ସୁରଭି ଆଣିଦେଲେ କୁହନ୍ତି .....ନା ନା ଆମେ ଆଉ କାହା ଘରର ବାସନରେ ବନାହେଉ ଥିବା ଜିନିଷ ଖାଉନା।ପୂଜାର୍ଚ୍ଚନା ,ଠାକୁରଙ୍କ ସେବା କରି କରି ଆମ ସମୟ ଯାଏ।ଏଇ କାର୍ତ୍ତିକ ମାସସାରା ଆମେ ହବିଷ ଅନ୍ନ ଖାଉ।ଆମ ଘରେ ପିଆଜ ,ରସୁଣ ପଶେନା।ତମ ଘରେ ତ ପିଆଜ,ରସୁଣ ଓ ଆମିଷର ବାଛବିଚାର ନାହିଁ।ସେଇ ଗୋଟିଏ ଚୁଲିରେ ରନ୍ଧାବଢା ତୁମର।ଏସବୁ ଆମ ପାଇଁ ନିସିଦ୍ଧ ଓ ଧର୍ମ ଭ୍ରଷ୍ଟ ହେବାର ପଥ।ଏମିତି ଅନେକ କଥା ଶୁଣାଇ ସେଦିନ ସୁରଭି କରିଥିବା ଚା' କୁ ନଛୁଇଁ ଚାଲିଗଲେ ଘର ମାଲିକ।


ଦୁଇଦିନ ପରେ ଦ୍ବିପ୍ରହର ଦୁଇଟା ସମୟରେ ତଳ ମହଲାରେ କଲ ବେଲ ବାଜିଲା।ଶଶୁର ଯାଇ ଦରଜା ଖୋଲି ଦେଖିଲେ ଗୋଟିଏ ରୋଗିଣା ଶିଶୁକୁ କାଖକରି ସ୍ତ୍ରୀ ଲୋକଟିଏ ଠିଆ ହୋଇଛି।ବିକଳ ହୋଇ କିଛି ଖାଇବାକୁ ମାଗୁଥିଲା ସେ।ଶାଶୁ ସଙ୍ଗେ ସଙ୍ଗେ ରୋଷେଇ ଘରୁ ବଳକା ଥଗବା ଭାତ,ତରକାରୀ ଓ ଭଜା ଘର ପଛରେ ଥିବା ଏକ କଦଳୀ ଗଛର କଟା ହୋଇଥିବା ପତ୍ରରେ ବାନ୍ଧି ସ୍ତ୍ରୀ ଲୋକଟିକୁ ଦେଲେ।ସୁରଭି ଦୌଡିଆସି ଶାଶୁଙ୍କ କାନରେ କିଛି କହିଲା।ଶାଶୁ ଇଶାରାରେ ସ୍ତ୍ରୀ ଲୋକଟିକୁ ରହିବାକୁ କହି ଘର ଭିତରକୁ ଯାଇ ନିଜର କିଛି ପୁରୁଣା ଲୁଗା ଓ ଚଦର ଦେଲେ।କହିଲେ,ଶୀତ ପଡିଲାଣି।ପିଲାଟିକୁ ଘୋଡେଇ ଦବୁ।ଖୁସିହୋଇ ସ୍ତ୍ରୀ ଲୋକଟି ଚାଲିଗଲା।


ଏଇ ପରିବାରକୁ ଜଣା ନଥିଲା ଯେ ତାଙ୍କର କାର୍ଯ୍ୟକଳାପକୁ ତାଙ୍କ ଘରର ଚାରିପଟେ ରହୁଥିବା ଲୋକମାନେ ତନ୍ନ ତନ୍ନ କରି ଦେଖୁଛନ୍ତି।କିଛି ସମୟ ପରେ ଜଣକ ପରେ ଆସି ନାଲିସ କଲେ ଯେ ଏଇ ଲୋକମାନଙ୍କର ମୁହଁ ବଢାଇବା ଠିକ କଥା ନୁହେଁ।ମାଗିବା ଛଳରେ ଆସି ଘରର ସବୁକିଛି ଜନିଷରେ ନଜର ପକାଇ ପରେ ଓର ଉଣ୍ଡି ଚୋରି କରନ୍ତି।ଘର ମାଲିକଙ୍କୁ ବି ମାନବେନ୍ଦ୍ରଙ୍କ ପରିବାର ବିରୁଦ୍ଧରେ ଫେରାଦ ଦେଲେ।


ଏହାର ଠିକ ଦୁଇଦିନ ପରେ ପାରାଟିଏ ହଠାତ୍ ଉଡିଆସି ତାଙ୍କ ଝରକା ଦେଇ ବୈଠକଖାନାରେ ପଶିଗଲା।ଘୁରୁଥିବା ପଙ୍ଖାଟିରେ ଆଘାତ ଲାଗି ପାରାଟି କ୍ଷତାକ୍ତ ହୋଇ ତଳେ ପଡିଗଲା।ଆହା କ'ଣ ହେଇଗଲା କହି ଦୌଡିଆସି ଶାଶୁ ପାରାଟିକୁ ଉଠାଇ ତାର ଶୁଶ୍ରୁଷା କରିବାକୁ ଲାଗିଲେ।ଏମାନଙ୍କର ପାଟି ଶୁଣି ଘର ମାଲିକାଣୀ ତଳକୁ ଓଲ୍ହାଇଆସି ଦେଖନ୍ତିତ ତିନିଜଣ ଯାକ ପକ୍ଷୀଟିର ଯତ୍ନ ନେବାରେ ବ୍ୟସ୍ତ।ମୁହଁ ମୋଡିଦେଇ ବିନା ଟିପ୍ପଣୀରେ ସେଠାରୁ ଯାଇ ପାରିଲେ ନାହିଁ।ଯାଉ ଯାଉ କହିଲେ ,କି ଦରକାର ଏଇ ପାରାର ଏତେ ସେବା କରିବା।ଏମାନଙ୍କର କିଛି କାମଧନ୍ଦା ତ ନାହିଁ।ଲାଗିଛନ୍ତି ପାରା ସେବାରେ।


ଖୁବ ଦୁଃଖ ଲାଗିଲା ତିନି ଜଣଙ୍କୁ ଏସବୁ ଶୁଣି। ମନେ ମନେ ଭାବୁଥିଲେ....ଯେଉଁମାନେ ଭଗବାନଙ୍କୁ ଏତେ ମାନୁଛନ୍ତି,ତାଙ୍କ ଉଦ୍ଦେଶ୍ୟରେ ପୁରା କାର୍ତ୍ତିକ ମାସ ହବିଷ ଅନ୍ନ ଖାଉଛନ୍ତି,ସେମାନେ ଏତେ ନିର୍ଦ୍ଦୟ କେମିତି ହୋଇପାରନ୍ତି,କେମିତି ବୁଝିପାରନ୍ତିନି ଯେ ସୃଷ୍ଟିର ପ୍ରତ୍ୟେକ ପ୍ରାଣୀର ଅନୁଭବ କରିବା ଶକ୍ତି ଅଛି ।


ସେ ଯାହାବି ହେଉ,ଦୁନିଆଁର ଲୋକ ଯାହାବି ନିୟମ ମାନନ୍ତୁ ଆମେମାନେ ଆମ ରାସ୍ତାରେ ରହିବା ଓ ସମସ୍ତଙ୍କ ପ୍ରତି ମାନବିକତା ପ୍ରଦର୍ଶନ କରିବା।ଏକଥା କହି ଶାଶୁ,ଶଶୁର ଓ ବୋହୁ ହାତ ମିଳାଇବା ସମୟରେ ଅଫିସ ଫେରନ୍ତା ମାନବେନ୍ଦ୍ର କହୁଥିଲେ ମତେ କାହିଁ ଛାଡି ଦେଉଛ?ମୁଁ ବି ତୁମ ତିନି ଜଣଙ୍କ ସାଙ୍ଗରେ ଅଛି।ନିରୁତା ହସର ଲହରୀରେ ପରିବେଶ ଟି ଭରିଉଠୁଥିଲା।



Rate this content
Log in