ବିଦ୍ରୋହୀ
ବିଦ୍ରୋହୀ
ବେଳେବେଳେ ନିଜକୁ ମଣିଷ ଭାବେ ପରିଚିତ କରିବାକୁ ବିଦ୍ରୋହ କରିବାକୁ ହୁଏ ।
********************
ଲୋକଟା ବେଜାଏ ଗାଳି କଲା ,ବଡ଼ କଦର୍ଯ୍ୟ ଭାବରେ ମା' କୁ । ଖାନିକି ରାଣ୍ଡ କହି ମା' ଉପରେ ଛେପ ପକେଇଲା । ମା' ସେମିତି ବସିଥିଲା ମୁଣ୍ଡକୁ ପୋତି । ମୋର ଦେହ ହାତ କ'ଣ ହେଇଯାଉଥିଲା ତା' ଗାଳି ଫଜିତ ଶୁଣି । ଇଚ୍ଛା ହେଉଥିଲା ପଥର ମୁଣ୍ଡା ଟାଏ ନେଇ ତା' ମଗଜ ଛେଚି ପକେଇବି । ଗୁଣ୍ଡ ହେଇଯିବ ଲୋକଟାର ଖପୁରୀ । ବାହାରି ଯିବ ସବୁତକ ବଶ । ଚୁପ ପଡିଯିବ ତା' ପାଟି ।
ମା' କୁ ଏମିତି କଥା କହୁଥିବା ଲୋକଟା ଉପରେ ମୋର ପ୍ରବଳ ରାଗ ଆସୁଥିବ। କିନ୍ତୁ ମୁଁ କିଛି କରିପାରୁ ନଥିଲି ।
ସେ ମନ ଇଚ୍ଛା ଗାଳି ଗୁଲଜ କରୁଥିଲା ଆଉ ମା' ନୀରବ ରେ ଶୁଣୁଥିଲା । କାହିଁକି କରୁଛି ମା' ଏମିତି ? ଲୋକଟା ଉପରେ ଝାମ୍ପି ପଡୁନି କିଆଁ ? ଢୋ ଢା କି ଚଟକଣି ଲଗେଇ ଦେଉନି କିଆଁ ? ଅବୁଝା ଥିଲା ମୋ ପାଇଁ !....
ମା' ବ୍ୟତୀତ ଆଉ କାହାରିକୁ ଜାଣିନି ମୁଁ ।ଜୀବନ ଆମର ଏଇ ଓଭର ବ୍ରିଜ ତଳ ତାଟି ଘର ଭିତରେ । ମା' ମୂଲ ଲାଗି ଯାହା ରୋଜଗାର କରେ ସେତିକିହିଁ ଆମର ଦୁଇବେଳା ର ତେଲ ଲୁଣ । ମୁଁ ମୋ ବାପା କିଏ ଜାଣିନି । ଦେଖିନି କି ଶୁଣିନି । ମା' କିଛି କୁହେନି କେବେ । ପଚାରିଲେ ସିଧା ସିଧା କୁହେ ତୁ 'ଅଣବାବୁଆ' । ମୋତେ ବାଧେ ଆଉ ମୁଁ ବହୁତ କାନ୍ଦେ ।
ମୋ ସହ ଖେଳୁଥିବା ରଖିଆ , ଜନା , ତାକୁଡା , ମାଗା ସଭିଙ୍କର ବାପା ଅଛି । ଘର କୁ ଚଲେଇବା , ଡାଲି ଚାଉଳ ଆଣିବା , ସାଗୁଆତି କିଣିବା ଭଳିଆ ଯାବତୀୟ କାମ ବାପା କରେ । କେବେକେବେ କାନ୍ଧ ରେ ବସେଇ ବଜାର ବୁଲାଇ ନିଏ । ଭାରି ଲୋଭ ଲାଗେ ମୋତେ । ଗୋଟାଏ ବାପା ପାଇଁ କୁହୁଳି କୁହୁଳି କାନ୍ଦେ ମୋ ଭିତରର ଛୋଟ ଛୁଆ । କିନ୍ତୁ ମୋର ବାପା ନାହିଁ ।
ମା' ମୋର ଏକୁଟିଆ । କୌଣସି ମତେ ଚାଲିଥିଲା ଘର ଆମର ଜେଯାଏଁ ମା' ବେମାର ହେଇ ନଥିଲା । ହେଲେ ବେମାର ହେବା ପରେ ଆଉ ପାରିଲା ନାହିଁ କାମ
କରି । ଘର ଆମର ଅଚଳ ହେଲା । ଦି ଓଳି ଖାଇବା ଜୁଟିଲା ନାହିଁ । ବଡ଼ ଡ଼ହଳବିକଳ
ହେଲୁ ଆମେ ଦୁହେଁ । ଭାରି କଷ୍ଟ ହେଲା ସତରେ ।
ତା' ପରେ ବଦଳି ଗଲା ଆମ ଘର । ଘରକୁ ଏମିତି ବାଜେ ଲୋକ ସବୁ ଆସିଲେ ରାତିରେ । ମୋତେ ମା' ମଗା ଦୋକାନୀ ପାଖକୁ କାମ କରିବାକୁ ପଠେଇଲା ଆଉ ଘର ଖାଲି କରି କେଜାଣି କ'ଣ ସବୁ ଏ ଲୋକଙ୍କୁ ଡାକି କଲା । ସେବେଠାରୁ ମୋତେ ଘର ଆଉ ଭଲ ଲାଗୁନି ।
ଜନା କହୁଥିଲା ମୋ ମା' କୁଆଡେ ଖରାପ ମଣିଷ ହେଇଗଲଣି । ତା' ଦେହ ଆଉ କେବେ ଭଲ ହେବନି । ଏଗୁଡା ଶୁଣି ମୋତେ ଆହୁରି କାନ୍ଦ ମାଡ଼େ । ମୁଁ ଦୌଡ଼ି ପଳାଏ ନଈବନ୍ଧ ଆଡ଼କୁ । ବସି ରୁହେ ସେଠି ପଥର ମିତି । ଦେଖୁଥାଏ ନଈର ପଣତ । ମା' ଭଳି କେତେ ଦୁଃଖ କଷ୍ଟ ନିଜ ଦେହରେ ବୋହି ନେଇ ଚାଲିଛି ଏ ନଈ । କେଡେ ସବୁ କଦର୍ଯ୍ୟ ଜିନିଷ ତକ ଧୋଇ ପୋଛି ଚିକଣ କରିପାରୁଛି । ଆଉ ନିଜେ ଗୋଳିଆ ଅସନା ଗାନ୍ଧିଆ ହେଇଯାଉଛି ଧିରେଧିରେ ।
ବଡ଼ କଷ୍ଟ ହୁଏ ଦେଖିକି ନଈକୁ ବର୍ଷା ଦିନେ , ସେତେବେଳେ ସେ ହୁଏ ଆହୁରି ଗାନ୍ଧିଆ । ସେମିତି ହେଇଗଲାଣି ମା' ମୋର ବର୍ଷା ଆସିଲାରୁ । ଆଉ କିଛି ଖାଇବା ଯୋଗାଡ଼ି ପାରୁନି ସେ । ଲୋକ ଗୁଡା କେବେ ବୁଝିବେ ଆମ ଭୋକ ?.........
ପେଟ ପୋଡିଗଲେ ଆଉ କି ନୀତି କି ନିୟମ । ଏଇ ଯୋଉ ବେକାର ଲୋକ ମା' କୁ ଗାଳି ଦେଉଛି । ସେ ଅମଣିଷଟେ । ମା' ଦିହ କେତେ ଖରାପ ସେଇଥିରେ ବି ସେ ଲୋକ ମା' କୁ ଟଣା ଓଟରା କରୁଛି । ଆଉ କିଛି ଗୋଟେ କରିବାକୁ ଜୋର ଜବରଦସ୍ତ କରୁଛି । ଜନା କହୁଥିଲା କିଛି ଖରାପ
କାମ ।
ମୁଁ ଆଉ ରହିଲି ନାହିଁ ଚୁପ । ପେଟର ଭୋକ ଏବେ ମୁଣ୍ଡକୁ ଚଢି ସାରିଥିଲା । ମୁଁ ଜୋରରେ ଧକ୍କା ଦେଲି ଲୋକଟାକୁ ଆଉ ପକେଇ ଦେଲି ତଳେ । ନିଶା ଖାଇ ଚୁର ଲୋକଟା ପଡିଗଲା ବେହୋସ ହେଇ ।
ତା' ପକେଟରୁ ଶହେ ଟଙ୍କିଆ ନୋଟ ଯୋଡ଼ାଏ ନେଇ ମୁଁ ଚାଲିଲି ଜଗନ୍ନାଥ ହୋଟେଲ । ଆଜି ଭୋକରେ ଆଉ ରହିବୁ ନାହିଁ ଆମେ । ଲୋକଟା କୁ ଗୋଡ଼ରେ ଆଡେଇ ଦେଇ ବାହାରିଗଲି ମୁଁ । ମା' ଆଖିରେ ଗୋଟେ ବିଦ୍ରୋହୀର ଚମକ ଥିଲା ଆଉ ମୋ ପେଟରେ ପେଟେ ଭୋକ ।