Kanan Bala Nayak

Others

4  

Kanan Bala Nayak

Others

ବିଦେଶ

ବିଦେଶ

4 mins
1.2K


  ଜାଣିଛ ଆମ ଅଫିସର ବିଶ୍ୱନାଥ ବାବୁ ଙ୍କ ପୁଅ ବିଦେଶ ଯାଉଛି। ଆମେରିକା ର ଗୋଟେ ବଡ କମ୍ପାନୀ ରେ ଚାକିରୀ ପାଇଛି। ଲକ୍ଷାଧିକ ଟଙ୍କା ଦରମା ପାଇବ। ବିଶ୍ବନାଥ ବାବୁ ଆଜି ଅଫିସ ର ସବୁ କର୍ମଚାରୀ ଙ୍କୁ ମିଠା ବାଣ୍ଟିଲେ। ତାଙ୍କ ମନ ଆଉ ତଳେ ଲାଗୁନି। ମୋତେ କହୁଥିଲେ ତାଙ୍କ ପୁଅ ବିଦେଶ ଗଲା ପରେ ଆମ ରମୁ ପାଇଁ କିଛି ଗୋଟେ ବ୍ୟବସ୍ଥା କରିବା ପାଇଁ ତାକୁ କହିବେ। ସ୍ବାମୀ ମହେଶ୍ୱର ବାବୁଙ୍କ କଥା ଶୁଣି ସରଳା ଦେବୀ କିଛି ନ କହି ଚୁପ୍ ରହିଲେ।

   ନିଜ ପିଲା ମାନେ ଭଲ ପାଠ ପଢନ୍ତୁ ବିଦେଶ ଯାଆନ୍ତୁ ଏଇ ଲକ୍ଷ୍ୟ ଆଜି କାଲି ଉଣା ଅଧିକେ ସବୁ ବାପା ମାଆ ଙ୍କ ର ସ୍ବପ୍ନ ହୋଇଗଲାଣି। ଏବେ ଆଉ ପିଲା ଙ୍କ ଭିତରେ ପ୍ରତିଯୋଗିତା ହେଉନି ପ୍ରତିଯୋଗିତା ହେଉଛି ବାପା ମାଆ ଙ୍କ ଭିତରେ।କିଏ କହୁଛି ମୋ ପୁଅ ଅମୁକ ଦେଶରେ ରହୁଛି ଏତେ ଟଙ୍କା ଦରମା ପାଉଛି ତ ଆଉ କିଏ କହୁଛି ମୋ ପୁଅ ସମୁକ ଦେଶରେ ରହୁଛି ସେ ଏତେ ଟଙ୍କା ଦରମା ପାଉଛି।ଆଉ ଯେଉଁ ବାପା ମାଆ ଙ୍କ ର ପିଲା ମାନେ ନିଜ ଦେଶରେ ରହି କିଛି କରୁଛନ୍ତି,ସେ ବାପା ମାଆ ଙ୍କ ମୁହଁ ତଳକୁ ହୋଇଯାଉଛି। ସତରେ ନିଜ ଦେଶରେ କିଛି କରିବାଟା ଯେମିତି ଏକ ଅପରାଧ। ସରଳା ଦେବୀ କିନ୍ତୁ ଗୋଟେ ଭିନ୍ନ ଚିନ୍ତାଧାରା ପୋଷଣ କରୁଥିବା ମହିଳା ଥିଲେ। ତାଙ୍କ ଜେଜେବାପା ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ତେଣୁ ଜନ୍ମ ହେବା ଠାରୁ ଦେଶ ପ୍ରେମରେ ଫଲ୍ଲଗୁ ତାଙ୍କ ଦେହ ଓ ମନରେ ପ୍ରବାହିତ ହେଉଥିଲା।

  ସେ ମଧ୍ୟ ତାଙ୍କ ‌ପୁଅ କୁ ଦେଶ ଓ ଜାତି ପ୍ରେମ ରେ ଉଦବୁଦ୍ଧ ହେବାପାଇଁ ପ୍ରବର୍ତ୍ତାଉ ଥିଲେ। ତେଣୁ ସେ ଭାବୁଥିଲେ ତାଙ୍କ ପୁଅ ଯାହା କରିବ ଏଇ ରାଜ୍ୟ ଭିତରେ କରୁ।ରମୁ ମଧ୍ୟ ମାଆ‌ ଙ୍କ ଠାରୁ ସବୁବେଳେ ଦେଶର ସ୍ବାଧିନତା ପାଇଁ ପ୍ରାଣବଳୀ ଦେଇଥିବା ବୀର ମାନଙ୍କ କଥା ଶୁଣି ଶୁଣି ନିଜ ଦେଶରେ କିଛି କରିବ ବୋଲି ସ୍ବପ୍ନ ଦେଖୁଥିଲା।ତେଣୁ ସେ ନିଜ ଗାଁ ର ବେକାର ପିଲା ଓ ପାଖରେ ମିଳୁଥିବା କଞ୍ଚା ମାଲ୍ କୁ ନେଇ ପ୍ରଥମେ ଛୋଟ କାରଖାନା ଟେ ବସାଇଲା। ପ୍ରଥମେ ପ୍ରଥମେ କାରଖାନା ରେ ପ୍ରସ୍ତୁତ ଜିନିଷ ଭଲ ବିକ୍ରି ହେଉ ନଥିଲା। ତେଣୁ ମହେଶ୍ୱର ବାବୁ ରମୁ କୁ ଦେଖାଇ ଶିଖେଇ ଅନେକ କଥା କହୁଥିଲେ। ହେଲେ ରମୁ ସ୍ବାଧୀନତା ସଂଗ୍ରାମୀ ଙ୍କ ତ୍ୟାଗ ଓ ଆଦର୍ଶ ରେ ଉଦବୁଦ୍ଧ ହୋଇ ଥିଲା ତେଣୁ ସେ କେବେ ବି ନିରାଶ ହେଉ ନଥିଲା।ସେ ସବୁ ବେଳେ ଅନ୍ୟ ମାନଙ୍କୁ ଧୈର୍ଯ୍ୟ ଧରିବା ପାଇଁ ବୁଝାଉ ଥିଲା। କିଛି ପିଲା କାମ କରିବା ପାଇଁ ବାହାର ରାଜ୍ୟକୁ ଯିବାକୁ ବାହାରିବାରୁ ସେ ସେମାନଙ୍କୁ ବୁଝାଇଲା ଯେ ଆମେ ଯଦି ଆମ ଘର ପାଖରେ କିଛି କରି ପାରିବା ତେବେ ଆମେ ହୁଏତ ଵାହାର ରାଜ୍ୟ ରେ ଯେତିକି ଟଙ୍କା ପାଇବା ସେତିକି ଟଙ୍କା ପାଇ ନପାରୁ। ହେଲେ ଆମେ ଆମ ପରିବାର ଓ ଗାଁ ଲୋକଙ୍କ ପାଖରେ ତ ରହି ପାରିବା। ତାଙ୍କ ର ସୁଖ ଦୁଃଖ ରେ ସାମିଲ୍ ହୋଇ ପାରିବା।

  ରମୁ ର କଥା ସମସ୍ତ ଙ୍କ ମନକୁ ପାଇଲା।ତା ପାଖରେ କାମ କରୁଥିବା ପିଲା ମାନେ ତା କଥା ମାନି ଧୈର୍ଯ୍ୟ ର ସହ ରମୁର କାରଖାନା ରେ କାମ କଲେ। ସମସ୍ତ ଙ୍କ ମିଳିତ ଉଦ୍ୟମ ଓ ପରିଶ୍ରମ ଯୋଗୁଁ କାରଖାନା ଟି ଆସ୍ତେ ଆସ୍ତେ ଭଲ ଚାଲିଲା। ରମୁ ଓ ତା ପିଲା ମାନେ କାରଖାନା ଚଳାଇବା ସହିତ ଆଖି ପାଖ ଲୋକ ଙ୍କ ସୁବିଧା ଅସୁବିଧା ରେ ତାଙ୍କ ପାଖରେ ଛିଡା ହେଲେ। ଫଳରେ ସାତ ଖଣ୍ଡ ଗାଁ ରେ ସେମାନଙ୍କ ର ସୁନାମ ବ୍ୟାପି ‌ଗଲା।ମହେଶ୍ବର ବାବୁ ମଧ୍ୟ ରମୁକୁ ଆଉ ଦେଖାଇ ଶିଖାଇ କହିବାର ଆଉ କିଛି ରାସ୍ତା ପାଇଲେ ନାହିଁ। ବରଂ ମନେ ମନେ ଖୁସି ହେଲେ।

  ଏଇ ସମୟରେ ହଠାତ୍ ଦିନେ ବିଶ୍ବନାଥ ବାବୁ ମହେଶ୍ୱର ବାବୁ ଙ୍କ ଘରେ ପହଞ୍ଚିଲେ। ମହେଶ୍ବର ବାବୁ ବିଶ୍ବନାଥ ବାବୁ ଙ୍କୁ ଦେଖି କହିଲେ ଆପଣ ହଠାତ୍ । ବିଶ୍ବନାଥ ବାବୁ କହିଲେ ମୁଁ ତୁମ ପାଖକୁ ନୁହେଁ ରମୁ ପାଖକୁ ଆସିଛି। ମହେଶ୍ବର ବାବୁ କହିଲେ ରମୁ ତ ଘରେ ନାହିଁ। କାରଖାନା ଯାଇଛି।କଣ କାମ ଥିଲା ମୋତେ କହୁ ନାହାଁନ୍ତି। ସେ ଆସିଲେ ମୁଁ କହିଦେବି। ବିଶ୍ୱନାଥ ବାବୁ କହିଲେ ମୋ ପୁଅ ପାଇଁ ରମୁ କାରଖାନା ରେ ଯଦି କିଛି ଚାକିରୀ ମିଳନ୍ତା? ମହେଶ୍ବର ବାବୁ କହିଲେ ଆପଣଙ୍କ ପୁଅ ପରା ବିଦେଶ ଯାଇଥିଲା।ସେଠି ମୋଟା ଅଙ୍କର ଦରମା ମଧ୍ୟ ପାଉଥିଲା। ବିଶ୍ବନାଥ ବାବୁ କହିଲେ ହଁ କିନ୍ତୁ ଗତ କେଇ ମାସ ହେଲା ତା କମ୍ପାନୀ ତାର ଆର୍ଥିକ ସ୍ଥିତି ଭଲ ନାହିଁ କହି ତାକୁ ଛଟେଇ କରି ଦେଇଛି। ମହେଶ୍ବର ବାବୁ କହିଲେ ସେ ତ ଏତେ ଅଭିଜ୍ଞ ଥିଲା।ତା ଅଭିଜ୍ଞତା କୁ ଦେଖି ତାକୁ ଅନ୍ୟ ଯେ କୌଣସି କମ୍ପାନୀ ରେ ତାକୁ ଭଲ ଚାକିରୀ ମିଳି ଯାଇ ଥାଆନ୍ତା।   

    ବିଶ୍ବନାଥ ବାବୁ କହିଲେ ଅନେକ ଯାଗାରେ ଚେଷ୍ଟା କରିଥିଲା। କିନ୍ତୁ ସେମାନେ କହିଲେ ତୁମେ ଭଲ ଭାବରେ ଜାଣ ଆମ ଦେଶରେ ଏବେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି। ତେଣୁ ଆମେ ପ୍ରଥମେ ଆମ ଦେଶର ନାଗରିକ ଙ୍କ କଥା ଚିନ୍ତା କରିବୁତା ପରେ ଯାଇ ଅନ୍ୟ ଦେଶର ନାଗରିକ ଙ୍କ କଥା ଚିନ୍ତା କରିବୁ। ଆମେ ତ ଆମ ଲୋକଙ୍କୁ ଚାକିରୀ ଦେଇ ପାରୁନୁ। ଚାକିରୀ ନଥିବା ହେତୁ ତାଙ୍କ ସରକାର ମଧ୍ୟ ତା ଭିସାର ଅବଧି ବଢ଼ାଇବା ପାଇଁ ମନା କରି ଦେଇଛନ୍ତି। ବିଦେଶ ରେ ରହି ସେ ବହୁତ ହଇରାଣ ହେଉଛି। ଚାକିରୀ ନଥିବା ହେତୁ ତା ବିଦେଶୀ ସ୍ତ୍ରୀ ମଧ୍ୟ ତାକୁ ଛାଡ଼ି ଚାଲି ଗଲାଣି। ଆମେ ମାନେ ଭାବିଥିଲୁ ପୁଅ ବିଦେଶ ରେ ରହି ଅଧିକ ଟଙ୍କା ଉପାର୍ଜନ କରି ଆମ ପାଖକୁ ପଠାଇବ କିନ୍ତୁ ଏବେ ପରିସ୍ଥିତି ଏମିତି ଯେ ପୁଅ ଓଲଟା ଆମକୁ ଟଙ୍କା ମାଗୁଛି। ଏପରି କି ଦେଶକୁ ଫେରିବା ପାଇଁ ବିମାନ ଟିକଟ ପାଇଁ ମଧ୍ୟ ତା ପାଖରେ ଟଙ୍କା ନାହିଁ। 

  ତାଛଡା ଆମେ ମଧ୍ୟ ବୁଢ଼ା ବୁଢ଼ୀ ହେଲୁଣି। ସେଦିନ ରାତିରେ ବୁଢ଼ୀର ଦେହ ହଠାତ୍ ଖରାପ ହେଲା ଯେ ତାକୁ ହସ୍ପିଟାଲ ନେବା ପାଇଁ ମଧ୍ୟ ପାଖରେ କେହି ନଥିଲେ। ଅନେକ କଷ୍ଟ ରେ ରମୁ ର କାରଖାନା ପିଲାଙ୍କ ସହାୟତା ରେ ତାକୁ ହସ୍ପିଟାଲ ନେଇ ଭଲକଲି। ଜାଣିଛନ୍ତି ମହେଶ୍ୱର ବାବୁ ଆମେ ବାପା ମାଆ ପିଲା ମାନଙ୍କୁ ତାଙ୍କ କ୍ୟାରିୟର ଗଢ଼ିବା ପାଇଁ ବିଦେଶ ପଠାଇବା ପାଇଁ ବ୍ୟାକୁଳ ହେଉଛୁ।ଆଉ ବୁଢ଼ାବୁଢ଼ୀ ହେଲା ପରେ ସେମାନେ ଆମ ପାଖରେ ରହିଲେ ନାହିଁ ବୋଲି ତାଙ୍କୁ ଦୋଷ ଦେଉଛୁ।ଯାହା ହେଉ ଆପଣ ଭାଗ୍ୟବାନ। ଆପଣଙ୍କ ପୁଅ ବିଦେଶ ଯିବା ନିଶାରେ ନ ପଡି ଆପଣଙ୍କ ପାଖରେ ଅଛି। ଆପଣ ମାନଙ୍କ ଛାଡା ଆହୁରି ଅନେକ ଲୋକ ଙ୍କ କାମରେ ଆସୁଛି।ସେ ଦିନ ତା ପିଲା ମାନେ ନଥିଲେ ମୋ ସ୍ତ୍ରୀ ର କଣ ଅବସ୍ଥା ହୋଇ ଥାଆନ୍ତା କେଜାଣି?

  ହଉ ମୁଁ ଏବେ ଆସୁଛି। ଦୟାକରି ଆପଣ ଟିକେ ରମୁ ସହ କଥା ହେବେ। ସରଳା ଦେବୀ ଦୂରରେ ଥାଇ ଉଭୟ ଙ୍କ କଥା ଶୁଣୁଥିଲେ।ସେ ବିଶ୍ବନାଥ ବାବୁଙ୍କୁ କହିଲେ ଜାଣିଛ କଥାରେ ଅଛି ନିଜ ଘର ର ଶାଗ ପଖାଳ ପର ଘର ର ଖିରି ଖେଚୁଡ଼ି ଠାରୁ ସ୍ବାଦିଷ୍ଟ। ସେହି ପରି ନିଜ ଦେଶ ସବୁବେଳେ ବିଦେଶ ଠାରୁ ଆପଣାର। ତୁମେ ଯେଉଁଠି ଥିଲେ ବି ବିପଦ ସମୟରେ ନିଜ ଦେଶ ଓ ନିଜ ଲୋକ ହିଁ ପ୍ରଥମେ ମନେ ପଡ଼ନ୍ତି।ଆଉ ନିଜ ଦେଶର ଲୋକ ମାନେ ହିଁ କାମରେ ଆସନ୍ତି। ମହେଶ୍ବର ବାବୁ ନିଜ ର ଭୁଲ୍ ବୁଝିପାରିବା ଭଳି କହିଲେ ହଁ ବିପଦ ସମୟରେ ନିଜ ଦେଶ ଓ ନିଜ ଲୋକ ହିଁ କାମରେ ଆସନ୍ତି। ବିଦେଶ ସବୁବେଳେ ବିଦେଶ ହୋଇଥାଏ।


Rate this content
Log in