Banabihari Mishra

Others

2  

Banabihari Mishra

Others

ବିଡମ୍ବନା

ବିଡମ୍ବନା

2 mins
535


ବେଳେବେଳେ ଆମର ମନେ ହୋଇଥାଏ ଅମୁକ ମୋର ଉପକାର କଲା ବା ସମୁକ ମୋର ଅପକାର କଲା। କିନ୍ତୁ ପ୍ରକୃତିର ନିୟମଟା ଟିକେ ଅଲଗା।ସିଏ ସବୁବେଳେ ତାର ନିଜ ବାଟ ନିଜେ ନିର୍ଦ୍ଧାରଣ କରିଥାଏ। ଆମକୁ ମନେ ହେଉଥିବା ଉପକାର ଆମର ଅପକାର କରିଥାଏ ଆଉ ଅପକାର ଘଟଣାକ୍ରମରେ ଉପକାରର କାରଣ ହୋଇଥାଏ । ଏ ସନ୍ଦର୍ଭରେ ଗୋଟିଏ ଛୋଟିଆ ଗଳ୍ପର ଅବତାରଣା କରିବି।

ଭୟଙ୍କର ଶୀତ। ଛୋଟିଆ ଚଢେଇ ଛୁଆଟିଏ ଗଛ ଡାଳରେ ଥିବା ବସାରୁ ଖସିପଡିଲା । ହାଡଥରା ଶୀତରେ ତା'ର ପର ନ ଥିବା ଦେହଟା ଯେମିତି ବରଫ ପାଲଟିଯିବ! ତା ମା' ବି ଅସହାୟ । ନିଜ କୁନି ଛୁଆଟାକୁ ନିଜ ଡେଣା ତଳେ ଜାକିଧରି ଟିକେ ଉଷ୍ଣ ଆଶ୍ରୟ ଦେଇପାରୁ ନଥିଲା ସେ। ନିଜ ଅସହାୟତାକୁ ମନେମନେ ଭାରି ରାଗୁଥିଲା ପକ୍ଷୀଟି।

ଏତିକିବେଳେ ସେ ବାଟେ ପଲେ ଗାଈ ଆସିଲେ । ମା' ଚଢେଇଟିର ହୋସ୍ ଉଡିଗଲା। "ନିଶ୍ଚିତ କାହାର ନା କାହାର ଖୁରାତଳେ ମୋ ଛୁଆର ପ୍ରାଣ ଚାଲିଯିବ" ଏଇ ଆଶଙ୍କା ତାକୁ ବ୍ୟସ୍ତବିବ୍ରତ କରୁଥିଲା।

ଗାଈପଲ ଚାଲିଗଲେ। ମା' ଚଢେଇଟି ଆକୁଳ ହେଇ ଖୋଜିଲା ତା ଛୁଆକୁ। କିନ୍ତୁ ହାୟ, ତା ଛୁଆ ସେଠି ନଥିଲା । ଥିଲା ଗଦାଏ ଗୋବର। ସଜ ବାମ୍ଫ ବାହାରୁଥିବା ଗୋବର। ହତାଶ ଆଉ ଦୁଃଖିତ ମନରେ ମା' ଚଢେଇ ଉଡିଗଲା।

କିନ୍ତୁ ପକ୍ଷୀ ଶାବକଟିର ହେଲା କ'ଣ? ବାସ୍ତବରେ ଗୋବର ତା ଉପରେ ହିଁ ପଡିଥିଲା। ଗୋବରର ଉଷ୍ଣତା ତାକୁ ଶୀତରେ ଅନେକ ଆରାମ ଦେଇଥିଲା । ସେଥିପାଇଁ ସେ ଚୁପ୍ ହେଇଯାଇଥିଲା । ଏବେ କୁନି ଚଢେଇଟି ଗୋବର ଭିତରୁ ମୁଣ୍ଡ ଟେକିଲା। କିନ୍ତୁ ଶତଚେଷ୍ଟା ପରେ ବି ଗୋବର ଭିତରୁ ବାହାରି ପାରିଲା ନାହିଁ ।

ଏତିକିବେଳେ ସେ ବାଟରେ ଯାଉଥିବା ଏକ ମାର୍ଜାରର ଦୃଷ୍ଟି ମୁଣ୍ଡ ଟେକିଥିବା ଚଢେଇଛୁଆଟି ଉପରେ ପଡିଲା। ଗୋବର ଭିତରୁ ପକ୍ଷୀଶାବକଟିକୁ ବାହାରକୁ ଆଣି ସଫାସୁତୁରା କରିଦେଲା। ବାସ୍, ତା ପରେ ଭୋଜନ।

ଏଠାରେ ଉଲ୍ଲେଖନୀୟ ଯେ ଗାଈଟି ପକ୍ଷୀ ଶାବକଟି ଉପରେ ମଳତ୍ୟାଗ କରି ତା ପ୍ରତି କିଛି ଭଲ କରି ନଥିଲା । କିନ୍ତୁ ପ୍ରକାରାନ୍ତରେ ତାହା ପକ୍ଷୀ ଶାବକଟି ପାଇଁ ଆଶୀର୍ବାଦ ପାଲଟି ଯାଇଥିଲା। ଅପର ପକ୍ଷରେ ମାର୍ଜାର ପକ୍ଷୀ ଶାବକଟିକୁ ଗୋ-ମଳରୁ ଉଦ୍ଧାର କରି ତାକୁ ସଫାସୁତୁରା କରିଥିଲା। କିନ୍ତୁ ପ୍ରକାରାନ୍ତରେ ତାହା ପକ୍ଷୀ ଶାବକଟିର ମୃତ୍ୟୁର କାରଣ ହୋଇଥିଲା ।

ଏଥିରୁ ପ୍ରଣିଧାନଯୋଗ୍ୟ ଯେ ଅନେକ ସମୟରେ ଉପକାର ଆଉ ଅପକାରର ଉପାଦେୟତା ଫଳାଫଳରୁ ହିଁ ପ୍ରତିପାଦିତ ହୁଏ।


Rate this content
Log in