STORYMIRROR

Namita Pal

Others

3  

Namita Pal

Others

ବିଚ୍ଛେଦ

ବିଚ୍ଛେଦ

3 mins
203


 ବିଚ୍ଛେଦର ଜ୍ୱାଳା ବୈଶାଖର ପ୍ରଚଣ୍ଡ ରୌଦ୍ର ତାପ ଠାରୁ ବି ଆହୁରି ପ୍ରଖର ମନେ ହେଉଥିଲା ଆକାଶକୁ। ସେ କେବେ ବି ଭାବି ନଥିଲା ବର୍ଷା ଠାରୁ ଦୂରରେ ରହିବା ତା ପାଇଁ ଏତେ କଷ୍ଟକର ହେବ। ଏଇତ ମାତ୍ର ଦୁଇ ଦିନ ହେବ ବର୍ଷା ତାର ବାପଘର ଯାଇଛି। ଆଗରୁ ବି ଏମିତି ଯାଏ ବାପଘରକୁ। ଦୁଇଦିନ ରହିଲା ପରେ ଆକାଶ ନିଜେ ଯାଇ ବର୍ଷାକୁ ନେଇଆସେ। କିନ୍ତୁ ଏଥର ସେ ଯିବନି ଆଣିବାକୁ। ହଁ ସେ ମୋଟେ ଯିବନି

ବର୍ଷାକୁ ଆଣିବାକୁ। ତାର ବି ସ୍ୱାଭିମାନ ବୋଲି କିଛି ଅଛି। କ'ଣ ଭାବୁଛି କି ବର୍ଷା ମୁଁ କ'ଣ ତା ବିନା ରହି ପାରିବିନି। ବେଶ୍ ଭଲରେ ରହି ପାରିବି। ତାକୁ ଛାଡି କ'ଣ ମୋର ଚଳିବନି। କିନ୍ତୁ କ'ଣ ସତରେ ଚଳୁଛି?

ଏଇ ଦୁଇ ଦିନରେ ଯୋଉ ଅବସ୍ଥା ହେଲାଣି ଆକାଶର କହିଲେ ସରିବନି। ଆକାଶ ଭାରି ଖାଦ୍ୟ ପ୍ରିୟ।

ଛୋଟ ବେଳୁ ଏମିତି। ବୋଉ ସବୁବେଳେ ରକମ ରକମର ଜିନିଷ ବନେଇ ଖୁଆଏ। ତା ହାତର ରନ୍ଧା ଭାରି ସୁଆଦିଆ। ଆମିଷ ନୋହେଲେ ଭାତ ପାଖରେ ବସେନା। ଆଉ ଯେଉଁ ଦିନ ଆମିଷ ଖାଏନି ସେଦିନ ବୋଉ ନଅ ତିଅଣ ଛଅ ଭଜା ବନେଇ ଥାଏ ତା ପାଇଁ। ବାପା ବି କୁହନ୍ତି ଯା ହେଉ ପୁଅ ବାହନାରେ ଆମକୁ ବି ମିଳୁଛି ବଢ଼ିଆ ଖାନା। ଘର ଛାଡି ଆକାଶ କେବେ ବାହାରେ ରହିନି। ଚାକିରୀ ପାଇଲା ପରେ ଘରୁ ବାହାରକୁ ଆସିଲା। ବାହାରେ କେମିତି ଖିଆପିଆ କରିବ ସେଥିପାଇଁ ଚାକିରୀ ପାଇଲା ମାତ୍ରେ ହିଁ ବୋଉ ତାର ବାହାଘର ପାଇଁ ବ୍ଯସ୍ତ ହୋଇଗଲା। ବର୍ଷା ଦେଖିବାକୁ ଯେମିତି ସୁନ୍ଦରୀ ଥିଲା ଗୁଣ ମଧ୍ଯ ସେମିତି ସୁନ୍ଦର। ଆଉ ରାନ୍ଧିବାରେ ପାରଙ୍ଗମ। ନୂଆ ନୂଆ ଡିସ୍ ବନେଇ ଆକାଶକୁ ଖୁଆଏ। ସବୁଥର ବାପଘରକୁ ଗଲେ ଖାଇବା ବନେଇ ଫ୍ରିଜ୍ ରେ ରଖିଦିଏ ଆଉ କୁହେ ଯେତିକି ଖାଇବ ସେତିକି ଗରମ କରିବ। ନିହାତି ଦରକାର ନୋହେଲେ ବାହାରୁ ଖାଇବନି। କିନ୍ତୁ ଏଥର ରାଗିକି ବାପଘର ଯାଇଛି। ଏଇ ବର୍ଷେ ହେଲା ବାହାଘର ହେଲା। ସେଦିନ କୌଣସି କଥାରେ ଦୁଇଜଣଙ୍କ ମଧ୍ୟରେ ଯୁକ୍ତି ତର୍କ ହେଲା ଆଉ ଆକାଶ ରାଗରେ କହିଲା ତୁମ ବପଘରକୁ ଚାଲିଯାଅ। ସେ କ'ଣ ଜାଣିଥିଲା ବର୍ଷା ଏମିତି ସତରେ ଚାଲିଯିବ ବୋଲି। ସବୁ ଭୁଲ ତାର ସେ ଏମିତି ବର୍ଷା ଉପରେ ରାଗିବା ଉଚିତ ନଥିଲା। ବର୍ଷା ବି ଟିକେ ବୁଝିବା ଉଚିତ ଥିଲା ତା ସିଚୁଏସନ। ହଠାତ୍ ଏତେ ସବୁ ଭାବିବା ଭିତରେ ସେ ଅନୁଭବ କଲା ଅଫିସରୁ ଫେରିଲା ପରେ ସେ ଏପର୍ଯ୍ୟନ୍ତ ଚା କପେ ବି ପିଇନି। କିନ୍ତୁ ଆଉ ସବୁଦିନ ସେ ଅଫିସରୁ ଫେରିଲା ପରେ ବର୍ଷା ଗରମ୍ ଗରମ୍ ଚା କପେ ଆଣି ଧରେଇ ଦିଏ। ଚା ବର୍ଷା ହାତରେ ଭାରୀ ସୁନ୍ଦର ଉତୁରେ। ଆକାଶ କୁହେ ବର୍ଷା ତୁମ ଚା ବାସ୍ନାରେ ହିଁ ମୋର ଦିନ ସାରାର କ୍ଳାନ୍ତି ମେଣ୍ଟି ଯାଏ। କିନ୍ତୁ ଆକାଶକୁ ଚା ବି କରି ଆସେନି। କାଲି ବାହାରେ ଚା ପିଇଥିଲା। ଓହୋ ପାଟିଟା ପୁରା ଖରାପ ହୋଇଗଲା। ବର୍ଷା ହାତର ଚା ଛଡା ଆଉ କୋଉଠି ଚା ତାକୁ ଭଲ ଲାଗୁନଥିଲା। ଆକାଶ କିଚେନକୁ ଗଲା ନିଜେ ଚା ବନେଇବା ପାଇଁ। କ୍ଷୀର ଆଣି ଫ୍ରିଜ୍ ରୁ ସସପେନ୍ ଗ୍ଯାସ ଚୁଲା ଉପରେ ରଖି ଚା ପତି ପକାଇବା ପାଇଁ ଡବା ଖୋଜିଲା, ଆରେ ହଁ ଏଇଟାରେ ତ ଚା ପତି ଅଛି। ଆକାଶ ଗୋଟେ ଚାମଚ ଚା ପତି ପକାଇଲା ଆଉ ଚିନି ପକେଇଲା। କିଛି ଫୁଟେଇଲା ପରେ ଦେଖିଲା ଚା ରେ କଲର୍ ଆସୁନି ବୋଧହୁଏ ପତି କମିଗଲା,ପୁଣି ଆଉ ଗୋଟେ ଚାମଚ ପତି କ୍ଷୀରେରେ ପକାଇଲା। ତଥାପି କଲର୍ ଆସୁନି। ଏଥର ଭଲ କରି ଡବା ଭିତରକୁ ଅନେଇଲା। ଧେ ତେରିକି ହେ ଭଗବାନ! ଏପର୍ଯ୍ୟନ୍ତ ସେ ଚା ପତି ଭାବି ସୋରିଷ ପକାଉଥିଲା। କଳା ସୋରିଷ ଗୁଡା ତାକୁ ଚା ପତି ପରି ଦେଖାଗଲା। ଗଲା ସବୁ କ୍ଷୀର ଖରାପ ହୋଇଗଲା। ଆଉ ଚା ପିଇବାର ଇଚ୍ଛା ନଥିଲା। ମ୍ୟାଗି ଟିକେ ବନେଇ ଖାଇ ଶୋଇ ପଡିଲା। ତା ପରଦିନ ସିଧା ଅଫିସରୁ ବର୍ଷା କୁ ଆଣିବାକୁ ଶ୍ୱଶୁର ଘରକୁ ଗଲା। ଆଉ ସାଙ୍ଗରେ ବର୍ଷାର ମନ ପସନ୍ଦିଆ ମିଠା ରସଗୋଲା ଆଉ ତାର ପ୍ରିଅ କଲର୍ ହଳଦିଆ ରଙ୍ଗର ପାଟ ଶାଢ଼ୀ। ଠିକ୍ ଯେମିତି ଜଗନ୍ନାଥ ମହାପ୍ରଭୁ

ମାଆ ଠାକୁରାଣୀଙ୍କ ରାଗ ଭାଙ୍ଗିବାକୁ ନେଇକି ଯାଆନ୍ତି ଯେତେବେଳେ ଠାକୁର ମାଉସୀ ଘରୁ ଶ୍ରୀମନ୍ଦିରକୁ ଫେରନ୍ତି। ଆକାଶ ଭାବୁଥିଲା ସତରେ ତାର ଦୁଇଦିନରେ ଏଇ ଅବସ୍ଥା, ଆଉ ମହାପ୍ରଭୁ ବାର ବର୍ଷ କାଳ ଲକ୍ଷ୍ମୀ ଠାକୁରାଣୀ ଠାରୁ ଦୂରରେ ରହି କେତେ କଷ୍ଟ ପାଇଲେ। ନା ସେ ଏଥର ଆଉ ବର୍ଷା ଉପରେ ରାଗିବନି। ତାକୁ ବୁଝାଇ ଘରକୁ ଫେରେଇ ଆଣିବ। ସେଥିପାଇଁ କୁହନ୍ତି ଘରକୁ ସୁନ୍ଦର ଦିଶେ ଘରଣୀ ଥିଲେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Namita Pal

ଖେଳ

ଖେଳ

1 min ପଢ଼ନ୍ତୁ

ଯାତ୍ରା

ଯାତ୍ରା

2 mins ପଢ଼ନ୍ତୁ

ଯାଦୁ

ଯାଦୁ

2 mins ପଢ଼ନ୍ତୁ

ଭୟ

ଭୟ

2 mins ପଢ଼ନ୍ତୁ

ହିରୋ

ହିରୋ

2 mins ପଢ଼ନ୍ତୁ

ଟଙ୍କା

ଟଙ୍କା

1 min ପଢ଼ନ୍ତୁ

ପରିବାର

ପରିବାର

2 mins ପଢ଼ନ୍ତୁ