ଭସା ବଉଦ
ଭସା ବଉଦ
ସକାଳୁ ସକାଳୁ ଅସରାଏ ବର୍ଷା ହୋଇ ଛାଡି ଯାଇଥାଏ ।ଆକାଶ ପୁରା ନିର୍ମଳ । ଖରା ହେଉଥାଏ । ଖୁସି କିନ୍ତୁ ବିଛଣା ଛାଡି ନ ଥାଏ । ସବୁଦିନ ସେ ସେମିତି । ଯେତେ ଡାକିଲେ ବି ଉଠେନି । ଆଜି ବି ସେମିତି ଶୋଇଛି । ତା ସାନ ଭଉଣୀ , ମିଠି ଆସି ଦୁଇ ଥର ତାକୁ ଡାକି ଦେଇ ଗଲାଣି । ହେଲେ ସେ ତା ସ୍ବପ୍ନ ରାଇଜରେ ବୁଡି ଶୋଇଥାଏ ।
କି ସୁନ୍ଦର ସ୍ବପ୍ନ ! ତୁଳୀ ତଳ୍ପ ଶେଯର ନରମ ଗଦିରେ ସେ ଶୋଇଛି । ଏକ ସୁନ୍ଦର ନାଇଟ ଗାଉନ ଟିଏ ପିନ୍ଧିଛି । କେହି ତାକୁ ଉଠାଉ ନାହାନ୍ତି । ନିଦ ଭାଙ୍ଗୁଛି ତାର । ବେଡ ଟି, ବେଡ ଟି କହି ପାଟି କରୁଛି । ସ୍ବପ୍ନ ଟିଏ ଦେଖି ଖୁଶି ସତକୁ ସତ ବେଡ ଟି କାହିଁ ବୋଲି ପାଟି କରୁଥାଏ । ତା ମାଁ ସୁନନ୍ଦା ଦେବୀ ଆସି ତାକୁ ଜୋର ରେ ହଲାଇ ଦେଇ , ପାଟି କରି କହିଲେ , " ବେଡ ଟି ପିଇବୁ ଯଦି , ନିଜେ ଉଠି କି ତିଆରି କର । ଭାରି ରାଜକୁମାରୀ ସାଜିଛି । " ବିରକ୍ତ ହୋଇ ସୁନନ୍ଦା ଦେବୀ ଖୁସିକୁ ଉଠାଇଦେଇ ଚାଲିଗଲେ । ଖୁସି ମାଁ ର ଗାଳି ଶୁଣି ଉଠି ପଡି ବିଡି ବିଡି ହୋଇ କହୁଥାଏ ," ଏତେ ସକାଳୁ ଉଠାଇ ଦେଲେ ।କେତେ ବଢିଆ ସ୍ବପ୍ନ ଟିଏ ଦେଖୁଥିଲି । ଭୋର ରେ ସ୍ବପ୍ନ ଦେଖିଲେ ସତ ହୁଏ । ସେତକବି ପୁରା ହେବାଯାଏ ଦେଖେଇ ଦେଉ ନାହାନ୍ତି । " ତା କଥା ଶୁଣି ମିଠି ହସି ହସି କହିଲା ," ଦି, ଆଉ ସକାଳ ଅଛି ? ଦିନ ଦଶଟା ହେଲାଣି ପରା । ସତରେ ତୁ ଆଉ ତୋ ସ୍ବପ୍ନ ଦେଖା ।" ହସି ହସି ମିଠି ଚାଲିଗଲା ।
ଖୁସି ଓ ମିଠି ସଦାନନ୍ଦ ବାବୁଙ୍କ ଦୁଇ ଝିଅ । ଖୁସି ବଡ। PG କରି ସାରିଲା ପରେ ଘରେ ବସିଛି । ବାପା, ମାଁ ତା ବାହାଘର ପାଇଁ ବ୍ଯସ୍ତ । ଖୁସି ଦେଖିବାକୁ ବହୁତ ସୁନ୍ଦର ଥିଲା । ସେଥିରେ ସେ ନିଜକୁ ବେଶ ଟିପ୍ ଚାପ୍ କରି ରଖିଥାଏ ।କିନ୍ତୁ ସଦାନନ୍ଦ ବାବୁଙ୍କ ସାଧାରଣ ମଧ୍ୟବିତ୍ତ ପରିବାର । ଖୁସି ସୁନ୍ଦର ହେଲେ ବି ଭଲ ଘରଟିଏ ଜୁଟୁ ନ ଥାଏ । କେତେବେଳେ ତା ବାପା, ମାଁ ଙ୍କ ପସନ୍ଦ ହେଉ ନଥାଏ ତ କେତେବେଳେ ଖୁସି ନିଜେ ନାକଚ କରି ଦେଉ ଥାଏ । ଖୁସିର ଛୋଟ ବେଳୁ ଖାଲି ବଡ ବଡ ସ୍ବପ୍ନ ଦେଖିବାର ଅଭ୍ଯାସ ଥିଲା । ସବୁବେଳେ ତାର ଇଚ୍ଛା ଥିଲା ଗୋଟିଏ ବଡ ମହଲ ରେ ରୁହନ୍ତା, ବଢିଆ ବଢିଆ ଡ୍ରେସ ପିନ୍ଧନ୍ତା , ଟଙ୍କା ପଇସାରେ ସେସବୁର ଅଭାବ ନ ଥାନ୍ତା , ଯାହା ଚାହିଁଲେ , ସାଙ୍ଗେ ସାଙ୍ଗେ ମିଳି ଯାଉଥାନ୍ତା । ତାକୁ କିଛି କାମ କରିବାକୁ ପଡୁ ନଥାନ୍ତା । ସବୁ କାମ ତାର ଚାକର କରିଦେଉଥାନ୍ତେ । ଏମିତି ସ୍ବପ୍ନରେ ସେ ସବୁବେଳେ ବୁଡି ରହିଥାଏ । ତାର ଏଇ ଗୁଣ ପାଇଁ ତା ବାପା, ମାଁ ବହୁତ ଚିନ୍ତା କରୁଥାନ୍ତି । ତା ପାଇଁ କୋଉଠୁ ସେମାନେ ଏମିତି ଧନୀ, ସମ୍ଭ୍ରାନ୍ତ ପରିବାର ପାଇବେ ? ସେମାନେ ତ ସାଧାରଣ ,ମଧ୍ୟବିତ୍ତ ପରିବାର । ତାଙ୍କ ପରି ସାଧାରଣ ପରିବାରରେ ବାହା ହେଲେ ଖୁସି କେମିତି ନିଜକୁ ଖାପ ଖୁଆଇ ଚଳିବ । ତା ସ୍ବପ୍ନର ମହଲଯେ ଖଣ୍ଡ ଖଣ୍ଡ ହୋଇଯିବ । ସେ ଏସବୁ ସହ୍ଯ କରି ପାରିବ ତ ।
ଏଇ କଥା ଭାବି ଭାବି ସଦାନନ୍ଦ ବାବୁ ବହୁତ ବ୍ଯସ୍ତ ହୋଇ ପଡନ୍ତି । କିନ୍ତୁ ଖୁସି ଉଡନ୍ତା ପ୍ରଜାପତି ପରି ତା ସ୍ବପ୍ନର ଆକାଶରେ ଉଡି ବୁଲୁଥାଏ । ନିଜ ନାଁ ପରି ଖୁସି ସବୁବେଳେ ଖୁସିର ସଂସାରରେ ବୁଡି ରହିବାକୁ ଭଲପାଏ । କିନ୍ତୁ ତା ବାପା, ମାଁ ର ତା ପାଇଁ ଚିନ୍ତା କମୁ ନଥାଏ ।
ସକାଳୁ ସକାଳୁ ସଦାନନ୍ଦ ବାବୁ ବଜାର ଯାଇ , ଫେରିବା ସମୟ ରେ ଫୋନଟିଏ ପାଇଲେ । ଫୋନରେ ଯାହା ଶୁଣିଲେ ସେ ନିଜକୁ ବିଶ୍ବାସ କରି ପାରୁନଥାନ୍ତି । ସତରେ କଣ ଏମିତି ହେବ ? ଏମିତି କେତେ କଣ ଭାବି ଭାବି ଆସୁ ଆସୁ ସେ ଯେ କେତେବେଳେ ନିଜ ଘର ପାଖରେ ପହଞ୍ଚି ଯାଇଥିଲେ , ତାଙ୍କର ଖିଆଲ ନଥିଲା । ହଠାତ୍ ନିଜ ଘର ପାଖରେ ପହଞ୍ଚି ଯାଇଛନ୍ତି ବୋଲି ଜାଣିବା ପରେ , ସେ ଅତ୍ଯନ୍ତ ଖୁସି ହୋଇ , " ସୁନନ୍ଦା ,ସୁନନ୍ଦା , ଶୁଣ , ଶୁଣ ,ଖୁବ୍ ଏକ ଖୁସିର ଖବର ।" ତାଙ୍କ ପାଟି ଶୁଣି ସୁନନ୍ଦା, ଖୁସି, ମିଠି ସମସ୍ତେ ଆଶ୍ଚର୍ଯ୍ଯ ହୋଇ ସଦାନନ୍ଦ ବାବୁଙ୍କ ପାଖକୁ ଆସି, ପ୍ରଶ୍ନ ଭରା ଚାହାଣୀ ନେଇ ଦେଖୁଥାନ୍ତି । ସଦାନନ୍ଦ ବାବୁ କଣ କହିବେ ଭାବି ପାରୁ ନଥାନ୍ତି ।ସୁନନ୍ଦାଙ୍କ ପ୍ରଶ୍ନରେ ପ୍ରକୃତିସ୍ଥ ହୋଇ କହିଲେ, " ଜାଣ ସୁନନ୍ଦା, ଗତ ସପ୍ତାହ ଶିଳ୍ପପତି ସୁଧାଂଶୁ ବାବୁ, ତାଙ୍କ ପତ୍ନୀ ଓ ପୁତ୍ର ସହ ଖୁସିକୁ ଦେଖିବାକୁ ଆସିଥିଲେ । ସେମାନେ ଆମ ଖୁସିକୁ ପସନ୍ଦ କରିଛନ୍ତି ତାଙ୍କ ପୁତ୍ରବଧୂ କରିବାକୁ ।
ମୁଁ ତ ବିଶ୍ବାସ କରିପାରୁନି । ମୋ ଖୁସି ମାଁ ସତରେ ଏତେ ବଡ ଘରର ବୋହୁ ହୋଇଯିବ ଯିବ ! ସତରେ ତା ସ୍ବପ୍ନ ପୂରଣ ହେବ ? " ସୁନନ୍ଦା ଏ କଥା ଶୁଣି ଆଶ୍ଚର୍ଯ୍ଯ ହୋଇ କହିଲେ, "ଆମ ପରି ମଧ୍ୟବିତ୍ତ ପରିବାରର ଝିଅକୁ ସତରେ ସେମାନେ ବୋହୁ କରି ନେବେ ? ଆମେ ତ ତାଙ୍କ ସମ ସ୍କନ୍ଧ ବି ନୋହୁଁ । " ସଦାନନ୍ଦ ବାବୁଙ୍କ ଖୁସି ହୋଇ କହୁଥାନ୍ତି, " ହଁ, ହଁ ସେମାନେ ରାଜି ହୋଇଛନ୍ତି । ଆମ ଖୁସିର ସୁନ୍ଦର ଚେହେରାରେ ସେମାନେ ମୁଗ୍ଧ । କିଛି ଯୌତୁକ ବି ନେବେନି । " କିନ୍ତୁ ଆମେ କଣ ତାଙ୍କ ଷ୍ଟାଣ୍ଡାର୍ଡ ଅନୁଯାୟୀ ବାହାଘର କରିବ ପାରିବା ? "ସୁନନ୍ଦା ଶଙ୍କିତ ହୋଇ ପଚାରୁଥାନ୍ତି । ତାଙ୍କର ବିଶ୍ବାସ ହେଉ ନ ଥାଏ । " ନା, ନା , ସେମାନେ ଧନୀ ହେଲେ ବି ବେଶ୍ ଭଲ ଲୋକ । ଆଉ ପନ୍ଦର ଦିନ ପରେ ବାହାଘର ଦିନ ଠିକ ହୋଇଛି । ଆମକୁ ବହୁତ କାମ କରିବାକୁ ପଡିବ । " ସଦାନନ୍ଦ ବାବୁ ଖୁସି ପାଖକୁ ଯାଇ ତା ମଥାରେ ହାତ ବୁଲାଇ ବାଷ୍ପରୁଦ୍ଧ କଣ୍ଠ ରେ କହୁଥାନ୍ତି, " ମୋ ମାଁ ତ ସାକ୍ଷାତ ଲକ୍ଷ୍ମୀ ପ୍ରତିମା । ମୋ ଖୁସି ମାଁ ରାଜରାଣୀ ହୋଇ ରହିବ ।"ଖୁସି ବି ବିଶ୍ବାସ କରି ପାରୁ ନ ଥାଏ । ସତ ରେ ସେ ଏତେ ବଡ ଘରର ବୋହୁ ହୋଇଯିବ । ଯାହା ସ୍ବପ୍ନ ଦେଖୁଥିଲା ତାହା ବାସ୍ତବରେ ପରିଣତ ହେବ । ଆଜି ସକାଳୁ ସକାଳୁ ତ ସେ ଏମିତି ସ୍ବପ୍ନ ଦେଖିଥିଲା । ସତରେ ତା ସ୍ବପ୍ନ ସତ ହେଇଗଲା । ଅବିଶ୍ବାସ, ଶଙ୍କା ,ଖୁସିରେ ତା ଛାତିର ସ୍ପନ୍ଦନ ବଢିଯାଉଥାଏ ।
ଦେଖୁ ଦେଖୁ ତା ବାହା ଘର ଦିନ ଆସିଗଲା । ଖୁସି ବାହା ହୋଇ ଶାଶୁ ଘରକୁ ଚାଲିଗଲା । ସ୍ବାମୀ ବି ତାର ଦେଖିବାକୁ ସୁନ୍ଦର । ଦୁହଁଙ୍କର ଯୋଡି ଯିଏ ଦେଖୁଥାଏ ତା ଆଖି ଲାଖି ଯାଉ ଥାଏ । ଚାକ୍ ଚକ୍ଯ , ବିଳାସ ପୂର୍ଣ୍ଣ ପ୍ରାସାଦ , ଆଡମ୍ବର ପୂର୍ଣ୍ଣ , ସମସ୍ତ ପ୍ରାଚୁର୍ଯ୍ୟରେ ଭରା ଶାଶୁଘର ଦେଖି ଖୁସି ନିଜ ଆଖିକୁ ବିଶ୍ବାସ କରି ପାରୁ ନ ଥାଏ । ତା ସ୍ବାମୀ ,ଶାଶୁ, ଶ୍ବଶୁରଙ୍କୁ ନେଇ ତା ସମୟ ବେଶ ଖୁସିରେ କଟି ଯାଉଥାଏ । ତା ନିଜର ଏଇ ସୌଭାଗ୍ଯକୁ ଖୁସି ବିଶ୍ବାସ କରି ପାରୁ ନ ଥାଏ । ଖୁଶିର ଏଇ ଖୁସି କିନ୍ତୁ ବେଶି ଦିନ ରହି ନ ଥିଲା । ଧିରେ ଧିରେ ସେ ତା ସ୍ବାମୀର ଅସଲ ରୂପ ଜାଣି ପାରିଲା । ତା ସ୍ବାମୀର ଏଇ କେତେଦିନର ଭଲ ବ୍ଯବହାର ଯେ ସାମୟିକ ଥିଲା ସେତକ ସେ ବୁଝି ପାରିଥିଲା । ଏଇ କତେଦିନ ଧରି ସେ ଦେଖୁଥାଏ , ତା ସ୍ବାମୀ ଘରକୁ ଡେରିରେ ଫେରୁଥାନ୍ତି , ସିଏ ପୁଣି ନିଶାରେ ଧୁତ ହୋଇ । ଏ ସବୁ ଦେଖି ଖୁସିର ସବୁ ଖୁସି ପାଣି ଫୋଟକା ପରି ଉଭେଇ ଯାଇଥିଲା । ତା ଶାଶୁଙ୍କ ସାଙ୍ଗରେ ଏଇ ବିଷୟ ରେ ପଚାରିବାରୁ ତା ଶାଶୁ କହିଲେ ଯେ ସେ ଭାବିଥିଲେ ବାହାଘର ପରେ ହୁଏତ ତାଙ୍କର ପୁଅ ସୁଧୁରି ଯିବ । କିନ୍ତୁ ସେ ସେମିତି ରହିଗଲା । ଘର ସଂସାର କଲା ପରେ ତାର ଏଇ କୁ ଅଭ୍ଯାସ ଛାଡି ଯିବ ବୋଲି ସେ ଭାବିଥିଲେ । କିନ୍ତୁ ତାଙ୍କର ଏଇ ଆଶା , ଆଶାରେ ହିଁ ରହିଗଲା । କେଜାଣି ଯଦି କେବେ ବଦଳି ଯିବ । ଦୁଃଖରେ ଏକ ଦୀର୍ଘନିଶ୍ବାସ ପକାଇ ସେ ଆଉ କିଛି ଉତ୍ତର ନ ଦେଇ ଭିତରକୁ ଚାଲିଗଲେ । ଖୁସି ନିଜ ଭାଗ୍ୟର ଏଇ ପରିବର୍ତ୍ତନକୁ ବିଶ୍ବାସ କରି ପାରୁ ନଥାଏ । ତା ସ୍ବପ୍ନର ମହଲ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଚୂରମାର ହେଇ ଯାଉଥାଏ । ସ୍ବପ୍ନ ରାଇଜରୁ ବାସ୍ତବ ଜଗତକୁ ଆସି ଖୁଶି ହତ ଚକିତ ହୋଇ ଯାଉଥାଏ । ଯେଉଁ ସ୍ବପ୍ନ ରାଇଜର ଆକାଶରେ ସେ ଉଡି ବୁଲୁଥିଲା, ସେଠୁ ସେ ଏମିତି ଭାବରେ ତଳେ ପଡିଯିବ, ଏକଥା ସେ ଭାବି ପାରୁ ନ ଥାଏ ।ଯେଉଁ ସୁଖ, ସମୃଦ୍ଧି ଭିତରେ ରହି ନିଜ ଜୀବନକୁ ସଜାଇବା କଥା ଭାବୁଥିଲା , ଯେଉଁ ପ୍ରାଚୁର୍ଯ୍ୟ ଭିତରେ ବୁଡି ନିଜକୁ ସବୁଠୁ ସୁଖୀ ମଣିଷ ବୋଲି ଭାବୁଥିଲା , ଆଜି ସେଇ ସୁଖର ଫୁଲ ତାକୁ କଣ୍ଟକିତ ମନେ ହେଉଥାଏ ।
ଖୁସିର ସବୁ ଖୁସି ଯେମିତି ତା ହାତ ମୁଠାରୁ ଧିରେ ଧିରେ ଖସି ଯାଉଥାଏ । ଆଉ ଖୁସି ସେଇ ଧନର ପ୍ରାଚୁର୍ଯ୍ୟ ଭିତରେ ଛିଡା ହୋଇ ନିଜକୁ ବହୁତ ଏକା ଏକା ମନେ କରୁଥାଏ । ଯେଉଁ ସପନ ବଉଦରେ ବସି ସେ ଦିନେ ଖୋଲା, ନୀଳ ଆକାଶ ରେ ଉଡି ବୁଲୁଥିଲା ,ସେ ବଉଦ ଧିରେ ଧିରେ ତାକୁ ଏକା କରିଦେଇ ଦୂରକୁ, ବହୁ ଦୂରକୁ ଭାସି ଭାସି ଚାଲି ଯାଉଥାଏ । ଆଉ ଖୁସି ତା ଶୂନ୍ଯ ଚାହାଣୀରେ କେଜାଣି କାହାକୁ ଖୋଜୁଥାଏ ।
