ଭ୍ରମଣର ଭ୍ରମ
ଭ୍ରମଣର ଭ୍ରମ


ବାଇମୁଣ୍ଡିର ସହର କଟକ ନଗର | ସହସ୍ରାବ୍ଦିର ସହର ଧବଳ ଟଗର | ବାରବାଟୀ ଗଡ-ଷ୍ଟାଡିୟମ, କାଠଯୋଡି ବନ୍ଧ, ରୂପାଗହଣା ତାରକସିକାମର ଯାଦୁଗରୀ ସହର, ଦଶହରା ମେଢ, ବାଲିଯାତ୍ରାର ଭିଡ, ମସଲାଗୋଳା ଦହିବରା ଆଲୁଦମ ...... ଇତ୍ୟାଦି ଅନେକ ତଥ୍ୟ ଦେବଦାସ ବାବୁଙ୍କ ମନକୁ ଆସୁଥିଲା | ସସ୍ତ୍ରିକ ବାଦାମବାଡ଼ି ବାସଷ୍ଟାଣ୍ଡରେ ଅପେକ୍ଷାରତ ବାଲେଶ୍ବରାଭିମୁଖୀ ବସରେ ଯାତ୍ରା କରିବା ଅଭିପ୍ରାୟ ନେଇ | ଉତ୍କଣ୍ଠାର ସହିତ ଏପଟ –ସେପଟ ପଚାରି ବୁଝିବା ଆଳରେ ଓଡିଆ ସିନେମାର ରଙ୍ଗୀନ ପୋଷ୍ଟର ସବୁକୁ ପଢି ପକାଉଥାନ୍ତି | ବଡ ଡାକ୍ତରଖାନା ଆସିଥିଲେ , ବଡମାମୁଁଙ୍କୁ ଦେଖିବାପାଇଁ | ଶଲ୍ୟ ବିଭାଗରେ ଦୀର୍ଘ ଏକ ସପ୍ତାହ ହେଲା ଚିକିତ୍ସାରତ | କର୍ତ୍ତବ୍ୟ ଦୃଷ୍ଟିରୁ ବଡ ଭଣଜା –ଭଣଜାବୋହୁ ହେତୁରୁ ଗତକାଲି ସନ୍ଧ୍ୟାରେ ସୁନସାହେବା ବସରେ ଆସିଥିଲେ | ଫେରିବା ବେଳ |
ନାକରେ ରୁମାଲ ଗୁଞ୍ଜେଇ କାନ୍ଧରେ ଭ୍ୟାନିଟି ବ୍ୟାଗ ଓହଳାଇ ଶୀମତୀ ବୀଣାପାଣି ମହାନ୍ତି ରାସ୍ତାର ଭିଡ ଓ ପୋତିଗନ୍ଧମୟ ପରିବେଶକୁ ଦେଖି କହୁଥାନ୍ତି --- କେବେ ବି ବଦଳିବନି ଆମର ଏ ପରିମଳ ବ୍ୟବସ୍ଥା ? କେବେବି ପରିବର୍ତ୍ତନର ପ୍ରଲେପ ପଡିବନି ନାଳ ନର୍ଦମାର ଛାତି ଉପରେ ? ପଶ୍ଚିମ ଦେଶୀୟ ସହରର ରାସ୍ତା-ଘାଟ ପରି ଆମେ କେବେ କଟକ ସହରକୁ ବନେଇପାରିବା ??? କେବେ ସେ ସୁଦିନ ଆସିବନି ???
ଶୀତତାପ ନିୟନ୍ତ୍ରିତ ଡବଲ ଡେକର ବସ ସୋନେକ୍ସ ଓ ସୋନେକ୍ସ ଆସିଗଲା | ଅଗତ୍ୟା ଗହଳି ଚହଳି ଠେଲା ପେଲା ପ୍ରଥମ କେଇଧାଡି ସିଟ ପାଇବା ପାଇଁ | ବେଳେ ବେଳେ ବୁଝିହୁଏନା ମଣିଷର ଆଚାର ବିହୀନ ସଂସ୍କାର ରହିତ ଏତାଦୃଶ ବ୍ୟବହାରରେ | ବେଶୀ ପରିତାପ ଅନୁତାପର ବିନ୍ଦୁ ହେଲା ଆଧୁନିକତାର ପୋଷାକ ପିନ୍ଧି ନିଜକୁ ଭଦ୍ର ଶିକ୍ଷିତ ଏକବିଂଶ ଶତାବ୍ଦୀର ସୁଯୋଗ୍ୟ ଦାୟାଦ ବୋଲାଉଥିବା ଯୁବକବର୍ଗ ଠେଲି ପେଲି ଯେନ ତେନ ପ୍ରକାରେଣ ଆଗ ସିଟଟେ ନେବେ |ବୁଢା –ବୁଢୀ ,ରୋଗୀ-ବୈରାଗୀ,ମଉସା-ମାଉସି ...... କଥା କି’ଏ ପଚାରେ ? କିଏ କହିଲା ଜୋର ଯାର ମୂଳକ ତାର, ମାଇଟ ଇଜ ରାଇଟ ,ସାରଭାଇଭାଲ ଅଫ ଦି ଫିଟେଷ୍ଟ କନସେପ୍ଟ ସବୁ ସ୍ଵାଧୀନତା ପରେ କବର ପାଇଛି | ମିଛ-ଡାହା ମିଛ ! କେବଳ ନେତା–ଲେଖକ-ବୁଦ୍ଧିଜୀବୀମାନଙ୍କର ଏକ କାଳ୍ପନିକ ଇନ୍ଦ୍ରଜାଲ, ଶାବ୍ଦିକ ଚାତୁରୀ ,ତାର୍ତ୍ତିକ ଯାଦୁଗରୀ ସତ୍ୟଠୁଁ କୋଶେ –ମାଇଲ –ମାଇଲ ଦୂର | ସବଳର ଅତ୍ୟାଚାର ଦୁର୍ବଳ ପିଠିରେ ସବୁ କ୍ଷେତ୍ରରେ ସବୁ ଠାରେ ରହି ଆସିଛି ସଭ୍ୟତାର ପ୍ରଥମ ଦିନ ପାଖରୁ ଏବଂ ରହିବ ମଧ୍ୟ | ହେଇ ଜ୍ଵଳନ୍ତ ନମୁନା ଦେଖ ପ୍ରିୟେ !
ବହୁ କଷ୍ଟରେ ସବା ଶେଷରେ ଜୋଡାଏ ସିଟ ମିଳିଲା | ପରିଷ୍କାର-ପରିଚ୍ଛନ୍ନ ନୂଆ-ନବୀନତାରେ ଭରପୁର ଭିତର ଅବସ୍ଥା ଦେଖି ଭଲ ଲାଗିଲା | ପୁଣି ଶୀତତାପ ନିୟନ୍ତ୍ରିତ ହେତୁ ଝାଳ-ଗୁଳୁଗୁଳିରୁ ତ୍ରାହି ...ସହଧର୍ମିଣୀ ଝରକା ପାଖ ସିଟରେ ବସୁ ବସୁ ସ୍ମିତ ହାସ୍ୟର ଛଟା ଆଗରେ ଅଧିକା ଭଡା ପଇସା ତୁଚ୍ଛ ଲାଗୁଥିଲା | ଖୁସି ଖୁସି ଯାତ୍ରା କରିବାରେ , ଆରାମରେ ଦୁଇ ଚାରି ଘଣ୍ଟା ବସିକରି ଶୋଇବାରେ ଆଉ ଅସୁବିଧା ହେବନି ?
ଲଗେଜ ବ୍ୟାଗକୁ ଜାଗା ଧରେଇ ପୁସ ବ୍ୟାକ ସ୍ଳିପର ସିଟରେ ବସୁ ବସ ପାଣି ବୋତଲରୁ ଦୁଇ ଚାରି ଢୋକ ପାଇ ପିଉ ପିଉ କାନରେ ପଡିଲା ସ୍ମୃତିମଧୁର ସଙ୍ଗୀତର ଝଙ୍କାର ସୁରେଶ ୱାଡେକରଙ୍କର କଣ୍ଠରୁ ନିସୃତ “ ଡୋରା “ ସିନେମାର ସୁପର ହିଟ ଗୀତ ....“ ଆଲୋ ମୋର କଣ୍ଢେଇ ଦେଲୁ ମୋତେ ଭଣ୍ଡେଇ
ତୁ ତୋର ବାଛିନେଲୁ ରାଜା ଘର ଉଆସ
ମୋତେ ଦେଲୁ ଦୁଃଖଭାର ମୁଣ୍ଡେଇ
ଆଲୋ ମୋର କଣ୍ଢେଇ ........|”
ଗୀତ ସଙ୍ଗୀତରେ ଏମିତି ମନମୋହକ ସମ୍ମୋହନ କୁହୁକ ଶକ୍ତି ଅଛି ଯେ ଆପେ ଆପେ ତୃପ୍ତି-ଶାନ୍ତି କ୍ଳାନ୍ତ-ଶ୍ରାନ୍ତ-ବିବ୍ରତ ମନକୁ ମିଳିଯାଏ | ଏକ ଅନିର୍ବଚନୀୟ ଅଫୁରନ୍ତ ଆନନ୍ଦର ତାଳେ ତାଳେ ଗୁଣୁଗୁଣେଇବାକୁ ଆଙ୍ଗୁଳି ମୁଣ୍ଡ ହଲେଇବାକୁ ବାଜା ବଜେଇବାକୁ ଅଜାଣତରେ ଅବଚେତନ ମାନସରେ ଇଚ୍ଛା ହୁଏ | ଦେବଦାସ ବାବୁ ବି କରିଚାଲିଥାନ୍ତି ପରିବେଶ-ପରିସ୍ଥିତିକୁ ଭୁଲିଯାଇ | ଆଖିବୁଜି ଖୁସିର ମାଳ ମାଳ ଶାମୁକାରାଶିକୁ ଜୀବନ-ମରୀଚିକାର ବେଳାଭୂମିରୁ ସାଉଣ୍ଟିବାକୁ ଚେଷ୍ଟା କରୁଥାନ୍ତି ..... ଏମିତି ଅମୂଲ୍ୟ କ୍ଷଣ ପାଇଁ ମଣିଷ କ’ଣ ବା ନ କରୁଛି ! ହାଏରେ ମନ ....ଖୋଜୁଥାଏ ଭଳିକି ଭଳି ସୋପାନ ||
“ ପର୍ବତ ପର୍ବତ ପର୍ବତର ଅଗଣା
ଅଗଣାରେ ଖେଳୁଛି କୁଆଁରି ଝରଣା
ସେ ମୋତେ ହାତଠାରି କରୁଛି ମନା
ଯା’ ଆନା ........ ତୁ ଯାଆନା .........|”
ପରଗୀତଟି ପୁଣି ମନକୁ ମତୁଆଲା କରିବାକୁ ଯଥେଷ୍ଟ ଥିଲା ; କେଉଁ ଏକ ନୈସର୍ଗିକ ଆନନ୍ଦ ପାରାବାରରେ ତୃପ୍ତି-ତରଙ୍ଗର ଧାରେ ଧାରେ ଭାସିବୁଲିବାକୁ | କଣ୍ଢେଇ-ଭଣ୍ଡେଇ ----ପର୍ବତର ଅଗଣା ----କୁଆଁରି ଝରଣା ...... ଏମିତି ଶବ୍ଦ ସବୁ ବାରମ୍ବାର ମାନସ ତଟରେ ପିଟି ହେବାକୁ ଲାଗିଲା, ଝିଙ୍କାରି ପରି ଶନୈ ଶନୈ ଝିଂ ଝିଂ ହେଲା | ପୁରୁଣା ପୁରୁଣା ବିଗତ ଦିନର ସୁନେଲି ରୁପେଲି କିଛି ଝାପସା ଝାପସା ଅପାଶୋରା କ୍ଷଣକୁ ମନ-ଆଇନାରେ କିଞ୍ଚିତ କିଞ୍ଚିତ ଦେଖି ପାରିଲେ ଦେବଦାସ ବାବୁ | ଧୀରେ ଧୀରେ ପ୍ରଭାକର ଆକାଶର ଅଗଣାକୁ ଆସିଲେ ଯେମିତି ଧରଣିରାଣୀର କୁହୁଡି-ବେଣୀ ସଫା ସଫା ଲାଗେ , ସେମିତି ସବୁ ସଠିକ ପରିଷ୍କାର ମନେ ପଡିଲା |
ସେଦିନ ଥିଲା ଡିସେମ୍ବର ୨୬ ତାରିଖ ୧୯୯୬ ମସିହା ଶନିବାର – ମନକୁ ଆସିଲା ସାନଘାଘରା-ବଡଘାଘରା | ବୈତରଣୀ ନଦୀର ଶାଖା ନଦୀ ଘାଘରାର ଧାରେ ଧାରେ କୁଳୁ କୁଳୁ ନାଦିନୀ ଛଳ ଛଳ ଗାମିନୀ ପ୍ରବାହିଣୀ ଦୁଇ ଜଳପ୍ରପାତ | କେଉଁଝର ସହରଠାରୁ ମାତ୍ର ୬ କି. ମି. ଦୂରରେ ୩୦.୫ ମିଟର ( ୧୦୦ ଫୁଟ ) ଏବଂ ୬୦ ମିଟର (୨୦୦ ଫୁଟ ) ଉଚ୍ଚତା ବିଶିଷ୍ଟ ଛୋଟ-ବଡ ଦୁଇ ଦୁଇଟା ଖରସ୍ରୋତା ଧାରାର ଗାରେ ଗାରେ ବଣଭୋଜି ବା ପିକନିକର ଆସର ଲାଗିଥାଏ | ଶୀତ ଋତୁରେ ଡିସେମ୍ବର ଜାନୁୟାରୀ ମାସରେ ଦଳ ଦଳ ହୋଇ ଆସନ୍ତି |
ବାଲେଶ୍ଵର ବି.ଇ.ଡି. କଲେଜର ୧୯୯୬ ମସିହା ବ୍ୟାଚ ଝାଡେଶ୍ଵର ଟ୍ରାଭେଲସର ବସ “ଟୁକୁନା”ରେ ଚାଲିଛନ୍ତି ପିକନିକ ପାଇଁ କେଉଁଝରର ସେହି ଝର ଝର ଝରଣାର ପ୍ରଦେଶ ସାନଘାଘରା-ବଡଘାଘରା ଅଭିମୁଖେ | ସାଥିରେ ଅଛନ୍ତି କଲେଜର ପ୍ରିନ୍ସପାଲ ଶ୍ରୀଯୁକ୍ତ ଭାଗବତ ପାଣିଗ୍ରାହୀ ସାର ଏବଂ ଅନ୍ୟ ସାର ଓ ମ୍ୟାଡ଼ାମ ମାନେ ଯଥା ଶ୍ରୀଯୁକ୍ତ ସନାତନ ସେଠୀ ସାର , ଶ୍ରୀଯୁକ୍ତ ବିରଞ୍ଛି ନାରାୟଣ ଦାସ ସାର ,ଶ୍ରୀଯୁକ୍ତ ଯଦୁନାଥ ସାହୁ ସାର, ଶ୍ରୀମତୀ ମନୋରମା ମିଶ୍ର ମ୍ୟାଡ଼ାମ ...ଇତ୍ୟାଦି---ପୁରା ବାଟାଲିୟନ ..... ସମସ୍ତେ ଏକଜୁଟ ହୋଇ ଚାଲିଛନ୍ତି | ମାତ୍ର ଛାତ୍ର ଦେବଦାସ ମହାନ୍ତି ଓ ଛାତ୍ରୀ ବୈତରଣୀ ପାତ୍ର ମୁଖ୍ୟ ଆୟୋଜକ-ଆୟୋଜିକା ,ସଂଯୋଜକ-ସଞ୍ଜୋଜିକା ହିସାବରେ ସବୁକଥା ପଚାରି ବୁଝୁଛନ୍ତି |
ବସ “ଟୁକୁନା” ଗଡିଲା | ଜୟ ଜଗନ୍ନାଥର ଧୂନରେ ଗାଡି ଚାଲିଲା | ଅନ୍ତାକ୍ଷରି ଆରମ୍ଭ ହେଉ |ସତେ ଯେମିତି ବହୁଦିନରୁ ଗୀତ ସବୁ ହଷ୍ଟେଲ ବାଥରୁମ ଭିତରୁ ଦୁନିଆର ବଡଦାଣ୍ଡକୁ ଆସିବାକୁ ସଜବାଜ ...ହେଉ ସେ ଗୀତ ବେଶୁରା –କର୍କଶିଆ | ସମସ୍ତେ ଅନୁରୋଧ କାଲେ ପ୍ରିନ୍ସପାଲ ସାର ପ୍ରଥମେ ଶ୍ରୀଗଣେଶ କରନ୍ତୁ |
ସନାତନ ସେଠୀ ସାର ବି କହିଲେ --- “ ଭାଗବତବୁ –ହଉ....ହେଇଯାଉ ....କାଳିଆର ଭଜନ ଗୋଟେ ଝାଡି ଦିଅନ୍ତୁ ସାର | କ’ଣ ବା ଦୋ ଦୋ ପାଞ୍ଚ ହେଉଛନ୍ତି ଯେ ....| ପାନକୁ ଚର୍ବିତ ଚର୍ବଣ କରୁ କରୁ ---ପାନ ଛେପକୁ କଡକୁ ସାଇଡ କରୁ କରୁ କହୁଥିଲେ ....|
ଭାଗବତ ସାର ---ସାର --- ପୁରା କଳରୋଳରେ .... ପୁରା ସମଷ୍ଟିଗତ ସମତାନ ନାଦରେ କଂପି ଉଠୁଥିଲା ବସର ଭିତର ପଟଟା | ସମସ୍ତେ ଖିଲି ଖିଲି ହସୁଥିଲେ ....ଶବ୍ଦ ପ୍ରଦୂଷଣକୁ ବେଖାତିର କରି ଜୋର-ଶୋରରେ କଣ୍ଠା ଫଟେଇ ସାର ...ସାର କହି ଚାଲିଥିଲେ , ରାହା ଧରି ବୋଲି ଚାଲିଥିଲେ |
“ସାର ! ପୁଅ ଜାତିର ଗୌରବ କଥା | ମାସକୁଲାଇନ ଜେଣ୍ଡର କଥା | ଗା’ନ୍ତୁ ସାର “—ସବୁ ପୁଅ ପିଲା ସବର୍ଗରେ କହି-ଗାଇ ଚାଲିଥିଲେ |
“ସାର ! ଆପଣଙ୍କୁ ଅନୁରୋଧ .... ଗୀତ ଆରମ୍ଭ କରନ୍ତୁ ନା .... ମନେପକାନ୍ତୁ ଆପଣଙ୍କ କଲେଜ ବେଳର ସମୟ ....ଛାତ୍ର ଜୀବନର ଚପଳତା .....ଗାଇ ଦିଅନ୍ତୁ ସାର ....|” ଝିଅମାନେ ରାହା ଧରିଲେ |
ପିଲାମାନଙ୍କର ଅନୁରୋଧ ପରେ ଅନୁରୋଧ ମାତ୍ର ଭାଗବତ ସାରଙ୍କ ମୁଁହରେ ଯେମିତି ତାଲା | ମନୋରମା ମିଶ୍ର ମ୍ୟାଡ଼ାମ ଆଉ ରହିପାରିଲେନି | ସାହି ପାରିଲେନି କୋମଳତାରେ ଭରା ସରାଗର ପସରା କୋକିଳକଣ୍ଠୀ ବୀଣା-ଝିଣା ସ୍ଵରର ଧାରା କହି ପକେଇଲେ ......;
“ ଟିକେ ଗାଇ ଦିଅନ୍ତୁ ନା ......”|
ଆଉ କାହିଁ ? ବନ୍ଧା ଯେମିତି ଭାଙ୍ଗିଗଲା |ପ୍ରିନସିପାଲର ଅହଂକାର ଗର୍ବର ହର୍ମ୍ୟ ଅଟ୍ଟାଳିକା ଯେମିତି ମ୍ୟାଡ଼ାମଙ୍କର ପ୍ରେମ ଭିଜା ସରାଗ ମିଶା ଦିପଦ କଥା ବାଣରେ ଟଳି ପଡିଲା |
“ ଦେଏରେ କାଳିଆ ଦେ ..... ତୋ’ ପାଦେ ଶରଣ ଦେ .......
ତୋ’ ବଡ ଦାଣ୍ଡରେ ମୋତେ ଯୋଗୀଟିଏ କରି ଦେ ...
ଦେ ଏ ରେ କାଳିଆ ଦେ ...ତୋ’ ପାଦେ ଶରଣ ଦେ ....”|
ଉତ୍କଳୀୟ ସଂସ୍କୃତିର ବଡପଣ୍ଡା ସେହି ଜଗତର ନାଥ ଜଗନ୍ନାଥଙ୍କୁ ସ୍ମରଣ କରି ଭାଗବତ ପାଣିଗ୍ରାହୀ ସାର ଭଜନ ସମ୍ରାଟ ଭିକାରି ବଳଙ୍କ ସୁପରହିଟ ଭଜନଟି ଗାଇଉଠିଲେ | ଆଉ ସମସ୍ତେ ଦଣ୍ଡବତ ଓଳଗି ହାତଯୋଡି ସାଥେ ସାଥେ ଗାଇଚାଲିଲେ ....ସେହି ଅଗତିର ଗତି ମହାବାହୁଙ୍କ ଉଦ୍ଦେଶ୍ୟରେ ଗୁଣୁଗୁଣେଇ ଚାଲିଥିଲେ ଯିଏ ଅନ୍ତୁଡି ଶାଳରୁ ଶ୍ମଶାନ ଯାଏ , କୋଳରୁ କୋକେଇ ଯାଏ ସାହା ହୋଇଥାଏ, ସେହି ଅନାଥର ନାଥ ନୟନପଥଗାମୀଙ୍କ କୃପା ଜଳରେ ସମସ୍ତେ ସିକତା-ଆଦ୍ର ହୋଇପଡିଲେ .....|
ମାତ୍ର ଦେବଦାସ-ବୈତରଣୀ କେବଳ କଣେଇ କଣେଇ ବଙ୍କେଇ ଚାହିଁ ଥିଲେ .....ଆଖିର ଈଷାରାରେ କହୁଥିଲେ ପ୍ରେମର ହିଁ ଆଜି ଜୟ ହେଲା | ସ୍ନେହ-ପ୍ରେମର ନୈବେଦ୍ୟ ନେଇ ଆନ୍ତରିକତାର ଅଗରବତୀ ଜଳେଇଲେ ଖଣ୍ଡ ବିରୋଧର କୁହେଳିକା କୁଝ୍ହଟିକାର ବିରୋଧ ମଧ୍ୟ ସୁଗନ୍ଧ ଶେଷରେ ଦେଇପାରେ | ସ୍ମିତ ହାସ୍ୟରେଖାର ଛଟା ପ୍ରାୟ ଶାଶ୍ଵତ ପ୍ରେମର ଗୀତିକଥା –ଅନାବିଳ ଅନାଶକ୍ତ ଦେହାତିତ ସ୍ନେହର ବିଜ୍ଞାପନ କରୁଥିଲା ପ୍ରାୟ |
ଅନ୍ତାକ୍ଷରୀର ତାଳେ ତାଳେ ଗୀତାର ଛଳେ ଛଳେ ହୋ-ହଲ୍ଲା କଳରୋଳର ମଝିରେ ମଝିରେ କେତେବେଳେ ଝରଣା କୋଳରେ ପହଞ୍ଚିଗଲେ ଜଣାପଡିଲାନି | ଅଗତ୍ୟା ସମସ୍ତେ ବସରୁ ଅବତରଣ କଲେ ଆଉ ବେଗି ବେଗି ଦୌଡିଲେ ପିକନିକ ସ୍ପଟ ପାଖକୁ | ଆଗତୁରା ସବୁ ଦେଖି ପକେଇବେ | ପକୃତିର ସୌନ୍ଦର୍ଜ୍ୟ ଶୋଭା ଯେମିତି ସରିଯିବ....ଦୌଡି ପଳେଇବ କି ? କି ବିକଳିଆ ମନ ? ଖାଲି ଆପେ ଆପେ ସାଉଣ୍ଟିବାକୁ ସମସ୍ତେ ଧୁରି ସୂରୀ |
ଶେଷରେ ବସରେ କପୋତ-କପୋତି ଯୋଡିଏ ...ମାନେ ଦେବଦାସ ମହାନ୍ତି ଓ ବୈତରିଣୀ ପାତ୍ର |
“ ତୁମେ କାହିଁକି ଠିଆ ହେଲ !---- ବେଗି ବେଗି ଚାଲ ...ତଳେ ସମସ୍ତେ ଅପେକ୍ଷା କରିଛନ୍ତି |” ଦେବଦାସ ଅଗତ୍ୟା କହି ଉଠିଲେ |
“ ବୋକା କେଉଁଠିକାର ! ବୁଝିପାରୁନା |ଗୋଟେ ଗୁପ୍ତ କଥା କହିବି ତୁମକୁ ....ଟିକେ ଫୁସଫୁସିଆ କଥା କହିବି .....|” ବୈତରଣୀ ସ୍ମିତହାସ୍ୟର ଅନ୍ତରାଳରେ ଦୁଷ୍ଟାମିଆ ଛନ୍ଦରେ ଉତ୍ତର ଦେଲା |
“ ଗୁପ୍ତ କଥା ...ଫୁସଫୁସିଆ କଥା .....କି କଥା ....ସେ ଗୁପ୍ତ-ସୁପ୍ତ-ଫୁପ୍ତ କଥା ଛାଡ | ପରିବା କାଟିବା ଦାୟିତ୍ଵ ନେଇଛ | ବଡ ବଡ ଦେଖେଉଥିଲ ମିଟିଂରେ .....ଆମର ଝିଅମାନେ କ’ଣ କାହା ଦୟାରେ ! କାହିଁ ତୁମର ଜୟା-ହେମା-ସୁଷମା-କରିସ୍ମା |
ହଉ ହେଲା ---କୁହ ଏଥର କୁହ ...ଖପକିନା କହି ପକାଅ ....|”
“ ପାଖକୁ ଆସିଲେ ସିନା କହିବି , କାନକୁ ପାଖକୁ ଆଣିଲେ ସିନା କହିବି “| ଡବ ଡବ ଆଖିରେ ଦେବଦାସର କଥାକୁ ପିଉଥିବା ଆଳରେ ଆଖି ନଚେଇ ବୈତରଣୀ କହିଲା |
“ କ’ଣ କହିବି ଆଉ ? ବୋକା କେଉଁଠିକାର ! ମାଧବ –ସାଧବ ମୋ କେଉଁ ରାଉଜର ? ମୁଁ ଝିଅ ପିଲା ହୋଇ ସରମ-ଫରମରୁ କୋଶେ ଦୂର | ଆଉ ତୁମେ କ’ଣ ନା ମୋ ଲାଜକୁଳି ଲତା | ଦେଖାଅନି ମୋ .... ଆଉ ଟିକେ .....|
ଦେବଦାସର କାନପାଖକୁ ବୈତରଣୀ ଅଗତ୍ୟା ନିଜର ମୁଁହକୁ ନିଅନ୍ତେ ଆଜନ୍ମ ଦେବଦାସ ପୁରା ଲାଜରେ ଝାଳେଇ ଗଲା ...ସେଇ କିସ –ଚୁମା-ଛାତି କଥା ଭାବି ଆଖିକୁ ବୁଜିଦେଲା | ମିଠା ମିଠା ଭୁରୁ ଭୁରୁ ବାସନା ନାକପୁଡା ଭିତରକୁ ହାବୁକା ପଶିଗଲା |
ମାତ୍ର ବୈତରଣୀ ଚୁପ୍ କିନା ଫିସ୍ କିନା କହିଦେଲା ...କିଛି ନାଁହି ....କିଛି ନାଁହି | କହି କହି ବେଗି ପଳେଇଗଲା ଡଗ ଡଗ ପଛକୁ ନ ଚାହିଁ ......|
ପରାଜିତ ସୈନିକସମ ......ହାରିଯାଇଥିବାରେ ଜିତିଯାଇଥିବାର ସ୍ଵାକ୍ଷର ବହନ କରି ସ୍ମିତ ହାସ୍ୟ ରେଖାଟେ ଉକୁଟି ଓଠିଲା ଦେବଦାସର ଝାଳୁଆ ଆଖିମୁଦିଲା ମୁଖମଣ୍ଡଳରେ | ଲାଜୁଆ ଡରୁଆ ଝାଳୁଆ ଚେହେରା ହଠାତ ଲାଲ ବାଳାରୁଣର ଅରୁଣିମା ସମ ଝଲସି ଓଠିଲା | ଯେମିତି ବାରବାଟୀ ଗଡ ହାତ ମୁଠାରେ ; ଯେମିତି ସାରଳା ପୁରସ୍କାର ମିଳିବାର ଖବର କାନପାଖରେ କି’ଏ କହିଦେଇଗଲା | ସେହି ଅନାବିଳ ଅନିର୍ବାଚନୀୟ ଅନାସକ୍ତ ଅକରଣୀୟ ଅବର୍ଣନୀୟ ପ୍ରେମ ପାରାବାରରେ ମତୁଆଲା ହୋଇ ଡୁବି ଡୁବି ବୁଡ ମାରିବାକୁ ମନରେ ହିଲ୍ଲୋଳ-କଲ୍ଲୋଳର ତରଙ୍ଗରାଜିସବୁ ପିଟିହୋଇଗଲେ ......ଖୁସିରେ ସେହି ଅପାସୋରା ସୁନେଲି ରୁପେଲି ଫଗୁଣେଇ ବଉଳେଇ ମହକିଆ ମୂହୁର୍ତ୍ତକୁ ଗୋଟେଇବାକୁ ଦେବଦାସ ମହାନ୍ତି ବସ ସିଟରେ ଲଥ କରି ବସି ପଡିଲେ |
“ କ’ଣ ବା ଏମିତି ପିଲାଙ୍କ ପରି ଉଠୁଛ ବସୁଛ | ଶାନ୍ତିରେ ଟିକେ ବସ | ଥୟ-ଲୟ ଧର |” ଶ୍ରୀମତିଙ୍କର ବାକ୍ୟ ବାଣରେ ଜର୍ଜରିତ ହୋଇ ଦିବ୍ୟଚକ୍ଷୁରୁ ଚର୍ମଚକ୍ଷୁକୁ ଆସିଗଲେ ..... ସବୁ କଥାରେ ହସ୍ତକ୍ଷେପ ....ରାବିଡ଼ ଇଣ୍ଟର୍ଫ୍ୟାରେନ୍ସ.....|
ଧେତ ତେରିକା ! ରାଗ ଲାଗିଲା | ଆମ୍ବିଳା ଖଟା ଖଟା ପିତା କଷା ମନଟା ହୋଇଗଲା | କି ସୁନ୍ଦର ଫ୍ଲାସବେକଟା ଅଚାନକ ବନ୍ଦ ହୋଇଗଲା | ସେହି ସମୟରେ ଗୀତର ମୂର୍ଚ୍ଛନାରୁ ଝରୁଥିଲା .....
“ ରୂପ ହୋଇଥିବ ଲାବଣ୍ୟବତୀ , ଗୁଣରେ ଲାଗୁଛି ମଉନାଏମିତି ଯଦି ମିଳିବ ସାଥି ମଧୁ ବରଷିବ ରାତି ରାତି .......|”
ଆଖି ବନ୍ଦ କରି ଦେବଦାସ ମହାନ୍ତି ସହଧର୍ମିଣୀ ଶ୍ରୀମତୀ ବୀଣାପାଣି ମହାନ୍ତି ମଧ୍ୟରେ ଫୁଲେଇ ପ୍ରେମିକା ବୈତରଣୀ ମହାନ୍ତି ପରି ମଉନାବତୀ ଲାବଣ୍ୟବତୀର ରୂପ ଗୁଣକୁ ଖୋଜି ଚାଲିଥିଲେ ....ଗଣି ପାରୁଥିଲେ ଅବୋଲକରା କାହାଣୀମାଳାର ସେହି କିମ୍ବଦନ୍ତୀ ପୁରୁଷ ସୌଦାଗର ପରି .........| :