ଭଙ୍ଗା ମନ
ଭଙ୍ଗା ମନ


କୁମାର ପୂର୍ଣ୍ଣିମା ଆଉ ଦିନ କେଇଟା ବାକି ଅଛି। ବହୁତ ଇଚ୍ଛା ଥିଲା ବବଲିକୁ ରାକ୍ଷୀ ବନ୍ଧା ବାବଦକୁ ଡ୍ରେସ ହଳେ ଦେବାକୁ, କିନ୍ତୁ ଘରର ତେଲ ଲୁଣକୁ ପଇସା ନଅଣ୍ଟ। ଡ୍ରେସ ବଦଳରେ ଛୋଟ ଭ୍ୟାନିଟି ବ୍ୟାଗଟିଏ ଆଉ କିଛି ଷ୍ଟେସନାରୀ ଜିନିଷ କିଣିଲି ନିଜ ଅନିଚ୍ଛା ସ୍ଵତ୍ତ୍ୱେ। ହଁ' ଗରିବର ମନ ଗୋଟେ କଣ? ପକେଟରେ ପଇସା ନ ଥିଲେ ମନ ବି ମରିଯାଏ ଆପେଆପେ ।
ବବଲି ମୋର ପଡୋଶୀ। ଦୁଇ ବର୍ଷ ହେବ ଭଡାରେ ରହୁଛନ୍ତି। ତାର ଭାଇ ନାହିଁ ଆଉ ମୋର ଭଉଣୀ ଥାଇ ବି ନ ଥିଲା ଭଳି। ବବଲି ବହୁତ ଭଲପାଏ ମତେ। କଣ ଟିକେ ଭଲ ମନ୍ଦ ହେଲେ ଦେଇ ଯାଏ ଘରେ। ରକ୍ତର ସମ୍ପର୍କ ଠୁ ବେଳେବେଳେ ସ୍ନେହ ମମତାର ବନ୍ଧନ ଆହୁରି ନିବିଡ଼ ହୋଇଥାଏ।
ଆଜି ସନ୍ଧ୍ୟାରେ ମାଉସୀ(ବବଲିଙ୍କ ବୋଉ)ଙ୍କ ହାତରେ କିଣିଥିବା ଜିନିଷ ଦେଇ ପଠାଇଲି। ଘରକୁ ଯିବାପାଇଁ ଇଚ୍ଛା ଥିଲେ ବି ଯାଇ ପାରିଲି ନାହିଁ। ମନ ଟା ଜମା ମାନୁ ନ ଥାଏ। ଡ୍ରେସ ହଳେ ହୋଇ ଥିଲେ କେତେ ଖୁସି ହୋଇଥାନ୍ତା ପିଲାଟା।
ରାତିରେ ହ୍ଵାଟ୍ସଆପରେ ବବଲି ପାଖକୁ ମେସେଜ ଦେଲି....
"ବବଲି ମୁଁ ଜାଣିଛି, ମୋ ଜିନିଷ ତୋ ମନକୁ ଆସି ନ ଥିବ। ତମର ତ ବଡ଼ ବଡ଼ିଆ କଥା। ତେଣୁ ଘରକୁ ବି ଯିବାକୁ ଭଲ ଲାଗିଲାନି"।
ବବଲିର କିଛି ଉତ୍ତର ଆସିଲାନି। ବଡ଼ ବିଚଳିତ ହେଉ ଥିଲା ମୋ ମନ। ପୁଣି ମେସେଜ ଦେଲି .....
"ଝିଅ ଖରାପ ଭାବିଲୁ କି? ଲେଖୁ ଲେଖୁ ଏମିତି ଲେଖିଦେଲି"।
ବବଲି ନୀରବତା ଭାଙ୍ଗି ଉତ୍ତର ଦେଲା....
"ମୁଁ ତୁମ ନିଜ ଭଉଣୀ ନୁହେଁ, ନିଜର ହୋଇଥିଲେ କଣ ଏମିତି କହିଥାନ୍ତ। ଘରକୁ ନ ଆସି ଘର ଆଗରୁ ଚାଲି ଯାଇଥାନ୍ତ"।
ମନଟା ମୋର ଭାଙ୍ଗି ଗଲା। ବବଲିର ଭଲ ପାଇବାର ଗଭୀରତାକୁ ଅନୁଭବ କରୁଥିଲି ମୁଁ ନୀରବରେ । ଶେଷରେ ମୋ ଉତ୍ତର ରଖିଲି....
"ତୁ ବି ମୋ ଭଉଣୀ। ତଥାପି ବେଳେବେଳେ ବୁଝାଇବାକୁ ପଡେ ସମସ୍ତଙ୍କୁ। ସେ ଭାଇ ହେଉ କି ଭଉଣୀ, ବାପ ହୁଅନ୍ତୁ କି ମା, ଆଉ ବେଳେବେଳେ ନିଜ ମନ କୁ ବି।
ବବଲିର ଉତ୍ତର ଆସିଥିଲା.....
-- ହଁ, ପ୍ରଣାମ ଭାଇ।
ଏବେ ଟିକେ ଆଶ୍ବସ୍ତ ଲାଗୁଥିଲା ମୋ ନିଜକୁ। ଆଉ ବବିଲି ଖୁସିରେ ହୋଉଥିଲା ଆତ୍ମହରା।