ଭକତ ଭାବରେ ବନ୍ଧା
ଭକତ ଭାବରେ ବନ୍ଧା
ସେ ତ ଭକତ ଭାବରେ ବନ୍ଧା, ସେ ତ ଭକତ ଜୀବନ ଧନ |ଯୁଗ ଯୁଗରୁ ବହୁ କଥା ସାକ୍ଷୀ ରହଛି ଭକ୍ତଙ୍କ ପାଇଁ ଭଗବାନ, ତାର ଆତୁର ଡାକ ଭଗବାନଙ୍କୁ ବାଧ୍ୟ କରେ ତାରି ପାଖକୁ ଚାଲିଆସିବା ପାଇଁ |କେବେ ବିଦୁର ହାତରୁ ଶାଗ ଭଜା ଖାଇଛନ୍ତି ତ କେବେ ଦାସିଆ ବାଉରୀ ହାତରୁ ନଡ଼ିଆ ନେଇଛନ୍ତି ତ କେବେ କାଠ ରଥ ଛାଡି ବଳରାମ ଦାସଙ୍କ ବାଲିରଥକୁ ଆସିଛନ୍ତି ତ କେବେ ସାଲବେଗଙ୍କ ପାଇଁ ରଥ ଅଟକାଇଛନ୍ତି |ସେ ଭକ୍ତ ବତ୍ସଳ ବଳିଆରଭୁଜ କେମିତି ଏକା ଏକା ନିଜ ସହ ଯୁଦ୍ଧ କରୁଥିବା ଭକ୍ତଟି କୁ ସୁସ୍ଥ କରିବାକୁ ଏବଂ ତା ପତ୍ନୀକୁ ସାହାଯ୍ୟ କରିବାକୁ କେତେ ରୂପ ଧାରଣ କରିଛନ୍ତି |
ଏଠି ପେଟପାଟଣା ପାଇଁ କିଏ କେତେ ପ୍ରକାର ରଙ୍ଗରେ ରଙ୍ଗେଈ ହୁଅନ୍ତି |ସକାଳୁ ସଂଞ୍ଜ ଯାଏ ଦୁନିଆ ଭିଡରେ ନିଜ ଗୋଡ଼କୁ ସଳଖି ଧରି ମାଡିଚାଳନ୍ତି ନିଜକର୍ମ ଆଡେ |ସମସ୍ତଙ୍କର କାର୍ଯ୍ୟରେ କେବେ ନା କେବେ ସୁରକ୍ଷାର ଆବଶ୍ୟକତା ହୁଏ ସେଥିପାଇଁ ଦିନରାତି ଏକ କରି ଆମ ସୀମାକୁ ଆମ ବୀର ଯବାନ ମାନେ ଜଗିଛନ୍ତି |ସେମିତି ମିଶ୍ରବାବୁ ଏକ ସ୍କୁଲର ସୁରକ୍ଷାକର୍ମୀ ଭାବରେ ନିଯୁକ୍ତି ପାଇଥାନ୍ତି |ତେଲ ଲୁଣର ସଂସାରରେ ବନ୍ଧା ହୋଇଥିବା ତାଙ୍କ ସ୍ତ୍ରୀ ଏବଂ ଦୁଇବର୍ଷର ଛୁଆକୁ ନେଇ |ସେମାନଙ୍କ ପେଟକୁ ଖାଇବାକୁ ଯୋଗାଇଥିବାକୁ ହେଲେ ଏମିତି ମାସ ମାସ ଏ ସ୍କୁଲ ଗେଟ ପାଖରେ ଛିଡା ହୋଇ ଗେଟ ଖୋଲି ସାଲୁଟ ଦେବା ଏବଂ ବନ୍ଦ କରିବା କାମ କରିବାକୁ ପଡିବ | ଖାଲି କଣ ସେତିକି କିଏ ଗଲା କିଏ ଆସିଲା ତାର ହିସାବ କେଉଁ ପିଲା ଯଦି ସ୍କୁଲ ଅଧାରୁ ଚାଲିଯାଏ ତା ଗେଟପାସର ସମସ୍ତ ବିବରଣୀ ରଖିବାର କାର୍ଯ୍ୟ କରିବାକୁ ପଡିବ |ତା ଛଡା ଏ ସ୍କୁଲ ପିଲାଗୁଡ଼ାକ ଦେଖିଲେ ତାଙ୍କର ବି ଭାରି ଇଚ୍ଛା ହୁଏ ତାଙ୍କ ଝିଅକୁ ଦିନେ ଆଣି ଏ ସ୍କୁଲରେ ଦାଖଲ କରିବେ ସେଥିପାଇଁ ଖରାତାତିରେ ନିଜ ଝାଳ ବୁହାଇ ପଇସା ସଂଚୟ କରୁଥାନ୍ତି |ମିଶ୍ରବାବୁ ଏବଂ ତାଙ୍କ ପତ୍ନୀ ପ୍ରବଳ ଈଶ୍ୱର ବିଶ୍ୱାସୀ ଏବଂ ଜଗନ୍ନାଥଙ୍କ ପୂଜକ |ସ୍କୁଲ ଆସିବା ପୂର୍ବରୁ ଚିତାଚୈତନ୍ୟରେ ନିଜ ମଥାକୁ ସଜାଇ ପୂଜା ଘଂଟି ଶଙ୍ଖରେ ମହାବାହୁଙ୍କୁ ଆରାଧନା କରନ୍ତି |ନିତି ସ୍କୁଲ ଆସିବା ବେଳେ ତାଙ୍କ ବନ୍ଧୁମାନଙ୍କ ପାଇଁ ତୁଳସୀପତ୍ର ଗୋଟାଏ ଲେଖା ନେଇ ଆସନ୍ତି ଆଉ ଯଦି କେହି ଅମଙ୍ଗ ହୁଅନ୍ତି ଜୋର କରି ତା ପାଟିରେ ପୁରାଇଦିଅନ୍ତି |ନିତି ଦିନିଆ ଜୀବନରେ ଛିଡା ହୋଇ ଶ୍ରମକ୍ଲାନ୍ତ ହୋଇ ଘରକୁ ଫେରିଗଲା ବେଳେ ତାଙ୍କ ଦୁଇବର୍ଷର ଝିଅ ଯେତେବେଳେ ଖନେଇ ଖନେଇ କୁହେ "ଜୟ ଜଗନ୍ନାଥ" ସେତେବେଳେ ତାଙ୍କର ସମସ୍ତ କାର୍ଯ୍ୟ ସମର୍ପଣ କରିଦିଅନ୍ତି ସେ ବଳିଆରଭୁଜକୁ |ଏମିତି ଭାବରେ ଚାଲିଥାଏ ମିଶ୍ରବାବୁଙ୍କ ପରିବାର କିଛି ସୁଖ କିଛି ଦୁଃଖ ଫେଣ୍ଟାଫେଣ୍ଟି |କିନ୍ତୁ ହଠାତ ମିଶ୍ରବାବୁଙ୍କ ପରିବାର ଉପରେ ଏକ ଦୁଃଖ ଭରା ପାହାଡ଼ ମାଡ଼ିଯିବ ସେ କଥା କିଏ ଜାଣିଥିଲା |
ସେ ଦିନ ମିଶ୍ରବାବୁ ସେ ଡିହ ଡିହ ଖରାରେ ସ୍କୁଲ ଗେଟ୍ ପାଖରେ ଠିଆ ହୋଇ ନିଜ କର୍ତଵ୍ୟ କରୁଥାନ୍ତି, ତାଙ୍କ ତଣ୍ଟି ଶୁଖିଯାଉଥାଏ ହଠାତ୍ ତାଙ୍କ ମୁଣ୍ଡ ବୁଲେଇବାକୁ ଲାଗିଲା ଦେହ ହାତ ଝାଇଁ ଝାଇଁ ମରିନେଇଥାଏ ସବୁ କିଛି ଅନ୍ଧାର ଦେଖାଗଲା ଆଉ ସେ ଖସିପଡିଲେ ଅଚେତ ହୋଇ ସେ ଗେଟ୍ ପାଖରେ |ତାଙ୍କ ସହ ଡିଉଟିରେ ଥିବା ସୁରକ୍ଷା କର୍ମୀମାନେ ତାଙ୍କୁ ଉଠାଇଆଣି ମୁଁହରେ ପାଣି ମାରି ହୋସକୁ ଆଣିଥିଲେ |ସେ ଦିନ ସେ ଡିଉଟି ଅଧାରୁ ଘରକୁ ଚାଲିଯାଇଥିଲେ |ଘରେ ମିସେସ ମିଶ୍ର ପଚାରିବାରୁ କହିଲେ ଦେହ ଭଲ ଲାଗିଲାନି ତା ସ୍କୁଲରୁ ଜଲ୍ଦି ଚାଲିଆସିଛନ୍ତି | ତା ପରଦିନ ମିସେସ ମିଶ୍ର ଦେଖିଛନ୍ତି ସକାଳୁ ଚଳଚଞ୍ଚଳ ଲୋକଟା ଆଜି ଏ ପର୍ଯ୍ୟନ୍ତ ଉଠିନାହାନ୍ତି, କାଲି ଦେହ ଖରାପ ବୋଲି କହୁଥିଲେ ହୁଏତ ଟିକିଏ ଶୋଇପଡ଼ିଥିବେ |ସେ ଯାଇ ଠାକୁର
ଘରେ ପୂଜା କରିଥିଲେ ହଠାତ୍ ଏକ ଶବ୍ଦ ଶୁଣି ଦୌଡି ଆସିଲେ ଦେଖିଲେ ମିଶ୍ରବାବୁ ଖଟ ତଳକୁ ଖସିପଡିଛନ୍ତି, ତାଙ୍କ ଗୋଡ଼ହାତ ସବୁକିଛି ଅଚଳ ହୋଇଯାଇଛି |ମିସେସ ମିଶ୍ରଙ୍କ ଉପରେ ବିଜୁଳି ପଡିଗଲା ଭଳି ଲାଗୁଥିଲା, ସଙ୍ଗେ ସଙ୍ଗେ ମିଶ୍ରବାବୁଙ୍କୁ ପାଖ ଡାକ୍ତରଖାନାରେ ନେଇ ଭର୍ତ୍ତି କରିଥିଲେ |ସେଠି ଡାକ୍ତର କହିଥିଲେ ମିଶ୍ରବାବୁଙ୍କୁ ପାରାଲିସିସ ଆଟାକ୍ କରିଛି ତାଙ୍କୁ ଶୀଘ୍ର ରେଫର କରି ଭୁବନେଶ୍ୱର ନେଇଯାଅ |ମିସେସ ମିଶ୍ର ଉପାୟଶୂନ୍ୟ କୋଳରେ ଥିବା ଦୁଇ ବର୍ଷର ଛୁଆକୁ ନେଇ ଏତେ ବାଟ ଏକା କେମିତି ଯିବେ !ସେ ସେହି ହସ୍ପିଟାଲର ଚୌକିରେ ବସି କାନ୍ଦୁଥିବା ବେଳେ ଜଣେ ଡାକ୍ତର ଆସି କହିଲେ ଆପଣ ଚିନ୍ତା କରନ୍ତୁନି ମୁଁ ହସ୍ପିଟାଲ ତରଫରୁ ଆମ୍ବୁଲାନ୍ସର ବ୍ୟବସ୍ଥା କରିଦେବି ଆପଣ ରୋଗୀକୁ ନେଇ ଚାଲିଯାନ୍ତୁ |ମିସେସ ମିଶ୍ରଙ୍କ ମନରେ ପ୍ରଶ୍ନ ଆସିଲା ଇଏ କେମିତି ଜାଣିଲେ ଆମ କଥା? ହୋଇଥିବ ମୁଁ ଡ଼କ୍ଟରଙ୍କ ସହ କଥା ହେବା ବେଳେ ଶୁଣିଥିବେ |ସେ ଆଉ ବେଶୀ ମୁଣ୍ଡ ନ ଖେଳାଇ ସେ ଡାକ୍ତରଙ୍କୁ ମାଗି ତାଙ୍କ ଭାଇକୁ ଫୋନ କରିଥିଲେ ଏବଂ ତାଙ୍କ ଭାଇ ସାହସ ଦେଇ କହିଲେ ନେଇ ଆସେ ତୁ ଭାଇନାଙ୍କୁ ମୁଁ ସେ ହସ୍ପିଟାଲରେ ତୋତେ ଅପେକ୍ଷା କରିଥିବି |ଯିବା ପାଇଁ ସମସ୍ତ ବ୍ୟବସ୍ଥା କରିଦେଇ ସେ ଡ଼କ୍ଟର ସେଠୁ ଚାଲିଗଲେ, ଆଉ ମିସେସ ମିଶ୍ର ଯେତେବେଳେ ସେ ଡ଼କ୍ଟରଙ୍କୁ ଧନ୍ୟବାଦ ଦେବା ପାଇଁ ଖୋଜିଥିଲେ ଅନ୍ୟ ଡ଼କ୍ଟରମାନେ କହିଥିଲେ ଯେ ଏହି ନାମରେ କୌଣସି ଡ଼କ୍ଟର ଏଠି ନାହାନ୍ତି |ସେ ଆଶ୍ଚର୍ଯ୍ୟ ହୋଇଗଲେ ତାହେଲେ ସେ କିଏ?ମିଶ୍ର ବାବୁଙ୍କ ଅବସ୍ଥା ଦେଖି ସେ କଥା ଆଉ ନ ଭାବି କୋଳରେ ଦୁଇ ବର୍ଷର ଛୁଆକୁ ଧରି ବାହାରିଗଲେ ବଡ଼ଡାକ୍ତରଖାନା ଅଭିମୁଖେ |ସେମିତି ଅଖିଆଅପିଆ କାନ୍ଦି କାନ୍ଦି ସାରା ରାସ୍ତା ଯାଉଛନ୍ତି ଠିକ୍ ଅଧାବାଟରେ ଆମ୍ବୁଲାନ୍ସଟା ଖରାପ ହୋଇଗଲା ଏବଂ ଠିକି ହେବାକୁ ହେଲେ କିଛି ସମୟ ଅପେକ୍ଷା କରିବା ଭିତରେ ଜଣେ ଜରାଜୀର୍ଣ୍ଣ ବୁଢା ଲୋକ ଆସି ସେ ଆମ୍ବୁଲାନ୍ସ ପାଖରେ ଠିଆ ହୋଇ କହିଲେ ତୁ ଚିନ୍ତା କରନି ମା ତୋ ସ୍ୱାମୀ ନିଶ୍ଚୟ ଭଲ ହୋଇଯିବ ଆଉ ଏକ ତୁଳସୀ ପତ୍ର ଆଣି ଛୁଆଁଇ ଦେଲେ ମିଶ୍ରବାବୁଙ୍କୁ ଏବଂ ମିସେସ ମିଶ୍ରଙ୍କ କାନିରେ ବାନ୍ଧିଦେଇଥିଲେ |ବହୁତ ବାଧ୍ୟ୍ୟ କରି ମିସେସ ମିଶ୍ର ଆଉ ତାଙ୍କ ଝିଅକୁ ଗ୍ଲୁକୋଜ ପାଣି ଟିକିଏ ପିଆଇ ଦେଇ ଆସିଥିଲେ |ସେହି ସମୟରେ ଆମ୍ବୁଲାନ୍ସ ଷ୍ଟାଟ ହୋଇ ଆଗକୁ ଯିବାର ଲାଗିଲା ଏବଂ ତତ୍କ୍ଷଣତ ସେ ବୁଢା ଜଣଙ୍କ ସେଠୁ ଉଭେଇ ଯାଇଥିଲେ ! ମିସେସ ମିଶ୍ର ଭାବିଲେ ସେ ଲୋକଜଣଙ୍କ କେମିତି ଜାଣିଲେ ଯେ ମୋ ସ୍ୱାମୀଙ୍କ ଦେହ ଖରାପ ଆଉ ହଠାତ୍ କୁଆଡେ ଅଦୃଶ୍ୟ ହୋଇଗଲେ |ଶେଷରେ ଭଲରେ ଭଲରେ ମିଶ୍ରବାବୁଙ୍କୁ ନେଇକି ଭୁବନେଶ୍ୱର ହସ୍ପିଟାଲରେ ପହଂଚିଗଲେ ଆଉ ସେଠି ମିସେସ ମିଶ୍ରଙ୍କ ଭାଇ ଆସି ସବୁ ବ୍ୟବସ୍ଥା କରିସାରିଥିଲେ |ମିଶ୍ର ବାବୁ ସେମିତି ଚିତ୍ ହୋଇ ଶୋଇଥାନ୍ତି, ହସ୍ପିଟାଲର କିଛି କାଗଜ ପତ୍ର କାମରେ ମିସେସ ମିଶ୍ର ଟିକିଏ ତଳକୁ ଯିବାକୁ ବାହାରିଲେ କିନ୍ତୁ ଦେଖିଲେ ପାଖରେ ନିଜଲୋକ କେହି ନାହାନ୍ତି କାହାକୁ ସେ ଏ ପଇସାଥିବା ବ୍ୟାଗଟା ଦେଇକି ଯିବେ? ଜଣେ ସ୍ତ୍ରୀ ଲୋକ ଆସି କହିଲେ ମୁଁ ଏଠି ଅଛି ତୁ ନିଶ୍ଚୟ ହୋଇଯାଆ |ଏମିତି ଅଚିହ୍ନା ଲୋକ ହାତରେ ବ୍ୟାଗଟା ଦେଇ ଯିବା ଅସହଜ ମନେ କଲେ ମିସେସ ମିଶ୍ର, କିନ୍ତୁ ସେ ସ୍ତ୍ରୀ ଲୋକଜଣଙ୍କ କହିଲେ ତୁ ମୋତେ ଭରଷା କରିକି ଯା ଆସିଲେ ଦେଖିବୁ ତୋ ବ୍ୟାଗ ସୁରକ୍ଷିତ ଅଛି |ତଳକୁ ଯିବା ବାଟରେ ତାଙ୍କର ମନକୁ ଆସିଲା ସେ ସ୍ତ୍ରୀ ଲୋକଜଣଙ୍କ କେମିତି ଜାଣିଲେ ମୁଁ ଏ ଅସୁବିଧାରେ ପଡ଼ିଥିଲି ବୋଲି ସେ ସେଠୁ ଦୌଡ଼ି ଦୌଡ଼ି ଉପରକୁ ଆସିକି ଦେଖିଲେ ତାଙ୍କ ବ୍ୟାଗ ଆଉ ପଇସା ସେମିତି ଅଛି କିନ୍ତୁ ସେ ସ୍ତ୍ରୀ ଲୋକଜଣଙ୍କ ନଥିଲେ |ଏବେ ମିସେସ ମିଶ୍ର ଜାଣିପାରିଲେ ସେ ଡାକ୍ତର, ବୁଢ଼ାଲୋକ ଆଉ ଏ ସ୍ତ୍ରୀ ଲୋକ ଆଉ କେହି ନଥିଲେ ସ୍ୱୟଂ ମହାବାହୁ ଥିଲେ ଯିଏ ତାଙ୍କୁ ସାହାଯ୍ୟ କରିବାକୁ ଆସିଥିଲେ କାରଣ ସେ ଭକତ ଭାବରେ ବନ୍ଧା |