puspanjali das

Others

3  

puspanjali das

Others

ଭିନ୍ନ ଏକ ରଙ୍ଗ..

ଭିନ୍ନ ଏକ ରଙ୍ଗ..

3 mins
12K



      ସକାଳର ଚା'ପର୍ବ ସରୁ ସରୁ ଅରୁଣାର ସେଲଫୋନଟି ବାଜି ଉଠି ଥିଲା।ଡାଇନିଂ ଟେବୁଲ ଉପରୁ ଚା' କପ୍ ଦୁଇଟି ଉଠାଉ ଉଠାଉ ଶ୍ରୀ ର କଲ୍ ଆସିଥିବା ଦେଖି ଖୁସି ହୋଇ ଯାଇଥିଲା।ଏତେ ସକାଳୁ ତା'ର ଫୋନ ଆସିବା ମାନେ ଯେ ନିଶ୍ଚୟ କିଛି ଭଲ ଖବର ସବୁଥରକ ପରି ହୋଇଥିବ ଭାବି,ଫୋନଟି ଉଠାଇ ଦେଇ ଗପିବା ଆରମ୍ଭ କରିଦେଇଥିଲା।ଶ୍ରୀ କିନ୍ତୁ ଅରୁଣାର ପ୍ରଥମ ଦୁଇପଦ କଥା ଶୁଣି,ତାକୁ ଆଉ କିଛି କହିବାକୁ ନ ଦେଇ ନିଜ କଥାର ଶ୍ରୋତ ବୁହାଇ ଚାଲିଲା।ଲକ୍ ଡାଉନ୍ ସମୟର ବ୍ୟସ୍ତତା ଓ ବିବ୍ରତତା ତା'ର ପ୍ରତ୍ୟେକ କଥାରେ ଯେମିତି ଫୁଟି ଉଠୁଥିଲା!ଅରୁଣାକୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରି, ତା'ପ୍ରଶ୍ନ ଗୁଚ୍ଛାରେ ବାନ୍ଧି ପକାଉଥିଲା-ବୋଉ,ବାପା ଓ ତୁ ଆଉ ଝଗଡା କରୁନ ତ?ସବୁଥରକ ପରି ବାପା ଝଗଡା କରି ତାଙ୍କ 'ଖଟି' କୁ ପଳାଉନାହାନ୍ତି ତ?ଆଉ ତୁ,ରାଗି ଯାଇ ମାମୁଁ ଘରକୁ ପଳାଉନୁ ତ?ଲକ୍ ଡାଉନ୍ ର ନିୟମ ଦୁହେଁ ଠିକ ଭାବରେ ମାନୁଛ ତ?ସାନିଟାଇଜର ଠିକ ଭାବରେ ବ୍ୟବହାର କରୁଛ ତ?ମଙ୍ଗଳା ତ କାମ କରିବାକୁ ଆସିପାରୁନଥିବ,ତୁ ଏକା ସବୁ କେମିତି କରୁଛୁ?ତୋର ଗୋଡ ହାତ ତ ଦରଜ ହଉଥିବ,ବାପାଙ୍କୁ କହିବୁ ଆଉ ପୂର୍ଵ ପରି ପାଣି ଗିଲାସକ ପାଇଁ ତୋ ହାତକୁ ଅନେଇ ବସିବେନି।ତୁ ମରି ପଡି କି ସବୁ କରିବାକୁ ଚେଷ୍ଟା କରିବୁନି।ଦୁଇଜଣ ଯାକ ମିଳିମିଶି କି ସବୁ କରିବ ନ ହେଲେ ଦିହେଁ ହଇରାଣ ହେବ।ଏବେ ଯେଉଁ ଲକଡାଉନ ଚାଲିଛି ମୁଁ ଚାହିଁଲେ ବି କାହା ଦେହ ଖରାପ ହେଲେ ଯାଇପାରିବି ନାହିଁ।

         ଶ୍ରୀ ର କଥା ତକ ଯଦିଓ ଅରୁଣାର କାନରେ ପଡୁଥିଲା ହେଲେ କେମିତି ତାକୁ ବୁଝାଇ ବିଶ୍ୱାସ କରାଇବ ଜାଣିପାରୁନଥିଲା! କାରଣ ସବୁବେଳେ ସିଏ ସଙ୍କେତଙ୍କର ଛୋଟ ଛୋଟ ଭୁଲକୁ ଘୋଡାଇ ଆସୁଥିଲା ବେଳେ ସଙ୍କେତ ହିଁ କଥାପ୍ରସଙ୍ଗରେ ଶ୍ରୀ କୁ ଜଣାଇ ଦେଉଥିଲେ।ସେଥିପାଇଁ ଶ୍ରୀ ଠାରୁ ଅରୁଣାକୁ ସବୁବେଳେ ଗାଳି ଶୁଣିବାକୁ ପଡୁଥିଲା ଓ ତା'ର କୌଣସି ଉତ୍ତର ସେ ବିଶ୍ୱାସ କରିପାରୁନଥିଲା ।ତାର ସେଇ ଗୋଟିଏ ଅଭିଯୋଗ ଥିଲା ଯେ–'ଅରୁଣା ହିଁ ସଙ୍କେତ ଙ୍କୁ ସ୍ପଏଲ କରିଦେଉଛି!'ବୟସ ଥିଲା ବେଳେ ଅରୁଣା କୌଣସି ଘର କାମରେ ସଙ୍କେତଙ୍କର ସାହାଯ୍ୟ ନ ନେଇ ସବୁ କଷ୍ଟ ସହି କରିନେଉଥିଲା ଯୋଉଥି ପାଇଁ ଜୀବନର ସାୟାହ୍ନ ରେ ଦୁହେଁ ଅସୁବିଧାର ସମ୍ମୁଖୀନ ହେଉଥିଲେ!ତା'ସାଙ୍ଗକୁ ଡାଇବେଟିସ ରୋଗଟା ସଙ୍କେତଙ୍କୁ ଓ ଆରଥ୍ରଇଟିସ ରୋଗଟା ଅରୁଣାକୁ ଯେମିତି ଗୋଟାଏ ଦଶନ୍ଧି ବୟସରେ ଆଗେଇ ନେଇଯାଇଥିଲା!

          ସେମାନଙ୍କର ସ୍ୱାସ୍ଥ୍ୟବସ୍ଥାକୁ ନେଇ,ତାଙ୍କର ଏକମାତ୍ର ସନ୍ତାନ ଶ୍ରୀ ର ବ୍ୟସ୍ତତା ଯଦିଓ ଖୁବ୍ ସ୍ୱାଭାବିକ ଥିଲା, ହେଲେ ଅରୁଣା ପ୍ରାଣପଣେ ଚେଷ୍ଟା କରିଚାଲିଥିଲା ସଙ୍କେତ ଓ ତା'ଭିତରେ ହେଉଥିବା ଛୋଟ ଛୋଟ ଭୁଲ ବୁଝାମଣାର ଖବର ଯେମିତି ତା' କାନରେ ନ ପଡୁ।ଶ୍ରୀ ର ବାହାଘର ପୂର୍ଵର ଘଟଣା ଯେମିତି ତାର ବୈବାହିକ ଜୀବନର ଖୁସିରେ କୌଣସି ପ୍ରତିବନ୍ଧକ ନ ହେଉ ବୋଲି ଅରୁଣା ପୁରା ଯତ୍ନଶୀଳ ଥିଲା।ବିବାହର ଅନେକ ବର୍ଷ ପରେ କୋଳକୁ ଆସିଥିବା ଶ୍ରୀ କୁ ପରଘରକୁ ବିଦା କରିବା ପୂର୍ବରୁ ହିଁ ସଙ୍କେତଙ୍କର ଚାକିରୀ ଜୀବନ ରୁ ଅବସର ମିଳିଯାଇଥିଲା।ଆଉ ଅରୁଣାର ସଙ୍କେତଙ୍କ ସାହାଯ୍ୟ ଓ ସହଚର୍ଯ୍ୟ ପାଇବାର ଆଶାଟା ଯେମିତି ଅନେକ ଗୁଣରେ ବଢିଯାଇଥିଲା।ଏଥର ସଙ୍କେତଙ୍କର ସବୁ ସମୟ ଓ ସହଯୋଗକୁ ନେଇ ତାଙ୍କର ଛୋଟିଆ ସଂସାର ଟି ହସି ଉଠିବ ଭାବି ଭବିଷ୍ୟତର ସୁନେଲି ସ୍ୱପ୍ନରେ ବୁଡି ଯାଇଥିଲା।ହେଲେ,ତା'ଭାବନା କେବଳ ଭାବନାରେ ହିଁ ରହିଯାଇଥିଲା! ନିଜକୁ 'ଅଲୋଡ଼ା'ଭାବନା ଭିତରେ ବୁଡାଇ ସଙ୍କେତ ନିଜକୁ ବ୍ୟସ୍ତ ରଖିବାକୁ ଯାଇ ଖଟିରେ ଅଧିକ ସମୟ କଟାଇବାକୁ ଲାଗିଥିଲେ!ଶ୍ରୀ ଓ ଅରୁଣାର ଅନେକ ଚେଷ୍ଟା ସତ୍ତ୍ୱେ ସେ ଭାବନା ଭିତରୁ ଯେମିତି ସଙ୍କେତ ନିଜକୁ ମୁକୁଳାଇ ପାରୁନଥିଲେ!

         ଶ୍ରୀ କୁ ଶାଶୁଘରକୁ ବିଦା କରିଲାବେଳେ ଯଦିଓ ଅରୁଣା କଥା ଦେଇଥିଲା ଯେ ସେ ଓ ସଙ୍କେତ ପରସ୍ପରର ଯତ୍ନ ନେବେ,ହେଲେ ଶ୍ରୀର ସେମାନଙ୍କ ପ୍ରତି ଥିବା ଚିନ୍ତା ଓ ବ୍ୟସ୍ତତାଟାକୁ ଯେତେ ଚେଷ୍ଟା କଲେ ମଧ୍ୟ ପୁରା ପୋଛି ପାରିନଥିଲା।ତା'ଛଡା ଏଇ କରୋନା ମହାମାରୀ ର ଡର ଓ ଲକ୍ ଡାଉନ୍ ପରିସ୍ଥିତି ଶ୍ରୀ ର ଚିନ୍ତାକୁ ବହୁଗୁଣରେ ବଢ଼ାଇ ଦେଇଥିଲା।ସଙ୍କେତଙ୍କର ପରିବର୍ତ୍ତନ ଓ ସାହାଯ୍ୟ ମନୋବୃତ୍ତି କୁ ଅରୁଣା ମର୍ମେ ମର୍ମେ ଅନୁଭବ କରିପାରିଥିଲେ ମଧ୍ୟ,ଶ୍ରୀକୁ ଜଣାଇବାକୁ ବାଟ ଖୋଜି ପାଉନ ଥିଲା,ଅବିଶ୍ୱାସ ବୋଳା ଶ୍ରୀର ମୁହଁଟା ଯେମିତି ବାରମ୍ବାର ମନ ଭିତରକୁ ପସିଆସୁଥିଲା!

      ଲକଡାଉନ ସମୟଟା ଯେ ଅରୁଣା ପାଇଁ ଆଶୀର୍ବାଦ ହୋଇ ଯାଇଛି ଓ ଘରେ ବନ୍ଦୀ ଜୀବନ କାଟୁ କାଟୁ ଜୀବନର ସତ୍ୟତା ଅନୁଭବ କରି ସଙ୍କେତଙ୍କର ଅଭୂତପୂର୍ବ ପରିବର୍ତ୍ତନ ହୋଇ ଯାଇଛି, ସେକଥାକୁ ବୁଝାଇବାକୁ ଯାଇ ସେ ତାଙ୍କର ଛୋଟ ଛୋଟ ଘରୋଇ ସାହାଯ୍ୟକୁ ବଖାଣୁ ବଖାଣୁ ଏତେ ଅନ୍ୟମନସ୍କ ହୋଇ ଯାଇଥିଲା ଯେ,କେତେ ବେଳେ ସଙ୍କେତ ପଛପଟୁ ହାତରେ ଗୋଟିଏ ସଦ୍ୟ ଫୁଟା ଗୋଲାପ ଫୁଲ ଟିଏ ଧରି ଠିଆ ହୋଇ ଯାଇଥିଲେ ଜାଣିପାରିନଥିଲା! ତାଙ୍କ କଣ୍ଠରୁ ଯେତେବେଳେ ଭାସି ଆସିଥିଲା-'ଆଛା ଅରୁ,ଏ ଫୁଲଟା ତୁମ ଖୋସାରେ କେମିତି ଲାଗିବ ମତେ ଟିକେ କହିଦେଲ,ମୁଁ ଲଗାଇବାକୁ ଚେଷ୍ଟା କରିବି',ଖୁବ୍ ଅପ୍ରସ୍ତୁତ ହୋଇଯାଇ ଅରୁଣା କହିପକାଇଥିଲା-ଆରେ,ଶ୍ରୀ ପରା ଭିଡିଓ କଲ୍ ରେ ଅଛି ତୁମେ ଫୁଲ ଟା ଡାଇନିଂ ଟେବୁଲ ଉପରେ ରଖାହୋଇଥିବା ପାଣି ଗ୍ଲାସଟିରେ ରଖି ଦେଇ ତା'ସାଙ୍ଗରେ ଟିକେ କଥା ହୁଅ।୩୫ବର୍ଷ ରେ କେବେ ମୋ ମୁଣ୍ଡରେ ଲାଗେଇଥିଲ ଯେ ଏ ବୁଢ଼ାଦିନରେ ଇଛା କରୁଛ!ସଙ୍କେତଙ୍କର ସେଇ ପଦକ କଥା ଓ ଅରୁଣା ର ସଲ୍ଲଜ ଉତ୍ତରରୁ ଶ୍ରୀ ତା'ର ଅନେକ କିଛି ପ୍ରଶ୍ନର ଉତ୍ତର ଯେମିତି ପାଇ ଯାଇଥିଲା।ସଙ୍କେତଙ୍କ ସାଙ୍ଗରେ ଅଳ୍ପ ସମୟ କଥା ହୋଇ ଫୋନଟିକୁ ରଖିଦେଇଥିଲା।

          ଫୁଲ ଚାଙ୍ଗୁଡିଟିରେ ବାଡିରୁ ସଜଫୁଲ କିଛି ତୋଳି ଆଣି ସଙ୍କେତ ରଖିଦେଇଥିଲେ ଠାକୁର ଘରେ ଆଉ କିଛି ସମୟପରେ ତାଙ୍କ ଠାକୁର ଘରଟି ଅରୁଣାର ଧୂପ ଦୀପରେ ସବୁଦିନପରି ମହକି ଉଠିଥିଲା।ପୂଜା ଶେଷ କରି ଠାକୁର ଘରୁ ବାହାରି ଆସିଲାବେଳକୁ,ସେଦିନ କିନ୍ତୁ ଅରୁଣାର ଆଖିରେ ଆଶଙ୍କାର ରଙ୍ଗ ନ ଥିଲା,ଥିଲା ବିଶ୍ୱାସ ଓ ଆତ୍ମସନ୍ତୋଷର ରଙ୍ଗ।ଶ୍ରୀର ମୁହଁର ଆତ୍ମସନ୍ତୋଷର ରଙ୍ଗଟା ଯେମିତି ତା'ମୁହଁରେ ବୋଳି ହୋଇଯାଇଥିଲା!

        


Rate this content
Log in