Priyadarshini Mishra

Others

4  

Priyadarshini Mishra

Others

ଭଡାଘର

ଭଡାଘର

2 mins
369



   ରୁବି ବଦଳି ହୋଇ ଆସି ଭୁବନେଶ୍ୱରର ଏକ ସରକାରୀ ବିଦ୍ୟାଳୟରେ ଯୋଗ ଦେଲା।ଶାଶୁଘର ଗାଁ ସ୍କୁଲରେ ଜଣେ ଭଲ ଶିକ୍ଷୟିତ୍ରୀ ଭାବେ ସେ ବେଶ ପରିଚିତ ଥିଲା। ଶାଶୁଘରେ ଯୌଥ ପରିବାରରେ ଚଳିଥିବା ରୁବି ପାଇଁ ପରିବାରଠାରୁ ଅଲଗା ରହିବା କଥା ଭାବିବା କଷ୍ଟଦାୟକ ଥିଲା।କିନ୍ତୁ ନିଜ ପୁଅକୁ ସହରର କୌଣସି ଭଲ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ାଇବାର ଦୁର୍ବାର ଆଶା ତାକୁ ବଦଳି ହେବା ପାଇଁ ଆବେଦନ କରିବାକୁ ଏକରକମ ବାଧ୍ୟ କରିଥିଲା।ତା'ର ଇଚ୍ଛାକୁ ତା' ଶାଶୁଘରେ ସମସ୍ତେ ସମ୍ମାନ ଦେଇଥିଲେ।ତା' ଶ୍ୱଶୁର ତା' ଶାଶୁଘରର ମୁଖିଆ ଥିଲେ। ତାଙ୍କ କଥାକୁ କାଟିବାର କ୍ଷମତା କାହାରି ନଥିଲା।ନିଜ ଏକମାତ୍ର ନାତି ପାଇଁ ଯୁଗ ସହ ତାଳ ଦେଇ ଚାଲିବାକୁ ସେ ପ୍ରସ୍ତୁତ ଥିଲେ।ନିଜ ଗାଁ ନିଜ ଘର ସବୁ ଛାଡି ଭୁବନେଶ୍ୱର ଆସି ରହିବାକୁ ମଧ୍ୟ ମାନସିକ ସ୍ତରରେ ପ୍ରସ୍ତୁତ ହେଉଥିଲେ।ତାଙ୍କ ପୁଅ ଦୂର ସ୍ଥାନରେ ଚାକିରୀ କରିଥିବାରୁ ସହରରେ ବୋହୂ ଓ ନାତି ସାଙ୍ଗରେ ସେ ନିଜେ ଓ ତାଙ୍କ ଶ୍ରୀମତି ରହିବା ପାଇଁ ନିଷ୍ପତ୍ତି ନିଆଗଲା।ଛୁଟି ଦିନମାନଙ୍କ ରେ ସମସ୍ତେ ଗାଁରେ ଏକାଠି ହେବା ପାଇଁ କଥା ରହିଲା।

     ଭୁବନେଶ୍ୱରରେ ଭଡାଘର ଖୋଜା ଚାଲିଲା।ଖୁବ୍ ଶୀଘ୍ର ମନଲାଖି ଘରଟିଏ ମିଳିଗଲା ।ଯେଉଁଦିନ ଶାଶୁ,ଶ୍ୱଶୁର ଓ ପୁଅ ସହ ରୁବି ସହରର ଭଡାଘରକୁ ଆସିଥିଲା ସେଦିନ ତାଙ୍କ ଘରେ ରୋଷେଇ ହୋଇଥିଲା କିନ୍ତୁ କେହି ଖାଇନଥିଲେ।ସମସ୍ତଙ୍କ ଆଖିରେ ଲୁହ ସ୍ପଷ୍ଟ ବାରି ହେଉଥିଲେ ମଧ୍ୟ ପରସ୍ପର ଠାରୁ ଆଖିର ଲୁହ ଓ ଛାତିର କୋହକୁ ଲୁଚେଇବା ପାଇଁ ସମସ୍ତେ ନିଷ୍ଫଳ ଚେଷ୍ଟା ଚଳାଇଥିଲେ।

    ଭଡାଘର ପହଁଚି ରୁବି ଘର ସଜାଡିବାରେ ଲାଗିଗଲା।ହଠାତ କବାଟରେ କାହାର କରାଘାତ ଶୁଣି କବାଟ ଖୋଲି ଦେଖିଲା ଜଣେ ତରୁଣୀ ଏକ ଛୋଟ ପୁଅ ସହ ଠିଆ ହୋଇଥିଲେ।ଘର ଭିତରେ ପ୍ରବେଶ କରୁ କରୁ ତରୁଣୀଜଣକ ନିଜର ପରିଚୟ ଦେଇ କହିଲେ ଯେ ସେ ତା'ର ଉପର ଘରେ ଭଡା ନେଇ ରୁହନ୍ତି ।ତାଙ୍କ ନାମ ଲିଜା ଓ ତାଙ୍କ ପୁଅର ନାମ ସୋମ।ରୁବି ନୂଆକରି ଆସିଥିବାରୁ ତା'ର ଆଵଶ୍ୟକତା କିଛି ରହିଛି କି ଜାଣିବା ପାଇଁ ଓ ତା'କୁ କିଛି ସାହାଯ୍ୟ କରିବା ପାଇଁ ଲିଜା ଆସିଥିଲା ।ଲିଜା ର ଏପରି ସ୍ଵଭାଵ ଦେଖି ରୁବିକୁ ବହୁତ ଖୁସି ଲାଗିଲା।ସେ ମନେ ମନେ ଭାବୁଥିଲା ସହରରେ ମଧ୍ୟ ଅନ୍ୟକୁ ସାହାଯ୍ୟ କରିବା ପାଇଁ ଆଗ୍ରହୀ ଲୋକ ଅଛନ୍ତି।କାରଣ ସହରରେ ଭାଇଚାରାର ଅଭାବର ଅନେକ ନଜର ତା' ପାଖରେ ଥିଲା।ଘରମାଲିକ ସେଠାରେ ରହୁନଥିବାରୁ ଲିଜାର ସ୍ୱାମୀ ହିଁ ଘର ବିଷୟରେ ସବୁ ବୁଝୁଥିଲା।ଲିଜା ଭଳି ମେଳାପୀ ପଡୋଶୀ ଓ ପୁଅ ପାଇଁ ସୋମ ଭଳି ଖେଳସାଙ୍ଗଟିଏ ପାଇ ରୁବି ଭାରି ଖୁସି ହେଉଥିଲା।ମଝିରେ ମଝିରେ ଗାଁରୁ କକେଇଶ୍ୱଶୁର,ଦିଅର ଓ ନଣନ୍ଦମାନେ ଆସି ବୁଲିକି ଯାଉଥିଲେ।ତେଣୁ ରୁବି ସମସ୍ତଙ୍କ ଅଭାବବୋଧ ସେତେଟା ଅନୁଭବ କରିପାରୁନଥିଲା।ତ' ସ୍ୱାମୀ ଶିବମ ପ୍ରତି ଶନିବାର ରବିବାର ଆସି ତା' ଭଲ ମନ୍ଦ ବୁଝିଯାଉଥିଲେ।ପୁଅର ନୂଆ ସ୍କୁଲରେ ନାମଲେଖା ସରିଯାଇଥିଲା ଓ ସେ ସହରର ନାମୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ର ଥିଲା।ଏମିତିରେ ତିନି ମାସ ବିତିଗଲା।

  ଦିନେ ରାତିରେ ହଠାତ ଶିବମ ଫୋନ କରି କହିଲେ ରୁବି ଆମକୁ ଘର ଛାଡିବାକୁ ହେବ। ରୁବିର କାହିଁକିର ଉତ୍ତର ସେ ଆସିକି ଦେବେ କହି ଫୋନ ରଖିଦେଲେ।ଶନିବାର ଶିବମ ଆସିବା ପରେ ରୁବି କାହିଁକି ଘର ଛାଡିବା ପଚାରିବାରୁ ଶିବମ ଯାହା ଉତ୍ତର ଦେଲେ ତାହା ଶୁଣି ରୁବି ହତବାକ ହୋଇଗଲା।ଘରମାଲିକ ଶିବମକୁ ଫୋନରେ ଘର ଖାଲି କରିବାକୁ କହିଥିଲେ।ଶିବମ କାରଣ ପଚାରିବାରୁ ଘରକୁ ବହୁତ ବନ୍ଧୁବାନ୍ଧବ ଆସୁଛନ୍ତି।ଆପଣ ପାଞ୍ଚଜଣ ରହିବେ କହିଥିଲେ କିନ୍ତୁ ଘରେ ସବୁବେଳେ ଅଧିକ ଲୋକ ରହୁଛନ୍ତି।ଏକଥା ଶୁଣି ଶିବମ ଯେତେବେଳେ କହିଲେ ସେମାନେ ରହୁନାହାନ୍ତି କେବଳ ଦେଖା କରି ଚାଲିଯାଉଛନ୍ତି ସେତେବେଳେ ଶିବମଙ୍କୁ କହିବାକୁ ସୁଯୋଗ ନଦେଇ ଘରମାଲିକ କହିଥିଲେ ମୋ ଘର ଖାଲି କରନ୍ତୁ।ଅପମାନ ଜର୍ଜରିତ ଶିବମ ଫୋନ ରଖିଦେଇଥିଲେ।ଘର ଛାଡିବାକୁ ନିଷ୍ପତ୍ତି ନେଇ ରୁବିକୁ ଜଣେଇଥିଲେ।ଏସବୁ ଶୁଣି ରୁବି ଭାବୁଥିଲା ଘରକୁ କିଏ ଆସିଲେ ନଆସିଲେ ସେକଥା ଘରମାଲିକ ଜାଣିଲେ କିପରି?କାରଣ ସେ ଏଇଠି ରୁହନ୍ତିନାହିଁ।ରୁବିକୁ ବୁଝିବାକୁ ସମୟ ଲାଗିଲାନି ଯେ ଏ ସମସ୍ତ ଘଟଣା ପଛର ମୁଖ୍ୟ ଖଳନାୟିକା ଲିଜା ବ୍ୟତୀତ କେହିନୁହେଁ।

     ରୁବିର କାନରେ ତା' ଜେଜେମାର ଗୋଟିଏ କଥା ଗୁଞ୍ଜରି ଉଠୁଥିଲା,"ଭଡାଟିଆ ତଡାଖିଆ"।


Rate this content
Log in