Sukanti Hotta

3  

Sukanti Hotta

ଭାଗ୍ୟରେ ଯାହା ଅଛି

ଭାଗ୍ୟରେ ଯାହା ଅଛି

3 mins
912


ଦିନ ବାରଟା ସମୟ, ଟିକେ ରୁହ... ରୁହ.. କହି ଅଟୋ ପଛେପଛେ ଦୌଡୁଛି ପନ୍ଦର ବର୍ଷର ଝିଅ ସୁହାନି । ଝିଅଟି କେତେବା ଦୌଡ଼ି ପାରିବ,ଗାଡିଟି ଆଖି ପିଛୁଳାକେ ଗହଳି ଭିତରେ କୁଆଡେ ଉଭେଇ ଗଲା ସୁହାନି ଜାଣି ପାରିଲାନି ।ଭେଁ ଭେଁ ହୋଇ କାନ୍ଦିଲା, ତା ଚାରିପଟେ ସବୁ ଲୋକ ଜମାହୋଇଗଲେ ।

କିଏ ପାଣି ଆଣି ଦେଉଛି କିଏ ଅବାକ ହୋଇ ଅନାଉଛି କିଏ ପଚାରୁଛି ତୋ ନାଁ କଣ? ତୋର କଣ ହେଇଛି? କାହିଁକି କାନ୍ଦୁଛୁ?

ସୁହାନି କାନ୍ଦିକାନ୍ଦି କହିଲା ଅଟୋଟି ମାଡି ଦେଇ ଚାଲିଗଲା । ହେ ଭଗବାନ ତାକୁ ବଞ୍ଚାଓ କହିକହି ଦୌଡିଲା । ଲୋକମାନେ ଚକିତ ହୋଇ ତା ପଛେପଛେ ଦୌଡିଲେ ।କିଏ କିଏ କହୁଥିଲାଏତେ ସୁନ୍ଦର ଝିଅଟି କିଛି ଅଘଟଣ ଘଟିଲା ବୋଧେ, ଯାହା ତା ଭାଗ୍ୟର ଥିବ.... ।

ସୁହାନି ହଟାତ ରାସ୍ତା ମଝିରେ ରକ୍ତାକ୍ତ ଭାବରେ ପଡ଼ିଥିବା କୁକୁର ଛୁଆଟିକୁ କୋଳେଇ ନେଲା ଆଉ କହିଲା ନିରୀହ ଛୁଆଟିକୁ ଡାକ୍ତରଖାନା ନେଇଯିବା, ମୁଁ ଏକୁଟିଆ ନେଇ ପାରିବିନି ।

ଚାଁହୁଚାଁହୁ ଗହଳି ଉଭେଇ ଗଲା ସମସ୍ତେ ମୁହଁମୋଡ଼ି ଚାଲିଗଲେ, କିଏକିଏ କହୁଥିଲେ ଶହଶହ କୁକୁର ନିତି ଗାଡି ତଳେ ମରୁଛନ୍ତି କିଏ କଣ କରିବ? ଏମାନଙ୍କ ପାଇଁ ମଣିଷ ମରୁଛନ୍ତି... ବିଚରା ସୁହାନି କଣ କରିବ ବୁଝିପାରିଲାନି ତା ପିନ୍ଧିବା ଡ୍ରେସରେ ତା ରକ୍ତକୁ ପୋଛିଦେଲା ଧୀରେଧୀରେ ଆଉଁଷି ଆଉଁଷି କହୁଥିଲା ତୋର କିଛି ହେବନି ତୁ ଭଲ ହୋଇଯିବୁ ମୁଁ ତୋତେ ଘରକୁ ନେଇଯିବି ।କୁକୁର ଛୁଆ ଟି ନିରୀହ ଭାବେ ସୁହାନିକୁ ଦେଖୁଥିଲା ସତେ ଯେମିତି ବହୁତ କିଛି କହିଦେବ ।ସୁହାନି ଭଗବାନଙ୍କୁ ଖାଲି ପ୍ରାର୍ଥନା କରୁଥିଲା ହେ ଭଗବାନ ଛୁଆଟିକୁ ବଂଚାଇଦିଅ ।ଭୀଷଣ ଖରା ହଟାତ ତା ସାଙ୍ଗ ଅଂଶୁ, ଆକାଶ,ସୁଶାନ୍ତ ପହଂଚିଗଲେ କହିଲେ ତୁ କାହିଁକି କାନ୍ଦୁଛୁ?

ସୁହାନି କହିଲା ମୋ ମା ବାବା କହିଛନ୍ତି ସମସ୍ତଙ୍କ ଦେହରେ ଭଗବାନ ଅଛନ୍ତି, କୁକୁର ଦେହରେ ମଧ୍ୟ ଭଗବାନ ଅଛନ୍ତି ଆକୁ ଏକୁଟିଆ ଛାଡି ଦେଇ କେମିତି ଯିବା ।ଆମେ ଚାରି ଜଣ ମିଶି ହସ୍ପିଟାଲ ନେଇଯିବା, ମୁଁ ଜାଣିନି ହସ୍ପିଟାଲ କେଉଁଠି ଅଛି ।

ସୁହାନି ପାଖ ଦୋକାନରେ ପଚାରିଲା ହସ୍ପିଟାଲ କେଉଁଠି ଅଛି, କିଏ କହିଲା ଜୟଦେବ ବିହାରରେ, କିଏ କହିଲା ଆଇ ଆର ସି ଭିଲାଇଜରେ ।ସମସ୍ତେ କହିଲେ କୁକୁରର ମୁଣ୍ଡରେ ବାଜିଛି ସେ ବଞ୍ଚିବନି, ସୁହାନି କାହା କଥାକୁ ଖାତିରି ନକରି ସାଙ୍ଗ ମାନଙ୍କ ସହ ଅଟରେ ବସି ଜୟଦେବ ବିହାର ଗଲା ।

ରାସ୍ତାସାରା ତୋର କିଛି ହେବନି କହି କୁକୁରକୁ ଆଉଁଷି ଦେଉଥିଲା, ଗାଡି ଜୟଦେବ ବିହାରରେ ପହଁଚିଲା ପରେ ଜାଣିଲେ ହସ୍ପିଟାଲ ଆଇ ଆର ସି ଭିଲାଇଜରେ ଅଛି, ସେଠୁ ଆଇ ଆର ସି ଭିଲାଇଜ ଗଲେ ସେତେବେଳକୁ ସୁହାନିର ଡ୍ରେସ ରକ୍ତରେ ଭିଜି ଯାଇଥିଲା ।

ଡାକ୍ତର ଦୁଇଘଣ୍ଟା ପରେ ଆସିଲେ ସେତେ ବେଳକୁ କୁକୁରଟି ଜୋରଜୋରରେ ନିଶ୍ୱାସ ନେଉଥିଲା ଖରା ପ୍ରବଳ ଥିଲା, ଡାକ୍ତର କହିଲେ ସାଲାଇନ ଦେବାକୁ ପଡିବ କୁକୁର ବଂଚିବା କଷ୍ଟ , ତିନିଜଣ ସାଙ୍ଗ ଦୁଇଘଣ୍ଟା ଜଗିଲେ ସାଲାଇନ ସରିବା ଯାଏଁ ।

କୁକୁରଟି ବିକଳ ହୋଇ ସୁହାନିକୁ ଦେଖୁଥିଲା, ସନ୍ଧ୍ୟା ହୋଇ ଆସୁଥିଲା, ଡାକ୍ତର କହିଲେ ଇଏ ବଞ୍ଚିବନି ଆମେ ରଖିବୁନି, ସରକାରୀ ହସ୍ପିଟାଲକୁ ନେଇଯାଅ ।ପିଲାମାନେ ମିଶି ସରକାରୀ ହସ୍ପିଟାଲ ନେଲେ ପିଲାମାନଙ୍କ ପାଖରେ ଅଧିକ ପଇସା ନଥିଲା ସେଠାରେ ଜଣେ ଜଗୁଆଳି ଥିଲା,ଜଗୁଆଳିକୁ ଶହେଟଙ୍କା ଦେଇ କହିଲେ କୁକୁରର ଯତ୍ନ ନେବ ଆମେ ସକାଳେ ଆସିବୁ କୁକୁରକୁ ନେଇଯିବୁ କହି ଜଗୁଆଳିର ଫୋନ ନମ୍ବର ଆଣି ସମସ୍ତେ ନିଜନିଜ ଘରକୁ ଗଲେ ।

ଘରକୁ ଆସି ସୁହାନି ମାଆକୁ ଧରି କଇଁକଇଁ କାନ୍ଦି ସବୁ କଥା କହିଲା, ମାଆ ମୁଁ କୁକୁରଟି ପାଇଁ କିଛି କରି ପାରିଲିନି ମୁଁ ବଡ଼ହେଲେ ସମାଜସେବୀ ହେବି ।ରାସ୍ତାରେ ବୁଲୁଥିବା କୁକୁର, ଗାଈ ପାଇଁ କିଛି କରିବି ।ଅନାଥ ନିଃସହାୟ ମାନଙ୍କ ସେବା କରିବି ।ମାଆ ଲକ୍ଷ୍ମୀପ୍ରିୟା ସୁହାନିକୁ କୋଳେଇ ନେଇ କହିଲେ ସମସ୍ତେ ନିଜନିଜ ଭାଗ୍ୟ ନେଇ ଜନ୍ମ ହେଇଛନ୍ତି ଯାହାର ଯେତେଦିନ ଯାଏଁ ଆୟୁଷ ସେ ସେତେଦିନ ଯାଏଁ ବଞ୍ଚେ ।ତୁ ଜମାରୁ ବ୍ୟସ୍ତ ହେନା।ଭଗବାନ ତୋର ମନସ୍କାମନା ପୂରଣ କରନ୍ତୁ ।ତୁ ଦିନେ ଦେଶର ନାଁ ରଖିବୁ, ତୁ ପରା ଆମର ଭାଗ୍ୟବତୀ ଝିଅ...।

ରାତି ହେଲାଣି ଶୋଇପଡ ସକାଳେ ଫୋନ କରିବୁଝିବା, କୁକୁରକୁ ଆମ ଘରକୁ ଆଣି ସେବା କରିବା । ସାରା ରାତି ଶୋଇ ପାରିଲାନି ସୁହାନି କାରଣ ନିଜ ଆଖି ସାମ୍ନାରେ ଘଟିଥିବା ଘଟଣାକୁ ଭୂଲି ପାରିଲାନି..ରାସ୍ତାରେ ବୁଲୁଥିବା ଗାଈଗୋରୁ , କୁକୁର ମାନଙ୍କ ପାଇଁ କେତେ ଯେ ଦୁର୍ଘଟଣା ହେଉଛି ;କେତେ ମଣିଷ,ପଶୁ ମରୁଛନ୍ତି ତାର ପ୍ରତିକାର କିଛିନାହିଁ !କେତେ ଦ୍ରୁତ ଗତିରେ ଗାଡି ଚଳାଉଛନ୍ତି ଜୀବନ ଚାଲିଯାଉଛି !"ଲୋକେ କହୁଛନ୍ତି ଭାଗ୍ୟରେ ଯାହା ଅଛି "

ଏସବୁର ପ୍ରତିକାର କିଛି ନାହିଁ...ଏମିତି ଭାବୁଭାବୁ ସକାଳ ହୋଇଗଲା, ସୁହାନି ଜଗୁଆଳିକୁ ଫୋନ କଲା, ଜଗୁଆଳି କହିଲା ରାତିରେ ସେ ମରିଗଲା.... ସୁହାନି ଭେଁ ଭେଁ କାନ୍ଦିଲା ଭଗବାନଙ୍କୁ ହାତ ଯୋଡି କହିଲା ଦେଶର ଭାଗ୍ୟ ବଦଳେଇ ଦିଅ ।

(ରାସ୍ତାର ସୁରକ୍ଷା ଆମର ସୁରକ୍ଷା )

ସୁକାନ୍ତି ହୋତା

ତାଳଚେର


Rate this content
Log in