ବେଲୁନ ବାଲା
ବେଲୁନ ବାଲା


ସୁନ୍ଦର ବସ୍ତିଟିଏ ପାହାଡ଼ ପାଦ ଦେଶରେ। ରଜ ପର୍ବ। ବର୍ଷାର ଆଗମନ ଉପଲକ୍ଷେ ପ୍ରତିବର୍ଷ ମେଳା ବସେ। ଏବର୍ଷ ମଧ୍ୟ, ଗୋଟାଏ ଦିନ ପାଇଁ ମେଳା ବସିଛି ବସ୍ତି ପାଖ ପଡ଼ିଆରେ। ଆଖ ପାଖ ଗାଁରୁ ଲୋକମାନେ ରୁଣ୍ଡ ହୋଇଛନ୍ତି ସେଇ ମେଳାରେ। କେଉଁଠି ରଜ ଦୋଳି, କେଉଁଠି କୁକୁଡ଼ା ଲଢେ଼ଇ ତ କେଉଁଠି ହାଣ୍ଡିଆ ନିଶାରେ ମାତାଲ ହୋଇ ରଙ୍ଗବତୀ ଗୀତ ତାଳେ ତାଳେ ଯୁବକ ଯୁବତୀ ମାନେ ଯୋଡି ହୋଇ ନାଚୁଥାଆନ୍ତି।
ସେଇ ଗାଁର ଯୁବକଟିଏ ଆଜି ଚଳ ଚଞ୍ଚଳ। ଅଳ୍ପ କିଛି ଜମି ବାଡ଼ି ସାଥିରେ ଛୋଟ ପକା ଘରେ ରହୁଥିବାରୁ ବସ୍ତିର ସମସ୍ତେ ଭଲ ମନ୍ଦରେ ପଚାରନ୍ତି। ଆଦରରେ ସମସ୍ତେ ତାଙ୍କୁ ସାନବାବୁ ଡାକନ୍ତି। ମୋଟା ମୋଟି ବସ୍ତି ଭିତରେ ସାନବାବୁର ଖାତିର ଅଛି, ମୁଖିଆ ବୋଲି ମାନନ୍ତି। ମେଳା ଦିନ କିଛି ନ ହେଲେ ବି ସାନବାବୁ ପାଂଚ ଶହ ଟଙ୍କାର ବେଲୁନ ବିକିଦିଏ। ଗାଁ ଗାଁରେ ବେଲୁନ ବିକିବା ତାର ସବୁ ଦିନିଆ ପେଶା । କିଛି ଲୋକ ବେଲୁନ ବାଲା ନାମରେ ଡାକନ୍ତି ସାନବାବୁକୁ।
ସେଦିନ ବି ମେଳାରେ ରଙ୍ଗ ବେରଙ୍ଗର ବେଲୁନ ଗୋଛାଏ ଧରି ଛିଡା ହୋଇଛି ସାନବାବୁ। ଅପର୍ଯ୍ୟାପ୍ତ ଭିଡ ତା ପାଖରେ। ବେଶି ଭିଡ ହେବାରୁ ସ୍ତ୍ରୀ ଆଉ ପାଞ୍ଚ ବର୍ଷର ପୁଅ ଟୋପାକୁ ମଧ୍ୟ ପାଖରେ ଛିଡା କରାଇଛି, ଦୁଇ ଦୁଇଟା ବେଲୁନ ବି ଧରାଇଦେଇଛି ସେମାନଙ୍କ ହାତରେ। ଏତେ ଭିଡ ଦେଖି ଟୋପା ବହୁତ ଖୁସି। ଗୋଟାଏ ଅହେତୁକ ଫୁର୍ତ୍ତି ଟୋପାର ମନ ଭିତରେ। ବାପାଙ୍କ ବେଗରେ ପଇସା ଭରି ଭରି ଯାଉଛି ଦେଖି ଟୋପା ଖୁସିରେ ଅସମ୍ଭାଳ।
ମଧ୍ୟାହ୍ନ ଭୋଜନ ସମୟ। ମେଳା ଧିମା ହୋଇଗଲା କିଛି କ୍ଷଣପାଇଁ।ଗହଳି କମି ଗଲା। କାଁ ଭାଁ କିଛି ଲୋକ ଘୁରୁ ଥାଆନ୍ତି। ସାନ ବାବୁ ଓ ସ୍ତ୍ରୀ, ଦଶଟି ବେଲୁନ ଟୋପା ହାତରେ ଧରେଇ ଦେଇ କହିଲେ ପ୍ରତି ବେଲୁନ କୁ ଦଶ ଟଙ୍କାରେ ବିକିବୁ, ଆମେ ଖାଇ ଆସୁଛୁ, ତୁ ଜଗି ଥା।
ପାଂଚ ବର୍ଷର ଟୋପା , କିଛି ସମୟ ପାଇଁ ବେଲୁନ ଵାଲା। ଚପଳମତି ଟୋପା ଭିତରେ ଅହଂକାର ଖୁନ୍ଦି ହୋଇଗଲା କ୍ଷଣକ ଭିତରେ ଦଶଟା ବେଲୁନର ମାଲିକ ସେ ! କିଛି ନ ହେଲେ ବି ବାପାଙ୍କ ନଜରରେ ଦକ୍ଷ ବିକାଳିଟିଏ ହେବାର ସୌଭାଗ୍ୟ ଅର୍ଜନ କରି ଥିବାରୁ ତା ଭିତରେ ଗୋଟାଏ ଅହେତୁକ ବାଲ୍ୟ ଅହଂକାର ବସା ବାନ୍ଧି ସାରିଥାଏ। ଏହାଭିତରେ ଦଶ ଟଙ୍କାରେ ଗୋଟେ, ଦଶ ଟଙ୍କାରେ ଗୋଟେ ରଡି ଛାଡିବା ଆରମ୍ଭ କରି ସାରିଥିଲା ଟୋପା।
ହଠାତ ନଜର ପଡିଲା ଗୋଟାଏ ଦୁଇ ତିନି ବର୍ଷର ଆଦିବାସୀ ଛୁଆ ଉପରେ। କାନ୍ଦି କାନ୍ଦି ଲାଲ ହୋଇଗଲାଣି। ବେଲୁନକୁ ହାତ ଦେଖାଉଛି ଓ କାନ୍ଦିବାରେ ଲାଗିଛି। ମା କିଛି ଶୁଣୁ ନାହିଁ , ମାର ଶାଢ଼ୀକୁ ଟାଣି ଓଟାରି ପକାଉଛି ଛୁଆଟି। ରଡି ଛାଡି ଚିତ୍କାର କରୁଛି ମା.. ବେଲୁନ, ମା... ବେଲୁନ। ମାଆ ଶାଢ଼ୀ କାନିରେ ବନ୍ଧା ହୋଇଥିବା ପଇସାକୁ ବାହାର କଲା ବେଳକୁ, ମା ବେଲୁନ କିଣି ଦେବ ବୋଲି ଭାବି ଛୁଆଟି ଟିକିଏ ଆଶ୍ୱସ୍ତ ହେଲା। ଦେଖ,ମୋ ପାଖରେ ପାଂଚ ଟଙ୍କା ଅଛି। ହେବନି କହି ଛୁଆଟିକୁ ଟାଣି ନେଇଗଲେ ଆଗକୁ। ପୁଣି ରଡି ଛାଡିଲା ଛୁଆଟି। ବେଲୁନ, ବେଲୁନ....
କିଛି ମୁହୂର୍ତ୍ତ ଆଗରୁ ଗର୍ବ, ଅହଂକାରରେ ଫାଟି ପଡୁଥିବା ଟୋପା ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା ଆଦିବାସୀ ଛୁଆଟିର ଜିଦ ପାଖରେ। ଦୁନିଆକୁ ବୁଝିବାର ଶକ୍ତି ଆସିନି ଟୋପା ଭିତରେ କିନ୍ତୁ ଅତି ପାଖରୁ ଦେଖି ବୁଝି ପାରୁଥିଲା ସେ ଦାରିଦ୍ର୍ୟର କ୍ରୁର ଅଟ୍ଟହାସ୍ୟକୁ । ପାଖରେ ପଇସା ନାହିଁ ବୋଲି ମା ବେଲୁନଟିଏ କିଣିପାରୁନି ଛୁଆ ପାଇଁ । ବାଲ୍ୟ ହୃଦୟଟା ତରଳିବାକୁ କେତେ ସମୟ ଲାଗେ। ଟୋପା ବି ତରଳିଗଲା, ଦୌଡ଼ି ଦୌଡ଼ି ଗଲା ମାଆ ଓ ଛୁଆ ପାଖକୁ, ଧରାଇ ଦେଲା ବେଲୁନଟିଏ ଛୁଆ ହାତରେ। ଦୁଇ ବର୍ଷର ଛୁଆଟି ହସିଦେଲା ଟୋପାକୁ ଦେଖି। ଫେରି ଆସିଲା ନିଜ ଜାଗାକୁ ଅବଶିଷ୍ଟ ବେଲୁନ ହାତରେ ଧରି। ଛୁଆର ଖୁସି ଦେଖି ଟୋପାର ହୃଦୟ ଭିତରେ ଭରି ଯାଉଥିଲା ଅଫୁରନ୍ତ ଆନନ୍ଦ। ଆତ୍ମସନ୍ତୋଷରେ ବିଭୋର ହୋଇ ଉଠୁଥିଲା ଟୋପା। ଗୋଟାଏ ବିଶାଳ ହୃଦୟର ପରିପ୍ରକାଶ ହେଲା ପାଞ୍ଚ ବର୍ଷ ବୟସର ଟୋପା ଭିତରେ। ବେଲୁନ ସାଥିରେ ହୃଦୟକୁ ବି ଦାନ କରିଦେଲା ଆଦିବାସୀ ଛୁଆଟିକୁ। ଦାରିଦ୍ର୍ୟ ହାରିଗଲା ସର୍ବଶେଷରେ ଚପଳମତି ଶିଶୁଟିର ବିବେକ ପାଖରେ।
ଭାବୁଥିଲା, ଗୋଟାଏ ବେଲୁନ ର ହିସାବ କେମିତି ଦେବ ସେ ବାପାଙ୍କୁ...
ବାପା ମାରିବେନି ତ !