The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Kulamani Sarangi

Others

3  

Kulamani Sarangi

Others

ବଧୂର ନାମ ସୁପ୍ରିୟା

ବଧୂର ନାମ ସୁପ୍ରିୟା

4 mins
455



ପ୍ରବୀଣା ଭାବୁଥିଲେ କେତେ ଶୀଘ୍ର ସେ ବୁଢୀ ହେଇଗଲେ ସତେ ! କାଲି ପରି ଲାଗୁଚି, ସୁକାନ୍ତଙ୍କ ହାତଧରି କୋସକା ଗାଁକୁ ବୋହୂ ହେଇ ଆସିଥିଲେ।କାଳି ଅନ୍ଧାରରୁ ଶାଶୁ କବାଟ ବାଡେଇ ଡାକନ୍ତି..ଏ ସରବରାକାର ଝୁଅ,ବେଇଗି ଉଠୁଲୋ,ମାଇପୀ ତୁଠ ଗହଳି ହେଇଯିବ,ନୂଆ ଭୂଆଟା ପାଣି ସଡସଡ ହେଇ ଦାଣ୍ଡ ବାଟରେ ଆସିବୁ କେମିତି? ବାଡି ସଡ଼କ ଗୁହ ଭଣଭଣ ।କାଠଗଡ ଭଳିଆ କେତେ ଶୋଉଚୁ କିଲୋ?ଗଡୁଆଣୀ ଝୁଅ,ମାଆକୁ କୋଉ ସଣ୍ଠଣା ଜଣା ଯେ ଶିଖେଇବ ?


ତରତର ହେଇ ଶେଯରୁ ଉଠିଲା ବେଳକୁ ସ୍ବାମୀ ହାତଧରି ଟାଣୁଥିବେ,ହାତ ଛିଞ୍ଚାଡି ଆସିବାକୁ ପଡେ।ଶୀଘ୍ର ଶୀଘ୍ର ଗାଧୁଆ ପାଧୁଆ ସାରିଦେଇ,ଶାଶୁ ଶଶୁର ନଣନ୍ଦ ଦିଅରଙ୍କ ପାଇଁ ଚା' ଜଳଖିଆ କରି ସାରିବା ପରେ,ଭାତ ହାଣ୍ଡି ବସେଇବାଠୁ ଆରମ୍ଭ କରି ଗାଈଗୋରୁଙ୍କ କୁଣ୍ଡାପାଣି ସଜାଡ଼ିବା ପର୍ଯ୍ୟନ୍ତ ସବୁକାମ, ମୁଣ୍ଡରେ ହାତେ ଓଢ଼ଣୀ ଦେଇ କରିବାକୁ ପଡ଼ୁଥିଲା।କେତେବେଳେ ସକାଳ ଆସେ,ସଞ୍ଜ ଯାଏ ଜଣାପଡ଼େ ନାହିଁ ପ୍ରବୀଣାଙ୍କୁ।


ଏମିତି ପାଞ୍ଚବର୍ଷ ସେ ଖଟିଛନ୍ତି ଗାଆଁରେ। ସୁକାନ୍ତଙ୍କର ଭୁବନେଶ୍ୱରରେ ଚାକିରି,ଏକା ରହୁଥିଲେ ମେସ୍'କରି;ଖାଇବା ପିଇବା ଯେତେ ଅସୁବିଧା ହେଲେ ବି ପ୍ରବୀଣାଙ୍କୁ ପାଖକୁ ନେଇଯିବା ପାଇଁ ଦିନେ ମଧ୍ୟ ମୁହଁ ଖୋଲି ଘରେ କହିନଥିଲେ ସୁକାନ୍ତ।ଶେଷରେ ପେଟରେ ଅଲସର ହୋଇ ଦେହ ଯେତେବେଳେ ଅତି ଖରାପ ଆଡକୁ ଗଲା,ଶଶୁର କହିଲେ..ବୋହୂକୁ ନେଇଯା ଭୁବନେଶ୍ୱର।

ଶାଶୁଘର ଛାଡ଼ି ନିଜ ସଂସାର ଗଢ଼ିବା ପାଇଁ ଭୁବନେଶ୍ୱର ଆସିବାବେଳେ ଶାଶୁ ପ୍ରବୀଣାଙ୍କୁ ଧରି କେତେ କାନ୍ଦି ନଥିଲେ ସତେ! ଆଖିରୁ ଧାରାର ଲୁହ ବହି ଯାଉଥାଏ,କହିଥିଲେ...ମୋ ମା,ମୋ ଧନ ତତେ ସହରକୁ ଏକା ଛାଡ଼ିବାକୁ ମନ ହଉନି।ସୁକାନ୍ତ ଦେହ ଭଲ ହେଇଗଲେ ଚାଲି ଆସିବୁ।


ଗାଁ ରୁ ସହରକୁ ଆସିବା ପରେ ମୁକ୍ତ ଆକାଶର ଚଢ଼େଇ ଭଳି ନିଜକୁ ମନେ କଲେ ପ୍ରବୀଣା। ଗାଁର ସବୁ କଟକଣାର ଶିଙ୍କୁଳି ଛିଣ୍ଡେଇ ନିଜ ଇଚ୍ଛାଧୀନ ଜୀବନ ଜୀଇଲେ ସେ। କେତେ ଶୀଘ୍ର ଘଡିର ଛୁଞ୍ଚି ଦଉଡିଗଲା,କୋଳକୁ ଆସିଲା ପ୍ରବୀର। ପ୍ରବୀର୍ ଯେତିକି ଯେତିକି ବଡ଼ ହେବାରେ ଲାଗିଲା, ଭବିଷ୍ୟତରେ ନିଜର ବୋହୂ କିପରି ହେବ ଖାଲି ସେଇ ସ୍ବପ୍ନ ଦେଖିବାରେ ଲାଗିଲେ ପ୍ରବୀଣା। ପ୍ରବୀଣା ମନେ ମନେ ଠିକ୍ କଲେ ନିଜ ବୋହୂକୁ ସବୁପ୍ରକାର ସ୍ବାଧୀନତା ସେ ଦେବେ। ଗାଁରେ ଯେଉଁ ଟିକିଏ ସ୍ବାଧୀନତା ପାଇଁ ଏତେ ଡହକ ବିକଳ ହେଉଥିଲେ ସେ,ନିଜ ବୋହୂ ଠାରୁ ସେ ସ୍ବାଧୀନତା ଟିକକ ଛଡେଇ ନେବେନି। ବୋହୂକୁ କହିବେନି କେତେବେଳେ ଉଠିବୁ,କେତେବେଳେ ଶୋଇବୁ କେତେବେଳେ ରାନ୍ଧିବୁ ଇତ୍ୟାଦି। କାହିଁକି କହିବେ ଯେ ନିଜ ଝିଅକୁ କଣ କଟକଣାରେ ରଖିଚନ୍ତି ଯେ ବୋହୂକୁ ରଖିବେ ? ଝିଅଠୁ ବଳି ବୋହୂକୁ ଭଲ ପାଇବେ ବୋଲି ମନେମନେ ଠିକ୍ କରି ନେଲେ ପ୍ରବୀଣା।


ପ୍ରବୀର ତାଙ୍କ କୋଳକୁ ଆସିଥିଲା ବହୁତ ଡେରିରେ। ପୁଅର ବାହାଘର ବେଳକୁ ସୁକାନ୍ତଙ୍କ ବୟସ ପଞ୍ଚଷଠି ଆଉ ପ୍ରଵୀଣାଙ୍କୁ ତେ'ଷଠି। ପୁଅର ସ୍ଥାୟୀ ଚାକିରୀ ଭୁବନେଶ୍ଵରରେ, ତେଣୁ ବାଛିବାଛି ସୁନାନାକୀ ଭୁବନେଶୋରିଆଣୀ ବୋହୂଟିଏ କଲେ। ଘରକୁ ଆସୁ ଆସୁ ନିଜେ ବାଛିଥିବା ନୂଆ ନାଆଁ "ସୁପ୍ରିୟା"ବୋଲି ଡାକିଲେ ତାକୁ।


ଝିଅ ସ୍ବାତୀର ଈର୍ଷା କହିଲେ ନସରେ। ଥରେ କହିଲା..ସବୁବେଳେ ବୋହୂକୁ ଏତେ ଗେଲ କରୁଚୁ ଯେ ଦିନେ ତଣ୍ଟିଆଣି ଦେଇ ଘରୁ ବାହାର କରିଦବ। ସୁପ୍ରିୟାକୁ ଶୁଣେଇ ଶୁଣେଇ ପ୍ରବୀଣା କହିଥିଲେ.. ନାଁ ମୋ ସୁପ୍ରିୟା ସେମିତି ନୁହଁ। ସୁପ୍ରିୟାର ମନ ଖୁସି କହିଲେ ନ ସରେ।ଗେଲେଇ ହେଇ ପ୍ରବୀଣାଙ୍କ କୋଳରେ ଆସି ଶୋଇ ପଡ଼ି କହିଲା..ମୋ ବୋଉ ସବୁଠୁ ଭଲ।


ସୁପ୍ରିୟାର ସବୁଦିନ ଉଠିବାରେ ଡେରି। ପ୍ରବୀର ଖାଇପିଇ ଅଫିସ୍ ଗଲାପରେ ମଧ୍ୟ ଶେଯ ଛାଡି ନଥାଏ ସୁପ୍ରିୟା। ପ୍ରବୀଣା ବୋହୂକୁ କିଛି କହନ୍ତି ନାହିଁ, ହଁ ଶୋଇଚି ତ ଶୋଉ,କୋଉ ଘରକାମ ବଳେଇ ପଡ଼ୁଚି ଯେ। ବାସନ ସଫା,ଘରଓଳା, ରୋଷେଇ ଇତ୍ୟାଦି ପାଇଁ ତ ଦୁଇଜଣ ସ୍ତ୍ରୀ ଲୋକ ଆସୁଛନ୍ତି।

ତାଛଡା ଝିଅ ସ୍ବାତୀ ମଧ୍ୟ ଘର କାମରେ ସାହାଯ୍ୟ କରୁଚି;ପିଲାଟା ଶୋଇଚି ଯେବେ ଶୋଉ। ସ୍ବାତୀ ବାହାହେଇ ଶାଶୁ ଘରକୁ ଚାଲି ଗଲା ପରେ ମଧ୍ୟ ପ୍ରବୀଣାଙ୍କୁ ଘର ସମ୍ଭାଳିବାରେ କିଛି ଅସୁବିଧା ହେଉନଥିଲା।


ଦୁଇବର୍ଷ ଭିତରେ ସୁପ୍ରିୟାର କୋଳ ପୂରିଯାଇଚି। ଚାନ୍ଦଭଳି ଝିଅଟିଏ କୋଳକୁ ଆସିଚି। ଝିଅ ଜନ୍ମ ହେଲାପରେ ମଧ୍ୟ ସୁପ୍ରିୟାର ଅଭ୍ୟାସରେ କିଛି ପରିବର୍ତ୍ତନ ହେଇନି। ଝିଅର ଗାଧୁଆ ପାଧୁଆ,ତେଲ-ହଳଦୀ, ଖିଆପିଆ ସବୁ ବୁଝନ୍ତି ପ୍ରବୀଣା। ସୁପ୍ରିୟା ହଲି ଦୋହଲି ବାରଟା ବେଳକୁ ଉଠି ଝିଅ ସହିତ ଅଧଘଣ୍ଟାଏ ଖେଳେ,ଗାଧୁଆପାଧୁଆ ସାରି ଖାଇଲା ବେଳକୁ ଉପରବେଳା ଚାରିଟା।


ପ୍ରବୀଣାଙ୍କର ଦେହ ଆଜିକାଲି ଭଲ ରହୁନି। ଅଣ୍ଟାରୋଗଟା ହଠାତ୍ ବାହାରି ପଡ଼ିଲା ପରେ ନାତୁଣୀ କଥା ବୁଝିବା ତାଙ୍କ ପାଇଁ କଷ୍ଟକର ହୋଇ ପଡୁଛି। ଦିନେ ଅଣ୍ଟା ବିନ୍ଧା ଯୋଗୁଁ ନାତୁଣୀର କିଛି କାମ କରିପାରିଲେନି ପ୍ରବୀଣା। ନାତୁଣୀ ସେମିତି ଗୁହମୁତରେ ଘାଣ୍ଟି ହୋଇ,ଭୋକରେ ଆଉଟୁ ପାଉଟୁ ହୋଇ କାନ୍ଦୁଥାଏ, ତଥାପି ଶେଜରେ ପଡ଼ିଥାଏ ସୁପ୍ରିୟା। ପ୍ରବୀର କେତେବେଳୁ ଅଫିସ୍ ଚାଲିଗଲାଣି। ସୁକାନ୍ତ ଦୋକାନକୁ ଯାଇଛନ୍ତି। ବଡ଼ କଷ୍ଟରେ ଉଠି ସୁପ୍ରିୟାର କବାଟ ଖଡଖଡ କଲେ ପ୍ରବୀଣା। ନିଦ ମଳମଳ ଆଖିରେ ଉଠିଲା ସୁପ୍ରିୟା। ଅଧାନିଦିଆ ହୋଇ ଉଠିଥିବାରୁ କାନ୍ଦୁଥିବା ଝିଅ ଉପରେ ରାଗ ସୁଝେଇଲା ସୁପ୍ରିୟା। ଝିଅ ଉପରେ ଦିଚାରିବିଧା ବସିବା ପରେ ସେ ଚିହୁଳି ଛାଡି କାନ୍ଦିଲା।


ସହି ପାରିଲେନି ପ୍ରବୀଣା। କହିଲେ.. କାହିଁକି ଏମିତି ପିଲାଟାକୁ ମାରୁଚୁ ସୁପ୍ରିୟା ? ସବୁଦିନ ମୁଁ ତାକଥା ବୁଝୁଥିଲି, ଗୋଟେ ଦିନ ତୁ ସମ୍ଭାଳି ପାରୁନୁ? କିଛି ଉତ୍ତର ଦେଲାନି ସୁପ୍ରିୟା। କିନ୍ତୁ ମନେମନେ ବିଡ୍ ବିଡ୍  ହେଲାଭଳି ଜଣାପଡ଼ିଲା।


 ସମୟ କଡ ଲେଉଟାଇଛି। ଅନାହୂତ ହୋଇ ଉହାନ୍ ସୁନ୍ଦରୀ କରୋନା ଆଗମନ କରିବା ପରେ ପ୍ରବୀଣାଙ୍କ ଘରର ସବୁ ରୁଟିନ୍ ବଦଳି ଯାଇଛି। ଯେଉଁ ଦୁଇଟି ସ୍ତ୍ରୀ ଲୋକ ଘରକୁ କାମ କରିବା ପାଇଁ ଆସୁଥିଲେ ସେମାନଙ୍କୁ ବନ୍ଦ୍ କରି ଦିଆଯାଇଛି। ତେଣୁ ଘରଓଳା,ବାସନମଜା ଠାରୁ ଆରମ୍ଭକରି ରୋଷେଇବାସ ପର୍ଯ୍ୟନ୍ତ ଯାବତୀୟ କାମ ପ୍ରବୀଣା ଏବଂ ସୁପ୍ରିୟା ଉପରେ ପଡ଼ିଛି।ତା ଉପରେ ଛୋଟ ଝିଅର ଲାଳନ ପାଳନ କାମ।

କିନ୍ତୁ ତଥାପି ମଧ୍ୟ ସୁପ୍ରିୟାର ରୁଟିନରେ କିଛି ପରିବର୍ତ୍ତନ ନାହିଁ। ଚିରାଚରିତ ଭାବରେ ଦିନ ବାରଟାକୁ ଉଠିଲା ବେଳକୁ ପ୍ରବୀର ନିଜେ ଚା'କପେ କରି ବ୍ରେଡ୍ ଖାଇ ଅଫିସ୍ ଚାଲି ଯାଇଥାଏ। ସୁକାନ୍ତ ଡାଇବେଟିସ ରୋଗୀ, ଠିକ୍ ସମୟରେ ନଖାଇଲେ ଦେହ ଖରାପ ହେବ, ତେଣୁ ସେ ଚୁଡା ହେଉ ବା ମିକଶ୍ଚର ହେଉ ବା ବିସ୍କୁଟ୍ ହେଉ ପାଟିରେ ପକାଇଥାନ୍ତି। ପ୍ରବୀଣା ଅଣ୍ଟା ରୋଗ ଯୋଗୁଁ ରୋଷେଇ କରିପାରନ୍ତି ନାହିଁ। ବୋହୂ ବାରଟା ପରେ ଉଠି, ସବୁ ନିତ୍ୟକର୍ମ ସାରି ରୋଷେଇ କଲାବେଳକୁ ଦିନ ଚାରିଟା।


ଦିନକର କଥା। ଦିନ ବାରଟା ହେଲାଣି। ପ୍ରବୀଣାଙ୍କ ଦେହ ଭଲ ଲାଗୁନଥିଲା, ଟିକିଏ ଜରଜରିଆ ଲାଗୁଥିଲା ତେଣୁ ଶେଯରେ ପଡିଥିଲେ। ମନ ଚାହୁଁଥାଏ କପେ ଚା। ସୁକାନ୍ତ ମଧ୍ୟ ଥରେ ଦିଥର ପଚାରିସାରିଲେଣି..କଣ ଆଜି ଚା'କପେ ମିଳିବନି କି?

ପ୍ରବୀଣା ବୋହୂକୁ କହିଲେ...ଏସବୁ କଣ ହଉଚି ସୁପ୍ରିୟା ଦିନ ବାରଟା ହେଲାଣି। ସକାଳୁ ଟିକିଏ ଶୀଘ୍ର ଉଠିଲେ ହୁଅନ୍ତାନି? ମୋ ଦେହ ଭଲ ନାହିଁ ବୋଲି ସିନା,ସବୁବେଳେ ତତେ କଣ କିଏ କହୁଥିଲା? ବାବା ଏଯାଏଁ ଚା'କପଟେ ପାଇଁ ଏପଟସେପଟ ହେଉଛନ୍ତି, ଝିଅ ବି ଏଯାଏଁ କିଛି ଖାଇନି। ଏତେ ମଠୋଇ? ଟିକେ ଚଞ୍ଚଳ ହ।


ସୁପ୍ରିୟା କିଛି କହିଲା ନାହିଁ। ପ୍ରବୀଣାଙ୍କ ପାଖରୁ ଚାଲିଆସି ସ୍ବଗତୋକ୍ତି କଲାଭଳି କହିଲା... ବେଶୀ ଶାଶୁ ପଣିଆ ଦେଖେଇ ହଉଚି,ଆରେ କଣ ବୋଲି ଭାବିଚି କି? ଦେବି ଦିନେ ପାନେ ଚା'ସାଙ୍ଗରେ ମିଶେଇ ଯେ ତିନି ପାଞ୍ଜିରୁ ଯିବ।


ସୁପ୍ରିୟା ଏଭଳି ସ୍ବଗତୋକ୍ତି କଲାବେଳେ ତା ପଛରେ ଯେ ସୁକାନ୍ତ ବାବୁ ଠିଆ ହୋଇ ଥିଲେ ତାହା ଜାଣିନଥିଲା ସେ। ସୁକାନ୍ତ ବାବୁ ଭାବୁଥିଲେ...କରୋନା ଠାରୁ ଆହୁରି ମାରାତ୍ମକ ତାଙ୍କ ବୋହୂ ମନକୁ ସଂକ୍ରମଣ କରିଥିବା ଚିନ୍ତାଧାରା ।


Rate this content
Log in