Sriman Bapu

Others

3.9  

Sriman Bapu

Others

ବଡ଼ କଳାକାର

ବଡ଼ କଳାକାର

5 mins
3.1K



ଭୁବନେଶ୍ବରର ଚିନ୍ତାମଣିଶ୍ୱର କଲୋନୀରେ ଧଉଳି ଆର୍ଟ କଲେଜର ରାଜା , ବାପୁ , ରବି ଆଉ ଅନୁଜ ସାଙ୍ଗ ହୋଇ ରହୁଥିଲେ । ମେସଟିକୁ କଲେଜର ପ୍ରାୟତଃ ସବୁ ଛାତ୍ର ଆଉ ଶିକ୍ଷକଗଣ ଆସନ୍ତି । ପ୍ରତି ଦିନ ସନ୍ଧ୍ୟାରେ ପନ୍ଦର କୋଡ଼ିଏ ସରିକି ସେଇଠି ରୁଣ୍ଡ ହୁଅନ୍ତି । ଅଧିକାଂଶ ସମୟ ଭୋଜିଭାତ ମଜାମସ୍ତି ସହ କଳା , ସିନେମା , ନାଟକ ଆଉ ସାହିତ୍ୟ ବିଷୟରେ ଆଲୋଚନା କରନ୍ତି । ବର୍ଷରେ ଥରେ ଦୁଇ ଥର ତିନିଚାରି ଦିନ ଧରି ଫିଲ୍ମ ଫେଷ୍ଟିଭାଲ୍ ହୁଏ । ପାଖରେ ଥିବା ଗୋଟିଏ ଦୋକାନରୁ ରଙ୍ଗିନ୍ ଟି.ଭି ସହ ବାଛି ବାଛି ଗୁଡ଼ାଏ ସିମେନାର ସି.ଡି ଭଡ଼ାରେ ଅଣାଯାଏ । ତା'ସହ କଲେଜର ଅନ୍ୟ ଛାତ୍ରମାନେ ଯେମିତି କି ରାମ , ଦେବ୍ , ବଣ୍ଟି , ସ୍ମୃତି , ଦେବରାଜ , ତାପସ ଆଉ ଶକ୍ତି ଖୋଜି ଖୋଜି ସତ୍ୟଜିତ ରାୟ , ରିତ୍ୱିକ୍ ଘଟକ , ମୃଣାଲ ସେନ୍ , ଗୁରୁ ଦତ୍ତ , ରାଜ କାପୁର , ଶ୍ୟାମ ବେନେଗଲ୍ , ମୀରା ନାୟାର , ଅକିରା କୁରାସାବା , Tarkovsky , Alfred Hitchcock , Giuseppe Tornatore , ଲାର୍ସ ବୋଂ , କିମ-କି-ଡୁକ୍ ଏମିତି କେତେ କେତେ ମହାନ ସିନେମା ନିର୍ଦ୍ଦେଶକଙ୍କ ପୂରା ସିରିଜ୍ ସିନେମା ସଂଗ୍ରହ କରି ଆଣିଥିବେ ତା' ସହ ମନୋରଞ୍ଜନ ପାଇଁ ଗୋଟିଏ ଯୋଡ଼େ ବିଷ୍ଣୁପୁରାଣ । 


ଏତେ କମ୍ ବୟସରେ ଏତେ ଗମ୍ଭୀର ସିନେମା ସବୁ ଦେଖି ସମସ୍ତଙ୍କର ମନ କିଛି ଦିନ ବିଷର୍ଣ୍ଣ ହୋଇ ରହେ । ସମସ୍ତଙ୍କର ଭିନ୍ନ ଭିନ୍ନ ପସନ୍ଦ ଥିଲା । ଅତି ଧୀର ଗମ୍ଭୀର ସିନେମା କେବଳ ତିନି ଚାରି ଜଣ ଦେଖନ୍ତି ବାକି ସବୁ ହାଇମାରି ଢୋଳେଇ ପଡ଼ନ୍ତି । ସିନେମାରେ ନଗ୍ନ ଆଉ ଯୌନ ଉଦ୍ଦୀପକ ଦୃଶ୍ୟ ଆସିଲେ ସମସ୍ତେ ଧଡ଼ ପଡ଼ ହୋଇ ଉଠିପଡ଼ି ଆଖି ଟରାଟି ଚାହାଁନ୍ତି । ରାମ ଯାହାକୁ ସବୁଠୁ କଳାତ୍ମକ ସିନେମା କହି ଆଣିଥାଏ ସମସ୍ତେ ବୁଝିଥାନ୍ତି ଯେ ନଗ୍ନତା ଆଉ ଯୌନ ଉଦ୍ଦୀପକ ଦୃଶ୍ୟ ସବୁ ଭରି ରହିଥିବ । ଦେବର ପ୍ରିୟ ସିନେମା କହିଲେ , ଅତ୍ୟନ୍ତ ଧୀର ଗମ୍ଭୀର ସିନେମା ହୋଇଥିବ । ସେ ଯାହାହେଉ ସମସ୍ତଙ୍କର ଅଲଗା ଅଲଗା ମିଳିତ ଆବିଷ୍କାର ମିଶି ସିନେମା ଆଉ ନିର୍ଦ୍ଦେଶକ ଉପରେ ସେ ବୟସ ଅନୁସାରେ ସମସ୍ତେ ବହୁତ ଭଲ ରୁଚି ଆଉ ଜ୍ଞାନ ଆହରଣ କରି ନେଇଥିଲେ ।


ଥରେ ରାମ ରାଜ କାପୁରଙ୍କର "ମେରା ନାମ ଜୋକର୍" ସିନେମାଟି ନେଇ ଆସିଥିଲା ଆଉ ତା'ର ଖୁବ୍ ପ୍ରଶଂସା କଲା । ବାକି ସମସ୍ତେ ଆଶ୍ଚର୍ଯ୍ୟ ହେଲେ କାରଣ ରାଜ କାପୁର ଆଉ ମେରା ନାମ ଜୋକର୍ ନାମଟି ଶୁଣି ରାମର ପ୍ରିୟ ବିଷୟବସ୍ତୁ ସବୁ ସିନେମାରେ ଥିଲା ଭଳି ଲାଗୁନି ତା'ହେଲେ ରାମ କାହିଁକି ଏତେ ପ୍ରଶଂସା କରୁଛି ? ରାମ ସବୁବେଳେ କୌଣସି କଥା ଖୋଲି କୁହେ ନାହିଁ । ସିନେମା ଚାଲିଲା , ଏକ ଦୃଶ ଯେଉଁଥିରେ ରିଶି କାପୁର ଓରଫ୍ ରାଜୁ ସ୍କୁଲର ଅନ୍ୟାନ୍ୟ ଛାତ୍ରଗଣ ଆଉ ତାଙ୍କର ପ୍ରିୟ ଶିକ୍ଷୟିତ୍ରୀଙ୍କ ତତ୍ତ୍ୱାବଧାନରେ ପିକନିକ୍ ଯାଇଥାଆନ୍ତି । ସାଙ୍ଗମାନେ ରାଜୁକୁ ଜବରଦସ୍ତ ନଦୀକୁ ଫିଙ୍ଗିବାକୁ ଚାହୁଁଥିଲେ ମିସ୍ ଆସି ପିଲାଙ୍କୁ ବାରଣ କରୁଥିବା ସମୟରେ ନିଜେ ଖସିପଡ଼ି ପାଣିରେ ପଡ଼ିଲେ । ପାଣିରୁ ଉଠିକି ଆସିଲା ପରେ ତାଙ୍କ ଓଦା ଦେହରେ ରାଜୁର ନଜର ପଡିଲା । ଏପଟେ ସମସ୍ତେ ରାମର ମୁହଁକୁ ଚାହିଁଲେ । ରାମ ପେଟେଇ ପଡ଼ି ଦୃଶ୍ୟ ଭିତରେ ହଜି ଯାଇଥାଏ , ସେ ଦୃଶ୍ୟକୁ ଦେଖି ସମସ୍ତେ ହସାହସି ହେଲେ । ରାମ କହିଲା , ଶଳେ , ଚୁପ୍ ! ଆଗକୁ ଦେଖ କ'ଣ ହେଉଛି । ତା' ମାନେ ଏବେ ଯାଏଁ ମୁଖ୍ୟ ଦୃଶ୍ଯଟି ଆସିନାହିଁ ତେଣୁ ସମସ୍ତେ ପୁନଃ ସିନେମାରେ ମନଯୋଗ କଲେ ।


ରାଜୁ ମିସ୍ ଙ୍କ ଭିଜା କପଡା ତଳେ ପୂରିଲା ଦେହକୁ ଦେଖି ହତଚକିତ ହୋଇଯାଇଥିଲା ଆଉ ଏ ଦୃଶ୍ୟ ପଛରେ ଥିବା ସବୁ ପିଲା ଯେମିତି ପଥର ହୋଇ ଯାଇଥିଲେ । ମିସ୍ ଲଜ୍ଜିତ ଅନୁଭବ କଲେ ରାଜୁର ତାଙ୍କ ଦେହରେ ଲାଖି ରହିଥିବା କାମାତୁର ଆଖିଦୁଇଟିକୁ ଦେଖିଦେଇ । ପିଲାଙ୍କୁ ଚୁପ୍ କରାଇ ଓଦା କପଡ଼ା ବଦଳାଇବା ଉଦ୍ଦେଶ୍ୟରେ ଦ୍ରୁତ ବେଗରେ ପାଖରେ ଥିବା ଜଙ୍ଗଲ ଭିତରକୁ ପଳାଇଗଲେ । 


ରାଜୁ ପଛେ ପଛେ ଯାଇ ଯାହା ଦେଖିଲା..... ସେଇଠି ଖାଲି ରାଜୁ କାହିଁକି ଏପଟେ ପରଦା ବାହାରେ ଥିବା ଦଶ ସରିକି ଟୋକାଙ୍କ ଆଖିରୁ ଡ଼ୋଳା ଯେମିତି ବାହାରକୁ ଆସିଗଲା ! ରାମ ଯାଇ ପଜ୍ ବଟନ୍ ଟି ଟିପିଦେଇ ଗର୍ବର ସହ କହିଲା , ଦେଖିଲ ୟାକୁ କୁହନ୍ତି ସିନେମା , ରାଜ କାପୁର ମାଇଁ ଫେଭରାଇଟ୍ ! କି ସିନେମା ବନେଇଛି ଶଳାଟା ତିରିଶି ବତିଶି ବର୍ଷ ତଳେ ? ରାମର ଆଶା ଥିଲା ସମସ୍ତେ ତା'ର ଏ ମହାନ ସଫଳତା ପାଇଁ ବାଃ ବାଃ କରିବେ ! ହେଲେ ସମସ୍ତେ ରାମର ଆତୁର ମୁହଁକୁ ଚାହିଁ ଏକ ସଙ୍ଗରେ ଫେଁ କରି ହସି ଦେଲେ । ରାମ ସିନେମାର ମିସ୍ ଅପେକ୍ଷା ଯେମିତି ଅଧିକ ଲଜ୍ଜିତ ଅନୁଭବ କଲା ।


କିଛି ସମୟ ହସମଜାର ବିରତି ପରେ ପୁନଃ ଯେତେବେଳେ ସି.ଡି ପ୍ଲେୟାର ଚାଲୁ କରାଗଲା ସିନେମା ପୁଣି ଆରମ୍ଭକୁ ଚାଲିଗଲା । ବଡ଼ କଷ୍ଟରେ ଆଗ ପଛ କରି ସିନେମା ସେହି ଦୃଶ୍ୟରୁ ଆରମ୍ଭ କରାଗଲା ଏବେ କିନ୍ତୁ ସମସ୍ତଙ୍କର ଆଖି ସେ ଦୃଶ୍ୟ ଉପରେ କମ୍ ରାମ ମୁହଁ ଉପରେ ଅଧିକ ଥିଲା... ପୁଣି ଏକା ସ୍ୱରରେ ହେ ହେ ହେ ! ପୂରା ସିନେମାଟି ସମସ୍ତିକୁ ଅଭିଭୂତ କରିଥିଲା । ମୁଖ୍ୟତଃ ରାଜ କାପୁରଙ୍କ ନିର୍ଦ୍ଦେଶନା , ଅଭିନୟ ଆଉ ସାହସିକତାକୁ ସମସ୍ତେ ପ୍ରଶଂସା କରିଥିଲେ ।


ସିନେମାଟି ସରିବା ପରେ ସମସ୍ତେ କିଛି ମୁହୂର୍ତ୍ତ ଚୁପ୍ ରହିଥିଲେ । ବାହାରକୁ ଉଠିଯାଇ କିଏ ଏକ ଗଲା ତ କିଏ ପାଣି ପିଇଲା । ରାତି ସାଢ଼େ ସାତଟା ହୋଇଯାଇଥିଲା । ରୋଷେଇ ଆରମ୍ଭ ହେଲା , ଡାଲମା ଭାତ ଆଉ ଲେମ୍ବୁ ଲଙ୍କା ରସୁଣ ଦଳା । ଖାଇବା ସମୟରେ ସିନେମା ବିଷୟରେ ଆଲୋଚନା ହେଲା । ବଣ୍ଟି ସବୁଦିନ ପରି ତା'ର ଦାର୍ଶନିକ ଭଙ୍ଗୀରେ ସିନେମା ବିଷୟରେ ଲମ୍ବା ଭାଷଣଟିଏ ଦେଲା , ରାଜାର ପୁରୁଣା ସ୍ୱଭାବ ଅନୁଯାୟୀ ଯୁକ୍ତି ଆରମ୍ଭ କଲା , ବଣ୍ଟି ଛାଡ଼ିବା ପିଲା ନୁହେଁ ତା'ର ମତାମତ କିଏ ଖଣ୍ଡନ କରିବ ଏହା ତା'ପାଇଁ ଅସହ୍ୟ । ରାମ ଚୁପ୍ ରହି ସିନେମାର ସେ ଅଭୁଲା ଦୃଶ୍ୟଟି ବିଷୟରେ ଚିନ୍ତା କରୁଥିଲା ।


ଖାଇବା ସମୟରେ ଗେରେ ଗେରେ ହେଲେ ସ୍ମୃତିକୁ ଜମା ଭଲ ଲାଗେନି ତେଣୁ ବାଧା ଦେଇ ବଣ୍ଟିକୁ କହିଲା , ହଇବେ ନାଳୁଆ କେତେ ଗପୁଛୁ ବେ ? ରାଜ କାପୁରର ଭୂତ ଲାଗିଯାଇଛି ନା କ'ଣ ତୋ ଦେହରେ ? ରାଜ କୁମାରକୁ ଆଲୋଚନାରେ ବ୍ୟାଘାତ ଭଲ ଲାଗିଲା ନାହିଁ , କହିଲା ହଇବେ ଶଳା ! ନଳିଆ ପବନା ତୋତେ ତ ଡାଲମା ଭାତ ଦିଆ ଯାଇଛି ଚୁପଚାପ୍ ପେଟକୁ ଆଉଁସି ଆଉଁସି ଖାଇବୁ ବଡ଼ ଲୋକ ଦୁଇଜଣ କଥା ହେଉଥିଲା ବେଳେ ତୁ ଛୁଆଟା ମଝିରେ କାହିଁ ପଶୁଛୁ ? ସ୍ମୃତି ଚିହିଁକି ଉଠି ରାଜାକୁ କହିଲା , ଉଁ ବଡ଼ ଲୋକ ନା ମୋ ବା** ! ଶଳା ମଶାଣି ଚଣ୍ଡୀ ! ରାଜ କାପୁର୍ ସହ ତୋ ନାଁ ମିଶୁଛି ବୋଲି ତୁ କ'ଣ ନିଜକୁ ରାଜା କା....ପୁର... ଭାବୁଛୁ ନାଁ କ'ଣ ବେ ? ଏମିତି ବହେ ସୋଦା ସୋଦି ହେଲେ । ବାକି ସବୁ ଶୁଣି ନିଆଁରେ ଟିକିଏ ଟିକିଏ ଘିଅ ପକେଇ ମଜା ନେଲେ । ଦେବ୍ କହିଲା , ଆବେ ଜଲଦି ଖାଅ ଆଉ ଗୋଟିଏ ଭଲ ସିନେମା ଅଛି ... । ସେ ବାକ୍ଯଟି ପୂରା କରିବା ପୂର୍ବରୁ କଥା ଛଡ଼େଇ ନେଇ ସ୍ମୃତି କହିଲା , ଥାଉ ବେ ବୁଢ଼ାଭାଇ ! ତୁ ଆଉ ଆଜି ବୋର୍ କରାନା । ରାମ ରାଜାକୁ ଆଖି ମାରିଦେଇ କହିଲା , ମୋ ପାଖରେ ଅଛି ..ଚୁ ! ବଢ଼ିଆ ଫିଲ୍ମ ! ସମସ୍ତେ ଠୋ ଠୋ କରି ହସିବାକୁ ଲାଗିଲେ !


ଏ ଦଳଟାରେ ସମସ୍ତେ ଥିଲେ ଏକ୍ ସେ ବଡ଼କର୍ ଏକ୍ ବଡ଼ ଜୋକର୍ , କେହି କାହାଠୁ କମ୍ ନୁହେଁ । ଏକାଠି ହେଲେ ସେଇନା ମାଡ଼ଗୋଳ ଆଉ ସେଇନା ହସାହସି । ସବୁଠୁ ବଡ଼ ଜୋକର୍ ଥିଲେ ସ୍ମୃତି ଆଉ ରାଜା । ସ୍ମୃତିଟା ବେଳେବେଳେ ରାଗି ଯାଏ ହେଲେ ରାଜାଟାକୁ ଯେତେ ଯିଏ ଯାହା କହୁ ତା'ର ରାଗ ଛଳ ନାହିଁ । ତା'ର ଗୋଟିଏ ଡ଼ାଇଲଗ୍ ସବୁବେଳେ ସମାନ ଥାଏ । ଗୁଟୁଖାଟିଏ ପାଟିରେ ପକେଇ ସାର୍ଟକୁ ତଳକୁ ଟାଣିଦେଇ ସମାନ କରିବ , କଲରକୁ ସାଇଜ୍ କରିବ ଆଉ ଚନ୍ଦା ମୁଣ୍ଡରେ ତା'ର ଅଳ୍ପ ବାଳକୁ ଠିକ୍ କରି କହିବ , ତୁମେ ତ ଶଳେ ! ଭାତ ଖାଇ ଚାଉଳ ହଗୁଛ ଆଉ , ତୁମର ହାତୀ ମଲେ କେତେ ନା ଜୀଇଁଲେ କେତେ ? 


ସ୍ମୃତି ସମସ୍ତଙ୍କର ଗୋଟିଏ ଗୋଟିଏ ଅଲଗା ନାଁ ଦେଇଥିବ ଆଉ ସବୁ ସ୍ଥାନରେ ସେହି ନାଁରେ ଡ଼ାକିବ । ଦେଖାହେଲେ ହସିଦେଇ କହିବ , ଆଉ ଆଇଲ ? ଭାରି ବାସୁଛ ଆଜି , ଟୋକା ଆଜି ଖେଳ କରିବ ଆଉ ! ହା ହା ହା ! ଯେତେ ଦୁଃଖରେ କି ଅସୁବିଧାରେ ଥିଲେ ବି ଏମାନେ କାହାରିକୁ କହିବେନି ଓଲଟା ହସାଇ ତୁମର ଦୁଃଖ କଷ୍ଟ ଭୁଲେଇ ଦେବେ । କାହା ପ୍ରତି ଏମାନଙ୍କର ଈର୍ଷା କି ବିତୃଷ୍ଣା ଭାବ ଟିକିଏ ନଥିଲା । ରାଜ କାପୁର ସିନେମାରେ ଜୋକର୍ ଥିଲେ , ବାସ୍ତବ ଜୀବନରେ ଥିଲେ କି ନାହିଁ ଜଣା ନାହିଁ ହେଲେ ବାସ୍ତବ ଜୀବନରେ ଏମାନେ ସବୁ ଜଣେ ଜଣେ ଜୋକର୍ ଥିଲେ । ଯେବେ ବି ଯିଏ ଯେଉଁଠି କଲେଜ ଜୀବନର ପୁରୁଣା କଥା ମନେ ପକାନ୍ତି , ଏମାନଙ୍କ କଥା ଆଗ ମନେ ପଡ଼େ । ଏଇତ ମଣିଷର ମଣିଷ ପ୍ରତି ସବୁଠୁ ବଡ଼ ଅବଦାନ । ହସିବା ଆଉ ହସେଇବା ସବୁଠୁ ବଡ଼ କଳା ଆଉ ଜୋକର୍ ସବୁଠୁ ବଡ଼ କଳାକାର । 





Rate this content
Log in