STORYMIRROR

Seetaram Dash

Others

3  

Seetaram Dash

Others

ବାତ୍ୟା ପରେ ପରେ

ବାତ୍ୟା ପରେ ପରେ

2 mins
356


   ଧନୀଲାଲ ପୁଅ ହୀରାଲାଲକୁ ଚାପା ଗଳାରେ କହୁଥିଲା, ତିତିଲି ସିନା ଧୋକା ଦେଇଦେଲା ହେଲେ ଫନୀ ତା କମାଲ ଦେଖାଇଲା। ତୁ ସିନା ମନା କରୁଥିଲୁ, ମୋ ବୁଦ୍ଧିଟା କାମ ଦେଲା। ବାତ୍ୟା କଥା ଶୁଣୁ ଶୁଣୁ ମୁଁ ଦୋକାନ ସଉଦା ରାତି ରାତି ମାଗେଇ ଦେଲି।ଯାହା ହେଉ ରାତି ରାତି ମାଲ ବି ପହଞ୍ଚିଗଲା ! କେହି ଟେର ପାଇଲେନି। ତୁ ଗୋଦାମ ଘର କେବେ ବି ଖୋଲିବୁନି। କଣା କୁଜା ଆଳୁ ରାତିରେ ବାଛି ଆଗ ବିକି ସାରିଲେ ଭଲ ବାହାର କରିବା।


   ଧନୀଲାଲ ଆମ ଅଂଚଳରେ ସବୁଠୁ ବଡ଼ ଦୋକାନୀ। ଏବେ ସବୁ ଜିନିଷ କିଲୋ ପିଛା 20 ଟଙ୍କା ଅଧିକ ବିକ୍ରି କରୁଛି। କହିଲେ କହୁଛି ମାଲ ତ ଆସୁନି ମୁଁ କଣ କରିବି? ନେଲେ ନିଅ ନ ହେଲେ ନାହିଁ।


***

    ଆମ ପଂଚାୟତର ସରପଞ୍ଚ ଖୁବ ଭଲ ମଣିଷ। ଭୋଟ ପୂର୍ବରୁ ଅନେକ ସାହାଯ୍ୟ ସହଯୋଗ କରିଥିଲେ ଲୋକମାନଙ୍କୁ, ସମସ୍ତଙ୍କ ସୁଖ ଦୁଃଖରେ ଭାଗି ହେଉଥିଲେ। ଆଜି ସନ୍ଧ୍ୟାରେ ଫୋନରେ କାହା ସହ କଥା ହେଉଥିଲେ, "ରିଲିଫ ଏଥର ବହୁତ ଆସିବ।ପଂଚାୟତ ଆଫିସରେ ରଖିଲେ ଭଲ ହେବନି। ତେଣୁ କେଉଁଠି ନିରାପଦରେ ରଖିବା ବ୍ୟବସ୍ଥା କର। ନ ହେଲେ ଆମକୁ କିଛି ମିଳିବନି, ଲୋକମାନେ ମାଗଣା ପାଇଲେ ପିଚୁ ଗିଳି ଦେବେ"।


***


   ସନା ଭାଇଟା ଦୁଇଦିନ ହେବ ମୁଣ୍ଡରେ ହାତ ଦେଇ ବସିଛି। ଆର ବର୍ଷ ନୂଆ କରି ପାନ ବରଜ କରିଥିଲା।ପଚାଶ ହଜାର ଟଙ୍କା ଏବେ ବି କରଜ। ଦୁଇ ଶହ ଗଛ ପାନ, ଚାଲି ଗଲା ସବୁ ଚାଲିଗଲା। ବରଜର ଚିହ୍ନ ବର୍ଣ୍ଣ ନାହିଁ। ଏବେ କଣ କରିବ?? ମାଗଣା ଚୁଡା ଚାଉଳ କେଇ ଦିନ। ଭାତ ହାଣ୍ଡି ଯେତେବେଳେ ଚାଲିଗଲା ଆଉ କାହାକୁ ଭରସା କରିବ।


***


    କାମେନି ମାଉସୀ ବାତ୍ୟା ଆଶ୍ରୟ ସ୍ଥଳରୁ ଫେରି ଦେଖିଲା ନିଜର ଝାଟି ମାଟି ଘରଟି କୁଆଡେ ହଜି ଯାଇଛି। ଏଇ ବାତ୍ୟା ତାର କାଳ ସାଜିଥିଲା ଆଜକୁ ଠିକ ଉଣେଇସି ବର୍ଷ ତଳେ। ସ୍ୱାମୀ ମାଛ ମାରିବାକୁ ଯାଇ ଥିଲା ଯେ ଆଉ ଫେରିଲାନି। ଘର ବଖରାଏ ପାଇଁ ଯେଉଁ ଟଙ୍କା ମିଳିଥିଲା ତେଲ ଲୁଣରେ ସରିଲା, ଏକୁଟିଆ ମାଇପି ଲୋକ ଘର ବଖରାଏ କରିବା ଏତେ ସହଜ ନୁହେଁ। ଛେଳି କୁକୁଡ଼ା ପାଳି ଯାହା ଯେମିତି ଚଲୁଥିଲା, ହେଲେ ଦାଉ ସାଧିଲା ଏ ବାତ୍ୟା। ଏ କାଳ ବିପଦରେ ମଣିଷଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଜାଗା ନାହିଁ। କୁଆଡେ ନେଇକି ଯିବ ଏ ପଶୁମାନଙ୍କୁ। ଗଲାବେଳେ ବେକରୁ ଫିଟାଇ ଦେଇଥିଲା ଛେଳି ଚାରୋଟିଙ୍କୁ। ଖୋଜି ଖୋଜି ଥକି ଗଲାଣି, କିଛି ଆତା ପତା ମିଳୁନି।


Rate this content
Log in