ଅତୁଟ ସମ୍ପର୍କ
ଅତୁଟ ସମ୍ପର୍କ
ସମ୍ପର୍କର ସେତୁ ନିର୍ମାଣ କରିବା ପାଇଁ
ସ୍ନେହର ବାଲି, ଶ୍ରଦ୍ଧାର ସିମେଣ୍ଟ, ସହନଶୀଳତା ର ଲୁହା ଛଡ, ଓ ସତ୍ୟର କଂକ୍ରିଟ ଦରକାର ହୋଇଥାଏ। ଏହିସବୁ ମିଶ୍ରଣ ଯୁକ୍ତ ହୋଇ ଯେଉଁ ସମ୍ପର୍କର ସେତୁବନ୍ଧ ନିର୍ମାଣ ହେବ,ସେ ସେତୁ ବନ୍ଧକୁ ମନୁଷ୍ୟ ତ ଛାର, ସ୍ଵର୍ଗର ଦେଵତା ମାନେ, ଶତ ଚେଷ୍ଟା କଲେ ମଧ୍ୟ ଭାଙ୍ଗି ପାରିବେ ନାହିଁ। ଗୋଟିଏ ଛୋଟ ଗାଆଁ ରେ ଶ୍ୟାମ ଓ ରାମ ଦୁଇ ଜଣ ପିଲା ରହୁଥିଲେ। ଦୁଇଜଣ ଙ୍କର ବନ୍ଧୁତା ଅତ୍ୟନ୍ତ ନିବିଡ଼, କ୍ଷୀର ଓ ନୀର ପରି। ଜଣେ ଅନ୍ୟ ଜଣକୁ ନ ଦେଖିଲେ ରହି ପାରନ୍ତି ନାହିଁ। ଦୁଇ ଜଣ ସାଙ୍ଗ ହୋଇ ଗାଁ ସ୍କୁଲରେ ପାଠ ପଢ଼ନ୍ତି। ଘରୁ ଆଣିଥିବା ଖାଦ୍ୟ ଦୁଇଜଣ ଯାକ ମିଶିକରି ଖାଆନ୍ତି।
ଯାହା କରନ୍ତି ଦୁଇଜଣ ସାଙ୍ଗହୋଇ କରନ୍ତି।ଦିନକର କଥା, ଶ୍ୟାମ ଓ ରାମ ଦୁଇଜଣ ଯାକ ନଦୀକୁ ଗାଧୋଇବାକୁ ଯାଇଥିଲେ। ବର୍ଷାଦିନ ହୋଇଥାଏ, ନଦୀରେ ପ୍ରବଳ ସ୍ରୋତ ସାଙ୍ଗକୁ ଅକାତ କାତ ପାଣି ଥାଏ, ସ୍ଥାନେ, ସ୍ଥାନେ ପ୍ରବଳ ଭଉଁରୀ ହେଉଥାଏ। ଗାଧୋଇଲା ବେଳେ ହଠାତ ଶ୍ୟାମ ର ଗୋଡ଼ ଖସିଗଲା। ରାମ ଗାଧୋଇ ସାରି ଦେଖିଲା ବେଳକୁ ଶ୍ୟାମ ପାଣି ଭିତରେ ଉବୁଟୁବୁ ହେଉଛି। ସାଙ୍ଗର ଏ ଅବସ୍ଥା ଦେଖି ରାମ ପାଣିକୁ ଡେଇଁ ବାକୁ ଗଲାବେଳେ ପାଖରେ ଥିବା ଲୋକ ମାନେ ତାକୁ ମନା କଲେ। କହିଲେ ତୁ ତାକୁ କଣ ବଞ୍ଚାଇବୁ, ସେଠିକି ଗଲେ ତୁ ତା ସାଙ୍ଗରେ ମରିବୁ। ରାମ କହିଲା ମୁଁ ମଲେ ମରିବି କିନ୍ତୁ ମୋ ଆଖି ଆଗରେ ମୋ ସାଙ୍ଗର ମରଣ ଦେଖି ପାରିବିନାହିଁ। ମରିବାର ଯଦି ଥାଏ ତେବେ ଦୁଇଜଣ ସାଙ୍ଗ ହୋଇ ମରିବୁ। କାହା କଥା ନ ଶୁଣି ସେ ପାଣିକୁ ଡେଇଁ ପଡ଼ିଲା। ରାମକୁ ପହଁରା ଜଣା ଥିଲା,ସେ ଶ୍ୟାମକୁ ଧରି ଉଦ୍ଧାର କରିଆଣିଲା ସତ, କିନ୍ତୁ ପହଁରିବା ବେଳେ ଏକ କଣ୍ଟା ତା ଆଖିରେ ବାଜିଗଲା ତାକୁ କିଛି ଦେଖାଗଲାନାହିଁ । ତା ପରିବାର ଲୋକେ ରାମ କୁ ବହୁତ ଗାଳି ଗୁଲଜ କଲେ, କହିଲେ ପର ପାଇଁ ନିଜର କ୍ଷତି କଲୁ ଆମେ ତୋ କଥା ବୁଝି ପାରିବୁ ନାହିଁ। ଏ କଥା ସବୁ ଶ୍ୟାମ ର ପରିବାର ଲୋକେ ଜାଣିଲେ । ତାଙ୍କ ପୁଅ ପାଇଁ ରାମର ଆଖି ଦୁଇଟି ନଷ୍ଟ ହେଇଯାଇଛି,ନିଜ ଜୀବନ କୁ ମରଣ ମୁହଁକୁ ଠେଲିଦେଇ ସାଙ୍ଗର ଜୀବନ ରକ୍ଷା କରି ପ୍ରକୃତ ସାଙ୍ଗର ପରିଚୟ କାର୍ଯ୍ୟରେ କରି ଦେଖେଇଛି। ତେଣୁ ସେମାନେ କଣ କରିବେ ଟିକିଏ ଚିନ୍ତାଗ୍ରସ୍ତ ହୋଇଗଲେ। ଶ୍ୟାମ କହିଲା ବାପା ତମେ ମନ ଖରାପ କରନା, ମୋ ସାଙ୍ଗ ପାଇଁ ମୁଁ ମୋର ଦୁଇଟି ଆଖିରୁ ଗୋଟିଏ ଆଖି ଦେଇ ମୋ ସାଙ୍ଗକୁ ଅନ୍ଧାରରୁ ଦୁନିଆଁର ଆଲୋକ ଦେଖାଇବି। ମୁଁ ତା ପାଇଁ ନୂତନ ଜୀବନ ପାଇଲି। ମୋ ପାଇଁ ସିଏ ପାଣିରେ ବୁଡି ମୋତେ ଉଦ୍ଧାର କଲା। ନଚେତ ମୁଁ ସେଇଦିନ ନଈ ପାଣିରେ ବୁଡି ମରିଯାଇଥାନ୍ତି। ମୁଁ କଣ ତା ପାଇଁ ଏତିକି କରି ପାରିବିନି । ସେ ମୋ ଜୀବନ ରକ୍ଷା କରିଛି ଆମେ ଦୁଇଜଣ ଙ୍କର ଶରୀର ସିନା ଅଲଗା କିନ୍ତୁ ଆତ୍ମା ଏକ । ଏହା ଶୁଣି
ଶ୍ୟାମ ର ବାପା ଖୁସି ହୋଇ ଗଲେ ଡାକ୍ତରଙ୍କ ସହିତ ପରାମର୍ଶ କରି ଶ୍ୟାମ ର ଆଖି ଗୋଟିଏ ଆଣି ରାମ ଆଖିରେ ଲଗାଇଲେ । ଦୁଇ ସାଙ୍ଗ ଗୋଟିଏ ଗୋଟିଏ ଆଖିରେ ସୁନ୍ଦର ଦୁନିଆଁ ଦେଖିଲେ , ଦୁଇଜଣ ସାଙ୍ଗହୋଇ ଖୁସିରେ ଦିନ କାଟୁଥାଆନ୍ତି । କିଛି ଦିନ ପରେ ସେମାନେ ବଡ଼ ହୋଇ ଘର ସଂସାର କଲେ ଶ୍ୟାମ ର ପୁଅ ସହିତ ରାମର ଝିଅର ବାହା ଘର ହେଲା, ଦୁଇ ସାଙ୍ଗରୁ ଦୁଇଜଣ ଦୁଇ ସମୁଦୀ ହୋଇଗଲେ। ଗାଆଁ ରେ ଲୋକ ମାନେ କହିଲେ ଏ ଦୁଇ ଜଣଙ୍କ ସମ୍ପର୍କ ଚିରସ୍ଥାୟୀ । ଅତୁଟ ସମ୍ପର୍କ ଯୁଗ ଯୁଗର..
