Bijayalaxmi Das

Children Stories Inspirational

3.0  

Bijayalaxmi Das

Children Stories Inspirational

ଅନୁତାପ

ଅନୁତାପ

2 mins
19



ସେଦିନ ସୋମବାର ଥିଲା । ପୁଅକୁ ସ୍କୁଲ୍ ରେ ଛାଡି ଦେଇ ମନ୍ଦିର ଗଲି । ମନ୍ଦିରରେ ଗହଳି ଥିଲା, ଲାଇନ୍ ରେ ଯାଇ ଠିଆ ହେଲି । ୧୫ ମିନିଟ୍ ଲାଗିଲା, ସରିଗଲା ପୂଜା । ଶିବ ମନ୍ଦିର ହେଲେ ବି, ଅନ୍ୟ ସବୁ ଦେବ, ଦେବୀଙ୍କ ମୂର୍ତ୍ତି ସବୁ ଅଛି । ସମସ୍ତଙ୍କୁ ମୁଣ୍ଡିଆ ମାରି ପ୍ରସାଦ ପାଇଲି । ଏ ସବୁ ସରିବାପରେ ଯେଉଁ ଦୀପସବୁ ଜଳିସାରିଥିଲା ସେଗୁଡିକୁ ସେଠାରେଥିବା ଟିଣ ଡଷ୍ଟବିନ୍ ରେ ପକାଇଦେବା ପାଇଁ ଗଲି ।   


ସେଠାରେ କିନ୍ତୁ ଗୋଟିଏ ୧୦-୧୨ବର୍ଷର ଛୋଟ ପିଲାଟିଏ ଦୀପ ସବୁ ନେଇ ଟିଣରେ ପକାଉଥିଲା । ପତଳା ଧୁଡୁଧୁଡୁ ଦେହ, ମୁଣ୍ଡରେ ଥିଲା ଚନ୍ଦନର ପ୍ରଲେପ । ମନ୍ଦିରରେ ଏ ପାଖରୁ ସେପାଖ ହୋଇ ଦୀପ ସବୁ ପ୍ରାୟ ପକାଇ ସାରିଥିଲା । ଛୋଟ ଛୁଆଙ୍କୁ ଦେଖିଲେ ମୋତେ ବହୁତ ଖୁସି ଲାଗେ । ତେଣୁ ତାକୁ ପାଖକୁ ଡାକିଲି । ପଚାରିଲି,"ତୁ ପାଠ ପଢ଼ୁଛୁ'ବାପା'?"ଉତ୍ତରରେ ସେ କେବଳ ହଁ' କହିଲା ।  - ଆଉ ଏଠି ଆସି କ'ଣ କରୁଚୁ?- ସ୍କୁଲରୁ ଆସି ଏଠାକୁ ଆସିଛି । ମା'କହିଛି ଠାକୁର ମନ୍ଦିର ଆସି ସଫାସଫି କରିଦେବାକୁ । - ଆଉ ତୋ ବାପା?- ବାପା ନାହାନ୍ତି । ଆରପାରିକୁ ଚାଲିଗଲେଣି । - ମା' କ'ଣ କରୁଛି?- ବାବୁ ଘରେ ବାସନ ମାଜୁଛି ।   ପିଲାଟିକୁ କିଛି ପ‌ଇସା ଦେବି ବୋଲି ଭାବିଲି । ପୁଣି ମନ ମାନିଲାନି । ଭାବିଲି, ଛୋଟ ପିଲାଟିଏ,ପ‌ଇସା, ଲୋଭ ଉଦ୍ରେକ କରାଇବ ତା' ମନରେ ।  କିଛି ଖାଇବା ଜିନିଷ କିଣି ତାକୁ ଦେଲି ଓ ମନ ଦେଇ ପାଠ ପଢ଼ିବାକୁକହିଲି । ପାଠ ଭଲ ପଢ଼ିଲେ ଭଲ ଡ୍ରେସ୍ କିଣିଦେବି ବୋଲି ଲୋଭ ଦେଖାଇଲି ।  ପିଲାଟି ମନଖୁସିରେ ହଁ' ମାରି ଘରକୁ ଗଲା ।


ତା'ପର ସୋମବାର ମନ୍ଦିର ଯାଇ ଦେଖିଲି ସେ ପିଲାଟି ଦୀପ ସବୁ ଟିଣରେ ପକାଇ ମନ୍ଦିର ଝାଡୁ ମାରୁଛି । ମୁଁ ଯାଇ ଲାଇନ୍ ରେ ଠିଆହେଲି । ପୂଜା ସାରି ଆସି ମନ୍ଦିର ପାଖ ଦୋକାନରୁ କିଛି ଖାଇବା ଜିନିଷ କିଣି ତାକୁ ଦେଲି । ହଠାତ୍ ଲାଇନ୍ ରେ ଠିଆହୋଇ ଥିବା ଜଣେ ସ୍ତ୍ରୀ ଲୋକ ମୋତେ କହିଲେ,"କାହିଁକି ଏ ଛୋଟ ଲୋକଗୁଡାକଙ୍କର ମୁହଁ ବଢାଉଛନ୍ତି?ଦିନରେ ଭଲ ଦେଖାଇହେବେ ରାତିରେ ଚୋରି କରିବେ । "ଏକଥା ଶୁଣି ପିଲାଟିର ଆଖି ଛଳଛଳ ହୋଇ ଗଲା । କିନ୍ତୁ ମୋତେ ତାକୁ ଦେଖି ସେମିତି ଲାଗୁନଥିଲା । ତା'ର ଆଖି ଯୋଡ଼ିକ ଥିଲା ବିଶ୍ୱାସର ପ୍ରତୀକ, ହୃଦୟ ଥିଲା ପବିତ୍ର ଓ ନିର୍ମଳ ଠିକ୍ ପାହାଡରୁ ବୋହି ଆସୁଥିବା ଝରଣା ଭଳି । ମୁଁ ତାକୁ ଜିନିଷ ନେଇ ଚୁପଚାପ୍ ଚାଲିଯିବାକୁ ଇଙ୍ଗିତ ଦେଲି ।


ହଠାତ୍ ପାଟିତୁଣ୍ଡ ଶୁଣି ଆମେ ବୁଲି ପଡି ପଛକୁ ଅନାଇ ଦେଖୁ ତ,ସେ ସ୍ତ୍ରୀ ଲୋକଙ୍କର ଶାଢ଼ୀରେ ଦୀପଲାଗି ନିଆଁ ଲାଗିଯାଇଛି । ଆଖି ପିଛୁଳାକେ ପିଲାଟି ଦ‌ଉଡିଯାଇ ଶାଢ଼ୀକୁ ହାତରେ ମକଚିପକାଇଲା । ଆମେ ୨-୩ ଜଣ ମିଶି କଳରୁ ପାଣି ନେଇ ତାଙ୍କ ଶାଢ଼ୀଉପରେ ପକାଇବାରେ ଲାଗିଲୁ । ଯା'ହେଉ ନିଆଁ ଲିଭିଗଲା । ସ୍ତ୍ରୀ ଲୋକଜଣକ ଆସି ପିଲାଟିକୁ କୁଣ୍ଢାଇ ପକାଇଲେ । ତାଙ୍କ ଆଖିରୁ ଅନୁତାପର ଲୁହ ଝରଝର ହୋଇ ବୋହୁଥିଲା,ଆଉ ମୋ ଆଖିରୁ ଖୁସୀର । ଆଉ ମନେ ପଡ଼ୁଥିଲା ମଦର ଟେରେସାଙ୍କ ଅତି ସୁନ୍ଦର ବାଣୀ - "କିଛି ବଡ଼ ବଡ଼ ଭଲକାମ କରି ନପାରିଲେ , ଛୋଟ ଛୋଟ ଭଲ କାମ କରିଚାଲ । "          


Rate this content
Log in