Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Santosh Kumar Misra

Others

3  

Santosh Kumar Misra

Others

ଅନୁଭୁତି – ୧୨ (ସହାନୁଭୁତିର ସଂଜ୍ଞା) ( ମୋ ଅନୁଭୁତି ମୋ ନିଜସ୍ବ)

ଅନୁଭୁତି – ୧୨ (ସହାନୁଭୁତିର ସଂଜ୍ଞା) ( ମୋ ଅନୁଭୁତି ମୋ ନିଜସ୍ବ)

7 mins
15


ମୁଁ ସରକାରୀ ଚାକିରୀରେ ଯୋଗ ଦେବାର କିଛି ଦିନ ପରର ଘଟଣା। ମୋର ଚାକିରୀର ପ୍ରଥମ ପୋଷ୍ଟିଂ ଥିଲା ଏକ ଉପାନ୍ତ ଜିଲ୍ଲାରେ। ନୂଆ କରି ଚାକିରୀରେ ଯୋଗ ଦେଇଥିବା ହେତୁ ଏକ ରାଜ୍ୟସ୍ତରୀୟ ତାଲିମ କାର୍ଯ୍ୟକ୍ରମରେ ଭୁବନେଶ୍ବରରେ ଯୋଗଦେବା ପାଇଁ ସରକାରୀ ନିର୍ଦ୍ଦେଶ ପାଇଥାଏ। ଗସ୍ତ ପାଇଁ ଜିଲ୍ଲାପାଳଙ୍କର ମଧ୍ୟ ଅନୁମତି ପାଇସାରିଥାଏ। ମୁଁ ଯେଉଁ ଦିନ ବାହାରିବା କଥା ତାର ଛଅକି ସାତ ଦିନ ପୂର୍ବରୁ ଖୁବ୍‌ ବର୍ଷା ହେଉଥାଏ ସେହି ଅଞ୍ଚଳରେ। ତେଣୁ ମନେ ହେଉଥାଏ ମୁଁ ହୁଏତ ତାଲିମ୍‌ ଶିବିରରେ ଯୋଗଦେଇ ପାରିବିନି। କାରଣ ବର୍ଷା ଜନିତ ପାହାଡିଆ ଜଳ ସ୍ରୋତ କେଉଁଠି ରାସ୍ତା ଧୋଇନେଉଥାଏ ତ କେଉଁଠି ରାସ୍ତା ଉପରେ ଘଣ୍ଟା ଘଣ୍ଟା ଧରି ତିନି ଚାରି ଫୁଟ ପାଣି ଚାଲୁଥାଏ। ଫଳରେ ବସ ଚଳାଚଳ ବହୁତ ଅନିଶ୍ଚିତତା ମଧ୍ୟରେ ଚାଲେ। ଏମିତି ବି ହୁଏ କି ସଦର ମହକୁମା ଛାଡିଦେଲା ପରେ କେହି ନିଶ୍ଚିତ ହୋଇ ପାରୁନଥିଲେ କେବେ ଲକ୍ଷସ୍ଥଳରେ ପହଞ୍ଚିବେ।

ଯେହେତୁ ନୂଆ ଚାକିରୀ କରିଥିଲି ସରକାରୀ ନିର୍ଦ୍ଦେଶନାମା ପାଳନ ନକରିପାରିବାର ଭୟରେ ମୁଁ ବାହରିଲି। ଆମ ବସ ଯେତେବେଳେ ନିକଟତମ ଘାଟି ପାର ହେଲା ସେତେବେଳକୁ ପ୍ରାୟ ରାତି ବାରଟା ବାଜିଥାଏ। ଆଗରେ ଘାଟି ପରେ ପରେ ଭରା ନଈ । ବସ ଚାଳକ ବସକୁ ଥୋଇଦେଇ ନଦୀର ବନ୍ୟା ଜନିତ ପରିସ୍ଥିତି ଅନୁଧ୍ୟାନ କରିବାକୁ ବାହାରିଲେ। ବସଟି ରହିଗଲା ପରେ ସମସ୍ତେ ଚିରା ଚରିତ ଅଭ୍ୟାସ ମୁତାବକ ଖପାଖପ୍‌ ଓହ୍ଲାଇଗଲେ ଓ ଚାଳକ ମହାଶୟଙ୍କ ପଛରେ ଧାଡି ହୋଇ ନଦୀ ଆଡେ ମୁହାଁଇଲେ। ଦେଖାଗଲା ନଦୀ ପୁରା ଦୁଇ କୂଳ ଖାଉଛି ଓ ବନ୍ୟା ପାଣି ପୋଲର ଠିକ୍‌ ତଳ ଭାଗକୁ ଛୁଇଁ ବହି ଚାଲି ଥାଏ। ବସଟି ଏହି ଅବସ୍ଥାରେ ପୋଲ ଉପରେ ଯାଇପାରିବ କି ନାହିଁ ଚିନ୍ତା କରି କରି ଶେଷରେ ଚାଳକ ବସ ନେଇ ଯିବାକୁ ବିଚାର କଲେ ଓ ତୁରନ୍ତ ବସରେ ବସିଯିବାକୁ ସମସ୍ତଙ୍କୁ ଅନୁରୋଧ କଲେ। ଯେଉଁ କେତେଜଣ ବସଯାତ୍ରୀ ପରିସ୍ଥିତି ଦେଖି ଡରି ଗଲେ ସେମାନେ ବସରୁ ଓହ୍ଲାଇଗଲେ। କିନ୍ତୁ ମୋ ପରି ନିହାତି ଜରୁରୀ କାମ ଥିବା କିଛି ଲୋକ ଇଷ୍ଟଦେବୀଙ୍କୁ ସୁମରଣା କରି ବସରେ ବସିଲେ। ବସକୁ ଚାଳକ କିଛି ବାଟ ପଛେଇ ନେଇ ଖୁବ୍‌ ଜୋରରେ ପୋଲ ଉପରେ ନେଇ ଚାଲିଲେ। ମନେ ହେଉଥାଏ କିଛିବି ଅଘଟଣ କେଉଁ ମୁହୂର୍ତ୍ତରେ ଘଟିଯାଇପାରେ। ସିଧା କଥାରେ କୋଉ ମୁହୁର୍ତ୍ତରେ ପୋଲ ଭୁଷୁଡି ଯାଇ ବସ ଭାସିଯାଇପାରେ। ଯାହା ହେଉ ଆମେ ପୋଲ ଅତିକ୍ରମ କରିଗଲା ପରେ ଶହେ କି ଦୁଇ ଶହ ଫୁଟ ଆଗରେ ଗୋଟିଏ ଛୋଟ ଜଳଖିଆ ଦୋକାନ ପାଖରେ ଚାଳକ ବସଟି ରଖିଲେ। ବନ୍ୟା ଜନିତ ପରିସ୍ଥିତି ପାଇଁ ଜଳଖିଆ ଦୋକାନଟି ଖୋଲା ରଖିଥାଆନ୍ତି ତାର ମାଲିକ। ସେହି ଦୋକାନ ପାଖରେ ଗୋଟିଏ ଗଛମୂଳରେ ଛୋଟ ଚଉତରାଟି ଉପରେ କେହିଜଣେ କେବେ ପଥର ଖଣ୍ଡେ ରଖିଦେଇ ସେଥିରେ ସିନ୍ଦୁର ମାଖି ନେଇ ଠାକୁରାଣୀ ମୁର୍ତ୍ତିଟିଏ ପ୍ରତିଷ୍ଠା କରିଥିଲେ। ବସ ଚାଳକ ସେହି ମୂର୍ତ୍ତି ପାଖରେ ଆଣ୍ଠୁମାଡି ବସି ଭୋ ଭୋ କାନ୍ଦିଲେ। ଆମମାନଙ୍କୁ ବୁଝିବାକୁ ବାକି ନଥିଲା ଯେ ସେହି ଲୁହ ତାଙ୍କର ଥିଲା କୃତଜ୍ଞତାର ଲୁହ। ସେ ଯାହା ଭୟାନକ ପରିସ୍ଥିତି ଥିଲା ଯେ କୌଣସି ଜଣେ ନାସ୍ତିକ ମଧ୍ୟ ଭଗବାନଙ୍କର ଅସ୍ତିତ୍ବକୁ ବିନା ଯୁକ୍ତିରେ ଓ ବିନା ଦ୍ବିଧାରେ ମାନିନେବାକୁ ବାଧ୍ୟ ହେବ ସେହି ସମୟରେ। ଖୁବ୍‌ ଅଳ୍ପ ସମୟ ପରେ ଏପଟରୁ ଯେଉଁମାନେ ଚାରିଚକିଆ ମୋଟର ଗାଡିରେ ଯାଉଥିଲେ ସେମାନେ ଫେରିଆସି ସେହି ଦୋକାନ ପାଖକୁ ଖବର ଦେଲେ କି ପୋଲଟି ସମ୍ପୂର୍ଣ୍ଣ ରୂପେ ଭୁଷୁଡି ଯାଇଛି। ସେଦିନ ସେହି ଜଳଖିଆ ଦୋକାନଟି ବାଟୋଇ ମାନଙ୍କ ପାଇଁ ଏକ ସୁରକ୍ଷିତ ଆଶ୍ରୟସ୍ଥଳ ପାଲଟି ଯାଇଥିଲା ରାତ୍ରିର ସେହି ବିଳମ୍ବିତ ପ୍ରହରରେ। ଆମେ ସମସ୍ତେ ବିଶେଷ କରି ବସ ଚାଳକ ସାମାନ୍ୟ ପ୍ରକୃତିସ୍ଥ ହେଲାପରେ ଆମ ବସ ପୁଣି ଚାଲିବା ଆରମ୍ଭ କଲା ଭୁବନେଶ୍ବର ଅଭିମୁଖେ। ବାଟରେ ଅନେକ ଛୋଟ ଛୋଟ ନାଳ ପଡୁଥାଏ , କୋଉଠି ରାସ୍ତା ଉପରେ ପାଣି ଚାଲୁଥାଏ । ବହୁ ସତର୍କତାର ସହିତ ବସ ଚାଳକ କିନ୍ତୁ ସୁରକ୍ଷିତ ଭାବରେ ଆମକୁ ଭୁବନେଶ୍ବର ପହଞ୍ଚାଇବାରେ ସକ୍ଷମ ହେଲେ। ପରେ ଶୁଣିଲି ସେହି ବସ ଚାଳକ ବସ ଓ ବସ ଯାତ୍ରୀଙ୍କର ଜୀବନ ବିପଦାପର୍ଣ୍ଣ କରି ବିପଦଶଙ୍କୁଳ ସେହି ପୋଲ ଉପରେ ଆଣିଥିବାରୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଦିଆଯାଇଛି। କେହି କିନ୍ତୁ ଭାବିଲେନି ଯେ ସେ ହି ବିପଦ ଶଙ୍କୁଳ ରାତିର ସେ ହି ପ୍ରହରରେ ବସ ଯାତ୍ରୀ ସବୁ କିପରି ଓ କେଉଁ ମାନସିକ ସ୍ଥିତିରେ ଥିଲେ ଅଥବା ବିଚରା ବସ ଚାଳକ ନିଜ ଜୀବନକୁ ବିପଦାପର୍ଣ୍ଣ କରି ସୁରକ୍ଷିତ ଭାବେ ବସ୍ ଓ ବସ ଯାତ୍ରୀଙ୍କୁ ପୋଲ ପାର କରେଇ ଥିଲେ । ସେ ହି ବସ ରେ ମୋର ସହଯାତ୍ରୀ ଥିବା ସମସ୍ତ ଯାତ୍ରୀ ଯେଉଁମାନେ ବସ ଚାଳକଙ୍କୁ ସେହି ମୁହୂର୍ତ୍ତରେ ପ୍ରଶଂସାରେ ପୋତି ପକେଇଥିଲେ ନିଶିତ ଦୁଃଖ ଅନୁଭୁତ କରିଥିବେ ବସ ଚାଳକଙ୍କ ନିଲମ୍ବନ ସମ୍ବାଦରେ।

                  ଯାହା ବି ହେଉ ବସଟି ଆମର ନିର୍ଦ୍ଦିଷ୍ଟ ସମୟ ଠାରୁ ଅଳ୍ପ କିଛି ବିଳମ୍ବରେ ଆସି ପହଞ୍ଚିଲା ଭୁବନେଶ୍ବରରେ । ମୁଁ ତାଲିମ ଶିବିରରେ ଯୋଗଦେବା ପାଇଁ ମୋ କାର୍ଯ୍ୟାଳୟକୁ ଯାଇ ଦେଖେ ତ ଶିବିର କାର୍ଯ୍ୟକ୍ରମକୁ ବନ୍ୟା ଜନିତ ପରିସ୍ଥିତି ପାଇଁ ମୁଲତବି କରି ଦିଆଯାଇଛି। ବିଭାଗ ନିର୍ଦ୍ଦେଶ କରିଛି କି ସବୁ ତାଲିମ ନେବାକୁ ଆସିଥିବା କର୍ମଚାରୀ ବନ୍ୟାପିଡିତ ରାଜ୍ୟବାସୀଙ୍କୁ ସହାୟତା ପ୍ରଦାନ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେହି ନିର୍ଦ୍ଦେଶ ମୁତାବକ ଆମେ ଯାଇ ସହାୟତା ପ୍ରସ୍ତୁତି କେନ୍ଦ୍ରରେ ଯୋଗ ଦେଲୁ।       

 ସେତେବେଳକୁ ସରକାର ନିଷ୍ପତ୍ତି କରି ସାରିଥାଆନ୍ତି କି ବନ୍ୟା କ୍ଲିଷ୍ଟ ଲୋକମାନଙ୍କ ପାଇଁ ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ଖାଦ୍ୟ ପୁଡିଆ ଯୋଗାଇ ଦିଆଯିବ । ସେଥିପାଇଁ ଆବଶ୍ୟକୀୟ ସାମଗ୍ରୀ ସବୁ ଯଥା ଚୁଡା, ଗୁଡ, ବିସ୍କୁଟ୍‌, ମହମବତୀ, ଡିଆସିଲି, ଖିର ପାଉଡର ଆଦି ସଂଗ୍ରହ କରି ପ୍ରସ୍ତୁତି କେନ୍ଦ୍ରରେ ମହଯୁଦ କରା ଯାଉଥାଏ। ସେ ସବୁ ସାମଗ୍ରୀ ସାଧାରଣ ଭାବରେ ଗୋଟିଏ ଯାଗାରେ ଜମା କରି ତାକୁ ଜରି ମୁଣା ରେ ଭର୍ତ୍ତିକରି ଜଉମୁଦ ଦେଇ ବସ୍ତା ମାନଙ୍କରେ ରଖି ଆକାଶ ମାର୍ଗରୁ ଲୋକମାନଙ୍କ ପାଖରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଥାଏ। ଆମେମାନେ ପହଞ୍ଚୁ ପହଞ୍ଚୁ ସହାୟତା କେନ୍ଦ୍ରର ମୂଖ୍ୟ ଆମକୁ ସେହି କାର୍ଯ୍ୟ ସମ୍ପାଦନ କରିବାରେ ନିୟୋଜନ କରିଦେଲେ। ଅନେକ କର୍ମଚାରୀ ଜରି ମୁଣା ପ୍ରସ୍ତୁତ କରିବାରେ ନିୟୋଗ ହୋଇଥାଆନ୍ତି ।

ମୁଁ ମଧ୍ୟ ସେମାନଙ୍କ ଭିତରେ ଜଣେ ଥିଲି। ରାତି ଦିନ କାମ ଚାଲିଥାଏ । ଆଶ୍ଚର୍ଯ୍ୟର କଥା କୌଣସି କର୍ମଚାରୀ କିଛି ଅଭିଯୋଗ ନକରି ଅହର୍ନିଶ କାମ କରୁଥାଆନ୍ତି । ସମସ୍ତଙ୍କର ଗୌଟିଏ ଲକ୍ଷ ଥିଲା। ସେମନେ ବନ୍ୟା ପ୍ରପିଡିତମନଙ୍କ ପାଇଁ ସହାନୁଭୁତିଶୀଳ ଥିଲେ। ସେମାନଙ୍କ ମନରେ ଗୋଟିଏ ଚିନ୍ତା ଥିଲା ଯେପରି ଏହି ସବୁ ସାମଗ୍ରୀ ଭର୍ତ୍ତି ଜରି ମୁଣା ସବୁ ବନ୍ୟା କ୍ଷତିଗ୍ରସ୍ତ ଲୋକମାନଙ୍କ ପାଖରେ ଶୀଘ୍ର ପହଞ୍ଚି ପାରିବ।

ମୁଁ ଯେହେତୁ ନୂଆ ନୂଆ ଚାକିରୀରେ ଯୋଗ ଦେଇଥାଏ ଏସବୁ ମୋ ପାଇଁ

ନୂଆ ଅଭିଜ୍ଞତା ଥାଏ। ସରକାରୀ ଚାକିରୀ କହିଲେ ଆମେ ସବୁ ବେଳେ ଭାବୁଥିଲୁ କୋଠା ଘରେ ବିଜୁଳି ପଙ୍ଖା ତଳେ ଦିନ ଦଶରୁ ପାଞ୍ଚ ପର୍ଯ୍ୟନ୍ତ ବସି ଅନ୍ୟ ସାଥୀ କର୍ମଚାରୀଙ୍କ ସହିତ ଦୁଇ ପଦ ଖୁସି ଗପ କରୁ କରୁ ଯାହା ଦୁଇଟି କାମ କରିଦେଇ ଘରକୁ ଆସିବା। କିନ୍ତୁ ଏହି କମରେ ନିୟୋଗ ହେବା ପରେ ସେ ଭ୍ରାନ୍ତ ଧାରଣା ବଦଳି ଗଲା। ବରିଷ୍ଠ ତଥା ସମସାମୟିକ କର୍ମଚାରୀ ଭାଇ ମାନଙ୍କର ସେ ସମୟର ନିଷ୍ଠା ଓ ତତ୍ପରତା ଦେଖି ମୁଁ ନିଜେ ନିଜକୁ ଖୁବ୍‌ ଧନ୍ୟ ମନେ କରୁଥିଲି। ସବୁ ସରକାରୀ କର୍ମଚାରୀ ଭାଇ ଯଦି ନିଜ ନିଜକୁ ଜଣେ ଜଣେ ସମାଜ ସେବକ ବୋଲି ଭାବନ୍ତେ ତେବେ ଏ ଦେଶର ନେତା ସାଧାରଣ ଜନତାଙ୍କୁ ବିକାଶର ଶ୍ଲୋଗାନ ଦେଇ ଭୂଆଁ ବୁଲେଇବାର ସୁଯୋଗ ପାଇ ପାରନ୍ତେନି।

ମୁଁ କାମରେ ଯୋଗ ଦେଲା ବେଳକୁ ଦୁଇ ଦିନ ଧରି କାମ ଆରମ୍ଭ ହେଇ

ସାରିଥିଲା। ମୋର ସେଦିନ ରାତି ଆଠଟାରୁ ତାପର ଦିନ ଭୋର ଛଅଟା ପର୍ଯ୍ୟନ୍ତ ନିୟୋଜନ ନିର୍ଦ୍ଦେଶ ରହିଥାଏ। ମୁଁ ପହଞ୍ଚିଲା ପରେ ସେହି କାମକୁ ତଦାରଖ କରୁଥିବା ଜଣେ ମଧ୍ୟ ବର୍ଗୀୟ ଅଧିକାରୀ ମୋତେ ଗୁଡ ବଣା ପାଖରେ ରହି ପ୍ରତିଟି ଜରି ମୁଣାରେ ନିର୍ଦ୍ଦିଷ୍ଟ ପରିମାଣର ଗୁଡ ରହିଲା କି ନାହିଁ ସେ ସବୁକୁ ନିଶ୍ଚିତ କରି ଦେଖିବାକୁ ନିର୍ଦ୍ଦେଶ ଦେଲେ। ଅନ୍ୟ ଯେଉଁ ମାନେ ସେ କାମରେ ନିୟୋଜିତ ଥିଲେ ତାଙ୍କ ସହିତ ମିଶି ମୁଁ କାମ ଆରମ୍ଭ କଲି। ରାତି ସେତେବେଳକୁ ପ୍ରାୟ ନଅଟା ବାଜି ସାରିଥାଏ। ଆମ ଭିତରେ କଥା ପଡିଲା କିଏ କେମିତି ରାତ୍ରୀ ଭୋଜନ ପାଇଁ ଯିବେ। ମୁଁ ଘରୁ ଖାଇ କରି ଯାଇ ଥିବାରୁ ମୋର ସେ ଚିନ୍ତା ରହି ନଥିଲା । ଆମ ଭିତରୁ କେତେଜଣ ପାଖ ହୋଟେଲ ରେ କିଛି ଖାଇନେବାକୁ ଗଲେ ଓ ବଳକା କାମ ଜାରି ରଖିଲେ। କଥା ଥିଲା ସେମାନେ ଆସିଲେ ଏହି ବଳକା ଲୋକ ମାନେ ଖାଇବକୁ ଯିବେ। ଯାହା ହେଉଥିଲା ସମସ୍ତଙ୍କ ସହମତିରେ ହେଉଥିଲା। ରାତି ସାଢେ ନଅ ଖଣ୍ଡେ ହବ। ଯିଏ ଯିଏ ଖାଇବାକୁ ଯାଇଥିଲେ ଜଣେ ଜଣେ କରି ସବୁ ଫେରିବାକୁ ଲାଗିଥାଆନ୍ତି। ବଳକା ଯିଏ ଥିଲେ ତାଙ୍କ ଭିତରୁ ସେହି ପରିମାଣର ଲୋକେ ଖାଇବାକୁ ଯାଉଥିଲେ। କାମ ଖୁବ୍‌ ସୁରୁଖୁରୁରେ ଚାଲୁଥିଲା। ହସଖୁସି ଥଟ୍ଟା ଟାପରା ଭିତରେ କାମର ବାଧା ଜଣା ପଡୁ ନଥିଲା। ସେତେବେଳେ କାହା ମନରେ ନଥିଲା ମୁଁ ଅଧିକାରୀ, ସେ କର୍ମଚାରୀ ଇତ୍ୟାଦି। ସମସ୍ତେ ନିଷ୍ଠାର ସହିତ କାମରେ ଲାଗି ପଡିଥାଆନ୍ତି। ଏପରିକି ଆମ କାମ କୁ ତଦାରଖ କରିବାକୁ ଉପସ୍ଥିତ ରହିଥିବା ଅଧିକାରୀ ମଧ୍ୟ ଆମ ସହିତ ମିଶି ନିଜେ କାମ କରୁଥିଲେ।

କାମ ଖୁବ୍‌ ଜୋରସୋରରେ ଚାଲିଥାଏ। କେତେବେଳେ ଯେ ରାତି ଅଧ ହେଇ

ସାରିଥାଏ ଆମେ ଜାଣି ପାରିନଥିଲୁ। ଆମ ଦଳରେ ତଦାରଖକାରୀ ଅଧିକାରୀଙ୍କୁ ଛାଡି ଆମେ ସାତ ଜଣ ଥିଲୁ। ଆମେ କଥା ହେଲୁ କାମ ଚାଲୁ ରଖି ଆମ ଭିତରୁ ଦୁଇଜଣ ଲେଖାଏଁ ଅଧ ଅଧ ଘଣ୍ଟା ବିଶ୍ରାମ କରିବୁ। ସେହି ଅନୁସାରେ ଆମ ଭିତରେ ଯିଏ ବୟସ୍କ ଲୋକ ଥିଲେ ତାଙ୍କୁ ଅନୁରୋଧ କରଗଲା ଟିକିଏ ଟିକିଏ ବିଶ୍ରାମ ନେଇଯିବା ପାଇଁ। ତାଙ୍କ କାମକୁ ଆମେ ବାଣ୍ଟିନେଲୁ ଏବଂ କାମ ଚାଲୁ ରଖିଲୁ। ଏହି ସମୟରେ ଜଣେ ବରିଷ୍ଠ ଅଧିକାରୀ ଝଡ ଭଳି ପଶି ଆସିଲେ କାର୍ଯ୍ୟସ୍ଥଳୀକୁ। ପଶୁ ପଶୁ ତାଙ୍କ ଆଖିରେ ପଡିଲା ଯେ ଦୁଇ ଜଣ କାନ୍ଥକୁ ଆଉଜି ବସି ଶୋଇ ଯାଇଛନ୍ତି। ସେଥିରେ ଅଧିକାରୀ ଜଣକ ପ୍ରଚଣ୍ଡ ରାଗି ଗଲେ। ଖୁବ୍‌ କଡା ଭାଷାରେ ସମସ୍ତଙ୍କୁ ଗାଳି ଦେଲେ ଏବଂ ଶୋଇଥିବା ବ୍ୟକ୍ତି ଦୁଇ ଜଣଙ୍କ ନାମରେ କର୍ଯ୍ୟରେ ଅବହେଳା ନେଇ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିବାକୁ ଧମକ ଦେଲେ। ସେ ବିଚାର କଲେନି କି କାହିଁକି ଓ କେଉଁ ପରିସ୍ଥିତିରେ ସେ ଦୁଇ ଜଣ ବସି ଯାଇଥିଲେ। ଯେଉଁ କର୍ମଚାରୀ ବନ୍ଧୁମାନେ ସେହି ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ ଜାଣିଥିଲେ ସେମାନେ ସମସ୍ତେ ଏକଯୁଟ ହେଇଗଲେ । ଉକ୍ତ ଅଧିକାରୀଙ୍କର ଏତାଦୃଶ ବ୍ୟବହାର କୁ ନେଇ ସମସ୍ତେ ସାମୁହିକ ଅସନ୍ତୋଷ ପ୍ରକାଶ କରି କାମ ବନ୍ଦ କରିଦେବାକୁ ଚିନ୍ତା କଲେ। ଉପରୋକ୍ତ ଅଧିକାରୀ ଜଣଙ୍କ ଆସନ୍ନ ବିପଦକୁ ସୁଂଘି ନେଲାପରେ ତାଙ୍କ ପାଇଁ ଉଦ୍ଦିଷ୍ଟ କୋଠରି ଭିତରକୁ ପଶିଗଲେ। ଜଣେ କେହି ତାଙ୍କର ପରିଚାରକ ଆସି ଆମକୁ ଖବର ଦେଲେ ବୁଢା ଶୋଇ ଗଲାଣି। ବୋଧ ହୁଏ ମାଲ ଟିକିଏ ପକେଇ ଦେଇଥିଲା। ସେଥିପାଇଁ ଉଦଣ୍ଡ ନୃତ୍ୟ କରୁଥିଲା। ହଲ୍‌ ଭିତରେ ଚାପା ହାସ୍ୟରୋଳ ସୃଷ୍ଟି ହେଲା ଏବଂ କିଛି ସମୟର ବ୍ୟବଧାନ ପରେ ପୁଣି କାମ ପୂର୍ବବତ୍‌ ଚାଲୁ ରହିଲା। ଏହି ସମୟରେ ମହାମାନ୍ୟ ରାଜ୍ୟପାଳଙ୍କ ଗାଡି ଥାଟ୍ଟ ପଟୁଆର ସହିତ କାର୍ଯ୍ୟ ସ୍ଥଳ ପରିସରକୁ ପ୍ରବେଶ କଲା। ଉଦ୍ଦେଶ୍ୟ ଥିଲା ମହାମାନ୍ୟ ରାଜ୍ୟପାଳ ହଠାତ୍‌ ସହୟତା ପ୍ରସ୍ତୁତି କେନ୍ଦ୍ରରେ ପହଞ୍ଚି କାର୍ଯ୍ୟ ତଦାରଖ କରିବା ସହିତ କାର୍ଯ୍ୟରେ ନିୟୋଜିତ ସମସ୍ତ କାର୍ମଚାରୀ ବନ୍ଧୁଙ୍କୁ ଉତ୍ସାହିତ କରିବେ। ଉପସ୍ଥିତ ଅଧିକାରୀ ମାନେ ରାଜ୍ୟପାଳଙ୍କୁ ସ୍ବାଗତ କଲେ । ଅବଶ୍ୟ ସେହି ସମୟରେ କୌଣସି ପ୍ରୋଟକଲ ବ୍ୟବସ୍ଥାକୁ ଅନୁସରଣ କରାଯାଇ ପାରିଲା ନାହିଁ । ରାଜ୍ୟପାଳ ମହୋଦୟ ଯଥାସାଧ୍ୟ ଚେଷ୍ଟାକରି କାର୍ଯ୍ୟ ସୁଚାରୁ ରୂପେ ତୁଲାଇବକୁ କର୍ମଚାରୀ ଭାଇମାନଙ୍କୁ ଅନୁରୋଧ କରୁଥାଆନ୍ତି ।

ଆମ ଭିତରୁ କେହି ଜଣେ ଶୋଇଯାଇଥିବା ବିବାଦୀୟ ଅଧିକାରୀ ଙ୍କୁ ଖବର

କରିଦେଲା ଯେ ହଲରେ ମାନ୍ୟବର ରାଜ୍ୟପାଳ ମହୋଦୟଙ୍କର ଉପସ୍ଥିତ ଅଛନ୍ତି। ସେ ହଠାତ୍‌ ଉଠିପଡି ଆସି ଆମକୁ ଠେଲା ଠେଲି କରିଦେଇ ଭୁଷଭାଷ୍‌ କରି ତାଙ୍କର ହାତ ଦୁଇଟାକୁ ଆମ ପାଖରେ ଥିବା ଗୁଡ ବଣା ଭିତରେ ପୁରେଇଦେଲେ। ଭୁଲି ଗଲେ ନିଜ ଫୁଲ୍‌ସାର୍ଟର ହାତଟାକୁ କହୁଣି ଯାଏଁ ଅନ୍ତତଃ ଟେକି ଦେବାକୁ। ତାଙ୍କର ଏପରି ଆଚରଣ ଆମକୁ ବୁଝାପଡିଲାନି ସେତେବେଳେ। ସେହି ଅବସ୍ଥାରେ ସେ ଧାଇଁ ଯାଇ ପହଞ୍ଚିଗଲେ ମହାମହୀମ ରାଜ୍ୟପାଳଙ୍କ ପାଖରେ । ତାଙ୍କୁ ମାନ୍ୟ ପ୍ରଦର୍ଶନ ଆଳରେ ନିଜ ପାରିବା ପଣିଆକୁ ବଖାଣି ଚାଲିଲେ। ସେତବେଳକୁ କେହି ଜଣେ ତାଙ୍କର ମିତ୍ର ଏହି ଅଧିକାରୀଙ୍କ ଶୋଇବା ବିଷୟରେ ମନନୀୟ ରାଜ୍ୟପାଳଙ୍କୁ ଅବଗତ କରି ସାରିଥିଲେ। ପରବର୍ତ୍ତି ସମୟରେ ତାଙ୍କୁ ଏପରି ଅବସ୍ଥାରେ ଦେଖି ମାନନୀୟ ରାଜ୍ୟପାଳ ବିରକ୍ତି ପ୍ରକାଶ କଲେ। ହଲ ଭିତରେ ସମସ୍ତେ ଉକ୍ତ ଅଧିକାରୀଙ୍କ ଆଚରଣ ଦେଖି ଯେତିକି ବ୍ୟଥିତ ହେଇଥିଲେ ବର୍ତ୍ତମାନ ତାଙ୍କୁ ମାନନୀୟ ରାଜ୍ୟପାଳଙ୍କ ଭର୍ତ୍ସନା ପରେ ସେତିକି କୁରୁଳୁ ଥିଲେ। କାମ କିନ୍ତୁ ଆମର ଚାଲୁ ରହିଥାଏ। କିଛି ସମୟ ପରେ ଦେଖାଗଲା ମୂଖ୍ୟ ଶାସନ ସଚିବ ହଲ ରେ ଉପସ୍ଥିତ ହେଲେ ଏବଂ ଉକ୍ତ ବରିଷ୍ଠ ଅଧିକାରୀଙ୍କୁ ଭାରମୁକ୍ତ କଲେ। ବିଚରା ଅଧିକାରୀ ଜଣକ ରାତି ଅଧରେ ଖୁବ୍‌ ଅସହାୟ ଅବସ୍ଥାରେ ହାତରୁ ବୋହି ପଡୁଥିବା ଗୁଡ ଛାଟି ଛାଟି ପରିସର ବାହାରକୁ ଯାଇ ଅଟୋ ଖୋଜିଥିଲେ। ( ସମାପ୍ତ )



Rate this content
Log in