ଅନୋଖା କାହାଣୀ(ଗବ୍ବର ସିଂ ଓ ସିଆଇଡି)
ଅନୋଖା କାହାଣୀ(ଗବ୍ବର ସିଂ ଓ ସିଆଇଡି)
ସିତୁ ଓ ତା ଜେଜେ ସଦା ସର୍ବଦା ବସି ସିଆଇଡି ଦେଖନ୍ତି।ଏମିତି କୌଣସି ଦିନ ନାହିଁ ନ ଦେଖିଛନ୍ତି। ଏପରିକି ଖାଇବା ମଧ୍ୟ ସେଇଠାରେ। ଗୋଟିଏ ଏପିସୋଡକୁ ରାତିରେ ବି ଦେଖନ୍ତି ଓ ଦିନରେ ବି। ଘରେ ସମସ୍ତେ ପାଟି କରନ୍ତି ଜେଜେଙ୍କୁ। ଜେଜେମା କୁହନ୍ତି, ତୁମେ ତ ବୁଢା ହେଲଣି କିଛି ମନେ ରହୁନି ପିଲାଟାକୁ ବି ଟିଭି ଦେଖେଇ ଦେଖେଇ ତାର ବି କିଛି ମନେ ରହୁନି। ଦି ଦିନ ହେଲା କହୁଛି ମୋର ପାନ ସରିଯାଇଛି ଆଣିବାକୁ । ମାତ୍ର କହୁଛି ଭୁଲିଗଲି। ଏମିତି କି ମନ କି ତାର ଖାଲି ଭୁଲି ଯାଉଛି।ସା
ସିଆଇଡି ସମୟ ଟା ତ ଭୁଲୁନି। ଆଜି ରଘୁ ଆସୁ ତାକୁ କହିବି ଟିଭିଟା ନେଇ ମୋ ରୁମରେ ଲଗେଇଦେବ।ତାପରେ ଦେଖିବି କେମିତି ଦେଖିବ। ଜେଜେମାଙ୍କର ଏତେ କଥା ଶୁଣି ଜେଜେ ସିତୁକୁ କହିଲେ, ତୁ ଆଗ ଯାଆ ଜେଜେମା ପାଇଁ ପାନ ନେଇ ଆସିବୁ ତାପରେ ଦେଖିବା।ସିତୁର ଏକା ଯିଦ ଦେଖିସାରିଲେ ଯିବ। ଏହା ଦେଖି ଜେଜେମା କହିଲେ ତୁ ଯଦି ଏବେ ମୋର ପାନ ଆଣିଦେବୁ ମୁଁ ତତେ ଗବର ସିଂ ର କଥା କହିବି ଓ ତା ସହ ସିଆଇଡି କଥା ବି ଯାହା ତୁ କେବେ ଦେଖିନଥିବୁ କି ଜାଣି ନଥିବୁ।
ଏକଥା ଶୁଣି ସିତୁ ଧାଇଁଗଲା ପାନ ପାଇଁ। ସେ ଗଲା ପରେ ଜେଜେବାପା କହିଲେ, ହଇହୋ ଏ ଗବର୍ ସିଂ ସହ ସିଆଇଡିକୁ କୋଉଠୁ ଆଣିଲ। ଏହାକୁ ପୁଣି ସେ ଛୋଟ ପିଲାକୁ କହିବ, ସେ ହସିବନି। ଜେଜେମାଆ ରାଗିଉଠି କହିଲେ ତୁମେ ଖାଲି ଶୁଣ। ଏହା କହି ମୁହଁକୁ ମୋଡିଦେଇ ଜେଜେମା ପାନଡାଲା ଧରି ବସିଗଲେ। ସିତୁ ଆସି ଆଗ୍ରହର ସହ ଗୋଡହାତ ଧୋଇ ବସିପଡିଲା। ଏହା ଦେଖି ଜେଜେମାଆ କହିଲେ ଦି ମିନିଟର କାମ ଦି ଦିନ ହେଲା କରୁନଥିଲୁ। ସିତୁ ଶୁଣି କହିଲା ହଉ ଛାଡ, ଜେଜେମାଆ ତୁମେ କୁହ ଏହା କହି ସେ ଜେଜେବାପାଙ୍କ ପାଖରେ ଯାଇ ବସିପଡିଲା।
ଜେଜେମାଆ ଆରମ୍ଭ କଲେ ,
ଗବର୍ ସିଂ କେହ୍ କର ଗୟା ,
ଯୋ ଡର୍ ଗୟା, ବୋ ମରଗୟା
ସିତୁ କହିଲା, ମୁଁ ଜମା ଡରିବିନି କୁହ।
ରାମନଗର ଗାଁକୁ ପୁରା ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଥିଲା ଗବର୍ ସିଂ। ଲୋକଙ୍କୁ ଡରେଇ ରଖିବା, ଲୁଟ କରିବା ତାର କାମ। ଯିଏ ତା ରାସ୍ତାରେ ଆସିବ ତାକୁ ତା ପ୍ରାଣ ହରେଇବାକୁ ପଡେ। ତେଣୁ ଡରରେ କେହି ପ୍ରତିବାଦ କରନ୍ତି ନାହିଁ। ତାର ଚେଲା କାଲିଆ ସବୁ ଲୁଟ କରି ଆଣେ। ଯଦି ଫେଲ ମାରିଲା ତେବେ ଗବର୍ ସିଂ ଯାଏ।ଦିନେ ଗାଁ ଲୋକ ମିଶି ଭାଗବତ ଟୁଙ୍ଗୀରେ ଆଲୋଚନା କଲେ ପୋଲିସକୁ ନକହି ସିଆଇଡିକୁ କହିବା। ସେମାନେ ସାଧା ପୋଷାକ ଧାରୀ, ଆସି ନିହାତି ଗବର ସିଂ କୁ ଧରିବେ। ଏହା ଭାବି ଏସିପି ପ୍ରଦ୍ୟୁମ୍ନକୁ ଫୋନ କଲେ ଓ ସବିସ୍ତାରେ ସବୁକଥା କହି ତାଙ୍କୁ ଗୁହାରି କଲେ ଆସି ଗାଁ ଲୋକଙ୍କୁ ସାହାଯ୍ୟ କରିବା ପାଇଁ। ସଙ୍ଗେସଙ୍ଗେ ଏସିପି ରାଜି ହୋଇଗଲେ। ଦୁଇଦିନ ପରେ ଏସିପି ପ୍ରଦ୍ୟୁମ୍ନ ତାଙ୍କ ସାଥିଙ୍କୁ ଧରି ଆସି ପହଞ୍ଚି ଗଲେ। ଏହା ଦେଖି କାଲିଆ ଯାଇ ଖବର ଦେଲା ଯେ ଗାଁକୁ କିଛି ଲୋକ ଆସିଛନ୍ତି।
ଗବର୍ ସିଂ ଗୁମ୍ଫା ଭିତରୁ ବାହାରି ପଚାରିଲା, "କିତନେ ଆଦମୀ ଥେ ରେ କାଲିଆ" । ଏହା ଶୁଣି ଡରିଡରି କାଲିଆ କହିଲା "ପାଞ୍ଚ୍ ଆଦମୀ ଥେ ଔର୍ ଦୋ ଔରତ୍। "ଇସ୍, ଏ ଔରତ ଯାତ୍ ପିଛା ନାହିଁ ଛାଡତ୍"। ଏତିକି କହୁକହୁ ଜେଜେବାପା ଓ ସିତୁ ହସି ହସି ବେଦମ୍।
ପୁଣି ଜେଜେମାଆ ଆରମ୍ଭ କଲେ, ଏହା ଶୁଣି ଗବର୍ ସିଂ କାଲିଆକୁ ପଠେଇଲା ତାଙ୍କୁ ବାନ୍ଧି କି ଆଣିବା ପାଇଁ।ସେତେବେଳକୁ ଏସିପି ପ୍ରଦ୍ୟୁମ୍ନ, ଦୟା, ଅଭିଷେକ୍, ଫ୍ରେଡରିକ, ଡ. ସାଲୁଙ୍ଖେ ଗାଁ ଲୋକଙ୍କ ସହ ମିଶି କିପରି ସମସ୍ୟାର ସମାଧାନ ହେବ ଆଲୋଚନା ଓ ଯୋଜନା କରି ସାରିଥିଲେ ଏବଂ ପୋଲିସକୁ ବି ଖବର ଦେଇ ଥିଲେ କେତେବେଳେ ଆସିବାକୁ ହେବ। କାଲିଆ ଆସି ଆକ୍ରମଣ କଲା । ସିଆଇଡି ସାହାସର ସହ ମୁକାବିଲା କରି କାଲିଆକୁ ଭଗେଇ ଦେଲେ। ତାପରେ ଏସିପି ପ୍ରଦ୍ୟୁମ୍ନ କହିଲେ, "ଦାଲ୍ ମେ କୁଛ୍ କାଲା ହୈ ଦୟା" । ଏହା ଶୁଣି ଡ. ସାଲୁଙ୍ଖେ କହିଲେ, ନେହିଁ ଏସପି ପୁରା ଦାଲ ହି କାଲା ହୈ।
ଏହାପରେ ଯୋଜନା ମୁତାବକ ସମସ୍ତେ ପ୍ରସ୍ତୁତ ହେଲେ, କାରଣ ଜାଣିଥିଲେ କାଲିଆ ଗଲାପରେ ଗବର୍ ସିଂ ନିଜେ ଆସିବ। ଠିକ ସେହି ସମୟରେ ଗବର୍ ସିଂ ଘୋଡାର ଟକ୍ ଟକ୍ ଶବ୍ଦ ସହ ଆସି ପହଞ୍ଚିଗଲା । ସାଙ୍ଗରେ କୋଡିଏ ଡାକୁ। ଏହା ଦେଖି ଫ୍ରେଡରିକ ଡରିମରି କହିଲା,ସାର୍ ଆଜି ଆମକୁ ଏମାନେ ତନ୍ଦୁରି କରିଦେବେ।ଏହା ଶୁଣି ଏସିପି ରାଗିଯାଇ ଚୁପ ରହିବାକୁ କହିଲେ। ଠିକ ଏତିକି ବେଳେ ଗବର୍ ସିଂ ଚିତ୍କାର କଲା, କୁଆଡେ ଗଲ ସବୁ ବାହାରକୁ ଆସ ନହେଲେ ପୁରା ଗାଁଟାକୁ ଜଳେଇ ଦେବି। ଯୋଜନା ମୁତାବକ ଡ.ସାଲୁଙ୍ଖେ ଆଗ ଆସିଲେ। ତାଙ୍କୁ ଦେଖି ଗବର୍ ସିଂ ହସି ହସି କହିଲା "ଏ କା ହମକୋ ମାରେଗା, ଏ ତୋ ଠିକ ସେ ଚଲ ନାହିଁ ସକତା"। ଏହା ଶୁଣି ପୁଣି ସିତୁ ଜୋରଜୋର ହସିଲା।
ଜେଜେମାଆ ପୁଣି କହିଲେ ଡ.ସାଲୁଙ୍ଖେ ଗବର୍ ସିଂର ଅସାବଧାନତାର ସୁଯୋଗ ନେଇ ତା ଘୋଡାକୁ ନିଦ ଇଂଜେକସନ ଦେଇ ଦେଲେ। କିଛି କ୍ଷଣ ମଧ୍ୟରେ ସେ ସେଠାରେ ଶୋଇଗଲା। ଗବର୍ ତଳେ ପଡିଗଲା। ଏହା ଦେଖି ଡାକୁମାନେ ଗବର ସିଂକୁ ଧରିବାରେ ଅନ୍ୟମନସ୍କ ହେଲେ। ଇତି ମଧ୍ୟରେ ଏସିପି ପ୍ରଦ୍ୟୁମ୍ନ ଉପରେ ଟାଙ୍ଗିଥିବା ଜାଲକୁ ତାଙ୍କ ଉପରେ ଖସେଇ ଦେଲେ। କ୍ଷଣିକ ମଧ୍ୟରେ ସବୁ କାବୁ ହୋଇଗଲେ। ଅଭିଷେକ୍ ଓ ଦୟା ଉଭୟେ ଗବରକୁ ଜୋରକରି ଧରି ତା ହାତ ଓ ଗୋଢକୁ ବାନ୍ଧି ପକେଇଲେ।
ସେହି ମୁହୂର୍ତ୍ତରେ ଫ୍ରେଡରିକ ଭଗବାନଙ୍କୁ ଡାକିଲେ, ଯାହା ହେଉ ସେମାନେ ବଞ୍ଚିଗଲେ। ଇତି ମଧ୍ୟରେ ଏସିପି ପ୍ରଦ୍ୟୁମ୍ନ ଏକ ହାତକଡି ଓ ପୋଲିସକୁ ଧରି ଆସି ପହଞ୍ଚିଲେ ଓ କହିଲେ "ତୁଝେ ତୋ ଫାଶୀ ହୋଗି ଗବର୍ ସିଂ।" ଏହାଶୁଣି ସିତୁ ତାଳି ମାରି ହସି ହସି ଗଡିଗଲା ।ଜେଜେବାପା କହିଲେ ଆରେ ବାଃ ଏହାତ ଏକ ଅନୋଖା କାହାଣୀ।
