puspanjali das

Others

3  

puspanjali das

Others

ଅନ୍ନପୂର୍ଣ୍ଣା-ଶାନ୍ତି କୂଟୀର

ଅନ୍ନପୂର୍ଣ୍ଣା-ଶାନ୍ତି କୂଟୀର

6 mins
214



ସୁଗନ୍ଧା ଦୀର୍ଘ ଦଶ ବର୍ଷ ପରେ ଗାଆଁକୁ ଫେରୁଥିଲା । ଗାଆଁର ରାସ୍ତାଘାଟ ପୁରାପୁରି ଅଚିହ୍ନା ଲାଗୁଥିଲା । କେବେ ସେ ସ୍ୱପ୍ନରେ ବି ଭାବିନଥିଲା, ତାକୁ ଏମିତି ଗୋଟେ ଦିନରେ ଫେରିବାକୁ ପଡିବ ବୋଲି । ସବୁ ସେଇ ପ୍ରଭୁଙ୍କ ଇଚ୍ଛା ଭାବି ମନକୁ ବୁଝାଉ ଥିଲା, ହେଲେ, ଯେତେ ପଛ କଥା ଭାବିବନି ବୋଲି ନିଜ ପାଖରେ ଶପଥ କଲେ ବି ଭାବନାର ଖିଅଟା କିଛି ବୋଲ ନ ମାନି ଦଶବର୍ଷ ତଳକୁ ଚାଲିଯାଉଥିଲା । ସେଦିନ ବି ଥିଲା କାର୍ତ୍ତିକ ପୂର୍ଣ୍ଣମୀ ଦିନଟି । ନିଜର ଲୁଗାପଟା ଭଙ୍ଗା ଭଙ୍ଗି କରି ଟ୍ରଲି ବ୍ୟାଗରେ ରଖୁଥିଲା, ନିଜ ଜିନିଷ ସାଙ୍ଗରେ ପିଲାଙ୍କର ସବୁ ବ୍ୟବହାର୍ଯ୍ୟ ଜିନିଷ ମଧ୍ୟ ମନେ ପକାଇ ପକାଇ ରଖୁଥିଲା, ଆଉ ଗଡି ଆସୁଥିବା ଲୁହକୁ ହାତରେ ପୋଛି ପକାଉଥିଲା । ଉଠି ଆସୁଥିବା କୋହକୁ ଚାପିଦେବାକୁ ଚେଷ୍ଟା କରିଲା ବେଳେ ଶଶୁରଙ୍କ ଗର୍ଜନଟା କାନରେ ବାରମ୍ବାର ବାଜି ଉଠୁଥିଲା– 'ଥରେ ଯଦି ଏ ଘରୁ ଗୋଡ କାଢ଼ିବ, ତ୍ୟେଜ୍ୟପୁତ୍ର କରିଦେବି । ସ୍ତ୍ରୀକୁ ଧରି ସେଇ ସହରରେ ରହିବୁ,ମୋ ମୁହଁ ଆଉ ଦେଖିବୁନି । '

   ସୁଗନ୍ଧାର କୌଣସି କଥା ସେଦିନ କେହି ଶୁଣିନଥିଲେ, ନିରାକାର ବାବୁଙ୍କ ସାଙ୍ଗରେ ସୁଗନ୍ଧା ଓ ପିଲାମାନଙ୍କୁ ମଧ୍ୟ ଗାଆଁ ଛାଡି ଆସିବାକୁ ପଡିଥିଲା । ବାପ ପୁଅଙ୍କର ଭିନ୍ନ ମତ ବୋଲି ସିଏ ପ୍ରଥମରୁ ସେଘରେ ପାଦ ଦେବା ଦିନୁ ଜାଣିଥିଲା,ହେଲେ,ସେମାନଙ୍କ ଭିତରେ ସମନ୍ବୟ ରକ୍ଷା କରିବାକୁ ଯାଇ,ସବୁବେଳେ ସେ ପେସି ହୋଇଯାଉଥିଲା । ଗାଆଁ ଛାଡି ଥିଲେ ସତ, କିନ୍ତୁ ସାନ ଭାଇ ଭଉଣୀ ଦୁଇଜଣଙ୍କର ଦାୟିତ୍ଵ ନେବାକୁ ଭୁଲି ନ ଥିଲେ । ସେମାନଙ୍କୁ ପାଠ ପଢ଼ାଇ ମଣିଷ କରି ଜୀବନ ସାଥି ଧରାଇବା ପର୍ଯ୍ୟନ୍ତ ସବୁ ତୁଲେଇ ନେଇଥିଲେ, ତଥାପି ବାପ ପୁଅଙ୍କର ମତଭେଦ ଦୂର ହୋଇ ପାରି ନଥିଲା । 

     ଶଶୁରଙ୍କର ଅନ୍ୟ ମତଭେଦ ସାଙ୍ଗରେ,ମନ ଭିତରେ ଗୋଟିଏ କଥା ବସା ବାନ୍ଧି ରହିଯାଇଥିଲା ଯେ–ଵଂଶ ତାଙ୍କର ଶେଷ ହୋଇଯିବ ବୋଲି । ଦୁଇଟି ପୁଅଙ୍କର କେବଳ କନ୍ୟା ସନ୍ତାନ ତିନୋଟି ଥିଲା । ତାଙ୍କ "ବଂଶ ଚଳାଇବାକୁ କେହି ରହିବେନି" ରୋଗଟା ଏତେ ମାତ୍ରାରେ ଗ୍ରାସ କରିଥିଲା ଯେ,ନିଜକୁ ସେ କେତେ ଅଶାନ୍ତ କରୁଥିଲେ ଓ ନିଜ ଜନ୍ମିତ ପିଲାମାନଙ୍କୁ କେତେ କଷ୍ଟ ଦେଉଥିଲେ ଜାଣିପାରୁନଥିଲେ । ପିଲାମାନଙ୍କର ଉଚ୍ଚଶିକ୍ଷା ପାଇଁ ଗାଆଁ ଛାଡିବା ନିଷ୍ପତ୍ତିଟା ତାଙ୍କୁ ବ୍ୟତିବ୍ୟସ୍ତ କରିପକାଇଥିଲା, କାରଣ,କିଛି ବର୍ଷ ପୂର୍ବରୁ ସାନ ପୁଅ ଭଲ ପାଠ ପଢି ବିଦେଶରେ ଯାଇ ରହିଯାଇଥିଲା ଯେ ଆଉ ଫେରିବାର ଆଶା ନ ଥିଲା । ନିରାକାର ବାବୁ ଓ ସୁଗନ୍ଧା ମଧ୍ୟ ସେକଥା ଯେତେ ଚେଷ୍ଟା କରିଲେ ଭୁଲି ପାରୁନଥିଲେ । 

     ଭାବନାର ଖିଅଟା ଛିଣ୍ଡି ଯାଇଥିଲା, ଯେତେବେଳେ ଗାଡି ଅଟକି ଯାଇଥିଲା ଘରଠାରୁ ଅଳ୍ପ ଦୂରରେ ଥିବା ଶିବ ମନ୍ଦିର ପାଖରେ ଥିବା ଭିଡ଼ ଭିତରେ । ଭିଡର କାରଣ ଜାଣିବାକୁ ଗାଡିର ଝରକାରେ ଚାହିଁଲାରୁ ସବୁଗୁଡ଼ିକ ଅଚିହ୍ନା ମୁହଁ କେବଳ ଦେଖା ଯାଇଥିଲେ । ଏତିକିବେଳେ ଦିଅରଙ୍କ ସାଙ୍ଗ ବିପିନ ପଛରୁ ପାଟିକରି ସେମାନଙ୍କୁ ଶାନ୍ତ ହେବାକୁ କହୁଥିବାର ଦେଖି ସୁଗନ୍ଧା ଟିକିଏ ଆଶ୍ୱସ୍ତ ହୋଇଥିଲା । ବିପିନ ସେ ଭିଡ ଠେଲି ଗାଡି ପାଖକୁ ଆସି କହିପକାଇଥିଲେ–ଭାଉଜ, ଏଇଠୁ ଟିକେ ଓହ୍ଲାଇ ଘରକୁ ଯାଆନ୍ତୁ । ଏମାନେ କେତେବେଳଠୁ ଏଠି ଭିଡ ଲାଗେଇଛନ୍ତି । କିଛି ଶୁଣୁ ନାହାଁନ୍ତି । ଆମେ ଆଗରୁ କହିଦେଇ ଭୁଲ କରିଦେଇଛୁ । ଆପଣ ଘରକୁ ଯାଆନ୍ତୁ,ମୁଁ ସେମାନଙ୍କୁ ଟିକେ ବୁଝାଇବାକୁ ଚେଷ୍ଟା କରି ବସାଇ ଦେଉଛି । ଭାଇ ତ ଆସିଗଲେଣି, ସଂକଳ୍ପରେ ବସି ଯିବେ, ଘର ପ୍ରତିଷ୍ଠାଟା ବ୍ରାହ୍ମଣ ଶୀଘ୍ର କରିଦେବ ବୋଲି କହିଛି । ପୂଜା ସରି ଗଲେ ସେମାନଙ୍କୁ ଖାଇବାକୁ ଦିଆହବ । ଏତିକ କଥାରେ ସୁଗନ୍ଧା ବୁଝିପାରିଥିଲା ଯେ ସେମାନେ ତା' ଝିଅର ଅତିଥି ସବୁ ବୋଲି । ପାଖ ଗାଆଁର କୋଉ ବସ୍ତିକୁ ଡାକିଥିବ । ଦୁଇଦିନ ଆଗରୁ ଆସିକି ସବୁ ବୁଝା ବୁଝି କରୁଥିଲା, କାହାକୁ ପଚାରି ବୁଝିଛି କି ନାହିଁ ଭାବି ସାମାନ୍ୟ ବ୍ୟସ୍ତ ହୋଇପଡିଥିଲା ସୁଗନ୍ଧା । 

ଗାଡ଼ିରୁ ଓହ୍ଲାଇ ଘର ଭିତରକୁ ପଶୁ ପଶୁ ଇଶି ଓ ସୁଶୀ ଦୁଇଜଣ ଯାକ ଦଉଡିକି ଚାଲି ଆସିଥିଲେ ତା'ପାଖକୁ,ଆଉ ସିଧା ପୂଜା ଘରଟି ଭିତରକୁ ଟାଣି ନେଇଥିଲେ । ସୁଗନ୍ଧା ଦେଖୁଥିଲା, ପୁରା ଘରଟିକୁ ସୁନ୍ଦର ଭାବରେ ସଜାଇଥିଲେ ଓ ପୂଜା ରୁମଟି ତ ତା' କଳ୍ପନା ଠାରୁ ବହୁତ ବଡ଼ ଥିଲା ! ଅତି କମରେ ପଚାଶ ଜଣ ଏକା ସାଙ୍ଗରେ ଠିଆ ହୋଇ ପ୍ରାର୍ଥନା 

କରିପାରିବେ ! ମନେ ମନେ ଖୁସି ବି ହେଉଥିଲା ଯେ ତା' ଆଶା ଓ କଳ୍ପନା ଠାରୁ ଯଥେଷ୍ଟ ଅଧିକା ତା'ପିଲାମାନେ କରିପାରିଛନ୍ତି ବୋଲି । ଇଶି କହିଉଠିଥିଲା, ତୁ ଟିକେ ଚାରିଆଡ଼ ବୁଲିକି ଦେଖିଆସେ, ବାପା ତ ସଙ୍କଳ୍ପରେ ବସିବେ । ଆଉ ସବୁ ବ୍ୟବସ୍ଥା ହେଇଯାଇଛି । ଦାଦାଙ୍କ ସାଙ୍ଗ ବିପିନ ଦାଦା ସବୁଥିରେ ଆମକୁ ଗାଇଡ଼ କରିଛନ୍ତି । ରୋଷେଇ ପ୍ରାୟ ସରି ଆସିଲାଣି । ପୂଜା ସରି ଗଲେ ସାଙ୍ଗେ ସାଙ୍ଗ ଲୋକମାନଙ୍କୁ ଖାଇବାକୁ ବାହାର ବାରଣ୍ଡାରେ ବସାଇ ଦେବୁ । କେତେବେଳୁ ଆସି ସେମାନେ ବାହାରେ ଅପେକ୍ଷା କରିଛନ୍ତି । ଏତେ ଶୀଘ୍ର ସେମାନେ ଚାଲିଆସିବେ ବୋଲି ଜମାରୁ ଧାରଣା ନଥିଲା । ଜାଣିଛୁ ବୋଉ, ସେ ବସ୍ତିଟାକୁ କେହି କେବେ ଡାକନ୍ତିନି ବୋଲି ବିପିନ ଦାଦା କହୁଥିଲେ । ଏତେ ଗରିବ ସେମାନେ, ଦେଖିଲେ କାନ୍ଦି ପକେଇବୁ । 

କିଛି ସମୟ ମଧ୍ୟରେ ପୂଜା ସରି ଯାଇଥିଲା ଓ କାଙ୍ଗାଳୀ ଭୋଜନ ଆରମ୍ଭ ହୋଇଯାଇଥିଲା । ଅନଭ,ତା' ବିଦେଶୀ ଜ୍ୱାଇଁ, ଯାହା ପାଇଁ ଘରେ ବାହାରେ ବହୁତ କିଛି ଶୁଣିବାକୁ ତାକୁ ପଡ଼ିଥିଲା, ଆଉ ଗାଆଁଯାକର ଲୋକେ ଥୁ ଥୁ କରୁଥିଲେ ବୋଲି ତା' କାନରେ ପଡିଥିଲା, ନିଜ ହାତରେ ପରଷି ଚାଲିଥିଲେ । ଇଶି ଓ ସୁଶୀ ମଧ୍ୟ ଅନ୍ୟମାନଙ୍କ ସାଙ୍ଗରେ ମିଶି ପରଷି ଚାଲିଥିଲେ । ସୁଗନ୍ଧାର ଭାବନାର ଖିଅ ପୁଣି କେତେ ଦୂରକୁ ଚାଲିଯାଇଥିଲା । ଇଶିର ବାହାଘର ପାଇଁ ତାକୁ ଅନେକ କଷ୍ଟ ସହିବାକୁ ପଡିଥିଲା,ସମସ୍ତଙ୍କ ବିରୁଦ୍ଧରେ ଯାଇ ଇଶିର ମନକଥା ବୁଝିବାକୁ ଚେଷ୍ଟା କରିଥିଲା । ଇଶିର ସବୁଯୁକ୍ତିକୁ ଅଣ ଦେଖା କରିଲେ ବି ଭଲ ମଣିଷ ଟିଏ,ପାଖରେ ଯେମିତି କାହିଁକି କେଜାଣି ମନ ତାର ଟିକେ ଅଟକି ଯାଇଥିଲା । ନିରାକାର ବାବୁ ଆଉ ଗାଆଁକୁ ଫେରିବେନି ବୋଲି ତା'ର ବିଶ୍ୱାସ ହୋଇଯାଇଥିଲା, ଯେତେବେଳେ ସିଏ ତାଙ୍କର ଶେଷ ନିଷ୍ପତ୍ତି ଶୁଣିଥିଲା ଯେ ସେଠିକାର ସବୁ ଜମି ବିକ୍ରି କରି ସହରରେ ଘର କିଣି ରହିଯିବେ ବୋଲି । ହେଲେ,ମନର ନିଭୃତ କୋଣରେ ରହିଯାଇଥିଲା ତାର ସେ ଭିଟାମାଟିଟା ପ୍ରତି ଦୁର୍ବଳତା, ଯାହା ତା' ପିଲାମାନେ ଜାଣିପାରିଥିଲେ । ଆଉ ସହରରେ ନିଜ ଘର ଖଣ୍ଡେ ଥିବାରୁ ଦୁହେଁ ଲାଗିପଡିଥିଲେ ଏଇ 'ଅନ୍ନପୂର୍ଣ୍ଣା -ଶାନ୍ତି କୂଟୀର' ଖଣ୍ଡକ ଗଢି ତୋଳିବାରେ । ଯୋଉ ନାଆଁଟି ତା'ର ବାପା ବୋଉଙ୍କର ଅନେକ ଦିନରୁ ଇପ୍ସିତ ଇଚ୍ଛା ଥିଲା-ମାଆ (ଅନ୍ନପୂର୍ଣ୍ଣା)ଓ ଖୁଡି(ଶାନ୍ତି)ଙ୍କ ନାମରେ ଜରାଶ୍ରମଟିଏ କରିବାକୁ,ଯୋଉଠି ଆଖ ପାଖର କେତେ ନିରାଶ୍ରୟ ବୁଢ଼ା ବୁଢ଼ୀଙ୍କୁ ଆଶ୍ରା ମିଳିପାରିବ । ଯଦିଓ ପ୍ରଥମେ ପ୍ରଥମେ ସୁଗନ୍ଧା ଓ ନିରାକାର ବାବୁ ପିଲାଙ୍କ ପ୍ରସ୍ତାବରେ ରାଜି ହୋଇ ନଥିଲେ,ତ ଥାପି ସେମାନଙ୍କ ଇଚ୍ଛା ଶକ୍ତି ଆଗରେ ହାର ମାନିଥିଲେ । ନିଜେ ସେଠାକୁ ବାରମ୍ବାର ନ ଯାଇପାରିଲେ ମଧ୍ୟ ବିପିନଙ୍କ ସାହାଯ୍ୟରେ ପିଲାଙ୍କ ଆଶାକୁ ପୁରଣ କରିବାକୁ ଜୋରସୋରରେ ଲାଗିପଡିଥିଲେ । ତାଙ୍କ ସାନ ଭାଇ ଉପରେ ଥିବା ସବୁଯାକ ଅଶାନ୍ତି ଓ ରାଗକୁ ଯେମିତି ଅନଭ ଧୋଇ ଚାଲିଥିଲା,ଏସବୁର ପୁରୋଧା ହୋଇ ! ମୁହଁରେ କିଛି କହି ନ ପାରିଲେ ମଧ୍ୟ ସୁଗନ୍ଧା ଅନୁଭବ କରିପାରୁଥିଲା ନିରାକାର ବାବୁଙ୍କର ଅନଭ ପ୍ରତି ବିରକ୍ତିଟା ଯେମିତି ଲିଭି ଲିଭି ଆସୁଥୁଲା । ମନେ ମନେ ଆଶ୍ୱସ୍ତ ହେଲେ ବି ମୁହଁରେ କେବେ ସେ ନିରାକାର ବାବୁଙ୍କ ସାଙ୍ଗରେ ସେ ବିଷୟରେ କଥା ଉଠାଇବାକୁ ସାହସ କରିପାରିନଥିଲା । ଜାଣି ଥିଲା କେତେ କଷ୍ଟରେ ନିରାକାର ବାବୁ ଅନଭକୁ ଜ୍ୱାଇଁ କରିବାକୁ କେବଳ ଲୌକିକତା ଦୃଷ୍ଟିରୁ ରାଜି ହୋଇଥିଲେ । ନିଜ ରକ୍ତର ଭାଇକୁ କ୍ଷମା କରିପାରୁନଥିବା ବେଳେ,ଲଣ୍ଡନରେ ଜନ୍ମିତ ଓ ବଢିଥିବା ପିଲାକୁ ସେ କେମିତି ଗ୍ରହଣ କରିବେ ବୋଲି ଯୁକ୍ତି ବାଢିଥିଲେ । 

    କାଙ୍ଗାଳୀ ଭୋଜନର ଦାଇତ୍ୱରେ ଵ୍ୟସ୍ତ ଅନଭଙ୍କୁ ଦେଖୁ ଦେଖୁ ସୁଗନ୍ଧା ନିରାକାର ବାବୁଙ୍କୁ ଲକ୍ଷ୍ୟ କରୁ ଥିଲା,ତାଙ୍କ ଆତ୍ମତୃପ୍ତିର ଆଭାସ ଯେମିତି ତା'କୁ ଦେଖଯାଉଥିଲା । ହଠାତ ସେତିକି ବେଳେ ସେ ଗାଆଁର ସରପଞ୍ଚଙ୍କ ସାଙ୍ଗରେ କେତେ ଜଣ ଗାଆଁର ବୟୋଜ୍ୟେଷ୍ଠ ଲୋକ ଭିତରକୁ ପସି ଆସିଥିଲେ, ବିପିନ ସେମାନଙ୍କୁ ପାଛୋଟି ଆଣୁଥିଲେ । ସୁଗନ୍ଧା ସାମାନ୍ୟ ଅପ୍ରସ୍ତୁତ ହୋଇ ଉଠି ଚାଲି ଯିବାକୁ ବସିଲାବେଳେ,ସବୁଠାରୁ ବୟୋଜ୍ୟେଷ୍ଠ ବୃଦ୍ଧଙ୍କ କଣ୍ଠରୁ ବାହାରି ଆସିଥିଲା–ନାଇଁରେ ମାଆ, ତୁ ବସ, ଆମେମାନେ ତୋ ସହିତ ଦେଖା କରିବାକୁ ଆସିଛୁ । ନିରାକାର ସାଙ୍ଗରେ ତ କେବେ କେବେ ଦେଖା ହୋଇଯାଉଥିଲା,ହେଲେ ତୋ ସାଙ୍ଗରେ ଓ ତୋ ପିଲାଙ୍କ ସାଙ୍ଗରେ ଦେଖାକରିବାର ଏ ସୁଯୋଗଟା ଛାଡିବୁନି ବୋଲି ଏତେ ବାଟ ଚାଲି ଆସିଲୁ । ଏଡ଼େ ବଡ଼ କାମଟା ଏ ଚାରିଖଣ୍ଡ ମୌଜାରେ କେହି କରିନଥିଲେ । କିଏ ଏ ବୁଢ଼ାବୁଢ଼ୀଙ୍କ କଥା ଭାବୁଛି?? ନିଜର ପାରିବାରିକ ଦୁଃଖଟା ଯେମିତି ଆଖିରୁ ତାଙ୍କର ଲୁହ ହୋଇ ବୋହି ଯାଉଥିଲା । ଲୁହ ପୋଛୁ ପୋଛୁ କହିପକାଇଲେ–ତୁ ଓ ତୋ ପିଲାମାନେ ଏତେ ଦୂରରେ ଥାଇ ମଧ୍ୟ ଆମ ସମସ୍ତଙ୍କ କଥା ଭାବିପାରିଲ, ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ତୁମ ସଂସ୍କାର ତୁମ ପିଲାମାନଙ୍କୁ ମଣିଷ ଭଳିଆ ମଣିଷ କରିଦେଇଛି । କୁଆଡେ ଗଲେ ତୁମର ବିଦେଶୀ ଜ୍ୱାଇଁ? ଆମକୁ ଟିକେ ଚିହ୍ନେଇବୁନି? ଆମ ଦେଶରେ ସିନା ଜନମ ହୋଇ ନାହାନ୍ତି, ହେଲେ ଆମ ଦେଶର ମଣିଷକୁ ଆପଣାର କରିବାର କଳାଟା ପାଇଛନ୍ତି । 

     ଏତିକି ବେଳେ, ଅନଭ ଓ ଇଶା ପଶି ଆସୁ ଆସୁ, ଅନଭ ସାମାନ୍ୟ ଅଟକି ଯିବାରୁ, ନିରାକାର ବାବୁଙ୍କ ପାଟିରୁ ହଠାତ ବାହାରି ପଡିଥିଲା–ଆରେ ଅନଭ, ଆସ, ଏଠି ତୁମକୁ ସବୁ ଖୋଜୁଛନ୍ତି । ଆଉ ସେଇ ବୃଦ୍ଧ ଜଣଙ୍କୁ ଉଦ୍ଦେଶ୍ୟ କରି କହିପକାଇଲେ, ମଉଷା,ଏଇ ମୋ ଜ୍ୱାଇଁ ଅନଭ, ଆଉ ଇଏ ମୋ ଝିଅ ଇଶା । ଏତକ ଶୁଣି ସୁଗନ୍ଧା ନିଜ କାନକୁ ବିଶ୍ୱାସ କରିପାରିନଥିଲା ! କାନରେ ତା'ର ବାଜି ଉଠୁଥିଲା ନିରାକାର ବାବୁଙ୍କ କିଛି ବର୍ଷ ତଳର କଥା ଗୁଡିକ–"ଏ ଜୀବନରେ କେବେ ଅନଭ ଓ ଇଶାଙ୍କୁ କ୍ଷମା କରିପାରିବିନି କି ଗ୍ରହଣ କରିପାରିବିନି ! ସତରେ ସେ ଶବ୍ଦ ଗୁଡ଼ିକ କେମିତି ଫିକା ଫିକା ହୋଇ ଲୁଚିଯାଉଥିଲେ ଆଉ ସୁଗନ୍ଧାର କାନରେ କେବଳ ବାଜିଯାଉଥିଲା–"ଏଇ ମୋ ଜ୍ୱାଇଁ ଅନଭ ଓ ଇଏ ମୋ ଝିଅ ଇଶା" । 

      



Rate this content
Log in