Satyabati Swain

Others

3  

Satyabati Swain

Others

ଅଣ ପୁରୁଷା

ଅଣ ପୁରୁଷା

5 mins
581


ସପନି ଘରେ ଚାଲିଛି ଅଦ୍ଭୁତ ମହାଭାରତ । ଡିଭୋର୍ସ ବିଭୁତି ଦେଇ ନାହିଁ ନ୍ୟାୟରେ ପମି ଏବେବି ବିଭୁତି ସ୍ତ୍ରୀ। ବିଭୁତିର ସ୍ତ୍ରୀ ପମିଟି ଭାରି ସୁନ୍ଦର....କିନ୍ତୁ ପମି ତିନି ମାସ ତଳେ ସାନ ଭାଇ ଶକ୍ତି ସଙ୍ଗେ ପଳାଇଥିଲା । ଶକ୍ତି ବିଭୁତିର ସାନ ଭାଇ । ପଳାଇ ଯାଇଥିବା ହେତୁ ବିଭୁତିର ସ୍ତ୍ରୀ ହେବା ଅଧିକାର ହରାଇଛି ପମି।କାଲିଠାରୁ ସେ ଘରକୁ ଫେରିଛି । ଚାଲିଛି ଟଣା ଓଟରା । ପମି ଏବେ କାହାର ସ୍ତ୍ରୀ । ସାଇଭାଇଏ ଟୁପୁରୁ ଟାପର । ଶୁଣେଇ ଶୁଣେଇ କହୁଛନ୍ତି ସପନି ଓ ବିଭୁତିକୁ କେତେ କଣ.....।

ମହାବାତ୍ୟାରେ ଜଗତ ଶ୍ରୀହୀନ ହେଲା ପରି ବିଭୁତିର ମନ ,ହୃଦୟ ଜୀବନ ଛାର ଖାର ହୋଇଯାଇଛି ତିନି ମାସ ତଳୁ । ମରି ମରି ବଞ୍ଚିଛି ଜାଣ । ସବୁ ଦେହ ସୁହା କରି ଥୋବରାଙ୍କ ପରି ସାହସ ସଞ୍ଚୟ କରି ବଞ୍ଚି ଶିଖିଲା ବେଳକୁ ପମି ଫେରି ଆସି ସବୁ ପୁଣି ଗୋଳ ମାଳ କରି ଦେଇଛି।

ବିଭୁତି ମନକୁ ବୁଝେଇ ରହି ଯାଇଥିଲା । ପମି ଘରକୁ ଫେରି ତା ମନର କ୍ଷତକୁ ସତେ କି ଲୁହା ଛଡ଼ରେ ପାହାରେ ପକାଇଲା । ସର ସର ରକ୍ତ ବୋହୁଛି ବିଭୁତି ହୃଦୟ କ୍ଷତରୁ । ଯାଇଥିଲା ତ ଯାଇଥିଲା ସୁଖରେ ରହିବ ବୋଲି, ଫେରି ଆସିଲା କାହିଁକି  ? ସବୁ ଟାହି, ଟାପାରା,ଅଣ ପୁରୁଷୁଆ ଅପବାଦ ସେ ତ ସହି ନେଇଥିଲା।

ବିଭୁତିକୁ ଭାରି ବାଧିଥିଲା ଅଣ ପୁରୁଷା ଅପଦୁଆ......।ସେ ସତରେ କଣ ପୁରୁଷ ନୁହେଁ  ? କଣ ଅଭାବ ଥିଲେ ଜଣେ ପୁରୁଷ ଅଣପୁରୁଷା ହୁଏ ?ପମି ଶକ୍ତି ସଂଗେ ପଳେଇ ଯିବା ଦିନୁ ଏ ପ୍ରଶ୍ନ ଅନେକ ଥର ପଚାରିଛି ନିଜକୁ,ଭଗବାନଙ୍କୁ।

କି ଅନ୍ତର୍ଦ୍ୱନ୍ଦ ମଧ୍ୟରେ ନିଃଶ୍ବାସ ନେଇଛି ସେ। କି ଛିଗୁଲା,ଟାହୁଲି ଟାପାରା କଥା ନ ଶୁଣିଛି ସେ।ମୁହଁ ମାଡି ମାଟି ଗଦା ପରି ପଡିଲା କେତେ ଦିନ।ବାହାରକୁ ବାହାରିବାକୁ ଡର ଲାଗିଲା।ଆମ ଚାରି ପାଖର ଲୋକେ ଭାରି ନିଷ୍ଠୁର।ଅତି ମାନସିକ ସ୍ତରରେ ଯନ୍ତ୍ରଣା ଭୋଗୁଥିବା ମଣିଷଟିକୁ ସେମାନେ ଉଖାରିବାରେ ଅନେକ ଖୁସି ପାଆନ୍ତି।ଭାବନ୍ତିନି ପ୍ରତି ମୁହୂର୍ତ୍ତରେ ମରୁଥିବା,ଶବ ହୋଇ ଜୀଉଁଥିବା ମଣିଷଟିକୁ ବାରମ୍ବାର

ଟିକି ଟିକି କରି କାଟିବା କି ଅସହ୍ୟ।କେମିତି ଫାଟେ ଛାତି,କେମିତି ଜଳେ ମନ।

କିଏ କୁହେ" ହଇରେ ବିଭୁତି---ତୋ ମାଇକିନିଆ ଟା ପଳେଇଲା ତୋ ସାନ ଭାଇ ସାଙ୍ଗରେ ? ?କିଏ କହିଲା ...ତୁ ପୁରୁଷ ନା ଆଉ କଣ ବା।କେହି କୁହେ ସ୍ତ୍ରୀଟାକୁ କାବୁ କରି ପାରିଲୁଣି।ପୁଣି କେହି କହିଲେ ତୁ ଅଣ୍ଡିରା ଟିଏ ନା ମାଇଚିଆ ମାଗୁଣି ସାହୁ।ବୋଧେ ସ୍ତ୍ରୀ ସୁଖ ଦେବାକୁ ଅଯୋଗ୍ୟ ଟା।ନହେଲେ କି ବାହାଘର ମାସେ ନ ପୁରୁଣୁ ସ୍ତ୍ରୀ ଚମ୍ପଟ । ଦେଖା ସୁନ୍ଦର କଖାରୁ ବଡ଼ି। ଦେଖ ହୋ ସଳଖ ସୁନ୍ଦର ଭେଣ୍ଡିଆ ଟିଏ ହାତ ଗୋଡ଼ ନାହିଁ ଖଣ୍ଡିଆ ଟିଏ ଲୋ ମା । ମହାକାଳ ଫଳ । ଭିତର ପୁରୁଷ ଶୁନ୍ୟ । ଅଣ ପୁରୁଷାଟା"ଅଣପୁରୁଷା।

ଓଃ ବେଶୀ ଭାରି କଲା ହୃଦୟ ଏଇ ଶବ୍ଦଟି।ଗୋଟିଏ ପୁରୁଷ ପୁଅ ପାଇଁ ଏ ଶବ୍ଦ ଆତ୍ମହତ୍ୟା କଲା ପରି।ଅତି ଶ୍ରୁତିକଟୁ।ସବୁ ଦୁଃଖ,କଷ୍ଟ ହଜମ କରି ପାରେ ଗୋଟିଏ ପୁରୁଷ।କିନ୍ତୁ ପାରେ ନାହିଁ ଏ ଶବ୍ଦ ସହି।ମୋଡି ମାଡି ଭାଙ୍ଗିଯାଏ ସେ।ଖୁବ ବାଧେ ବଡ ଧରଣର ବୋମା ଫୁଟିଲା ପରି।ଜାକି ଜୁକି ହୋଇ ଯାଆନ୍ତି ତା ଦମ୍ଭ,ସାହସ।

ନିଜ ଭିତରେ ନିଜକୁ ଅଣ୍ଡାଳିଛି ବିଭୁତି।ଖୋଜିଛି କଣ ଥିଲେ ଜଣେ ପ୍ରକୃତ ପୁରୁଷ ହୁଏ।କଣ ନାହିଁ ବୋଲି ଲୋକେ ତାକୁ ଅଣପୁରୁଷା କହୁଛନ୍ତି, ହସୁଛନ୍ତି ତାକୁ ଦେଖି।ଦର୍ପଣ ଆଗେ ନିଜ ଚେହେରା ତନଖିଛି।ଭଲ ଗାବୁଲିଆ ମୁହଁ ଟିଏ ତ।ଆଖି ଦିଟା କିଛି ଖରାପ ନୁହେଁ।ଗହଳିଆ ଭ୍ରୁଲତା।!ନାକ ଟି ଖଣ୍ଡା ପରି।ଛଅ ଫୁଟ ଉଚ୍ଚତା।ଓଜନ ଅଡଷଠି କେଜି।ଷଣ୍ଢ ପରି ଟୋକା ଟା।

ପେଟ ଜମା ବାହାରିନି।ଛାତି ପେଟ ସମାନ।ଗୋଟିଏ ଦେଖାରେ ପମି ଘର ଲୋକେ ଓ ପମି ପସନ୍ଦ କରି ବାହା ଘର ହୋଇଥିଲା।କେଉଁଠି ରହିଲା ଅସୁବିଧା।ଖୋଜୁଛି ତିନି ମାସ ହେବ ବିଭୁତି ଏ ସମସ୍ତ ପ୍ରଶ୍ନର ଉତ୍ତର।କିଏ ଦେବ ତାର ଉତ୍ତର ? ?କଣ ପମି।

ବୋଧେ ସେ ମାଟି ସାଙ୍ଗରେ ମାଟିହୁଏ।ଦିନରାତି ମେହେନତ କରେ।ଗୋରୁ ଗାଈ ମୁହାଁଏ।ପକ୍ଷାଘାତ ମାର ସେବା କରେ।ଶକ୍ତି ପରି ରାତିଏ ଗଲେ ହାତୀଏ ରୋଜଗାର କରେନା।ରଙ୍ଗ ମିସ୍ତ୍ରୀ ନା।ଦିନକୁ ଚାରିଶହ ମଜୁରୀ।ଦିନେ ଦିନେ ତ ଶକ୍ତି ଆଟାଜ ଭର୍ତ୍ତି ଟଙ୍କା ନେଇ ଘରକୁ ଆସେ।କି ସୁଟ୍,ବୁଟ୍ ତାର।ତାର ତ ବିନା ଆଇରନ୍ ପ୍ୟାଣ୍ଟ୍ ସାର୍ଟ।ଶକ୍ତି କି ଉତ୍କଟ ଗନ୍ଧ ବାହାରୁଥିବା ବୋତଲ ପାଣି ପିଏ।!ତାର ଶୋଷ ତ ମେଣ୍ଟେ ନଳକୁଅ ବା ଲାଇନ ଟ୍ୟାପ୍ ପାଣିରେ।

ସେଇ ପାଇଁକି ଶକ୍ତି ପୁରୁଷ।ଆଉ ଏଇ ପାଇଁକି ସେ ଅଣପୁରୁଷା।

ସମସ୍ତଙ୍କ ଆଗ ପସନ୍ଦର ରଙ୍ଗ ମିସ୍ତ୍ରୀ ସିଏ।କାହିଁକି ନା ଚାରିଶହ ଜାଗାରେ ଲୋକେ ତିନି ଶହ ଦେଲେବି ଆଣେ।କଥାରେ ପକ୍କା।ଦୋଗାଲିଆ ନୁହେଁ।ଫିନିସିଙ୍ଗ୍ କାମ କରେ।ଏଣୁ ସମସ୍ତେ ଆଦର କରନ୍ତି।

ହେଲେ କଣ ହେବ। ସମସ୍ତଙ୍କ ଘର ରଙ୍ଗେଇ ଦେଉଥିବା ମିସ୍ତ୍ରୀ ଟା ନିଜ ଘର କି ଜୀବନ ରଙ୍ଗେଇ ପାରିଲା କି।

ଶକ୍ତି ତା ଭାଇ,କେମିତି ଏମିତି କଲା।ପମିକୁ କେଉଁଠି ନେଇ ରଖିଲା କେହି ତ ଟେର ପାଇଲେନି।ସପନି ନିଜ ଇଜ୍ଜତ ଜଗି ବଡ଼ ପୁଅକୁ ପ୍ରବୋଧନା ଦେଇ ପୋଲିସ୍ କୁ ଜଣାଇଲାନି।

କଣ କରନ୍ତା ବିଚରା ବାପା ଟା।ନିଜ ପୁଅ ତ କୁଳରେ କଳଙ୍କ ବୋଳିଲା।ପରପୁରା ହୋଇଥିଲେ ଅବା କଣ ଗୋଟେ ପଦକ୍ଷେପ ନେଇଥାନ୍ତା।ବିଭୁତିକୁ ବୁଝା ସୁଝା କରି ଚୁପ୍ ରହିଲେ।ବାପା କହିଲେ---"ତୁ ଚିନ୍ତା କରନା ବିଭୁ, ଯାଉ ସାତ ମାସ କାଲି ପମି ଠାରୁ ଢେର ସୁନ୍ଦର ଝିଅ ଆଣି ତୋତେ ବିଭା ଦେବି।ମୋ କାମିକା ଭେଣ୍ଡିଆ ପୁଅକୁ ଝିଅ ଅଭାବ ହେବେ"।

ଚୁପ୍ ରହିଲା ବିଭୁତି।ସେ ଚାହିଁଲା ନାହିଁ କହିବାକୁ "ବାପା!ରମ୍ଭା, ମେନକା ଆସିଲେ ବି କଣ ପମି ଜାଗା ନେଇ ପାରିବେ।!।ତାକୁ ବା ସେ ବାହା ହୋଇଥିଲା,

ଭଲ ପାଇଥିଲା ପ୍ରଥମ କରି।ସ୍ୱପ୍ନ ଦେଖିଥିଲା ତାକୁ ନେଇ କେତେ କଣ।"

କିନ୍ତୁ ପୁରୁଷ କଣ ଜାଣିବାକୁ ଶେଷରେ ଡାକ୍ତରଙ୍କ ପାଖକୁ ଯାଇଥିଲା ତାର ପୁରୁଷତ୍ତ୍ୱ ପରୀକ୍ଷା କରିବା ପାଇଁ । ଡାକ୍ତର ବାବୁ ହସି ହସି କହିଲେ କିଏ କହିଲା ତୁମେ ଅଣପୁରୁଷା  ? ସବୁ ଠିକ୍ ଠାକ୍ ଅଛି । ଯାଅ ଖୁସି ଖୁସି ମନ ଭରି ବଞ୍ଚ ନିଜ ଭାଗର ଜୀବନ।

ପ୍ରଶ୍ନ ଜାଲରେ ଛନ୍ଦି ହୋଇ ବିଭୁତି ପମି ଫୋଟୋକୁ ପଚାରିଛି--ପମି ଲୋ ସେ ତ ସକ୍ଷମ ପୁରୁଷ।ତେବେ ଏତେ ବଡ଼ ଅପଦୁଆ ଦେଇ କାହିଁକି ତାକୁ ଛାଡ଼ି ପଳାଇଲୁ ?ଯଦି ତୋର ପସନ୍ଦ ନଥିଲି ବାହା ହେବାକୁ ରାଜି ହେଉଥିଲୁ କାହିଁକି ?କାହିଁକି ତା ଜୀବନ ଟାକୁ ଆକ୍ତା ମାକ୍ତା କରିଦେଲୁ।

ଯାଇଥିଲୁ ତ ଯାଇଥିଲୁ ପୁଣି ଫେରି ଆସି କାହିଁକି ଏତେ ଦହଗଞ୍ଜ କରୁଛୁ ଲୋ ପମି।କାଲି ଠାରୁ କେହି ତୋତେ ଘରେ ପୁରାଉ ନାହାନ୍ତି।ଫେରିଛୁ ପୁଣି ଏକା।ଶକ୍ତି କାହିଁ ? ?

ସପନି ପମି ବାପା ଓ ଗାଁରୁ କିଛି ମୁଖିଆ ଡାକିଛନ୍ତି।ଆଜି ବିଚାର ହେବ ପମିର।ପମିକୁ ହଜାର ଆଜେ ବାଜେ ପ୍ରଶ୍ନ।ପମି କିନ୍ତୁ ଖାଲି କାନ୍ଦୁଛି।କଇଁ ଘର ତାର ଉଠୁଛି।କାଟୁଛି ଭାରି ବିଭୁତିକୁ।ପମି ମନ ଏବେ ନ ମାନିଲା ତା ଠେଇଁ।ସେ ଯେଉଁଠି ଖୁସି ରହିବ ଗଲା।ତାକୁ ତା ଜୀବନ ବଞ୍ଚିବାକୁ ଦିଆ ଯାଉନି କାହିଁକି ? ?ସେ ପମିକୁ ଭୁଲି ଯାଇଛି।ସେ ତ ଚାହୁଁଛି ପମି ଖୁସିରେ ରହୁ।ଏ ଲୋକଙ୍କର କଣ ଯାଉଛି ? ?

ସମସ୍ତଙ୍କର ବାଧ୍ୟ ବାଧକତାରେ ପମି ଯାହା କହିଲା ସମସ୍ତେ ଶୁଣି କାବା ହୋଇଗଲେ।ନିଜ ଇଚ୍ଛାରେ ନୁହେଁ ଶକ୍ତି ଉଠାଇ ନେଇଥିଲା ତାକୁ।ଗୋଟିଏ ଘରେ ରଖି ବଡ଼ ବଡ଼ ଲୋକଙ୍କୁ ପ୍ରତିଦିନ ଆଣି ତାକୁ ବାଧ୍ୟ କରୁଥିଲା ଦେହ ଦାନ କରିବାକୁ।ରାଜି ନହେବାରୁ ତା ହାତ,ପିଠିରେ ଲୁହା ରଡ଼ ଗରମ କରି ମାଡୁଥିଲା।ଦେଖାଇଲା ବି ସେ ଖାଲୁଆ ପୋଡା ଚିହ୍ନ।ଦିନ ରାତି ଗୋଡେ ଗୋଡେ ଜଗୁଥିଲେ ତାକୁ।ସେ ଘର ବ୍ୟତୀତ ତିନି ମାସ ହେବ ବାହାର ଦୁନିଆ ଦେଖି ନ ଥିଲା ।

କାଲି କିନ୍ତୁ ଶକ୍ତି ପମିକୁ ନେଉଥିଲା କେଉଁ ଜଣେ ଭଦ୍ର ମୁଖା ପିନ୍ଧା ବ୍ୟକ୍ତିର ଦେହ ଭୋକ ମେଣ୍ଟାଇବାକୁ ତା ଘରକୁ।ପ୍ରତି ଦଶ ମିନିଟିରେ ଶକ୍ତି ପାନ ଖାଏ।ଦରୁଆନର ଗୋଡ଼ ହାତ ଧରି ପାନରେ ନିଶା ବଟିକା ପକାଇ ଆଣିବାକୁ କହିଥିଲା।ଦରୁଆନଟି ପମି ଦୁଃଖ ଦେଖି ନପାରି ଏତକ କରି ଦେଇଥିଲା।ତିନି ମାସରେ ଆଜି ବାହାରକୁ ଯାଉଛି ମାନେ ମରିବ ନଚେତ ଯେମିତି ହେଲେ ଶକ୍ତି ହାତରୁ ଖସିବ ବୋଲି ମନେମନେ ସ୍ଥିର କରିଥିଲା ପମି।

ବାହାରକୁ ନ ଆସିଥିଲେ ଆଜି ଶକ୍ତି ରାକ୍ଷସ ତାକୁ କଲବଲ କରି ଅନ୍ୟର ପାଶବିକ ଭୋକ ମେଣ୍ଟାଇବାକୁ ବାଧ୍ୟ କରିଥାନ୍ତା। ଅଧା ବାଟରେ ପାନ ଖାଇ ଶକ୍ତି ଓ ଡ୍ରାଇଭର ବେହୋସ ହୋଇ ଯିବାରୁ କେତେ କଷ୍ଟେ ମଷ୍ଟେ ସେ ଫେରି ପାରିଛି ଜୀବନ ନେଇ।ଡାହାଳ କୁକୁର ପରି ଲୋକ ଲଗେଇ ଶକ୍ତି ଖୋଜୁଥିବ ତାକୁ।କୁକୁଡ଼ା ବୁହା ଡାଲା ଚାରିଶହ ସାତ ଗାଡ଼ିରେ ଆସିଛି ସେ ।

କାହାର ବୋହୁ କି ସ୍ତ୍ରୀ ହେବାକୁ ସେ ଅଯୋଗ୍ୟ, ଅପବିତ୍ର।ତାକୁ ଖାଲି ବିଭୁତି ନାମର ଶଙ୍ଖା,ସିନ୍ଦୁର ନେଇ ବଞ୍ଚିବାକୁ ଦିଆଯାଉ ଚାକରାଣୀ ପରି। ଏତକ କହି ତଳେ ମୁଣ୍ଡ ପିଟୁଥିଲା ପମି ।

ନିଜର ଜନ୍ମିତ ବାପା ପମିର, ମୁହଁ ବୁଲେଇ କହିଲେ" ତୁ ବିଷ ଖାଇ ନ ମରି ଏ ମୁହଁ କେମିତି ଦେଖାଉଛୁ ?ଛି---

ଛି ଅଲାଜୁକି।ଆଜି ଠାରୁ ତୁ ମୋଠାରୁ ମରିଛୁ ଜାଣ"। ଅଣପୁରୁଷା ଅପଦୁଆ ଦେଉଥିବା ବିଭୁତି କିନ୍ତୁ ବୁଝି ପାରିଲା ନାହିଁ ପମିର ଭୁଲଟି କେଉଁଠି ? ? ପମି ଦେହକୁ ସିନା ତାରି ପରି ପୁରୁଷ କେଇଟା ଝୁଣିଲେ ଅପବିତ୍ର କଲେ,ହେଲେ ଆଜି ବି ତ ତା ମନ ତୁଳସୀ ପରି ପବିତ୍ର।ସେ କାଇଁକି ବିଷ ଖାଇବ। ସରଳ ମନରେ ଏତେ ବଡ଼ ଜଟିଳ ପ୍ରଶ୍ନ ସମାଧାନ ବାଟ ଖୋଜୁଥିଲା ସେ। କାହାକୁ କିଛି ନ କହି ସିଧା ଚାଲିଲା ପୋଲିସ ଷ୍ଟେସନ ବିଭୁତି। ଶକ୍ତି ଦେହ ବ୍ୟବସାୟ କରୁଥିବା ଅପରାଧରେ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ। ଅଣ ପୁରୁଷା ବିଭୁତି କିନ୍ତୁ ଏବେ ତା ପୁଅ "ବିଶ୍ୱ"କୁ ଶିଖାଉଛି ସେଇ ଅଣପୁରୁଷା ମନ୍ତ୍ର ଯେଉଁ ପୁଅର ମା ପମି।

ସତ୍ୟବତୀସ୍ବାଇଁ,ମୀନୁ,ବାଲିକୁଦା,ଜଗତସିଂହପୁର*


Rate this content
Log in