ଅନାମିକା ନାୟିକା
ଅନାମିକା ନାୟିକା
ପ୍ରଥମ ସବୁବେଳେ ପ୍ରଥମ। ସ୍କୁଲର ପ୍ରଥମ ଦିନ, ଜୀବନର ପ୍ରଥମ ସାଇକେଲ, କଲେଜର ପ୍ରଥମ ଦିନ, ଅଫିସର ପ୍ରଥମ ଦିନ, ଜୀବନର ପ୍ରଥମ ରୋଜଗାର ଆଉ ଜୀବନର ପ୍ରଥମ ପ୍ରେମ ସବୁବେଳେ ଅଭୁଲା। ମନ ଆଇନାରେ ସବୁବେଳେ ସାଇତା ହୋଇ ରହିଥାଏ ସାରା ଜୀବନ।
ଅନେକ ବର୍ଷ ପରେ ବି ମନେପଡେ ମାନସର ସେହି ସବୁ ଦିନ କେତୋଟି। ସେଇ ଅନାମିକା ନାୟିକାକୁ ମନ ଖୋଜୁଥାଏ। କେମିତି ଥିବ, କେଉଁଠି ଥିବ ଆଉ ଏତେ ବର୍ଷ ପରେ କେମିତି ଦେଖା ଯାଉଥିବ? କାହିଁକି ତା ପ୍ରତି ଏତେ ଆତ୍ମୀୟତା? ନିଜର କେହି ନ ହେଲେ ବି, ସେ ଲାଗେ ନିଜ ଠୁ ଆହୁରି ନିଜର। ମାନସ ଭାବପ୍ରବଣ ହୋଇପଡେ ନିଜ ଆଜଣାତରେ।
ବାଇଶି ବର୍ଷ ତଳର କଥା, ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା। ପରୀକ୍ଷାରେ ନିଶ୍ଚିତ ଭଲ ହେବ ବୋଲି ଦୃଢ ବିଶ୍ବାସ ଥିଲା ମାନସର। କେବଳ ସଂସ୍କୃତକୁ ଛାଡିଦେଲେ ଆଉ ସବୁ ବିଷୟ ଭଲ ହୁଏ ତାର। ଦେଖିବାକୁ ସୁନ୍ଦର, ତା ସହିତ କଥାବାର୍ତ୍ତା ଏବଂ ଚାଲି ଚଳଣୀରେ ବି ସ୍ମାର୍ଟ।
ପ୍ରଶ୍ନପତ୍ର ମିଳିବା ପୂର୍ବରୁ ପାଖରେ ବସିଥିବା ଝିଅଟି କହିବା ଆରମ୍ଭ କଲା, ନିଜେ ଗଣିତରେ କିପରି ଦୁର୍ବଳ। ଆଉ ଟିକେ ସାହାଯ୍ୟ ପାଇବାର ଅନୁରୋଧ ବି। କଥାରେ କଥାରେ ବି କହିଦେଲା ନିଜ ଗାଁ ନାଁ, ଆଉ ତାଙ୍କ ମଉସା ବି ଜଣେ ଶିକ୍ଷକ।
ଝିଅଟି ଥିଲା ଦେଖିବାକୁ ବହୁତ ସୁନ୍ଦର। ଖାଲି ସୁନ୍ଦର କହିଲେ ଭୁଲ ହେବ। ଅନିନ୍ଦ୍ୟ ସୁନ୍ଦରୀ। ଯେପରି ତାରା ମେଳରେ ଜହ୍ନ ଶୋଭାପାଏ, ସେ ବି ଶୋଭା ପାଉଥିଲା ସ୍କୁଲର ସବୁ ପିଲାମାନଙ୍କ ମଧ୍ୟରେ।
ମାନସର ବହୁତ ଇଚ୍ଛା ଥିଲା ଝିଅଟିର ନାଁ ଜାଣିବାକୁ ହେଲେ ପଚାରି ପାରିଲାନି, କିନ୍ତୁ ସେତେ ବ୍ୟସ୍ତ ନ ଥିଲା ଜାଣିବାକୁ, କାରଣ ହାତରେ ଥିଲା ଆଉ ଦଶ ଦିନ। ପରୀକ୍ଷାରେ ଲେଖିଲା ବେଳେ ମାନସ ଜାଣି ଜାଣି ଏମିତି ବସି ଲେଖୁଥାଏ, ପାଖ ପିଲାଟି ସହଜରେ ସବୁ ଦେଖି ପାରିବ। ପରୀକ୍ଷା ସରିଲା, ଫେରିବା ସମୟରେ ମାନସ ଝିଅଟିକୁ ପଚାରିଲା, ପରୀକ୍ଷା ଭଲ ହୋଇଛି। ଝିଅଟି ହସି ଉତ୍ତର ଦେଲା, ହଁ।
ସେ ହସ, ସତେ ଯେମିତି ଫଗୁଣର ଫଗୁ, ବସନ୍ତର ବାସନ୍ତୀ, ଆଉ ଋତୁ ରାଣୀ ଶ୍ରାବଣୀର ରିମ୍ ଝିମ୍ ବର୍ଷା ଟୋପା। ଅମରାବତୀର କେଉଁ ଅପରୂପା ଅପ୍ସରୀର ମନଲୋଭା ହସ। ମାନସ ବନ୍ଧା ପଡେ ସେ ହସରେ। ସ୍ୱପ୍ନ ଦେଖେ, ବିଭୋର ହୁଏ। ମନ ପକ୍ଷୀ ଉଡିଯାଏ ଦୂର ଦିଗବଳୟର ଶେଷ ସୀମାକୁ।
ପର ଦିନ ଶ୍ରେଣୀ ଗୃହକୁ ପ୍ରବେଶ କଲାବେଳକୁ ମାନସର ସବୁ ସ୍ୱପ୍ନ ଭାଙ୍ଗି ଯାଏ। କାରଣ ସବୁ ପିଲାଙ୍କର ବସିବା ସ୍ଥାନ ବଦଳି ଯାଇଥାଏ। ମାନସର ରୋଲ ନମ୍ବର ଲେଖା ହୋଇଥାଏ ଅନ୍ୟ ଗୃହରେ। ଆଉ ତା ମନର ମାନସୀ କେଉଁ ଗୃହରେ ବସିଥିଲା କିଏ ଜାଣେ?
ପରୀକ୍ଷା ସରିଲା ପରେ ସମସ୍ତେ ଫେରନ୍ତି ନିଜ ନିଜ ବାଟରେ କିନ୍ତୁ ମାନସ ଅପେକ୍ଷା କରିଥାଏ ତା ଅନାମିକା ନାୟିକାକୁ। ଝିଅଟି ତା ସାଂଗ ସାଥୀ ମାନଙ୍କ ସହ ଫେରେ ରହୁଥିବା ଜାଗାକୁ। ମାନସ ଠିକ ପଛେ ପଛେ ଆସେ। ଝିଅଟିର ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ଯେତେ ଦେଖିଲେ ବି ତା ମନ ପୁରେନି। ସେ ସ୍ବପ ରାଜ୍ୟରେ ଘୁରି ବୁଲେ। ମନେ ମନେ ଭାବିନିଏ କେତେ କଣ।
ହେଲେ କେତେ ଶିଘ୍ର ଦିନ ସବୁ ସାରିଯାଏ। ଇଚ୍ଛା ଥିଲେ ବି କଥା ପଦେ ହୋଇ ପାରେନି। ଶିକ୍ଷକ, ଅଭିଭାବକ ଏବଂ ଶହ ଶହ ପିଲାଙ୍କ ଆଗରେ ସାହସ କରିପାରେ ନି ପଦେ କଥା ହେବାକୁ। ଏମିତି କି ତା ନାଁ ଟି ବି ଜାଣି ପାରିଲାନି ...
ପରୀକ୍ଷା ସରିଗଲା। ସମସ୍ତେ ଆନନ୍ଦ ଉଲ୍ଲାସରେ ଉଲ୍ଲସିତ। ସମସ୍ତେ ଘର ମୁହାଁ। ଫେରିବା ପାଇଁ ବସ ଆସି ପହଁଚିଲା। ସବୁ ସ୍କୁଲର ପିଲାମାନେ ପ୍ରସ୍ତୁତ ହେଲେ ନିଜ ଗୃହ ଅଭିମୁଖେ। ସେ ଝିଅଟି ବି ଚାଲିଲା ବସ ଆଡକୁ। କିଛି ଦୂରରେ ଅପଲକ ନୟନରେ ଚାହିଁଥାଏ ମାନସ। ମନରେ ଅନେକ ପ୍ରଶ୍ନ। ମନେ ମନେ ଭାବୁଥାଏ ଥରୁଟିଏ ପଛକୁ ଚାହିଁ ହସି ଦିଅନ୍ତା ନି?
ଝିଅଟି ସିଧା ଚାଲିଲା ବସ ନିକଟକୁ। ବସର ପ୍ରବେଶ ଦ୍ଵାର ବାଡ଼କୁ ଧରି ଉଠିଲା। ଆଉ ଭିତରକୁ ପ୍ରବେଶ କରିବା ପୂର୍ବରୁ ଶେଷ ଥର ପାଇଁ ମୁହଁ ବୁଲେଇ ଚାହିଁଥିଲା ମାନସକୁ। କିନ୍ତୁ ମୁହଁରେ ନ ଥିଲା ସେ ଦିନର ହସ। ମାନସ ଦେଖୁ ଥିଲା ଏକ ସୁନ୍ଦର ମୁହଁ, ଆଉ ନିରୀହ ଚାହାଣୀ। ସେଇ ନିରୀହ ଚାହାଣୀରେ ଥିଲା ଅନେକ ଅକୁହା କଥା।
ସାର୍ ମାନଙ୍କ ପାଟି ଶୁଭୁଥିଲା, ପିଲାମାନେ ଜଲଦି ନିଜ ନିଜ ଜାଗାରେ ବସ। କିଛି ସମୟ ପରେ ବସଟି ଧୂଳି ଉଡ଼େଇ ଚାଲି ଯାଇଥିଲା ମାନସ ଆଖି ଆଗରୁ ସବୁ ଦିନ ପାଇଁ।
ସେ ଦିନ ଥିଲା ଶେଷ ଦେଖା। ଅନେକ ଖୋଜିଛି ମାନସ ସେ ଝିଅକୁ। ଭିଡ଼ ଭାଡ଼, ସହର ବଜାର, ଗଳି କନ୍ଦି, ଜନ ଗହଳି ସ୍ଥାନ ଠୁ ଆରମ୍ଭ କରି ଜନଶୂନ୍ୟ ପଥ ପର୍ଯ୍ୟନ୍ତ। ହେଲେ କେଉଁଠି ପାଇନି। ସତେ ଯେମିତି ପରୀଟିଏ କେଉଁ ଅଜଣା ରାଇଜରୁ ଆସିଥିଲା? ପୁଣି ଚାଲିଗଲା କେଉଁ ଅଜଣା ରାଇଜକୁ। ଆଜି ଅନେକ ବର୍ଷ ପରେ ବି ମନେ ପଡେ ତା କଥା...