Tikeshwar Sahu

Children Stories

3  

Tikeshwar Sahu

Children Stories

ଅଭୁଲା ସ୍ଥାନ

ଅଭୁଲା ସ୍ଥାନ

2 mins
154



   ଯେତେ ଭୁଲିବାକୁ ଚେଷ୍ଟା କଲେ ବି ଭୁଲି ହେଉନି । ଘରଠାରୁ ବହୁତ ଦୂରରେ । ସେଠି ମନେ ପଡ଼ୁଛନ୍ତି ବାପା ,ମାଆ, ସ୍ବଜନ ପରିବାର ବର୍ଗ । ବେଶ ବହୁତ ଦିନ ହେଲାଣି ଘର ଛାଡ଼ି ସହରରେ ରହିଲାଣି ସେ । ଏତେ ବଡ଼ ସହରରେ ମାର୍କେଟ୍ ଭିଡ଼ ଭିତରରେ ବି ଖୋଜିବୁଲେ କାହାକୁ ? ସେଇ ଅତି ନିଜର ଲୋକଙ୍କୁ । ଯେମିତି ହଜେଇ ଦେଇଛି ଖୁବ୍ ଆତ୍ମୀୟ ଜିନିଷଟିକୁ । ଖୋଜି ଖୋଜି ହାଲିଆ ହୋଇପଡ଼ୁଛି । ମନ ହେଉଛି ଫେରିଯିବାକୁ ସେହି ମନ୍ଦିରକୁ ;ଯେଉଁଠି ସେ ତାର ଚଳନ୍ତି ଦେବତାଙ୍କୁ ନିତି ଦିନ ପୂଜା କରେ, ଅଭିମାନ କରେ ,ରୋଷ କରେ ଅବା ରାଗିକରି କିଛି ସମୟ ପାଇଁ ବାହାରକୁ ଚାଲିଯାଏ । ସେଇତ ପ୍ରକୃତ ଭଲ ପାଇବା । ତାରି ଭିତରେ ଆନନ୍ଦର ଢେଉ ଢେଉକା ପାହାଡ଼ । କର୍ତ୍ତବ୍ୟର ତାଡ଼ନାରେ ସେ ସିନା ଘରଠାରୁ ବହୁ ଦୂରରେ, କିନ୍ତୁ ମନ ,ଆତ୍ମା ସେହିଠାରେ ବନ୍ଧା ପଡ଼ିଛି । ରାତ୍ରିର ନିର୍ଜନ ପ୍ରହରରେ ଖୁବ୍ ଅଣାୟତ ଲାଗେ । ଫେରିଯିବାକୁ ମନ ହୁଏ ।

      ଭାବି ଭାବି ଶୋଇପଡ଼ିଲା ସେ । ଆଖିରେ ଆଖିଏ ସ୍ବପ୍ନ ନିଦ ମାଉସୀ ଆଣି ଛାଡ଼ିଦେଇଗଲା । ଜଗି ରହିଲା ନିଦ ନ ଭାଙ୍ଗିବାକୁ । ମନ ଚାଲିଗଲା ସେହି ସବୁଜ ବନାନୀଭରା ଗାଆଁକୁ । ଭାରି ନିଜର । ପିଲା ଦିନର ସମସ୍ତ ସ୍ମୃତି ଆଖି ପଲକରେ ଭାସି ଆସିଲା । ଅଭୁଲା ସେ ସ୍ଥାନ । ଜୀବନରେ ଭୁଲି ହେବନି । ଏଇଠି ବିତିଛି ତାର ଧୂଳିଖେଳ । ମିଛିମିଛିକା କେତେ ଭୋଜିଭାତ । ଦାଣ୍ଡ ଦୁଆରରେ କେତେ କାଗଜ ଡଙ୍ଗା ନ ଭସାଇଛି ସିଏ ! ଆଣ୍ଠେଇ ଆଣ୍ଠେଇ ଆଚାର ହାଣ୍ଡି ଢାଳିଦେଲା ବୋଲି କେତେ ମାଡ଼ ନ ଖାଇଛି ସିଏ ! ସବୁ ତାର ମନେ ଅଛି । ମାଆ ହାତର ମାଡ଼,ଗାଳି ଆଜି ଖୁବ୍ ମିଠା ମିଠା ଲାଗୁଛି । ବାପାଙ୍କ କାନ ମୋଡ଼ା, ଗାଲରେ ଚଟକଣା ମଧୁର ସ୍ମୃତି ଆଣିଦେଲା । ଚଟକିନା ନିଦ ଭାଙ୍ଗିଗଲା । ହାତ ଅଣ୍ଡାଳି ଦେଖିଲା ପାଖରେ କେହି ନାହାନ୍ତି । ଆଃ ! କି ମଧୁର ସ୍ମୃତି ! ମୁଣ୍ଡରେ ଛୋଟ ପରଶଟିଏ ଦେଲା ସେ । ଆଃ! ଇଏ ପରା ସପନ ! ନା, ଆଉ ନୁହେଁ । କାଲି ସକାଳୁ ଘରକୁ ଚିଲିଯିବି । ମନେ ମନେ ସ୍ଥିର କରିନେଲା ସେ । 

    ସକାଳ ହେଲା । ବସ ଧରିଲା ଗାଁ ଅଭିମୁଖେ । ସନ୍ଧ୍ୟା ନ ହେଉଣୁ ଗାଁରେ ପହଞ୍ଚିଗଲା । ବାପା ମାଆଙ୍କର ସେନେହ ପରଶରେ ସ୍ବର୍ଗର ସମସ୍ତ ସୁଖ ପ୍ରାପ୍ତିକଲା ଭଳି ଅନୁଭବ କଲା । ଅଭୁଲା ସ୍ଥାନର ମହକରେ ଆହୁରି ମହକିତ ହେଲା ମନ ଓ ହୃଦୟ ।



Rate this content
Log in