ଅଭୁଲା ଅନୁଭୁତି
ଅଭୁଲା ଅନୁଭୁତି
୨୦୧୧ ମସିହା ମାର୍ଚ୍ଚ ମାସର ଘଟଣା । ସେତେବେଳକୁ ଗୁପ୍ତେଶ୍ୱର ପୀଠକୁ ଗମନାଗମନର ବିଶେଷ ସୁବିଧା ନଥିଲା । ପିଚୁ ରାସ୍ତାଟିଏ ମଧ୍ୟ ନଥିଲା । ମହାଶିବରାତ୍ରୀ ଏବଂ କାର୍ତ୍ତିକ ପୂର୍ଣ୍ଣିମା ଓ ମାଘ ବୈଶାଖ ମାସର ପ୍ରତ୍ୟେକ ସୋମବାର ଦିନ ସେଠାକୁ ଗୋଟିଏ ମାତ୍ର ସରକାରୀ ବସ ଜୟପୁର ରୁ ଯାତାୟତ କରୁଥିଲା । ମୁଁ ମୋ ସାଙ୍ଗ ମାନଙ୍କ ସହ ମହାଶିବରାତ୍ରି ଜାଗର ଦେଖିବାକୁ ଗୁପ୍ତେଶ୍ୱର ପୀଠକୁ ଯାଇଥିଲି । ଆମେ ସମସ୍ତେ ଗୁପ୍ତେଶ୍ୱର ପୀଠକୁ ପହଞ୍ଚି, ସାବେରୀ ନଦୀରେ ସ୍ନାନ କରି ମନ୍ଦିର କୁ ଦର୍ଶନ କରିବାକୁ ବାହାରିଲୁ । ତଳୁ ଦେଖିଲେ ସାଧାରଣ ପାହାଡ଼ ଟିଏ ପରି ଦେଖାଯାଏ । କିନ୍ତୁ ଉପରକୁ ଗଲାପରେ ଗୁମ୍ଫା ମଧ୍ୟରେ ଭୋଳା ବାବାଙ୍କ ଆସ୍ଥାନ ଦେଖି ଖୁବ ଆଶ୍ଚର୍ଯ୍ୟ ଲାଗିଲା । ପାହାଡ଼ ଖୋଳ ଭିତରେ ଏତେ ବଡ଼ ବିଶାଳ ଶିବଲିଙ୍ଗ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଗୁମ୍ଫା ମୁଁ ଆଉ ଅନ୍ୟ କେଉଁଠି ଦେଖିନଥିଲି ପାହାଚ ଦେଇ ଉପରକୁ ଚଢିବାର କଷ୍ଟ ବାବା ଗୁପ୍ତେଶ୍ୱରଙ୍କ ଦର୍ଶନ ପରେ ସବୁ ଉଭେଇ ଗଲା । ଦର୍ଶନ ଓ ପୂଜା ସାରି ଆମେ ତଳକୁ ଆସିଲା ବେଳକୁ ପ୍ରାୟ ଅପରାହ୍ନ ସାଢେ଼ ତିନିଟା ବାଜିଥିଲା । ସେଠାରେ ଜଣେ ବ୍ରାହ୍ମଣ ଅନ୍ନ ପ୍ରସାଦ ବିକ୍ରି କରୁଥିଲା । ଆମେ ସବୁ ସାଙ୍ଗମାନେ ମନ୍ଦିର କୁ ଯିବା ପୁର୍ବରୁ ଆମେ ସେଠାରେ ଅନ୍ନ ପ୍ରସାଦ ର ବ୍ୟବସ୍ଥା ପାଇଁ କହି ଦେଇଥିଲୁ । ଆମେ ପ୍ରାୟ ୧୬ ଜଣ ସାଙ୍ଗ ମିଶିକି ଗୁପ୍ତେଶ୍ୱର ପୀଠକୁ ଯାଇଥିଲୁ । ବ୍ରାହ୍ମଣ ଜଣଙ୍କ ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦ ଆମ ମାନଙ୍କୁ ପରଷିବା ଆରମ୍ଭ କଲା । ଆମେ ସମସ୍ତେ ଖାଇ ସାରିବା ପରେ ସମସ୍ତେ ସେ ପ୍ରାଦର ପଇସା ଦେଇଦେଲେ ବ୍ରାହ୍ମଣ ଜଣକ ଖୁସିରେ ସେ ତା ଆସବାବ ପତ୍ର ସବୁ ସାଇକେଲରେ ଲଦି ସେ ତା ନିଜ ଗ୍ରାମ ରାମଗିରି ଅଭିମୁଖେ ଚାଲିଗଲା ।
ଆମେ ସବୁ ସାଙ୍ଗମାନେ ସେଠାରୁ ପ୍ରାୟ ସାତଟା ବେଳେ ଗୁପ୍ତେଶ୍ୱର ପୀଠରୁ ବାହାରିଲୁ । ଗୁପ୍ତେଶ୍ୱର ପୀଠ ଠାରୁ ୫/୬ କିଲୋମିଟର ଆସିବା ପରେ ହଠାତ୍ ଆମ ବାଇକ୍ ଗୁଡ଼ିକରେ ଯାନ୍ତ୍ରିକ ତ୍ରୁଟି ଦେଖାଗଲା । ତା ପରେ ଆମ ବାଇକ୍ ଗୁଡ଼ିକ ଆଗକୁ ଗଡିଲା ନାହିଁ । ତେଣୁ ଆମେ ବଣ ଭିତର ଦେଇ ଏକ ଅଣ ଅସାରିଆ ରାସ୍ତାରେ ଆମ ବାଇକ୍ ଗୁଡ଼ିକ ନେବାକୁ ବାଧ୍ୟ ହେଲୁ । ସେଠାରେ କିଛି ବାଟ ଯିବାପରେ ଦେଖିଲୁ ଆଗକୁ ବିଦ୍ୟୁତ ତାର ଛିଣ୍ଡି ରାସ୍ତା ଉପରେ ପଡ଼ିଛି । ହେ ଭଗବାନ ଏ କି ସମସ୍ୟା ! ସେତେବେଳେ ଆମ ସମସ୍ତଙ୍କୁ ଭୟ ଲାଗିଲା କ'ଣ କରିବୁ କିଛି ସ୍ଥିର କରି ପାରିଲୁନି । ଯେତେବେଳକୁ ପ୍ରାୟ ରାତି ୧୧ ଟା ବାଜିଥାଏ । ତା ପରେ ଆମେ ସମସ୍ତେ ବିଚାର କଲୁ ଏଠାରୁ ଚାଲି ଚାଲି ରାମଗିରି ଯିବା ସେଠାରେ ଆମେ ଆମ ବାଇକ୍ ଗୁଡ଼ିକ ମରାମତି କରି ଫେରିବା ତା ପରେ ଆମେ ସମସ୍ତେ ରାମଗିରି ଅଭିମୁଖେ ଚାଲିବାକୁ ଆରମ୍ଭ କଲୁ ।
ରାସ୍ତା ସାରା ଧୂଳି ଭର୍ତ୍ତି ଗୋଡ ଆଣ୍ଠୁ ଯାଏଁ ଗଳି ଯାଉଥିଲା । ଝାପସା ଝାପସା ଚନ୍ଦ୍ର କାରଣରେ ରାମଗିରି ଅଭିମୁଖେ ଚାଲିବାକୁ ଆଗେଇ ଥିଲୁ । ଘଞ୍ଚ ଜଙ୍ଗଲ ତଥା ବନ୍ୟଜନ୍ତୁଙ୍କର ଚିତ୍କାରରେ ଦେହ ଥରି ଉଠୁଥିଲା । ଥକି ପଡ଼ିଲେ ବାଟରେ ଥିବା ପଥର ଗଦା ଉପରେ କିଛି ସମୟ ବସି ଯାଉଥିଲୁ । ବାଟରେ ଏକ ଝରଣା ପାଖରେ ଅଟକି ପାଣି ପିଇଲୁ । ଯେତେ ଚାଲିଲେ ବି ରାସ୍ତା ସରୁ ନଥିଲା । ପ୍ରାୟ ୧୪ କିଲୋମିଟର ଚାଲିବା ପରେ ସାଢେ଼ ଚାରିଟାରେ ରାମଗିରି ଠାରେ ପହଞ୍ଚିଲୁ । ଆମ ସମସ୍ତଙ୍କ ପାଟି ଶୁଣି କିଛି ଗ୍ରାମ ବାସି ଉଠିଲେ । ସେଠାରେ ଥିବା ସ୍କୁଲ ବାରଣ୍ଡାରେ ଆମେ ସମସ୍ତେ ବିଶ୍ରାମ କଲୁ। ସକାଳେ କିଛି ସମୟ ପରେ ଦଣ୍ଡାବାଢିରୁ ଆସୁଥିବା ବସ୍ ଜୟପୁର ଅଭିମୁଖେ ବାହାରିଲା । ଆମେ ସମସ୍ତେ ଆମ ମାନଙ୍କ ବାଇକ୍ ସେଠାରେ ମରାମତି କରି ବାହାରି ପଡ଼ିଲୁ ।
ଏହା ପରେ ମୁଁ ଦୁଇଥର ଗୁପ୍ତେଶ୍ୱର ପୀଠକୁ ଯାଇଛି । କୌଣସି ଅସୁବିଧା ହୋଇନି କିନ୍ତୁ ସେ ଦିନର ଘଟଣା ମନେ ପଡ଼ିଗଲେ ଏବେ ବି ଭୟରେ ଦେହ ଶୀତେଇ ଉଠେ ଏବେ ଦୁଇଦିନ ତଳେ ମୋର ସାଙ୍ଗମାନେ ସେଦିନର ଘଟଣାକୁ ନେଇ କଥାବାର୍ତ୍ତା ହେଉଥିଲେ ସେ ଦିନର କଥା ମନେ ପଡ଼ିଗଲେ ଆଜି ବି ଦେହ ଥରି ଉଠେ ।