Soumya Shubhadarshinee

Others

3  

Soumya Shubhadarshinee

Others

ଆଉ ଟିକେ ଆଲୁଅ

ଆଉ ଟିକେ ଆଲୁଅ

4 mins
278


    


 ଆଲୁଅ ଓ ଅନ୍ଧାରର ପ୍ରସଙ୍ଗ ଅପେକ୍ଷିକ ସବୁବେଳେ ।  ସୂର୍ଯ୍ୟସ୍ନାତ ଦିନଟିଏ ଲାଗିପାରେ ଅନ୍ଧକାରଛନ୍ନ ଆଉ କୃଷ୍ଣପକ୍ଷ ରାତିଟିଏ ଆଲୋକ ଆପ୍ଳୁତ । ହଁ , ନିର୍ଭର କରେ ଏସବୁ ଆମ ମନ ଉପରେ ।

★★★★★★★


 କେବଳ ଦୁଇଜଣ ହିଁ ଆସିବେ । ମାନେ ! କିନ୍ତୁ ଦୁଇଜଣ କ'ଣ ପର୍ଯ୍ୟାପ୍ତ ?

  

କେମିତି ପାଳିତ ହେବ ହିନ୍ଦୁ ରୀତିନୀତି କେବଳ ଦୁଇଜଣଙ୍କୁ ନେଇ ? ଘୋଘୋ ଘରର ପରିବେଶ । ହାଉଯାଉ ବନ୍ଧୁ ବାନ୍ଧବଙ୍କ ମେଲଣ । ନୂଆ ଶାଢ଼ୀ ,ଚୁଡ଼ି ଅଳତା, ସୁନ୍ଦର ଲଗା ସୁନ୍ଦରୀ ଭାଉଜ , ଅପା , ଖୁଡି , ପିଇସୀ ନାନୀଙ୍କ କଳରବ । ଆରିସା , ବୁନ୍ଦି , ସେଉ ଆଉ ଲବଙ୍ଗଲତା ର ସ୍ୱାଦ । ନନାଙ୍କ ଖନ୍ଦା ଭିତରୁ ନାନା ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନର ବାସ । ଝିଅ ଝିଆଣୀଙ୍କ ହଳଦୀ ,ମେହେନ୍ଦୀ ,ସଙ୍ଗୀତ । ପୁଅ ଛୁଆଙ୍କର ଡିଜେ , ଡ୍ୟାନ୍ସ , ଜଳଯୋଗ ।


 ଏମିତିହିଁ ବାହାଘର । ନୀନା ର ପିଲା ବେଳୁ ସାଇତା ସ୍ୱପ୍ନ । ମହମହ ବାସ୍ନା , ରୁଣୁଝୁଣୁ ଶବ୍ଦ , ଖିଲିଖଲି ହସ , ଗୁଣୁଗୁଣୁ ଗପ , ଚିକମିକ ସୁନା ଆଉ ହୀରାର ଯୁଗଲବନ୍ଦୀ । ଥିରିଥିରି ଚାଲି , ସଖୀ ଗହଣରେ ନୂଆ ଜୀବନ ପାଇଁ ଅଭିସାର । ଏତେସବୁ ସ୍ୱପ୍ନ ପାଇଁ ଜମା ଦୁଇଟା ମଣିଷ !!.........


 ଅଶ୍ୱିନୀ ବୁଝେଇ କହୁଥିଲେ , '' କୋର୍ଟ ମ୍ୟାରେଜ ଏମିତିହିଁ । ଦୁଇଜଣ ସାକ୍ଷୀ ଲୋଡ଼ା ପଡେ ବାସ୍ ।''


 ଦୁଇ ଟୋପା ଲୁହ ନିଗିଡି ଗଲା ଆଖିର ସୀମା ଡେଇଁ । କୋହ ଉଠୁଥିଲା ହାବୁକା ହାବୁକା ହେଇ । 


 ପ୍ରେମ ଆଉ ନିଜ ଲୋକ ଦୁହିଙ୍କ ଭିତରୁ ଗୋଟିଏ ବାଛିବା ଅଗ୍ନି ପରୀକ୍ଷା ଠାରୁ କମ ନୁହେଁ !


★★★★★★★★


 -- '' ମା ' ଅଶ୍ୱିନୀ ମଣିଷ ଭାବରେ ଖୁବ୍ ଭଲ । ''


--'' ଝିଅଲୋ ସଂସାର କିନ୍ତୁ ମଣିଷ ଖୋଜେନି । ଖୋଜେ ବେଜାଏ ଅଲୋଡ଼ା ନୀତିନିୟ ।''


--'' ମା' ତୁ ଯଦି ବୁଝୁଛି ତେବେ ସେମାନେ କାହିଁକି ନୁହେଁ ?''


--'' ମୁଁ ବୁଝୁଛି , ଏତିକି ତୋ ପାଇଁ ଯଥେଷ୍ଟ ।

ତୁ ନିଜ ଜୀବନର ପଥ ନିଜେ ନିର୍ଦ୍ଧାରଣ କର । ମୁଁ ଅଛି ସବୁବେଳେ ତୋ ସହ ନେପଥ୍ୟ ରେ । ''


 ଅଶ୍ୱିନୀ , ମୁଠେ ବିଶ୍ୱାସ । ଗୋଟେ ପରିତ୍ୟକ୍ତ ଜୀବନ ପାଇଁ ଶକ୍ତ ଭରସା । ସହଜ ନୁହେଁ ଗୋଟିଏ ବେଶ୍ୟାର ଝିଅକୁ ଗ୍ରହଣ କରିବା । ମା' କେଉଁ ପରିସ୍ଥିତିରେ ପଡି ଏଭଳି ଘୃଣ୍ୟ ଜୀବନ ଜିଇଁଲା ଜଣା ନାହିଁ ନୀନା କୁ କି ଜାଣିବାକୁ ଚାହିଁନାହାନ୍ତି ଅଶ୍ୱିନୀ। ସେ କେବଳ ଏତକ ବୁଝିଛନ୍ତି ନୀନା ପଙ୍କ ଭିତରେ ପଦ୍ମ । ଆଉ ସେହିଁ ତାଙ୍କ ଜୀବନ ସଙ୍ଗିନୀ । 


 ଅଶ୍ୱିନୀ ଏଭଳି କେମିତି ଚିନ୍ତା କରିପାରନ୍ତି ବୁଝି ପାରେନି

ନୀନା ?.........

 

ଏତେ ପ୍ରାଚୁର୍ଯ୍ୟ ଭିତରେ ଥିବା ଅଶ୍ୱିନୀ ତା' ଭଳି ଝିଅଟେ କାହିଁକି ବାଛିଲେ ? ସାରା ଜୀବନ ପାଇଁ ଗୁଡ଼େ ଅପବାଦ ଆଉ ବେଜାଏ ଘୃଣା ସାଉଁଟି ନେଲେ । କାଲି ବାହାଘର ହେବାକୁ ଅଛି । ଆଉ ଏଥିରେ କେହି ଜଣେ ହେଲେ ଉପସ୍ଥିତ ରହିବେ ନାହିଁ । 


 ନୀନା ର ପୃଥିବୀରେ କେହି ବାହା ହେବାର ନଜିର ନାହିଁ । କୌଣସି ସମ୍ପନ୍ନ ମଣିଷର ବାହାଘର ଅନୁଷ୍ଠାନ କୁ ନିମନ୍ତ୍ରଣ ପାଇବାର ସମ୍ଭାବନା ନାହିଁ । ନୀନା ପାଖରେ ତା' ପିତୃ ପରିଚୟ ନାହିଁ । ବାହାଘର ତା' ପାଇଁ ଗୋଟେ ସ୍ୱପ୍ନ । ସେ ସବୁବେଳେ ଦେଖି ଆସିଛି , ବେଦୀ , ମନ୍ତ୍ର , ହୋମାଗ୍ନି ର ପରିବେଶ ଆଉ ସେଇଠି ସାମାଜିକ ସ୍ୱୀକୃତି ପାଇ ବଧୁ ବେଶର ସମାବେଶ । ଏଭଳି ସ୍ୱୀକୃତି ପାଇନି ମା' ତେଣୁ ନୀନା ସାରା ଜୀବନ ପରିଚୟ ବିହୀନତା ହିଁ ଭୋଗିଛି ।


  ସେ ମା' ଭଳି ଜୀବନ ଜୀଇଁବାକୁ ଚାହେଁନି କେବେ । ପରିତ୍ୟକ୍ତ, ଅସ୍ପୃଶ୍ୟ , ଅଲୋଡ଼ା ଜୀବନ । ରାତିର ଅନ୍ଧକାର ଭିତରେ ଲୋଡୁଥିବା ଆଖି ଗୁଡିକ ଦିନର ଆଲୋକରେ ଘୃଣାରେ ଭରିଥାଏ ମା' ପାଇଁ ।


ସଭ୍ୟ ସମାଜ ହିଁ ବେଶ୍ୟାର ସୃଷ୍ଟିକାରୀ ଆଉ ସେଇଠି ରହୁଥିବା ସଭ୍ୟ ମଣିଷ ଗୁଡିକ ହିଁ ଅଗଣିତ ନୀନା ମାନଙ୍କର ସୃଷ୍ଟିକାରୀ । କିନ୍ତୁ ସଭ୍ୟ ସମାଜ ସେମାନଙ୍କୁ ଗ୍ରହଣ କରେନାହିଁ । ଏଇତକହିଁ ବିଡ଼ମ୍ବନା !........


  ମା' ବୁଝିଛି ଜୀବନକୁ ଖୁବ୍ ସ୍ପଷ୍ଟ ଭାବରେ।ଭୋଗିଛି ତିଳତିଳ କରି ଜୀବନର ଅନ୍ଧକାରକୁ । ତେଣୁ ସେ ନୀନାକୁ ଦୁରେଇ ରଖିଛି ସେଇ ଅନ୍ଧକାର ଭିତରୁ । ବହୁତ କଷ୍ଟ ସ୍ୱୀକାର କରି ପାଠ ପଢେଇ ସାମାଜିକ କରିଛି ତାକୁ । ତା' ପରିଚିତ ନର୍କ ଭିତରୁ ସୁରକ୍ଷିତ ଦୂରତା ରେ ପାଳିଛି ଝିଅକୁ । ନୀନା ଶିକ୍ଷିତା , ସ୍ୱାବଲମ୍ବୀ , ସଫଳ । କିନ୍ତୁ ଏତେସବୁ ପରେ ମଧ୍ୟ ବଂଶ ପରିଚୟ ଖଣ୍ଡେ କଳା ବାଦଲ ଭଳି ଗ୍ରାସି ଚାଲିଛି ଜୀବନ । 


  ମା' ଜୀବନର ତମାମ ସଂଘର୍ଷ , ତ୍ୟାଗ , ଲହୁ ଆଉ ଲୁହ ସମ୍ମିଳିତ ଭାବେ ଲିଭେଇ ପାରିନି ନୀନା ର ପରିଚୟ । ଭରିନାହିଁ ତା' ଜୀବନରେ ପର୍ଯ୍ୟାପ୍ତ ଅଲୋକ । 


 ଭୟ ଲାଗୁଛି , ସେଇ ଅନ୍ଧକାରର ବଳୟ ଭିତରେ ହଜିଯିବ ନାହିଁ ତ ଅଶ୍ୱିନୀଙ୍କ ଭବିଷ୍ୟତ ? ତା' ସହ ନିଜକୁ ଯୋଡି ଭୁଲ କରୁନାହାନ୍ତି ତ ଅଶ୍ୱିନୀ ? ସାରା ଜୀବନ ପାଇଁ ଗୋଟେ ଭୁଲ ସିଦ୍ଧାନ୍ତ ନିଆ ଯାଉନି ତ ଆଉ ?


****************


 ଅଶ୍ୱିନୀ ନିଜ ଘର ଛାଡ଼ି ଦେଇଛନ୍ତି , କେବଳ ଆଉ କେବଳ ନୀନା ପାଇଁ । ନିଜ ସିଦ୍ଧାନ୍ତ ତାଙ୍କୁ ସଭିଙ୍କ ଠାରୁ ଦୂରେଇ ଦେଇଛି । ବାପା ଆଉ ମା' ପୁଅର ଏହି ପଦକ୍ଷେପ ପାଇଁ ମୁଣ୍ଡକୋଡ଼ି କାନ୍ଦୁଛନ୍ତି । ବନ୍ଧୁ ବାନ୍ଧବ ଏହି ପ୍ରସଙ୍ଗକୁ ଗୋଟିଏ ରୋଚକ ସମ୍ବାଦ ଭାବେ ବଖାଣୁଛନ୍ତି ସବୁଠି ।


  ଏଇ ପରିବେଶ ଭିତରେ ନୀନା କ'ଣ ସୁଖ ସଂସାର ଗଢି ପାରିବ ?....

ଲୁହ ଆଉ କୋହ ଭିତରେ ଭିଜୁଛି ସେ । 

ଏଭଳି ଜୀବନ ସେ ଚାହିଁ ନଥିଲା କେବେ । 


******************


  ସକାଳର ଉଜ୍ଜ୍ୱଳ ସୂର୍ଯ୍ୟଙ୍କ ଆଭାରେ ବେଶ ସତେଜ ଲାଗୁଛି ପୃଥିବୀ । ଗତ ରାତିର ଅମା ଅନ୍ଧକାରର ଚିହ୍ନ ବର୍ଣ୍ଣ ନାହିଁ କେଉଁଠି । ଅଳସ ଆଖିରେ ଦେଖୁଛି ନୀନା ଆଲୋକର ପ୍ରାଚୁର୍ଯ୍ୟ ମନ ଭରି ।


 ବାଲକୋନି କୁ ଆସି ଆହୁରି ଟିକେ ଭିଜିଲା ସେ କଅଁଳ ଖରାରେ । ଶୀତୁଆ ଅଳସୀ ଦେହ ପାଇଁ ଭାରି ମିଠା ଲାଗୁଥିଲା ସେଇ ଉଷ୍ମତା । ହଠାତ ନଜର ପଡିଲା ଅଶ୍ୱିନୀଙ୍କ  ଉପରେ । କ'ଣ କରୁଛନ୍ତି ସେ ? ଟିକେ ନିରିଖେଇ ଦେଖିଲା ନୀନା , ମେଞ୍ଚେ ଗେଣ୍ଡୁ ମାଳ ସଜେଇବାରେ ଲାଗିଛନ୍ତି ସେ ଏଣ୍ଟ୍ରାନ୍ସ ପାଖରେ । 


 କଲୋନୀ ର କିଚିରି ମିଚିରି ଛୁଆ ପୁଳେ ଘେରିଛନ୍ତି ତାଙ୍କୁ ବେଲୁନ ଧରି । କିଛି ଗୋଟେ ଗପ ଜମିଛି ହୁଏତ । ଏଇମାନେ କ'ଣ ନିଜ ଲୋକ ନୁହଁନ୍ତି ? ଏଇଠି କ'ଣ ଘରଟିଏ ନାହିଁ ?....... 

ନୀନା ଜୀବନରେ ଏଇତକ ଅଲୋକ ଯଥେଷ୍ଟ ନୁହେଁ କି ? ସେଇତକ ସମ୍ବଳ କରି ଜିଇଁ ହେଇଯିବ ଗୋଟେ ଜୀବନ ।



Rate this content
Log in