Lokanath Rath

Others

4.3  

Lokanath Rath

Others

ଆତ୍ମବିଶ୍ୱାସ

ଆତ୍ମବିଶ୍ୱାସ

6 mins
196



ଟହଲି ଏତେବଡ଼ ସଭାଗୃହ ରେ ଆଗଧାଡି ରେ ବସିଛି ।ସଫା ଇସ୍ତ୍ରୀକର ଭଲ ଜାମା ପ୍ୟାଣ୍ଟ ବି ପିନ୍ଧିଛି । ତା ମନରେ ଆଜି ଆନନ୍ଦ ର ଢେଉ ଖେଳୁଛି । ଆଜି ତା ଝିଅ କଳ୍ପନା କୁ ସମ୍ମାନିତ କରାଯିବ । ସେଥିପାଇଁ ତାକୁ ବି ଡକା ଯାଇଛି । ସେ ସଭାଗୃହରେ ସମସ୍ତଙ୍କ ଆଖି ପେଣ୍ଡାଲ କୁ ଦେଖୁଚି ଓ ଟହଲି ଥରେ ସେଇଠି ବସିଥିବା ସବୁ ବଡ଼ ବଡ଼ ଲୋକଙ୍କୁ ଦେଖୁଛି ଓ ତା କଳ୍ପନା କୁ ଖୋଜୁଛି । ସେତିକିବେଳେ ତା ଝିଅ କଳ୍ପନା ଆସି ତା ପାଖରେ ବସିଲା ଆଉ କିଛି ସମୟ ପରେ ସଭାକାର୍ଯ୍ୟ ଆରମ୍ଭ ହେବ । ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ଆସୁଛନ୍ତି ତା ଝିଅକୁ ସମ୍ମାନିତ କରିବାକୁ । ଟହଲି ଆଖିରୁ ଖୁସିର ଝଲକ ବାରିହେଇ ଯାଉଛି । ତାର ଅଲିଅଳି କଳ୍ପନା ଏବେ ମାତ୍ର କୋଡିଏ ବର୍ଷ ବୟସର । ସେତିକିବେଳେ ତାର ଅତୀତର କଥା ମାନେ ପଡିଗଲା । ଏଇ ସହରକୁ ସେ ତାର ଛୋଟ ଝିଅ କଳ୍ପନା କୁ ନେଇ ଆଜିକୁ ସତର ବର୍ଷ ତଳେ ଆସିଥିଲା ।

ଟହଲି ପ୍ରଧାନ ତା ଗାଁ ରେ ସବୁଠାରୁ ସାହସୀ ଓ କାମିକା ଲୋକ ଥିଲା । ପିଲାଦିନୁ ସେ ତା ବାପା ଓ ମା ଙ୍କୁ ହରେଇଥିଲା । ସେତେବେଳେ ତାକୁ ମାତ୍ର ସାତ ବର୍ଷ ହେଇଥିଲା । ଏଇ ଗାଁ ର ଲୋକେ ତାକୁ ଆଶ୍ରା ଦେଲେ । ସେ ବିଲ ବାଡ଼ିରେ କାମ କରିବା ସହିତ ଗାଁ ର ମାଗୁଣି ଅଜା ସାଙ୍ଗରେ ବିଭିନ୍ନ ଗାଁ କୁ ଯାଇ ବାଉଁଶରାଣୀ ସର୍କସ କରେ । ତାଙ୍କ ସାଙ୍ଗରେ ଯାଇ ଯାଇ ସେ ସବୁ ଶିଖିବାରେ ଲାଗିଲା । ଦଶ ଫୁଟ ଉଚ୍ଚାରୁ ଦଶ ଫୁଟ ଲମ୍ବା ଗୋଟିକିଆ ବାଉଁଶ ଉପରେ ଚାଲିବ ଠାରୁ ଆରମ୍ଭ କରି ଜଳନ୍ତା ନିଆଁ ଭିତରେ ପଶି ବାହାରିବା ସବୁ କିଛି ଶିଖିଗଲା । ଯେବେ ତାକୁ ଚଉଦ ବର୍ଷ ହେଲା, ସେତେବେଳେ ମାଗୁଣି ଅଜା ତା ଉପରେ ସବୁ ଛାଡିଦେଲା । ସେଥିରୁ ବେଶ ଭଲ ରୋଜଗାର ବି ହେଉଥିଲା । ଟହଲି କୁ କୋଡିଏ ବର୍ଷ ବେଳେ ମାଗୁଣି ଅଜା ଆଖି ବୁଜିଲେ । ମାଗୁଣି ଅଜାଙ୍କର ଗୋଟିଏ ବୋଲି ନାତୁଣୀ ସାବିତ୍ରୀ । ସେତେବେଳେ ତାକୁ ଅଠର ବର୍ଷ । ନିଜ ପେଟ ପାଇଁ ସାବିତ୍ରୀ ଟହଲି ସାଙ୍ଗରେ ଯାଇ ଖେଳ ଦେଖାଇଲା । ଏମିତି ଦୁଇ ବର୍ଷ ବିତି ଗଲା ।ଦୁହେଁ ଦୁଇଜଣଙ୍କର ଭଲ ମନ୍ଦ କଥା ବୁଝୁଥିଲେ । ଗାଁ ଲୋକେ ମିଶି ଟହଲି ଓ ସାବିତ୍ରୀ ର ବାହାଘର କରିଦେଲେ । ଏବେ ସ୍ୱାମୀ ସ୍ତ୍ରୀ ଦୁଇଜଣ ମିଶି ଜାଗା ଜାଗା ଯାଇ ଖେଳ ଦେଖାଇ ରୋଜଗାର କଲେ । ତାଙ୍କ ବାହାଘର ର ଦୁଇ ବର୍ଷ ପରେ କଳ୍ପନା ଜନ୍ମ ହେଲା । ଦୁଇଜଣ ଙ୍କର ଖୁସି କହିଲେ ନ ସରେ । କଳ୍ପନା ର ଦେଖା ଚାହଁ କରିବା ପାଇଁ ସାବିତ୍ରୀ ଘରେ ରହେ ଓ ଟହଲି ଖେଳ କରିବାକୁ ଯାଏ । ସାଙ୍ଗରେ ଗାଁ ର ଜଣେ ପିଲାକୁ ନେଇକରି ଯାଏ ସାହାଯ୍ୟ କରିବାକୁ । ଯେତେବେଳେ କଳ୍ପନା କୁ ବର୍ଷଟିଏ ପୁରିଗଲା ସାବିତ୍ରୀ ବି କଳ୍ପନାକୁ ନେଇ ତା ସାଙ୍ଗରେ ଯିବାକୁ ଲାଗିଲା । ପିଲାଦିନୁ କଳ୍ପନା ଦେଖେ ତା ବାପାର ଖେଳକୁ । ଯେତେବେଳେ କଳ୍ପନାକୁ ଦୁଇ ବର୍ଷ ହେଲା ,ସେ ବି ଛୋଟ ଛୋଟ ଖେଳ କରିବାକୁ ଲାଗିଲା ।ବେଳେ ବେଳେ ଟହଲି କଳ୍ପନା କୁ ଧରି ଲମ୍ବା ବାଉଁଶ ଉପରେ ଚାଲେ । କଳ୍ପନା ହସି ହସି ତା କୁନି କୁନି ହାତରେ ତଳି ବାଯାଏ । ଏ ସବୁ ଦେଖି ତାକୁ ବହୁତ ଲୋକ କୁହନ୍ତି ,ସହର କୁ ଯାଇ ଏ ଖେଳ କଲେ ଆହୁରି ଭଲ ରୋଜଗାର ହେବ । ଥରଟିଏ ସେ ତାଙ୍କ ଗାଁ ର ହରିଶ ବାବୁଙ୍କ ଯୋଗାଯୋଗ ରେ ସହରକୁ ଯାଇ ତା ଖେଳ ଦେଖାଇଲା ଓ ବେଶ ଭଲ ରୋଜଗାର ବି ହେଲା । ତା ପରେ ଦୁହେଁ ଟହଲି ଓ ସାବିତ୍ରୀ ଠିକ କଲେ କି ସହର ଯାଇ ଖେଳ ଦେଖାଇବେ ଓ କଳ୍ପନା କୁ ପାଠ ପଢ଼ାଇବେ । ସେମାନେ ହରିଶ ବାବୁଙ୍କୁ କହି ଗୋଟିଏ ଛୋଟ ଘର ସହରରେ ଭଡାକୁ ନେଲେ ଓ ସହର ଭିତରେ ଖେଳ ଦେଖାଇବାକୁ ଲାଗିଲେ .ସେତେବେଳେ କଳ୍ପନା କୁ ତିନି ବର୍ଷ ବୟସ । ଏମିତି ଖେଳ ଦେଖାଉ ଦେଖାଉ ଥରେ ସାବିତ୍ରୀ ଉପରୁ ଖସି ପଡିଲା ଓ ତା ଗୋଡ଼ ଓ ଅଣ୍ଟାରେ ବହୁତ ଆଘାତ ଲାଗିଲା । ଡାକ୍ତର କହିଲେ ସେ ଚାଲବୁଲ କରିବା କହିହେବ ନାହିଁ । ଗୋଟିଏ ମାସ ପରେ ସାବିତ୍ରୀ କୁ ଘରକୁ ଟହଲି ଆଣିଲା । ସାବିତ୍ରୀ ଆଶା ବାଡ଼ି ଧରି ଧୀରେ ଧୀରେ ଉଠି ନିଜ ନିତ୍ୟକର୍ମ ଟି କରେ ,କିନ୍ତୁ ଆଉ କିଛି କରିପାରେ ନାହିଁ । ଟହଲି ନିଜେ ଝିଅ କଳ୍ପନା କୁ ନେଇ ଖେଳ ଦେଖାଇବାରେ ଲାଗିଲା ଓ ନିଜ ଘର ଚଳାଇଲା.ନିଜେ ରନ୍ଧା ବାଧା ବି ଟହଲି କରେ । କଳ୍ପନା ବି ବିନା ଡର ରେ ଲମ୍ବା ବାଉଁଶ ଉପରେ ଏକ ଏକ ତା ବାପା ପରି ଚାଲିବାକୁ ଲାଗିଲା .ଯେତେବେଳେ କଳ୍ପନାକୁ ପାଞ୍ଚ ବର୍ଷ ହେଲା ଟହଲି ଗୋଟିଏ ଘରୋଇ ସଂସ୍ଥା ରେ କାମ କଲା । ତାକୁ ସେଠାରେ ସାତ ଆଠ ଫୁଟ ଖୁଣ୍ଟି ଉପରେ ଚଡି କାମ କରିବାକୁ ହୁଏ । ଯାହା ତା ପାଇଁ ବଡ଼ ସହଜ କାମ ଥିଲା । ସେଠି କାମ କରି ସେ କଳ୍ପନା କୁ ସରକାରୀ ସ୍କୁଲ ରେ ପାଠ ପଢ଼ାଇଲା । ସାବିତ୍ରୀ ର ବି ସେବା କରିବାରେ ଟହଲି ଲାଗିଲା । କିନ୍ତୁ ସାବିତ୍ରୀ ଆଉ ଠିକ ହେବାର କୌଣସି ରାସ୍ତା ନ ଥିଲା । ଏଣେ କଳ୍ପନା ଭଲ ପାଠ ପଢିବା ସହିତ ଖେଳ କୁଦ ରେ ବି ଭଲ ସଫଳତା ପାଇଲା । ଯେତେବେଳେ କଳ୍ପନା ଦଶମ ଶ୍ରେଣୀରେ ପଢୁଥାଏ ସେ ସୁଯୋଗ ପାଇଲା ସରକାରୀ ସହାୟତାରେ ପର୍ବତ ଆରୋହଣ ଶିଖିବା ପାଇଁ । ଟହଲି ଟିକେ ଆଜି ଡରିଗଲା, କିନ୍ତୁ ଝିଅ ର ଆତ୍ମବିଶ୍ୱାସ କୁ ଦେଖି ରାଜି ହେଇଗଲା । କଳ୍ପନା ବି ଖୁସି ହେଇଗଲା । କଳ୍ପନା ସେଠାରେ ବହୁତ ଭଲ ପ୍ରଦର୍ଶନ କଲା ଓ ଘରକୁ ଆସି ତା ବାପା ଓ ମା ଙ୍କୁ ମିଳିଥିବା ପୁରସ୍କାର ଦେଖାଇଲା । କଳ୍ପନା ଦଶମ ପରୀକ୍ଷାରେ ଭଲ ନମ୍ବର ରଖି ଉତୀର୍ଣ୍ଣ ହେଲା ଓ କଲେଜ ରେ ନାମ ଲେଖାଇଲା । ଏବେ କଳ୍ପନା ର ଲକ୍ଷ ବିଶ୍ୱ ର ଦୁର୍ଗମ ଓ ବଡ଼ ଶୃଙ୍ଗ କୁ ଚଢିବା । ସେଥିପାଇଁ ଟ୍ରେନିଂ ନେବାକୁ ହେବ । ବହୁତ ଅର୍ଥ ର ଆବଶ୍ୟକତା ହେବ । ସେ ନିଜ ଘର ର ପରିସ୍ଥିତି ଜାଣିଥାଏ । ସେ ଦେଖୁ ଦେଖୁ ୧୨ ଶ୍ରେଣୀ ପାସ କଲା । ସେତିକିବେଳେ ଟହଲି ସଂସ୍ଥା ର ମାଲିକ ଥରେ କହିଲେ ତାଙ୍କ ସଂସ୍ଥା କିଛି ଯୁବକ ଯୁବତୀଙ୍କୁ ପର୍ବତ ଆରୋହଣ ପାଇଁ ନେବାକୁ ଥିବା ଟ୍ରେନିଂ ପାଇଁ ସହାୟତା କରିବ । ଘରେ ଆସି ଟହଲି ଏ କଥା କହୁ କହୁ କଳ୍ପନା ଖୁସିରେ ତାକୁ ଧରି କହିଲା , ''ବାପା ମୁଁ ସେ ଟ୍ରେନିଂ ନେବି । ମୋର ଇଚ୍ଛା ସବୁଠାରୁ ଦୁର୍ଗମ ଓ ବଡ଼ ଶୃଙ୍ଗ କୁ ମୁଁ ଚଢ଼ିବି ଓ ଦେଶ ର ପତାକା ଉଡ଼ାଇବି ସେଠାରେ'' ଏହା ଶୁଣି ଟହଲି ଟିକେ ଚୁପ ହେଇଗଲା ଓ କହିଲା ,'' ଠିକ ଅଛି ତୁ ଯଦି ଇଚ୍ଛା କରୁଛୁ, ତେବେ ମୁଁ କଲି କଥା ହେବି'' ଟହଲି ଯାଇ ତା ମାଲିକ ଙ୍କୁ କଳ୍ପନା ବିଷୟରେ ସବୁ କହିଲା । କଳ୍ପନା ପାଇଥିବା ପ୍ରମାଣପତ୍ର ବି ଦେଖାଇଲା । ତା ମାଲିକ ବହୁତ ଖୁସି ହେଇଗଲେ ଓ କଳ୍ପନା କୁ ସାହାଯ୍ୟ କରିବାକୁ ରାଜି ହେଇଗଲେ । ତା ପରେ କଳ୍ପନା ସବୁ ପ୍ରକାର ର ବୈଷୟିକ ଟ୍ରେନିଂ ନେଲା ।ଦୀର୍ଘ ଦୁଇ ବର୍ଷ ଭୀଷଣ ପରିଶ୍ରମ ପରେ ସେ ନିଜର ସ୍ବପ୍ନକୁ ସାର୍ଥକ କରିବ ପାଇଁ ପାଞ୍ଚ ଜଣିଆ ଦଳର ଗୋଟିଏ ସଦସ୍ୟ ହୋଇ ଗଲା । ପୃଥିବୀ ର ସବୁଠାରୁ ଦୁର୍ଗମ ଓ ବଡ଼ ଶୃଙ୍ଗ କୁ ସେ ଆରୋହଣ କଲା ଓ ଦେଶ ର ପତାକା ସେଠାରେ ଉଡାଇଲା । କିନ୍ତୁ ବଡ଼ ଦୁଃଖର କଥା ତା ସାଙ୍ଗ ରେ ଥିବା ଅନ୍ୟ ଆରୋହଣକାରୀ ଆଉ ଫେରି ପାରିଲେ ନାହିଁ ଓ ତାନ୍କର ସେଠାରେ ମୃତ୍ୟୁ ହେଇଗଲା । ବହୁତ କଷ୍ଟ ରେ କଳ୍ପନା ସେଠାରୁ ବିଜୟ ଲାଭ କରି ତଳକୁ ଫେରିଲା । ସେ ଘରକୁ ଆସି ତା ବାପା ଓ ମା କୁ ଜାବୁଡି ଧରି ଖୁସିରେ ନାଚିଲା । ସାରା ସହର ରେ ଓ ଦେଶ ରେ ଏବେ କଳ୍ପନା ର ଚର୍ଚ୍ଚା । ସେଥିପାଇଁ ଆଜି ନିଜେ ମୁଖ୍ୟମନ୍ତ୍ରୀ ତାକୁ ସମ୍ମାନିତ କରିବାକୁ ଆସୁଛନ୍ତି .

ଏତିକି ବେଳେ ଟହଲି କାନରେ କଳ୍ପନା ର ନାଁ ଶୁଭିଲା .ସେ ପ୍ରକୁସ୍ତିତ ହେଇ ଦେଖିଲା ତା ଝିଅ ଯାଉଛି ମଞ୍ଚ ଉପରକୁ .ନିଜେ ମୁଖ୍ୟମନ୍ତ୍ରୀ ଫୁଲ ତୋଡ଼ା ଦେଲି ତାକୁ ସମ୍ମାନିତ କଲେ .ଯେତେବେଳେ କଳ୍ପନା କୁ କହିବାକୁ କୁହାଗଲା ,ସେ ସେଠାରେ କହିଲା ,'' ଆଜି ମୋର ଏହି ସଫଳତା ପାଇଁ ମୁଁ ସବୁ ଶ୍ରେୟ ମୋର ପ୍ରଥମ ଗୁରୁ ମୋର ବାପା ଶ୍ରୀଯୁକ୍ତ ଟହଲି ପ୍ରଧାନ ଙ୍କୁ ଦେବି । ପିଲାଦିନରୁ ସେ ମୋତେ ସବୁବେଳେ ସାହସ ଦେଇ ଆସିଛନ୍ତି ଓ ଶିଖାଇଛନ୍ତି .ସେଥିପାଇଁ ମୋର ଆତ୍ମବିଶ୍ୱାସ ଦିନକୁ ଦିନ ବଢ଼ିବାରେ ଲାଗିଲା ଓ ଆଜି ମୁଁ ଏହି ସଫଳତା ହାସଲ କରି ପାରିଲି । ମୋର ମା ବି ମୋତେ ସବୁବେଳେ ସାହସ ର ପାଠ ପଢ଼ିଛନ୍ତି । ଆଜି ମୋ ମା ସାବିତ୍ରୀ ପ୍ରଧାନ ଶଯ୍ୟାଶାୟୀ ଓ ଏଠାକୁ ଆସି ପରି ନାହାନ୍ତି .କିନ୍ତୁ ମୋର ବାପା ଆସିଛନ୍ତି । ମୁଁ ଅନୁରୋଧ କରିବି ମୋର ବାପାଙ୍କୁ ଏହି ମଞ୍ଚ ଉପରକୁ ଆସି ମୋତେ ଆଶୀର୍ବାଦ କରିବାକୁ । ସେ ବହୁତ କଷ୍ଟ ସହି ମୋତେ ପାଠ ପଢାଇଛନ୍ତି,ନିଜେ ପଢି ନାହାନ୍ତି । ଆମେ ବହୁତ ଗରିବ ହେଲେ ବି ମୋ ପାଇଁ ମୋ ବାପା ସବୁବେଳେ ବଡ଼ ସ୍ବପ୍ନ ଦେଖିଛନ୍ତି'' ସେତିକିବେଳେ ପୁରା ସଭାଗୃହ ତଳି ରେ କମ୍ପିବାକୁ ଲାଗିଲା । ଟହଲି ଧୀରେ ଧୀରେ ମଞ୍ଚ ଉପରକୁ ଗଲା । ତାକୁ ଦେଖି ତା ଝିଅ ପ୍ରଣାମ କଲା । ଏତିକିରେ ଟହଲି ଆଖିରୁ ଖୁସିର ଲୁହ ବୋହିବାକୁ ଲାଗିଲା । ମୁଖ୍ୟମନ୍ତ୍ରୀ ଘୋଷଣା କଲେ କଳ୍ପନା କୁ ଏକ ସରକାରୀ ଚାକିରୀ ଓ ସରକାରଙ୍କ ତରଫରୁ ଏକ ଘର ମାଗଣାରେ ଦିଆଯିବ । ମଞ୍ଚ ଉପରେ ବାପ ଓ ଝିଅ ଉଭୟ ନିଜକୁ ଧରି କାନ୍ଦୁଥିଲେ ଓ ସାରା ସଭା ଗୃହ ତାଳି ମାଡ଼ରେ କମ୍ପୁଥିଲା ..ସମସ୍ତେ କହୁଥିଲେ,''କଳ୍ପନା ର ଆତ୍ମବିଶ୍ୱାସ କୁ ମାନିବାକୁ ହେବ । ଏତେ ଛୋଟ ବୟସରେ ସେ ଏତେବଡ଼ କାମ କରି ପାରିଛି । ଧନ୍ୟ ତାର ପିତା ମାତା ।''



Rate this content
Log in