STORYMIRROR

Sambit Srikumar

Children Stories Inspirational Children

3  

Sambit Srikumar

Children Stories Inspirational Children

ଆନ୍ନେୟା

ଆନ୍ନେୟା

4 mins
157


ମଣିଷ ସହିତ ମଣିଷର ସମ୍ପର୍କ ପୂର୍ବରୁ ନିର୍ଦ୍ଧାରିତ ହୋଇ ରହିଥାଏ। ସଠିକ୍ ସମୟରେ ପରିସ୍ଫୁଟନ ଘଟେ। ଏଇ କଥାଟିକୁ ମୁଁ ମର୍ମେ ମର୍ମେ ଅନୁଭବ କଲି ଯେବେ ସେଇ ତେଲୁଗୁଭାଷୀ ପିଲାଟି ମୋତେ ପହିଲିବାର ଆନ୍ନେୟା ବୋଲି ଡାକିଲା ମୋର ଅଲକ୍ଷରେ। ସମସ୍ତ ବାରଣ ସତ୍ତ୍ୱେ ମୋ ସହିତ ମିଶିବା ଆରମ୍ଭ କଲା ସେ ଅବାଧରେ। ଦୂରେଇ ଦେଲା ମୋର ଅଭାବବୋଧ। ମୋତେ ଯେବେ ସଭିଏଁ ଦୂର୍ ଦୂର୍ ମାର୍ ମାର୍ କରୁଥିଲେ ଭାଷାଗତ ଭାବଗତ ସାଂସ୍କୃତିକ ବିଭେଦକୁ ନେଇ ସେତେବେଳେ ସେଇ ପିଲାଟି ଆସିଥିଲା ମୋ ଜୀବନରେ ସମ୍ପର୍କର ସଞ୍ଜିବନୀ ହୋଇ!


ପିଲାଟିର ଆମ୍ମା ତାକୁ କହି କହି ଥକିଗଲା ପଛକେ ସେ ମୋତେ "ଆନ୍ନେୟା" ଡାକିବା ଛାଡ଼ିଲା ନାହିଁ। ତାର ଏକା ଜିଦ୍, କେବଳ ଆନ୍ନେୟା ହିଁ ଡାକିବ ସେଇ ଓଡ଼ିଶା ଲୋକଟାକୁ। ସତେ ଯେମିତି ମୋ ଦେହର ବାସ୍ନା ବାରି ପାରି ମୁଁ ଘରୁ ବାହାରକୁ ଯିବା ଆସିବା କରିବା ସମୟରେ ଚିଲ ପରି ଧାଇଁ ଆସେ ସେ। "ଆନ୍ନେୟା" "ଆନ୍ନେୟା" କହି ପୁଣି ଫେରି ଯାଏ ତାଙ୍କ ଘର ଭିତରକୁ। କି ସୁଖ ପାଏ ମୋତେ ଏମିତି ଡାକିବାରେ କେବଳ ତାକୁ ହିଁ ଜଣା...


ଘରେ ବଡ଼ ବୋଲି ମୋ ସାନ ଭାଇଭଉଣୀଙ୍କ ପାଇଁ ମୁଁ ଭାଇନା! ଏଇ ଭାଇନା ଡାକଟା ଏତେ ଲୋକପ୍ରିୟ ହୋଇଗଲା ଯେ ମୋର ହାଇଦ୍ରାବାଦ୍ ପ୍ରବାସରେ ଛୋଟବଡ଼ ସଭିଏଁ ଏଇ ନାମରେ ମୋତେ ଡାକୁଥିଲେ। ଅଫିସରେ ସହକର୍ମୀମାନଙ୍କ ଠାରୁ ଆରମ୍ଭ କରି ଆମ ଓଡ଼ିଆ ସମାଜର ଇଞ୍ଜିନିୟରମାନଙ୍କ ପାଇଁ ମୁଁ ଭାଇନା। ଏଇଟା ହିଁ ମୋର ପରିଚୟ। ଏମାନଙ୍କ ଗହଣରେ କେବେ ବି ଘର ପରିବାରର ଅନୁପସ୍ଥିତିକୁ ଅନୁଭବ କରିନଥିଲି ମୁଁ।


ଯେବେ ବିଜୟୱାଡ଼ାକୁ ମୋର ବଦଳି ହେଲା ସବୁ କିଛି ବଦଳି ଗଲା ଯେମିତି। ସାଙ୍ଗ ସାଥି ଏଠି କେହି ବି ନଥିଲେ। ସାଂସ୍କୃତିକ ଓ ଭାଷାଗତ ବୈଷମ୍ୟ ହେତୁ ଲୋକ ମୋତେ ଭିନ୍ନ ଦୃଷ୍ଟିରେ ଦେଖୁଥିଲେ। ସେମାନଙ୍କ ପାଇଁ ମୁଁ ଥିଲି ପରଦେଶୀ, ସେମାନଙ୍କ ଭାଷା ଜାଣିନଥିବା ବିଦେଶୀ ଗୁପ୍ତଚରଟିଏ। ମୋତେ ଲାଗୁଥିଲା ସତେ ଯେମିତି ମୁଁ ଏମାନଙ୍କ ପରି ମଣିଷ ନୁହେଁ, ଗୋଟିଏ ଭିନ୍ନ ଗ୍ରହର ବିଚିତ୍ର ଜୀବଟିଏ! ସେତିକିବେଳେ ମୋର ପରିଚୟ ଆଉ ଆଦରର ଭାଇନା ନଥିଲା ଏଇ ତେଲୁଗୁ ରାଜ୍ୟରେ ବରଂ ପୁରୀ ଜଗନ୍ନାଥ ହିଁ ଥିଲେ। ସଭିଙ୍କ ପାଖରେ ଏଇ କଥା ପଦକ କହି ନିଜକୁ ପରିଚିତ କରାଉଥିଲି।


ମୁଁ ରହୁଥିବା ଆପାର୍ଟମେଣ୍ଟର ପ୍ରଥମ ମହଲାରେ ତିନି ଚାରି ବର୍ଷର ପିଲାଟିଏ ରହୁଥିଲା ତାର ଅଜା ଆଈଙ୍କ ସହିତ। ଟିକେ ଦୂରରେ ତାର ବାପା ମାଆ ରହୁଥିଲେ ଆଉ ଗୋଟିଏ ଆପାର୍ଟମେଣ୍ଟରେ। କେଜାଣି କେମିତି ଏଇ ପିଲାଟି ସହିତ ମୋର ସଂପର୍କ ଗଢ଼ି ଉଠିଥିଲା ମୁଁ ବି ଜାଣିନି। ମୋ ଯିବାଆସିବା ସମୟରେ ମୋତେ ତେଲୁଗୁରେ "ଆନ୍ନେୟା" କହି ଡ଼ାକ ପକାଏ। ମୁଁ ଦେଖିବା ଆଗରୁ ପିଲର ପଛରେ ଲୁଚି ଯାଏ ସିଏ। ପ୍ରଥମେ ପ୍ରଥମେ ମୁଁ ଧ୍ୟାନ ଦେଉନଥିଲି ତାର ଡାକକୁ କିଏ ବା କାହିଁକି ମୋତେ ଏମିତି ଡାକିବ ଭାବି। ଦିନେ ତାର ଆଈ ମୋତେ କହିଲେ, "ବାବୁ! ତୁମକୁ ହିଁ ଆନ୍ନେୟା ଡାକୁଛି ଲୌଶିକ୍!"

ସେବେ ଜାଣିବାକୁ ପାଇଲି ଯେ, ପିଲାଟିର ନାଁ ଲୌଶିକ୍ ବୋଲି। ଅଜା ତାର ଆପାର୍ଟମେଣ୍ଟ୍ ସୋସାଇଟିର ସେକ୍ରେଟାରୀ ଭେଙ୍କଟାଦ୍ରୀ ନାଗେଶ୍ଵର ରାଓ ଅର୍ଥାତ୍ ଭି.ଏନ୍.ଆର୍.। ମୋ ବୟସର ଅବା ମୋ ଠାରୁ ବୟସରେ ସାନ ଅନ୍ୟମାନଙ୍କୁ ଲୌଶିକ୍ ଅଙ୍କଲ୍ ବୋଲି ଡାକୁଥିବା ବେଳେ ମୋତେ ଭାଇନା ସମ୍ବୋଧନ କରୁ ଥିବାରୁ ସଭିଏଁ ମୋ ପ୍ରତି ଏକପ୍ରକାର ଇର୍ଷାନ୍ବିତ ବି ଥିଲେ। ସୋସାଇଟି ମିଟିଂ ଓ ଗେଟଟୁଗେଦରରେ ନିୟମିତ ମଥାରେ ରଙ୍ଗମାଖି ଯୌବନକୁ ଚିରଦିନ ବାନ୍ଧି ରଖିବାକୁ ସଦାସର୍ବଦା ତତ୍ପର ଥିବା ରାମକ୍ରିଷ୍ଣାଗାରୁ ଏଇ କଥା କହି ବହୁତ ଥଟ୍ଟା ପରିହାସ କରନ୍ତି ମୋ ସହ।


ଏଇଟା ହିଁ ଥିଲା ମୋର ତେଲୁଗୁଭାଷୀଙ୍କ ସହିତ ମିଶିକରି ଏକାତ୍ମ ହୋଇ ଚଳିବାର ପ୍ରଥମ ସୋପାନ। ଏଇ ଲୌଶିକ୍ ପାଇଁ ସବୁ କିଛି ସମ୍ଭବ ହୋଇ ପାରିଥିଲା। ଆମ ଦୁହିଁଙ୍କର ଭଲ ଦୋସ୍ତି ହୋଇଗଲା ଖୁବ୍ କମ୍ ସମୟ ମଧ୍ୟରେ। ଅବସରରେ ପ୍ରାୟ ସମୟ ମୋ ସହ କାଟୁଥିଲା ଆମ ଘରେ ସେ। ମୋର ଖଣ୍ଡି ତେଲୁଗୁକୁ ନେଇ ବେଶ୍ ମଜାକ୍ କରେ ସେ। ଦିନକୁ ଦିନ ତାର ଏଇ ଆନ୍ନେୟା ଡାକରେ ମୁଁ ଅନୁଭବ କରୁଥିଲି ଭାଇନାର ଆତ୍ମୀୟତା।


ଗୋଟେ ଅଚିହ୍ନା ଦରବୁଢା ବିଦେଶୀ ଲୋକକୁ ବଡ଼ ଭାଇ ବନାଇଥିବାର କଥା ଲୌଶିକର ମାଆବାପାଙ୍କୁ ଅଛପା ରହିଲା ନାହିଁ। କଥାଟା କାନରେ ପଡିଲାରୁ ଦିନେ ଲୌଶିକର ମାଆ ଅନୁଷ୍କା ଦେବୀ ମୋତେ କହିଲେ, "ଆପଣଙ୍କୁ ସାର୍ କହିବି ନା ଆନ୍ନା କହିବି ଜାଣି ପାରୁନି। ଏଇ ଜିଦିଆ ପିଲାଟାକୁ ମୁଁ କହି କହି ଥକିଗଲଣି ଯେ, ଆପଣ ମୋର ଆନ୍ନେୟା ହେବେ ବୋଲି। ଏଣୁ ଆନ୍ନେୟା ନଡାକି ମାମ୍ମେୟା ଡାକିବା ପାଇଁ ଆପଣଙ୍କୁ। ହେଲେ ତାର ଏକା ଜିଦ୍ ଡାକିବ ତ ଆନ୍ନେୟା ଡାକିବ ନହେଲେ କିଛି ବି ଡାକିବ ନାହିଁ। କିଛି ମାଇଣ୍ଡ୍ କରିବେନି ତା କଥା।"

"ଏଥିରେ ମାଇଣ୍ଡ୍ କରିବାର କଣ ଅଛି? ଲୌଶିକର ତ ଏଇଟା ଭଲପାଇବା ମୋ ପ୍ରତି। ତାର ଯେମିତି ଇଛା ସେମିତି ଡାକୁ... " ପ୍ରତ୍ୟୁତ୍ତରରେ କହିଲି ମୁଁ। ସେବେଠୁ ଆମ ଦୁଇ ପରିବାର ମଧ୍ଯରେ ସୁସମ୍ପର୍କ ସ୍ଥାପନ ହୋଇଗଲା। ଯାହା ଆଜି ମଧ୍ୟ ବଳବତ୍ତର ରହିଛି।

କଥା ପ୍ରସଙ୍ଗରେ ଜଣାପଡିଥିଲା ଯେ, ଅନୁଷ୍କା ଦେବୀ ଓ ତାଙ୍କ ପତି ବିଦ୍ୟାଧର ବାବୁ ବୟସରେ ମୋ ଠାରୁ ଢେର୍ ସାନ! ମୋର ଆଶ୍ଚର୍ଯ୍ଯର ସୀମା ରହିଲା ନାହିଁ। ଦୁହେଁ ଖୁବ୍ କମ୍ ବୟସରେ ପାରିବାରିକ ବାଧ୍ୟବାଧକତାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଏବଂ ପ୍ରଥମ ବିବାହ ବାର୍ଷିକୀର ଭେଟି ରୂପେ ଲୌଶିକ୍ ଆସିଥିଲା ସେମାନଙ୍କ ଜୀବନରେ ପରମେଶ୍ଵରଙ୍କ ଆଶୀର୍ବାଦ ସ୍ଵରୂପ।


ଏହା ଭିତରେ ପାଖାପାଖି ଦଶନ୍ଧିଟିଏ ବିତିଗଲାଣି। ଲୌଶିକ୍ ଚପଳ ଶୈଶବକୁ ଅତିକ୍ରମ କରି ଆଦ୍ୟ କୈଶୋରରେ ପାଦ ଥାପିଛି। ଅନେକ ପରିବର୍ତ୍ତନ ଆସିଛି ତାର ଶାରୀରିକ ଓ ମାନସିକ ଭାବେ। ଆଜିକାଲି ଆଉ ଆନ୍ନେୟା ବୋଲି ଡାକିବାକୁ ଲାଜ ଲାଗୁଛି ତାକୁ। ଆପାର୍ଟମେଣ୍ଟର ଅନ୍ୟ ପିଲାମାନଙ୍କ ପାଇଁ ସେ ଏବେ ଆନ୍ନେୟା। ଏଇ ଡାକଟା ସତେ ଯେମିତି ଏକ ସମ୍ମାନଜନକ ପଦବୀ! ନିଜେ ଆନ୍ନେୟା ହୋଇଯିବାପରେ ମୋତେ ଅଙ୍କଲ୍ ବୋଲି ବି ଡାକିପାରୁନି କାଳେ ଆଣ୍ଟି ଡାକିବାକୁ ପଡ଼ିଲେ ମାଇଁ ବିଗିଡ଼ିବେ ବୋଲି। ମୁଁ ତା' ମନର ଦ୍ବିଧାକୁ ବେଶ୍ ବୁଝି ପାରେ। ଏଣୁ ଚୁପ୍ ରହେ। କେବେ କେବେ ଦୁହେଁ ଦୁହିଁଙ୍କୁ ହ୍ଯାଲୋ ହାଏ କହି କାମ ଚଳେଇ ଦେଉ। କିନ୍ତୁ ସମ୍ପର୍କର ସେଇ ମଧୁରତା ଆଜି ବି ଅତୁଟ ରହିଛି ଆଉ ଆଗକୁ ବି ରହିଥିବ...



Rate this content
Log in