Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Bhabesh Chandra Kar

Others


3  

Bhabesh Chandra Kar

Others


ଆନନ୍ଦାଶ୍ରୁ

ଆନନ୍ଦାଶ୍ରୁ

11 mins 476 11 mins 476


ସେଦିନ ଏକ ରାଜ୍ୟସ୍ତରୀୟ ବିତର୍କରେ ଭାଗନେବାପାଇଁ ରେଭେନ୍ସା ମହାବିଦ୍ୟାଳୟରୁ ଯାଇଥିବା ଏକ ପାଞ୍ଚଜଣିଆଁ ଦଳରେ ସାମୀଲ ଥିଲେ ଅବିନାଶ ଓ ମାନସୀ ।ଅବିନାଶ ପଦାର୍ଥବିଗ୍ୟାନ ସମ୍ମାନର ଶେଷବର୍ଷର ଛାତ୍ର ଓ ମାନସୀ ଇଂରାଜୀ ସମ୍ମାନର ପ୍ରଥମ ବର୍ଷର ଛାତ୍ରୀ ।ଅବିନାଶ ଜଣେ ସୁବକ୍ତା ତଥା ପ୍ରତିଭାବାନ ଛାତ୍ର ହିସାବରେ କଲେଜରେ ବେଶ ପରିଚିତ ।କଟକରୁ ବସରେ ଗଲାବେଳେ ପାଖରେ ବସିଥିବା ଅବିନାଶ କଥା ପ୍ରସଙ୍ଗରେ ଭାଷଣର କିଛି ଟିପସ୍ ଦେଉଥିଲା ମାନସୀକୁ ।ପ୍ରଥମଥର ପାଇଁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗନେଉଥିବା ମାନସୀ ଆଗ୍ରହର ସହ ସବୁ ଶୁଣୁଥିଲା ଅବିନାଶଙ୍କ ଠାରୁ ।ବାଣିବିହାର ୟୁନିଭରସିଟି କ୍ୟାମ୍ପସରେ ପହଞ୍ଚି ଯାଇଥିଲେ ଉଭୟ ଯେଉଁଠାରେକି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।ତାଙ୍କ କଲେଜର ଅନ୍ୟ ସାଥିମାନେ ମଧ୍ୟ ପହଞ୍ଚି ଯାଇଥିଲେ ।

     ନିର୍ଦ୍ଧାରିତ ସମୟରେ ୟୁନିଭରସିଟିର ଅଡିଟୋରିୟମରେ ବିତର୍କ ଆରମ୍ଭ ହୋଇଥିଲା ।ବିତର୍କର ବିଷୟ ଥିଲା " ଆମ ଶାସନ ବ୍ୟବସ୍ଥା,ସମ୍ବିଧାନ ଓ ସାଧାରଣ ଜନତା " ସର୍ବପ୍ରଥମେ ନିଜର ମତ ଉପସ୍ଥାପନା କରିବାର ପାଳି ପଡିଥିଲା ଅବିନାଶର ।ବହୁତ ସୁନ୍ଦର ତଥା ଅକାଟ୍ୟ ଯୁକ୍ତି ସହିତ ନିଜର ମତ ରଖିଥିଲା ଅବିନାଶ ।କେତେଜଣ ପ୍ରତିଯୋଗୀଙ୍କ ପରେ ମାନସୀର ପାଳି ଆସିଥିଲା ।ସାମ୍ପ୍ରତିକ ପରିସ୍ଥିତିରେ ଆମ ଦେଶର ଶାସନ ବ୍ୟବସ୍ଥାରେ କିପରି ମୃଷ୍ଟିମେୟ ପୁଂଜିପତିଙ୍କ ସ୍ବାର୍ଥକୁ ଅଗ୍ରାଧିକାର ଦିଆଯାଉଛି ,ସମ୍ବିଧାନିକ ବ୍ୟବସ୍ଥାର କିପରି ଖୋଲମଖୁଲା ଉଲଂଘନ କରାଯାଉଛି ଓ ସାଧାରଣ ଜନତାର ଶାସନ ବ୍ୟବସ୍ଥା ଉପରେ କିପରି ଆସ୍ଥା ତୁଟିଯାଉଛି ଏହାଉପରେ ନିଜର ମତକୁ ସରଳ କିନ୍ତୁ ଶାଣିତ ଭାଷାରେ ଉପସ୍ଥାପନ କରି ନିଜ ସିଟକୁ ଫେରିବା ଆସିବା ପରେ ଆତ୍ମସନ୍ତୋଷ ଲାଭ କରୁଥିଲା ଏ ଭଳି ଏକ ପ୍ରତିଯୋଗୀତାରେ ଭାଗ ନେବାର ସୁଯୋଗ ମିଳିଥିବାରୁ ।ସେ ଜାଣିଥିଲା ପ୍ରଚଣ୍ଡ ପ୍ରତିଭାବାନ ଅବିନାଶ ଓ ସେହିଭଳି ଅନ୍ୟବନ୍ଧୁମାନଙ୍କ ନିକଟରେ ସେ ବହୁତ ନଗଣ୍ୟ ।ସେ କଟକ ଫେରିଯିବାକୁ ବସିଥିଲା କିନ୍ତୁ ଅବିନାଶର କାର୍ଯ୍ୟକ୍ରମ ଶେଷଯାକେ ରହିବାର ଅନୁରୋଧକୁ ସେ ଭାଙ୍ଗି ନପାରି ସନ୍ଧ୍ୟାଯାକେ ରହିଥିଲା ।ସନ୍ଧ୍ୟାବେଳେ ବିଶ୍ବବିଦ୍ୟାଳୟ ତରଫରୁ ଏକ ବିଶେଷ ଉତ୍ସବର ଆୟୋଜନ କରାଯାଇଥିଲା ।ଯେଉଁଥିରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ମନ୍ତ୍ରିମଣ୍ଡଳର ଦୁଇଜଣ ବରିଷ୍ଟ ମନ୍ତ୍ରି ଅତିଥିଭାବେ ଯୋଗଦେଇଥିଲେ ।ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ଆରମ୍ଭ ହେଲା ।ତର୍କପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀମାନଙ୍କର ନାମ ଡକାଗଲା।ସେଥିରେ ବିଚାରକମାନଙ୍କ ଦ୍ବାରା ମାନସୀ ହିଁ ପ୍ରଥମ ସ୍ଥାନ ଅଧିକାର କରିବାର ଯୋଗ୍ୟା ପ୍ରାଥିନୀଭାବେ ମନୋନିତ ହୋଇ ଯେତେବେଳେ ମଂଚକୁ ମୁଖ୍ୟଅତିଥି ତଥା ମୁଖ୍ୟମନ୍ତ୍ରୀଙ୍କଠାରୁ ଟ୍ରଫି ଆଣିବାକୁ ଯାଉଥିଲା ।ସେତେବେଳେ ତାକୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗୁଥିଲା । ଅବିନାଶ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ ଏବଂ ସାଲେପୁର ମହାବିଦ୍ୟାଳୟର ଜଣେ ଛାତ୍ରୀ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ।

ରାତି ଅଧିକ ହୋଇଯାଇଥିବାରୁ ଗାଡିଟିଏ ରିଜର୍ଭ କରିଥିଲେ ଅବିନାଶ ।ବାଟରେ ଗାଡିରେ ଆସିଲା ବେଳେ ଉଭୟ ଚୁପଚାପ ହୋଇ ବସିଥିବା ବେଳେ କଥା ଆରମ୍ଭ କରି ଅବିନାଶ କହିଲା ବୁଝିଲ ମାନସୀ ଆଜିର ଦିନଟା ମୋ ପାଇଁ ସ୍ମରଣୀୟ ହୋଇ ରହିବ ।ପ୍ରଶ୍ନିଳ ଆଖିରେ ଅବିନାଶଆଡେ ଚାହିଁ ରହି ମାନସୀ ପଚାରିଲା କିପରି ? ଉତ୍ତରରେ ଅବିନାଶ କହିଲା ଦେଖ ବହୁ ତର୍କ ପ୍ରତିଯୋଗୀତାରେ ମୁଁ ଭାଗନେଇଛି ,ପ୍ରତିଯୋଗୀ ବନ୍ଧୁମାନଙ୍କ ଉପସ୍ଥାପନକୁ ଅତ୍ୟନ୍ତ ଶ୍ରଦ୍ଧାଶୀଳଭାବେ ଶୁଣିଛି ଓ ମୁଁ ବହୁ ସ୍ଥାନରେ ପୁରସ୍କୃତ ମଧ୍ୟ ହୋଇଛି କିନ୍ତୁ ଆଜି ତୁମର ଉପସ୍ଥାପନା ଓ ଯୁକ୍ତି ସବୁଠୁ ନିଆରା ସେଥିପାଇଁ ତୁମକୁ ଅଭିନନ୍ଦନ ।ଅବିନାଶକୁ ଧନ୍ୟବାଦ ଜଣାଇ ମାନସୀ କହିଲା ଏଥିପାଇଁ ତୁମକୁ ମୁଁ ଅଭିନନ୍ଦନ ଜଣାଇବା ଉଚିତ କାରଣ ଆସିଲା ବେଳେ ତୁମେ ଦେଇଥିବା ଟିପସ୍ କୁତ ମୁଁ କେବଳ ଅନୁସରଣ କରିଛି ।ନା ନା ତୁମର ଉପସ୍ଥାପନର ଶୈଳୀକୁ ତ ବାଦ୍ ଦେଇପାରିବାନି ।ବୁଝିଲ ମାନସୀ ତୁମଠୁ ହାରିବାରେ ଯେଉଁ ଆନନ୍ଦ ଅଛି ଜିତିବାରେ ସେ ଆନନ୍ଦ ମୁଁ ପାଇନ ଥିଲି ।ମାନସୀର ଘର ଆସି ଯାଇଥିଲା ଡ୍ରାଇଭରକୁ ଆଗରେ ଗାଡି ରଖିବା ପାଇଁ କହି ଅବିନାଶ ମାନସୀକୁ କାଲି କଲେଜ କ୍ୟାଣ୍ଟିନରେ ଲଂଚ ଟାଇମରେ ଦେଖା ହେବା ବୋଲି କହିଲା ।

ଗାଡିରୁ ଓହ୍ଲାଇ ଘରକୁ ଯିବା ସମୟରେ ମାନସୀ ଭାବୁଥିଲା ବଡ ଅଜବ ପିଲା ଏ ଅବିନାଶ ।ଯାହା ବୁଝିଥିବ ସେଥିରୁ ତାକୁ କେହି ବଦଳାଇ ପାରିବେନି ।

ତେବେ ସେହିଦିନ ଠାରୁ ଅବିନାଶ ଓ ମାନସୀର ସମ୍ପର୍କଟା ନିବିଡ ହେବାକୁ ଲାଗିଲା । ଅବିନାଶ ପଦାର୍ଥବିଗ୍ୟାନ ସମ୍ମାନ ସହ ସ୍ନାତକ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ଉତିର୍ଣ ହେବା ପରେ ବାଣୀବିହାରରେ ପି.ଜି କରିବା ସହ ଭାରତୀୟ ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତିରେ ବ୍ୟସ୍ତଥିବାରୁ ବେଶିସମୟ ଭେଟ  ହୋଇପାରୁନଥିଲା ।

 ଥରେ ପୁରାତନ ଛାତ୍ରମାନଙ୍କ ବୈଠକରେ ଯୋଗଦେବାକୁ ଅବିନାଶ ରେଭେନସା କଲେଜ ଆସିଥିବାବେଳେ ମାନସୀ ସହ ସାକ୍ଷାତ ହୋଇଥିଲା ।କଲେଜ କ୍ୟାଣ୍ଟିନରେ ଉଭୟ ଲଂଚ କରୁଥିବା ସମୟରେ ଅବିନାଶ କଥା ଆରମ୍ଭ କରି ପଚାରିଲା କଣ ମାନସୀ ପଢାପଢି କିପରି ଚାଲିଛି ।ହଁ ଠିକଠାକ ଚାଲିଛି ବୋଲି ମାନସୀର ଉତ୍ତରରେ ଅବିନାଶ କହିଲା ମାନସୀ ତୁମେ ବୋଧହୁଏ ଆମ ଦୁଇଜଣଙ୍କ ସମ୍ପର୍କକୁ ନେଇ ଏତେଟା ସିରିୟସ୍ ନୁହେଁ ।ମୁଁ ସିରିୟସ୍ କି ନା ତମେ ବୁଝିପାରିବନି ଅବିନାଶ ।ସବୁ ପୁଅ ପିଲାମାନେ ଠିକ୍ ଏହିପରି ।ପାଖରେ ଥିବା ସମୟରେ କୋଟିନିଧି କରୁଥିବେ ।ଟିକେ ଦୁରକୁ ଚାଲିଗଲେ ନାରୀଟି ଉପରେ ଦୋଷଦେଇ ନିଜେ ସୁନା ମୁଣ୍ଡା ହୋଇଯିବେ ।ଏତିକି କହୁକହୁ ତା ଆଖିରୁ ଠପ୍ ଠପ୍ ଦୁଇ ଚାରି ଠୋପା ଲୁହ ଗଡି ପଡିଲା ।ପରିସ୍ଥିତିକୁ ସ୍ବାଭାବିକ କରିବାକୁ ଯାଇ ଅବିନାଶ କହିଲା ଆରେ ନା ମୁଁ ଗୋଟେ ମଜା କରୁଥିଲି।ଆଛା ମାନସୀ ଘରେ ସମସ୍ତେ ଭଲରେ ଅଛନ୍ତି ।କଥା ଭୁଲାଅନି ଏବେ ମୋତେ ନେଇ ତୁମର ଯୋଜନାଟା କଣ କୁହ ।ହଠାତ ଗମ୍ଭିର ହୋଇ ଅବିନାଶ ପଚାରିଲା ତୁମର କଣ ମୋ ଉପରେ ସନ୍ଦେହ ଅଛି ।ଆଉ ଗୋଟେ ବର୍ଷର କଥା ପି.ଜି ସରିବାପରେ କେଉଁଠି ଗୋଟେ ଲେକଚରସିପ୍ ପାଇଲାପରେ ଯାହାକିଛି ଚିନ୍ତା କରିବା ।ଆରେ ମୁଁ ତୁମକୁ ସନ୍ଦେହ କରୁନି ।ମୋର ମନରେ ଏକ ଅବଶୋଷ ଯେ ଆମେ କଣ ସପ୍ତାହକୁ ଥରେ ଦେଖାହୋଇପାରନ୍ତେନି ।କଟକରୁ ଭୂବନେଶ୍ବର କେତେ ବାଟ ।ତୁମର ପୁଣି ବାଇକ୍ ଅଛି ।ହୋ ହୋ କରି ହସିଉଠି ଅବିନାଶ କହିଲା ଆରେ ରୋଗଟା ଯାଇଁ ସେଠି ।ନିଶ୍ଚୟ ମୁଁ ଯେକୌଣସିମତେ ତୁମକୁ ସପ୍ତାହକୁ ଥରେ ଦେଖା କରିବି ।ଏଥର ମାନଭଂଜନ କର ।ସାମାନ୍ୟ ହସି ମାନସୀ କହିଲା ହଉ ମୋ ଭାଗ୍ୟ । ଅବିନାଶ ତାପରେ ଭୂବନେଶ୍ବର ଫେରିଆସିଲା ।

ଏହାପରେ ପ୍ରାୟତଃ ଯେମିତି ହେଉ ସପ୍ତାହରେ ଥରେ କିମ୍ବା ଦୁଇଥର କଟକ ଆସୁଥିଲା ।କେତେବେଳେ କେବଳ ମାନସୀକୁ ଦେଖା କରିବା ପାଇଁ ତ କେତେବେଳେ ଘରେ ବାପାମାଙ୍କୁ ଦେଖା କରି ପରିବାର ସହ କିଛି ସମୟ କାଟିବା ପାଇଁ ।ଏମିତିରେ ଅବିନାଶର ପରିବାର କହିଲେ ତା ବାପା ମା (ଉଭୟ ଶିକ୍ଷକ ।ବାପା ହାଇସ୍କୁଲ ଓ ମା ପ୍ରାଇମେରି ସ୍କୁଲ ଶିକ୍ଷୟତ୍ରୀ)ଓ ଗୋଟିଏ ବୋଲି ଭଉଣୀ ସୌମିତ୍ରୀ ଯେକି ମାନସୀର ସହପାଠିନୀ ।ସୌମିତ୍ରୀ ସଂଗେ ବେଳେବେଳେ ପର୍ବପର୍ବାଣୀରେ ମାନସୀ ମଧ୍ୟ ଅବିନାଶ ଘରକୁ ଯାଏ ।ଅବିନାଶର ମା ଉଷା ଦେବୀ ମାନସୀକୁ ମଧ୍ୟ ବହୁତ ଭଲ ପାଆନ୍ତି ।ଯଦିକେବେ ପଢାପଢିରେ ବ୍ୟସ୍ତଥାଇ ତାଙ୍କ ଘରକୁ ଯାଇପାରେନା ତେବେ ସୌମିତ୍ରୀ ହାତରେ ଖବର ପଠାନ୍ତି ତାଙ୍କ ଘରକୁ ଯିବା ପାଇଁ ।

ଏହାଭିତରେ ଚାହୁଁଚାହୁଁ କେତେବେଳେ ତିନିବର୍ଷ ବିତିଗଲା ମାନସୀ ଜାଣିପାରିଲାନି ।ଅବିନାଶଙ୍କର I. P. S ପାଇବା ଓ ଅବିନାଶଙ୍କ ସହ ତାର ବିବାହ ହେବା ତାହାରି ମଧ୍ୟରେ ସରିଯାଇଥିଲା ।ଡିପାର୍ଟମେଣ୍ଟରେ ଜଣେ ସଚ୍ଚୋଟ ଓ ଦକ୍ଷ ଅଫିସର ହିସାବରେ ଅବିନାଶ ମିଶ୍ର ବେଶ ପରିଚିତ ଥିଲେ ।ଅବିନାଶ ସେତେବେଳେ ମାଲକାନଗିରିରେ ଏସ୍.ପି ଥାନ୍ତି ।ମାନସୀ ବର୍ଷକର ପୁଅ ରାହୁଲ ସହ ଭୂବନେଶ୍ବରରେ ଥାଇ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥାଏ ।ଦିନକର କଥା ତାକୁ କାହିଁ ଜମା ଭଲ ଲାଗୁନଥାଏ ।ରାତିରେ ସେ ଗୋଟେ ଅଶୁଭ ସପ୍ନଦେଖି ଉଠିପଡିଲା ।ଅବିନାଶଙ୍କ ପାଖକୁ ମୋବାଇଲରେ ଫୋନ କରିବାକୁ ଯାଇଦେଖେତ ମୋବାଇଲଟା ତାର ସ୍ବିଇତଅଫ୍ ହୋଇଯାଇଛି ।ଏଣେ ଲାଇନ ନଥିବାରୁ ମୋବାଇଲ ଚାର୍ଜ କିପରି କରିବ ଭାବୁଛି ।ଏହି ସମୟରେ ସେ ଭାବିଲା ଲ୍ୟାଣ୍ଡ୍ ଫୋନ୍ ରୁ କରିବ ବୋଲି ।ଲ୍ୟାଣ୍ଡଫୋନପାଖକୁ ଯାଇଦେଖେତ ତାହାମଧ୍ୟ ଖରାପ ଅଛି ।ଆଜି କାହିଁ ଅବିନାଶ ତାର ବହୁତ ମନେପଡୁଥିଲେ ।ତାଙ୍କରି ପାଇଁତ ସେ ନିଜ କ୍ୟାରିଅରକୁଭି ଅଣଦେଖା କରିଛି ।ବାପାଙ୍କ ଇଛା ବିରୁଦ୍ଧରେ ମଧ୍ୟ ସେ ବିବାହ କରିଛି ।ବାପା ଯେ ଅବିନାଶକୁ ନାପସନ୍ଦ କରୁଥିଲେ ତାହା ନୁହେଁ ।ବାପା ଚାହୁଁଥିଲେ ଅବିନାଶ ଯେପରି ତାର ବାପାଙ୍କ ସପ୍ନ ପୁରଣ କରି ଜଣେ I. P. S ହେଲା ।ସେ ମଧ୍ୟ ତା ବାପାମାଙ୍କ ସ୍ବପ୍ନ ପୁରଣ କରିବାସହ ନିଜ କ୍ୟାରିଅରକୁ ଦେଖୁ । ଦୁଇବର୍ଷ ପରେ ବିବାହ ହେଲେ ଠିକ ହୁଅନ୍ତା ବୋଲି ବାପା ଚାହୁଁଥିଲେ।କିନ୍ତୁ ତାର ଜିଦ୍ ନିକଟରେ ବାପା ବୋଧହୁଏ ନିରବ ରହିବା ଉଚିତ ମନେକଲେ ।ଯେପରି ସବୁ ଅବୁଝା ଝିଅମାନଙ୍କର ବାପାମାନେ ହୁଅନ୍ତି ।ବିଛଣାରେ ଅଶାନ୍ତ ତଥା ଅସ୍ଥିରତା ମଧ୍ୟରେ କେତେବେଳେ ପାହାନ୍ତା ପହର ହୋଇଯାଇଛି ତାକୁ ଜଣାନାହିଁ ।ଏହି ସମୟରେ ଲାଇନ୍ ଆସିଯିବାରୁ ତରବର ହୋଇ ମୋବାଇଲଟା ଚାର୍ଜରେ ବସାଇଦେଲା ସେ ।

ସକାଳୁ ଉଠି ନିତ୍ୟକର୍ମସାରି ସବୁଦିନପରି ଚା କପଟାଧରି ଟି.ଭି ଆଗରେ ବସିପଡିଲା ମାନସୀ ।ଓଟିଭିରେ ସକାଳର ନ୍ୟୁଜ ବୁଲେଟିନ ଦେଉଥିଲା ।ପ୍ରଥମ ହେଡଲାଇନସ୍ ଟା ଶୁଣି ଚା କପ୍ ଟା ତା ହାତରୁ ଖସିପଡିଲା ।ନ୍ୟୁଜଟା ଥିଲା ମାଉବାଦୀମାନଙ୍କଦ୍ବାରା ବିଛାଯାଇଥିବା ଲ୍ୟାଣ୍ଡମାଇନସ୍ ବିସ୍ପୋରଣରେ ଜଣେ ସବଇନସ୍ପେକ୍ଟର,ଜଣେ ଇନସ୍ପେକ୍ଟର ଓ ମାଲକାନଗିରି ଏସ୍ .ପି ଅବିନାଶ ମିଶ୍ରଙ୍କ ମୃତ୍ୟୁ ।ଦଉଡିଯାଇ ମୋବାଇଲଟା ଅନ୍ କରେତ ଦେଖିଲା ବହୁତଗୁଡେ ମିସକଲ୍ ମେସେଜ୍ ଆସିଛି ।ଏହି ସମୟରେ ଲ୍ୟାଣ୍ଡଫୋନଟା ବାଜିଉଠିଲା ।ଫୋନ୍ ରିସିଭ କଲା ମାନସୀ ।ସେପଟରୁ ଡି.ଜି କହୁଥିଲେ ।ମ୍ୟାଡାମ ମୁଁ ମିଃ. ସାକସେନା ,ଆଡିସିନାଲ୍ ଡି.ଜି ଇନଚାର୍ଜ ଅଫ ମାଓଇଷ୍ଟ ଅପରେସନ୍ କହୁଥିଲି ।ଦୁଃଖର ସହ କହିବା ପାଇଁ ପଡୁଛି କାଲି ମାଓବାଦୀଙ୍କ ଦ୍ବାରା ବିଛାଯାଇଥିବା ଲ୍ୟାଣ୍ଡମାଇନସ୍ ବିସ୍ପୋରଣରେ ଆମ ଡିପାର୍ଟମେଣ୍ଟର ଗର୍ବ ତଥା ଗୌରବ ଆପଣଙ୍କ ସ୍ବାମୀ ଶ୍ରଦ୍ଧେୟ ଅବିନାଶ ମିଶ୍ର ସହୀଦ ହୋଇଛନ୍ତି ।ତାଙ୍କ ମରଶରୀର ଆଜି ଦିନ ଏଗାରଟା ସୁଦ୍ଧା କଟକ ଅଫିସରେ ପହଞ୍ଚିବ ।ତାଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ,ବହୁ ମନ୍ତ୍ରୀ,ବିଧାୟକ ,ବିରୋଧିଦଳ ନେତା ,ବୁଦ୍ଧିଜିବୀ ତଥା ପୁଲିସ ଅଫିସରମାନେ ପହଂଚୁଛନ୍ତି ।ଆପଣଙ୍କୁ ଆଣିବା ପାଇଁ ଗାଡି ପଠାଯାଉଛି ।ଆପଣ ବନ୍ଧୁ ତଥା ପରିବାର ବର୍ଗଙ୍କ ସହ ଆମ ଅଫିସରେ ପହଞ୍ଚିଲେ ତାଙ୍କର ଶେଷକୃତ୍ୟ କେଉଁଠାରେ ଓ କିପରି କରାଯିବ ତାର ଯୋଜନା କରିଦିଅନ୍ତେ ।ଭୋଭୋ ହୋଇ କାନ୍ଦୁଥିବା ମାନସୀ ହାତରୁ ଫୋନଟା ତଳକୁ କେତେବେଳେ ଖସିପଡିଛି ସେ ଜାଣିନି ।ମୁଣ୍ଡଟା ତାର ଘୁରାଇ ଦେଲା ।ସୋଫାର କାଠବାଡାଉପରେ ପଡିଯାଉଯାଉ କେହି ଜଣେ ତାକୁ ପଛରୁ ଧରି ପକାଇଲେ ।ଚମକି ପଡି ଦେଖେତ ତା ବାପା ତାକୁ ଧରିଥିଲେ ।କୋହଭରା କଣ୍ଠରେ ବାପା ତା ମୁଣ୍ଡକୁ ଆଉଁସୁ ଆଉଁସୁ କହୁଥିଲେ ମାରେ ଧର୍ଯ୍ୟ ଧର ।ସମୁଦୀଙ୍କୁ ମୁଁ ଖବର ଦେଇଦେଇଛି ।ସେ ସମୁଦୁଣୀ ଓ ଝିଅ ସୌମିତ୍ରୀ ସହ ଏବେ ପହଞ୍ଚିବେ ।ତାଙ୍କ ପାଟିରୁ କଥା ସରିଛି କି ନାହିଁ ସୌମିତ୍ରୀ ଓ ଶାଶୁଶଶୁର ଘର ଭିତରକୁ ପଶିଆସିଲେ ।ବୁକୁଫଟା କ୍ରନ୍ଦନ ରୋଳରେ ଘରଟା କମ୍ପିଉଠିଲା ।କିଏ ବା କାହାକୁ ବୁଝାଇବ ।ଏହି ସମୟରେ ଆଡିସିନାଲ ଡି.ଜି ଙ୍କ ଗାଡି ତାଙ୍କ ଘର ଆଗରେ ଲାଗିଲା ।ପୁଲିସ୍ ଡିପାର୍ଟମେଣ୍ଟର କିଛି ପଦସ୍ଥ ଅଧିକାରୀ ମାନେ ମଧ୍ୟ ସାଥିରେ ଥିଲେ ।ବହୁ ବୁଝାବୁଝିପରେ ମାନସୀର ବାପା ଓ ଶଶୁର ପ୍ରକୁତିସ୍ଥ ହେଲେ ଏବଂ ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ ହେବ ବୋଲି ସ୍ଥିର କରାଗଲା ।ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ଶେଷ ଶ୍ରଦ୍ଧାଂଜଳୀ ଅର୍ପଣ ପରେ ଅବିନାଶଙ୍କ ମରଶରୀରକୁ ନିଆ ଯାଇଥିଲା ପୁରୀ ସ୍ବର୍ଗଦ୍ବାର ଅନ୍ତିମ ସଂସ୍କାର କରିବା ପାଇଁ ।ତାଙ୍କର ଜଣେ କକେଇଙ୍କ ପୁଅ ମୁଖାଗ୍ନୀ ଦେଇଥିଲେ ।

ଅବିନାଶ ଯିବାର ଏହାମଧ୍ୟରେ ତିନିମାସ ବିତିଗଲାଣି ମାନସୀକୁ ଜଣା ପଡିଲାନି ।ସେ I. P. S ର ସାକ୍ଷାତକାର ପାଇଁ ପ୍ରସ୍ତୁତି ଭିତରେ ତା ଶଶୁରଙ୍କ ଭୂମିକାକୁ ସେ ଭୁଲିପାରେନି ।I. P. S ଇଣ୍ଟରଭ୍ୟୁ ଦେଇସାରି ପୁଅ ରାହୁଲ ସହ ନିଜକୁ ମିଶାଇ ଅବିନାଶଙ୍କୁ ଭୁଲିବାକୁ ଚେଷ୍ଟା କରୁଥିଲା ସେ ।ଦିନେ ସକାଳେ ପୁଅ ସହିତ ମାର୍କେଟ ବାହାରିଛି ଶଶୁର ଆସି କହିଲେ ମା ଗୋଟେ ଭଲ ଖବର ଅଛି ।ଅବିନାଶର ଜଣେ ସାଂଗ ମୋତେ ଫୋନ୍ କରିଥିଲେ ।ସେ କହୁଥିଲେ ତୁମେ I. P. S ପାଇଛ ବୋଲି ।ସେ ତୁମକୁ ଫୋନ କରିଥିଲେ ।ତୁମ ଫୋନ୍ ଏନଗେଜ୍ ଦେଖାଇବାରୁ ମୋତେ ଫୋନ କରି ଏ ଖବର ଦେବା ସହିତ ତୁମକୁ ଅଭିନନ୍ଦନ ଜଣାଇବାକୁ କହିଛନ୍ତି ।ଖବର ଶୁଣିବା ପରେ ନିଜକୁ ସେ ବିଶ୍ବାସ ମଧ୍ୟ କରିପାରୁନଥିଲା ।ଏହି ସମୟରେ ତାର ଜଣେ ସାଙ୍ଗ ଅପରାଜିତା ଯେ କି I. A. S ଦେଇଥିଲା ।ତାର ଫୋନ ଆସିଲା ।ଫୋନ୍ ରିସିଉ୍ କରିବା ପରେ ସେ ମଧ୍ୟ ତାକୁ ଏ ଶୁଭ ଖବର ଜଣାଇଁଥିଲା ।ଅପରାଜିତା ମଧ୍ୟ I. A. S ପାଇଥିବାର ଖବର ମଧ୍ୟ ତାକୁ ଜଣାଇଥିଲା ।ଶଶୁର ଓ ଶାଶୁଙ୍କୁ ପ୍ରଣାମ କରିବା ପରେ ପୁଅକୁ ଶଶୁରଙ୍କ ପାଖରେ ଛାଡି ଅବିନାଶଙ୍କ ଫଟୋ ନିକଟକୁ ଦୌଡିଯାଇ ଲୁହ ଗଡାଇ ମନକୁ ମନ କହୁଥିଲା ହେଇଟି ଶୁଣୁଛ ତୁମର ମାନୁ I. P. S ପାଇଛି ।ଫଟୋ ନିକଟରେ ପ୍ରଣାମ କରି ତା ବେଡରୁମରୁ ବାହାରି ତା ବାପାବୋଉଙ୍କୁ ଏ ଖବର ଜଣାଁଇବ ବୋଲି ପୁଅକୁ ଧରି ଘରୁ ବାହାରିଲା ।ସେ I. P. S ପାଇବାପରେ ବନ୍ଧୁ ତଥା ଶୁଭେଛୁ ମହଲରୁ ଅଭିନନ୍ଦନର ସୁଅ ଛୁଟିଲା ।ସମସ୍ତଙ୍କୁ ଶୁଭେଛା ଜଣାଇ ସେ I. P. S ଟ୍ରେନିଂ ନେବାପାଇଁ ପୁଅକୁ ଶଶୁରଶାଶୁଙ୍କ ନିକଟରେ ଛାଡି ବାହାରି ଯାଇଥିଲା ।

I. P. S ଟ୍ରେନିଂ କୃତିତ୍ବର ସହ ସାରିବା ପରେ କିଛି ମାସ ପ୍ରୋବେସନରେ ମାଓପ୍ରବଣ କେନ୍ଦୁଝର ଜିଲ୍ଲାରେ କାମ କରିବା ମଧ୍ୟରେ ମାଓ ଦମନ ଅପରେସନ୍ ରେ ସଫଳ ହେବା ସହ ତିନି ଜଣ ହାର୍ଡକୋର ମହିଳା ମାଓବାଦୀଙ୍କୁ ଧରିବାରେ ସକ୍ଷମ ହେବାପରେ ଏହା ମାଓ ଶିବୀରରେ ଆତଙ୍କ ଖେଳାଇ ଦେଇଥିଲା ।ରାଜ୍ୟ ପୁଲିସର ଜଣେ ଦକ୍ଷ ମାଓ ଦମନକାରୀ ଅଫିସରଭାବେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସମର୍ଥ ହୋଇଥିବା ମାନସୀର ମାଓପ୍ରବଣ ମାଲକାନଗିରି ଜିଲ୍ଲାର ଆରକ୍ଷୀ ଅଧିକ୍ଷକ(S. P) ଭାବେ ବଦଳି ହେଲା ।

ଆରକ୍ଷୀ ଅଧିକ୍ଷକଭାବେ ମାଲକାନଗିରି ସଦର ମହକୁମାରେ ଯୋଗଦେବାପରେ ସେ ସର୍ବପ୍ରଥମେ ପୁଲିସର ଜନସାଧାରଣଙ୍କ ସହ ସମ୍ପର୍କ ବୃଦ୍ଧିକୁ ଗୁରୁତ୍ବ ଦେବା ସହ ପୁଲିସ ଅଫିସର ମାନଙ୍କୁ ଲୋକମାନଙ୍କ ସହ ସେମାନଙ୍କ ଦୁରତ୍ବକୁ କମାଇ people's police ଭାବେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା ।କୁମ୍ବିଂ ଅପରେସନରେ ଏସଓଜି ଯବାନମାନଙ୍କ ସହ ମଧ୍ୟ ସେ ସାମୀଲ ହେଉଥିଲା ।

ମାଓପ୍ରଭାବିତ ଅଂଚଳମାନଙ୍କରେ ଜନସମ୍ପର୍କ ଶିବିର ମାନ ଆୟୋଜନ କରି ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ଦୂରତ୍ବ କମାଇବା ସହ ସାଧାରଣ ଜନତାଙ୍କମାଧ୍ୟମରେ ହିଂସାର ପଥ ଛାଡି ସାମାଜିକ ସ୍ରୋତରେ ସାମୀଲ ହେବାପାଇଁ ମାଓବାଦୀମାନଙ୍କ ନିକଟକୁ ବାର୍ତ୍ତାମଧ୍ୟ ପଠାଇଥିଲା।ଏହାର ପରିଣାମସ୍ବରୁପ ୧୧ଜଣ ମହିଳା ମାଓବାଦୀ ପୁଲିସନିକଟରେ ଆତ୍ମସମର୍ପଣ କରିବା ସହିତ ସାମାଜର ମୂଖ୍ୟ ସ୍ରୋତରେ ସାମୀଲ ହୋଇଥିଲେ ।

ଥରେ ମାଓ ପ୍ରଭାବିତ ଯନ୍ତ୍ରୀ ଗ୍ରାମରେ ଏକ ଜନସମ୍ପର୍କ ଶିବୀରର ଆୟୋଜନ କରାଯାଇଥିଲା । ଗାଁଟି ସମ୍ପୂର୍ଣ୍ଣ ଜଳବନ୍ଦୀ ।ଚାରିଆଡ ଖାଲି ପାଣି ମଝିରେ ଟାପୁଭଳି ଗାଁଟି ।ଚିତ୍ରକୋଣ୍ଡା ଡ୍ୟାମ ନିର୍ମାଣବେଳେ କାମ କରିବାକୁ ଆସିଥିବା ଆଖପାଖ ଅଂଚଳର ଲୋକମାନେ ସେହିଠାରେ ରହିଯିବାରୁ ଯନ୍ତ୍ରୀ ବା engineer ଙ୍କ ନାମାନୁସାରେ ଗାଁର ନ୍ମ ଯନ୍ତ୍ରୀ ରହିଲା ବୋଲି କିଛି ସ୍ଥାନିୟ ଲୋକ କହନ୍ତି ।ମାଲକାନଗିରି ସଦର ମହକୁମାରୁ ଗାଁଟିର ଦୂରତା ପ୍ରାୟ ଅଶୀ କିଲୋମିଟର ହେବ ।ସଦର ମହକୁମା ରୁ ପଚାଶ କିଲୋମିଟର ବସରେ ଚିତ୍ରକୋଣ୍ଡା ଆସିବାପରେ ଚିତ୍ରକୋଣ୍ଡା ସ୍ପିଲ ବାଇରୁ ବୋଟ କିମ୍ୱା ଯନ୍ତ୍ର ଚଳିତ ଡଙ୍ଗାରେ ପ୍ରାୟ କୋଡିଏ ରୁ ପଚିଶ କିମି ଯିବା ପରେ ଯାଇଁ ଯନ୍ତ୍ରୀ ଗାଁ ପଡେ । Intelegency ବିଭାଗର ବାରଣ ସତ୍ତ୍ବେ ମାନସୀ ସେହି ଜନସମ୍ପର୍କ ଶିବିରରେ ଯୋଗ ଦେବାକୁ ସ୍ଥିର କରିଥିଲା ।ଗାଁର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବୋଟ୍ ଯୋଗେ ଗାଁରେ ପହଞ୍ଚିବାପରେ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀମାନଙ୍କ ସହ , ସ୍ଥାନୀୟ ସରପଂଚ ,ଓ୍ବାର୍ଡମେମ୍ବର ଓ ଗ୍ରାମବାସୀମାନେ ତାକୁ ପାରମ୍ପରିକ ରିତିରେ ସ୍ବାଗତ କରିଥିଲେ ।ପୁଲିସ ବିଭାଗତରଫରୁ କଡା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।ମିଟିଂ ଶେଷରେ ସେହି ବିଦ୍ୟାଳୟରେ ପଢୁଥିବା ଷଷ୍ଠ ଶ୍ରେଣୀର ଛାତ୍ର ପ୍ରକାଶ ବିଶୋଇ , ଯାହାକୁକି ସେ କାର୍ଯ୍ୟକ୍ରମରେ ପଂଚମ ଶ୍ରେଣୀ ସ୍କଲାରସିପ୍ ପରୀକ୍ଷାରେ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖିଥିବାରୁ ପୁରସ୍କୃତ କରିଥିଲା ସେ ଗୋଟିଏ ଚିଠି ଧରାଇ ଦେଇ କହିଲା ମ୍ୟାଡାମ ମୋ ମା ଆପଣଙ୍କୁ ଏ ଚିଠି ଦେବାକୁ କହିଥିଲେ ।ଆଶ୍ଚର୍ଯ୍ୟ ହୋଇ ପିଲାଟି ଠାରୁ ଚିଠି ନେଉଥିବା ବେଳେ ଭାବୁଥିଲା ,ଏ ଅପହଂଚ ଦୁର୍ଗମ ଅଂଚଳରେ ତା ପାଖକୁ କିଏ ଚିଠି ଲେଖିବ ।ଚିଠି ଖୋଲି ପଢିବାକୁ ଲାଗିଲା ସେ ।ଚିଠିରେ ଏପରି ଲେଖାଥିଲା ।


ମାନୁଲୋ 


ପୁଅଠାରୁ ତୁ ଏ ଗାଁକୁ ଆସୁଥିବାର ଶୁଣି ତୋ ପାଖକୁ ଏ ଚିଠି ଲେଖୁଛି ।କଲେଜ ଛାଡିବାର ଆଜକୁ ପ୍ରାୟ ପନ୍ଦରବର୍ଷ ହୋଇ ଗଲାଣି ମୁଁ ଜାଣିନି ତୁ ତୋ କଲେଜ ବେଳର ଏ ସାଙ୍ଗ ସୁମି(ସୁମିତ୍ରା ବଡଜେନା)କୁ ମନେରଖିଛୁ କି ନା ।ବି.ଏସି ପାସ କରିବା ପରେପରେ ମୋର ବାହାଘର ହୋଇଗଲା (ଲଭ ମ୍ୟାରେଜ) ସମ୍ବିତ ବିଶୋଇଙ୍କ ସହ । ବାହାଘର ପରେପରେ ସମ୍ବିତଙ୍କ ପୁଲିସ୍ ବିଭାଗରେ ଚାକିରୀ ହୋଇଗଲା ।ସେ ପ୍ରଥମେ ଗଂଜାମ ଓ ପରେ ନିଜର କାର୍ଯ୍ୟ ଦକ୍ଷତା ପାଇଁ ଇନସପେକ୍ଟର ଭାବେ ମାଲକାନଗିରିକୁ ଟ୍ରାନସଫର ହୋଇଆସିଲେ ।ମୁଁ ମଧ୍ୟ ତାଙ୍କ ସହ ମାଲକାନଗିରି ପଳେଇଆସିଲି ।ସେତେବେଳେ ଅବିନାଶ ଭାଇ ମାଲକାନଗିରିର ଏସ୍.ପି ଥାନ୍ତି ।ପୁଅ ସେତେବେଳେ ବର୍ଷକର ହୋଇଥାଏ ।ସମ୍ବିତ ଘରେ ଅବିନାଶଭାଇଙ୍କ କଥା କୁହନ୍ତି ।ଜଣେ ଦକ୍ଷ ଓ ସଚ୍ଚୋଟ ଅଫିସର ହିସାବରେ ଅବିନାଶ ଭାଇଙ୍କର ପ୍ରତିଷ୍ଟାରେ ଆଂଚ ନଆସିବା ପାଇଁ ମୁଁ ଜାଣିକରି ଅବିନାଶ ଭାଇଙ୍କୁ ମୁଁ ଜାଣିଛି ବୋଲି ସମ୍ବୀତଙ୍କୁ କହିନଥିଲି ।ସମ୍ବୀତଙ୍କ କାର୍ଯ୍ୟ ଦକ୍ଷତା ପାଇଁ ସେ ଅବିନାଶ ଭାଇଙ୍କର ପ୍ରିୟପାତ୍ର ଥିଲେ ।

ସେ ଦିନ ଥିଲା ମୋ ପାଇଁ ଏକ ଅଭିଶପ୍ତ ଦିନ ।ଇଏ କୁମ୍ବିଂ ଅପରେସନ୍ ରେ ,ଏସ୍.ପିଙ୍କ ସହ ମାଲକାନଗିରି ଜିଲ୍ଲାର ଏକ ମାଓ ପ୍ରବଣ ଅଂଚଳକୁ ଏସ୍.ଓ.ଜି ଜବାନମାନଙ୍କ ସହ ଯାଇଥିବାବେଳେ ଫେରିବା ବାଟରେ ମାଓବାଦୀମାନଙ୍କ ଦ୍ବାରା ବିଛା ଯାଇଥିବା ଲ୍ୟାଣ୍ଡମାଇନସ୍ ବିସ୍ପୋରଣରେ ଅବିନାଶ ଭାଇଙ୍କ ସହ ଇଏ ଓ ଆଉ ଜଣେ ସବ୍ ଇନସ୍ପେକ୍ଟର ଶହୀଦ୍ ହୋଇଗଲେ ।ଶହୀଦ ହୋଇଥିବା ପୁଲିସ କର୍ମଚାରୀମାନଙ୍କୁ ପୁଲିସ ହେଡକ୍ବାଟର ମାଲକାନଗିରି ଠାରେ ଶେଷ ସମ୍ମାନ ଦିଆଯିବାପରେ ମୁଁ ସମ୍ବିତଙ୍କ ମରଶରୀରକୁ ଧରି ତାଙ୍କର ପୈତ୍ରୁକ ଗାଁକୁ ଆସିଲି ।ମୋ ସହିତ ସମ୍ବୀତଙ୍କ ବାପା ,ଭାଇ ଓ ପରିବାରର ଅନ୍ୟମାନେ ମଧ୍ୟ ସାମୀଲ ଥିଲେ ।ସେହିଦିନ ଠାରୁ ଶାଶୁଘର ଗାଁରେ ରହିଯାଇଛି ।ଫ୍ୟାମିଲି ପେନସନ୍ ଯାହାମିଳେ ସେଥିରେ ଚଳିଯାଉ ।ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଟଙ୍କା ଏଯାବତ୍ ପାଇନି ।ଭୂବନେଶ୍ବରରେ ଜାଗା ଖଣ୍ଡେ ମିଳିବ ବୋଲି ଘୋଷଣା କରାଯାଇଥିଲା ।ଛାଡ୍ ସେ କଥା।ମୋ ଭାଗ୍ୟ ତ ପୋଡା ।ଜମି ଆଉ ଟଙ୍କା କଣ ସ୍ବର୍ଗକୁ ନେବ ।ତୋର ମନେଅଛି ନା ତୁ ପୁରୀ ଓ ପନିର ତରକାରୀକୁ କେତେ ଭଲପାଉ ।ତୁ ଆସୁଛୁ ବୋଲି ଆଜି ଘରେ ପୁରୀ ବନେଇଥିଲି କିନ୍ତୁ ପନୀରତ ଏଠି ମିଳିବନି ତେଣୁ ଛତୁ ତରକାରୀ କରିଥିଲି ।କିନ୍ତୁ ଶଶୁର କହୁଥିଲେ ତୋର ଜୀବନ ପ୍ରତି ବିପଦ ଥିବାରୁ ତୁ ନିରାପତ୍ତା ଦୃଷ୍ଟିକୋଣରୁ ମୋ ଘରକୁ ଆସିପାରିବୁନି ବୋଲି।ତୁ ମୋ ଘରକୁ ନଆସ ପଛେ ମୋ ପୁଅକୁ ଆଶିର୍ବାଦ କରିବୁ ଆଉ ଆମ ବନ୍ଧୁତ୍ବ ବିଷୟରେ ତାକୁ କହିବୁ ବୋଲି ମୋର ଅନୁରୋଧ ।ତୋର ମଙ୍ଗଳ କାମନା କରି ରହୁଛି ।ଇତି।ତୋର ହତଭାଗିନୀ ସାଙ୍ଗ


ସୁମି 


ଚିଠି ପଢୁପଢୁ ସୁମିକୁ ସେ ଜାଣିପାରିଥିଲା ।ରେଭେନସା କଲେଜରେ ପଢୁଥିବା ବେଳେ ସେ ତାର ସବୁଠୁ ଘନିଷ୍ଟ ବନ୍ଧୁ ଥିଲା ।ଯେଉଁଦିନ ସୁମି ଘରୁ ପୁରୀ ଓ ପନିର ତରକାରୀ ଆଣିଥାଏ ସେଦିନ ତାର କଚେ ପୁଅ ବାର ।ମାନସୀ ସୁମିକୁ ଦେଖୁଦେଖୁ ତା ହାତରୁ ଟିଫିନ୍ ବକ୍ସ ଝାମ୍ପିନେଇଯାଏ ।ନେଲାବେଳେ କହେ ତୁ ମୋ ଟିଫିନଟା ଖାଇଦେ ।ଆକୁ ମାଉସୀ ମୋ ପାଇଁ ପଠାଇଛନ୍ତି ।ସୁମିର କିଛି ଆପତ୍ତି ନଥାଏ ।ବରଂ ସେ ଖାଇସାରିବା ପରେ ତା ଟିଫିନ ସୁମିକୁ ଦେଲେ ସେଥିରୁ ମଧ୍ୟ ତାକୁ ବଳେଇବଳେଇ ଖୁଆଇ ଦିଏ ।ତା ଉପରେ ରାଗିଲେ କହେ ଦେଖ ମାନୁ ଏହାକୁତ ପ୍ରକୃତ ବନ୍ଧୁତା କହନ୍ତି ।ତୁ ମୋ ପାଇଁ ବ୍ୟସ୍ତ ହୋନି ।ଏମିତିରେଭି ମୁଁ ଆଜି ଘରୁ ଅଧିକା ଖାଇକରି ଆସିଥିଲି ।

ଚିଠି ପଢୁଥାଏ ଆଉ କାନ୍ଦୁଥାଏ ମାନସୀ ।ପଢିସାରି ପ୍ରକାଶକୁ ତାଆଡକୁ ଭିଡିନେଇ କହିଲା ବାବା ମୁଁ ତୁମର ମାମାଙ୍କର ସାଙ୍ଗ ମତେ ମାଉସୀ ଡାକିବ ମ୍ୟାଡାମ ନୁହେଁ ।ତୁମ ଘର ଏଠୁ କେତେବାଟ ।ଚାଲ ଯିବା ତୁମ ଘରକୁ ।ବିଦ୍ୟାଳୟର ଶିକ୍ଷକମାନେ ଓ ପୁଲିସ ମାନେ ବାରଣ କଲେ ସେ ବସ୍ତିକୁ ଯିବାପାଇଁ ।ସଙ୍ଗରେ ଆସିଥିବା ଇନସପେକ୍ଟର ଅଶ୍ବିନୀ ପଟ୍ଟନାୟକ ତାକୁ ଅନୁରୋଧ କରି କହିଲେ ମ୍ୟାଡାମ ସେ ବସ୍ତିର ନିକଟବର୍ତ୍ତି ଜଙ୍ଗଲ ମାଓବାଦୀମାନଙ୍କର କ୍ୟାମ୍ପ ।ତେଣୁ ନିରାପତ୍ତା ଦୃଷ୍ଟିକୋଣରୁ ସେ ବସ୍ତିକୁ ଆପଣ ନଯିବାଟା ଠିକ ହେବ ।ମାନସୀ କିନ୍ତୁ କାହା କଥା ଶୁଣିବା ଅବସ୍ଥାରେ ନଥିଲା ।ସେ ରାହୁଲ ସହିତ ସୁମିକୁ ଭେଟିବା ପାଇଁ ତା ଘରକୁ ଚାଲିଲା ।ପ୍ରକାଶ ଆଗରେ ଚାଲିଥାଏ ।ତା ପଛରେ ମାନସୀ ଓ ମାନସୀକୁ ଅନୁସରଣ କରୁଥାନ୍ତି ବିଶାଳ ପୁଲିସ ବାହିନୀ ,ବିଦ୍ୟାଳୟର ଶିକ୍ଷକମାନେ ଏବଂ ଗାଁର ଲୋକମାନେ ।

କେତେବେଳେ ପ୍ରକାଶର ଘର ପାଖରେ ସେ ପହଞ୍ଚି ଗଲା ତାକୁ ବାଟ ଜଣାପଡିଲାନି ।ସୁମିକୁ ଦେଖି ସେ ଚିହ୍ନିପାରିଲାନି ।ତାକୁ କୁଣ୍ଢାଇ ଭୋଭୋ ହୋଇ କାନ୍ଦିବାକୁ ଲାଗିଲା ସେ ।କିଛି ସମୟ ପରେ ପଚାରିଲା ତୁ ମୋ ସହ ଯୋଗାଯୋଗ କରୁନଥିଲୁ କଣ ପାଇଁ ।ମୁଁ କଣ ତୋର ଏତେ ପର ।

ଆବେ ପୁରୀ ତରକାରୀ କରିଛୁ ପରା ମୋତେ ଶିଘ୍ର ଦେ ମୋତେ ବହୁତ ଭୋକ ।ସୁମି ହସିକରି କହିଲା ଆବେ ତୁ ଜମା ବଦଳିନୁ ।ଆଗେ ଯେପରି ଥିଲୁ ଏବେ ସେପରି ଅଛୁ ।ଘରକୁ ଚାଲ ।ହାତ ଧୋ ।ଏହିସମୟରେ ସୁମିତ୍ରାର ଶଶୁର ବ୍ରଜେଶ ବିଶୋଇ ଆସି ପହଞ୍ଚିଗଲେ ।ପୁଲିସ ପୋଷାକରେ ଥିବା ମାନସୀକୁ ଦେଖି ଆଶ୍ଚର୍ଯ୍ୟ ହୋଇ ବୋହୂ ସୁମିତ୍ରା ଆଡକୁ ଚାହିଁଲେ ।ସୁମିତ୍ରା ଚିହ୍ନାଇ ଦେଲା ବାପା ଏ ମୋର ସାଙ୍ଗ ମାନସୀ ।ଏବେ ଆମ ଜିଲ୍ଲାର ଏସ୍.ପି ଅଛି ।ଆର ଆସିବା କଥା ସକାଳେ ଆପଣଙ୍କୁ କହୁନଥିଲି ।ମାନସୀ ତାଙ୍କୁ ପ୍ରଣାମ କଲା ।ବ୍ରଜେଶ ବାବୁ ବୋହୂ ସୁମିତ୍ରାକୁ କହିଲେ ବୋହୂ ମା ଝିଅକୁ ଘରକୁ ନେଇଯାଅ ।ସୁମି ଏକରକମ ଭିଡିକରି ନେଇଗଲା ମାନସୀକୁ ।ଘରେ ପ୍ରକାଶ ସହ ପୁରୀ ତରକାରୀ ଖାଇବା ପରେ ଦୁଇଜଣ କିଛି ସମୟ କଥା ହେଲେ । ତାପରେ ମାନସୀ ବାହାରିଲା ଯିବାପାଇଁ ।ଡଙ୍ଗା ପର୍ଯ୍ୟନ୍ତ ସୁମିତ୍ରା ,ପ୍ରକାଶ ଓ ବ୍ରଜେଶ ବାବୁ ଆସିଥିଲେ ବଳେଇ ଦେବାକୁ ।ବିଦାୟ ସମୟରେ ସୁମି ଓ ତା ପୁଅକୁ କୋଳେଇ ନେଉନେଉ କହିଲା ସୁମିଲୋ ମତେ କେଭେବି ଏସ୍.ପି ମାନସୀ ବୋଲି ଭାବିବୁନି ।ମୁଁ ତୋର ସେହି କଲେଜ ଦିନର ମାନୁ ।ତୋ ପୁଅର କଥା ମୋତେ ଲାଗିଲା ।ଆଜିଠୁ ମୋର ଗୋଟେ ପୁଅ ନୁହେଁ ଦୁଇପୁଅ ।ଜଣେ ପ୍ରକାଶ ଆଉ ଜଣେ ରାହୁଲ ।ସମସ୍ତଙ୍କ ଆଖିରେ ଲୁହ ଥିଲା ।ସେ କିନ୍ତୁ ଆନନ୍ଦାଶ୍ରୁ।



Rate this content
Log in