ଆମ ଉମା ଫେରିଲା ।
ଆମ ଉମା ଫେରିଲା ।
ରଜ ପର୍ବରେ ଆମ ନାତୁଣୀ ମାନେ ଘରେ ଏକାଠି ହୋଇଛନ୍ତି । ନାତୁଣୀ କହିଲେ, ମୋ ବଡ ଭାଇଙ୍କ ଦୁଇ ଝିଅ ରୋଷନୀ, କିରଣ, ଭାଣିଜୀ ଦିପ୍ତୀ ଓ ଭଣଜା ତନ୍ମୟ, ଏ ପ୍ରତ୍ୟେକଙ୍କ ଏକ ଏକ କନ୍ୟା ଯଥାକ୍ରମେ ନହ୍ନୀ, ଜୁପିଟର, ପିକୁ ଓ କ୍ରିଷ୍ଣା ମୋତେ ଗପ କହିବା ପାଇଁ ଅଳି କରୁଛନ୍ତି । ମୋ ବାପା ଓ ବୋଉ କୌଣସି କାରଣରୁ ବ୍ୟସ୍ତ ଅଛନ୍ତି । ଅନ୍ୟ କାହାକୁ ବି ଫୁରୁସତ ନାହିଁ । ରାତ୍ରି ଭୋଜନ ଆଉ କିଛିକ୍ଷଣ ଡେରି ହେବ । ଛୁଆମାନେ ଦିନ ସାରା ପିଠା ପଣା, ଆମ୍ବ ପଣସ ଓ ଅନ୍ୟାନ୍ୟ ନାନାଦି ସ୍ୱାଦିଷ୍ଟ ଚିଜ ଖାଇ ଦୋଳି ଖେଳି, ନିଜ ନିଜ ମଧ୍ୟରେ କୁସ୍ତି କସରତ ଓ ଦୌଡା ଦୌଡି କରି ବେଶ୍ ହାଲିଆ । ଯେମିତି ହେଲେ ଆଉ କିଛି ସମୟ ବହଲେଇ ରଖିଲେ ସେମାନେ ଖାଇକି ଶୋଇବେ, ନଚେତ ଯିଏ ଯୁଆଡେ ଶୋଇ ପଡିବେ, ତାଙ୍କୁ ଆଉ ଉଠାଇ ଖୋଇବା କଷ୍ଟ । ଏଣୁ ଭଉଣୀ ଓ ଭାଉଜଙ୍କ ନିର୍ଦେଶ ସେମାନଙ୍କୁ ଇଆଡୁ ସିଆଡୁ ଗପ କହି ଆଉ କିଛି ସମୟ ଟାଳି ଦେବାକୁ । ସେମାନେ ଭାବିଛନ୍ତି ଯେ ମୁଁ ଗପ ଫପ ଲେଖୁ ଥିବାରୁ ଏ କାମଟି ପାରିବି । ମୋର କିନ୍ତୁ ଶିଶୁ ମନକୁ ଛୁଇଁଲା ଭଳି ଗପ କହିବାର ଦକ୍ଷତା ଉପରେ ଘୋର ସନ୍ଦେହ । ପୁରୁଣା ଗପ ସବୁ ଆରମ୍ଭ କଲେ ସେମାନେ କହୁଛନ୍ତି ଏଗୁଡା ତାଙ୍କ ଜେଜେଅଜା ଓ ଜେଜେ ଆଈ କହି ସାରିଛନ୍ତି ଗତ ଦୁଇ ଦିନ ମଧ୍ୟରେ। ତା ଛଡା ମୁଁ କୁଆଡେ ଭୁଲ୍ ଭାଲ୍ କହୁଛି । ସେଇଥି ପାଇଁ ଏ ସତ ଘଟଣାଟିକୁ ଗପ ଭଳିଆ କହିବାକୁ ଚେଷ୍ଠା କଲି ଓ ପ୍ରାୟ ସଫଳ ହେଲି । ପିଲାଏ ନଶୋଇ ଶୁଣିଲେ ।
ଆଜି ସକାଳେ ମାଙ୍କଡ ନଚା ଭିକାରି ସିଂ କେମିତି ତା ଚମ୍ପୀ ମାଙ୍କଡର ଖେଳ ଦେଖାଉଥିଲା ଦେଖିଛ ପିଲାଏ? ପଚାରିଲି ମୁଁ ।
ହଁ ଅଜା, ବଢିଆ ଖେଳ ।
ପିଲାଏ, ସେମିତି ଏକ ପାତି ମାଙ୍କଡ ଆମ ଘରେ ବି ଥିଲା, ସେଇ ଯେଉଁ ପିଜୁଳି ଗଛରେ ସବୁବେଳେ ବନ୍ଧା ହୋଇ ରହୁଥିଲା । ନାଆଁଟି ତାର ଉମା, ଡାକିଲେ କହୁଥିଲା, -ଉଁ ।
ତାକୁ କଣ ଫିଟଉ ନଥିଲ, ସେ ଖେଳ ଦେଖାଏ କି ନାହିଁ, ଗଛ ଚଢି ପିଜୁଳି ଖାଏ କି, ନଡିଆ ତୋଳେ ନା ନାହିଁ?- ନାନାଦି ବୁଦ୍ଧି ଖର୍ଚ୍ଚ କରି ଏକକୁ ଆରେକ ପଚାରିଲେ ।
ନା, ସେ ଥିଲା ଖୁବ୍ ରାଗି, ଫିଟିଲେ କାମୁଡା କାମୁଡି କରୁଥିଲା, ଅନେକ ଚେଷ୍ଟା ପରେ ବି ସୁଧୁରିଲା ନାହିଁ, ସେଥିପାଇଁ ସବୁବେଳେ ରହୁଥିଲା ବନ୍ଧା, ପାଖରେ କିଏ ଗଲେ ଖିଙ୍କାରି ହେଉଥିଲା । ଫିଟିଲେ ପ୍ରଳୟ କରୁଥିଲା, ସ୍ତ୍ରୀଲୋକ ମାନଙ୍କୁ କାମୁଡି ରାମ୍ପୁଡି ପକାଉଥିଲା ।
ଆମକୁ ଡର ଲାଗୁଛି, ସେଇଟାକୁ ତାହେଲେ କାହିଁକି ରଖିଥିଲ, କହିଲେ ପିଲାଏ ।
ନା ନା, ସେ କେବେବି ଛୋଟ ପିଲାଙ୍କୁ କିଛି କରେ ନାହିଁ, ତୁମରି ମାଆ ମାନେ ସେତେବେଳେ ତୁମ ଭଳି ଛୁଆ, ତାକୁ ନିଜ ହାତରେ ଦିଅନ୍ତି, ପିଜୁଳି; କଦଳୀ. ଟମାଟୋ, ପୋଟଳ, ମିଠା, ପିଠା ଇତ୍ୟାଦି, ଯାହା ସବୁ ନିଜେ ଖାଆନ୍ତି । ତାକୁ ଆଉଁସି ଦିଅନ୍ତି ।
ଓଃ ଅଜା, ତାହେଲେ ସିଏ ଭଲ ଉମା ।
ବଡମାନେ ତାକୁ ଡରନ୍ତି, ଚୋର ମାନେ ବି ଡରନ୍ତି, ସମସ୍ତଙ୍କ ବାଡିଘରୁ ଚୋରିହୁଏ, ଆମ ଘରେ କେହି ପଶନ୍ତି ନାହିଁ ।
ତାହେଲେତ ଆହୁରି ଭଲ, ଅଜା ମୋତେ ଗୋଟେ ଉମା ଦିଅ, ଆମ ଭୁବନେଶ୍ୱରରେ ଝରକାବାଟେ ବାଡି ଗଳେଇ ଚୋରି କରୁଛନ୍ତି, ଉମା ଜଗିବ - କହିଲା କ୍ରୀଷ୍ଣା, ଆମ ଯାଜପୁର ରୋଡରେ ବି, ମୁମ୍ବାଇରେବି- ପାଳି ଧରିଲେ ଅନ୍ୟମାନେ ।
ଉମା କେଉଁଠୁ ଆସିବ!
ଉମା ଆସିଥିଲା କେଉଁଠୁ? ପଚାରିଲା ଜୁପିଟର ।
ତୁମେ ତ ଦେଖିଥିବ, ମାଆକୁ ଜାବୁଡି ଧରି ଛୁଆ ମାଙ୍କଡ କିପରି ଥାଏ । ମା ଯେତେ ଗଛରୁ ଗଛ ଡେଇଁଲେ ବି ଚିଅଁ ମାଙ୍କଡ ଖସି ପଡେ ନାହିଁ । ତେବେ ଯଦି ଦୈବାତ୍ ଖସି ପଡିଲା, ଲୋକେ କୁହନ୍ତି ମାଙ୍କଡ ଜାତି ତାକୁ ଅଯୋଗ୍ୟ ବିଚାର କରି ଆଉ ସାଥିରେ ନିଅନ୍ତି ନାହିଁ, ତେବେ ଏହା ସତ ନୁହେଁ, ମାଆ କେବେ ଛୁଆକୁ ଛାଡିପାରେ!
କେବେନୁହେଁ କହିଲା ସମସ୍ତଙ୍କଠୁ ବଡ ନାତୁଣୀ, ପିକୁ । ଦି ସେଫେସ୍ଟ୍ ପ୍ଲେସ୍ (ସବୁଠୁ ନିରାପଦ ସ୍ଥାନ) ।
ତେବେ କୌଣସି କାରଣରୁ, ମାଙ୍କଡ ମା ଛୁଆ ଅଲଗା ହୋଇଗଲେ ଓ କୁନି ଉମା ରାସ୍ତାରେ ପଡିରହିଲା ।
ନାତୁଣୀ ମାନଙ୍କ ଆଖି ଜକେଇ ଆସିଲା । ତାକୁ କଣ ଗାଡି ମଟର ଚେପେଇ ଦେଲା? କହିଲା ନହ୍ନୀ, ପୁଣି ସଂଶୋଧନ କଲା, ବୋକୀ ହୁଣ୍ଡି , ସେ ତ ଆସି ଆମ ମାମୁଁ ଘରେଥିଲା । ସଭିଏଁ ଖୁସି ଦେଖାଗଲେ ।
ହଁ, ତୁମ ସାଧୁ ସନ୍ୟାସୀ ଅଜା ତାକୁ ରାସ୍ତାରୁ ଗୋଟାଇ ଆଣି ସେତେବେଳେ ସେ କାମ କରୁଥିବା ସେନା ଛାଉଣିରେ ବଡ କଷ୍ଟରେ ବଞ୍ଚାଇ ରଖିଥିଲେ ଓ ପରେ ଘରକୁ ଆଣିଲେ ।
ଅଜା! ସେଇ ଯେଉଁ ଅଜା, ପରେ ମଠ ତିଆରି କର ରହିଥିଲେ ଓ ଏବେ ଆକାଶରେ ତାରା ହୋଇ ଯାଇଛନ୍ତି, କଅଣ ତ ତାଙ୍କ ନାଆଁ, -- ହଁ ହଁ ଚନ୍ଦା ଅଜା, ସେ ବି ଅଶୋକ ଅଜା, ମଣି ଅଜା ବି—ଏକକୁ ଆରେକ ପ୍ରତିଯୋଗିତା କରି କହିଲେ ।
ହଁ ହଁ। କଥାର ମୋଡ ବଦଳାଇ ଅସଲ କଥା ଯାହା ଆଜି କହିବାକୁ ଚାହୁଁଥିଲି, ତାହା ଆରମ୍ଭ କଲି ।
ଉମା ଧୀରେ ଧୀରେ ଉଦ୍ଧତ ସ୍ୱଭାବ ଦେଖାଇବାରୁ ତାକୁ ଅନେକ ଭଲ ଭଲ ଜିନିଷ ଖୁଆଇ ପୋଷା ମନାଇବାକୁ ଚେଷ୍ଟା କରାଗଲା କିନ୍ତୁ ସେ ତ ମାଙ୍କଡ, ପାଟି ଫିଟୁନାହିଁ କିଏ ବା ତା କଥା ବୁଝି ପାରିବ? ସେ ସୁଧୁରିଲା ନାହିଁ । ଫିଟିଲା ମାନେ କାହାକୁ କାମୁଡିବ । ପ୍ରଥମେ ପ୍ରଥମେ କେବଳ ସ୍ତ୍ରୀଲୋକ ମାନଙ୍କୁ କାମୁଡୁଥିଲା ପରେ ପରେ ସମସ୍ତଙ୍କୁ କାମୁଡିଲା ।
ତୁମକୁ ବି!
ହଁ ମତେ ବି, କେବଳ ଯାହା ଛୋଟ ପିଲାକୁ ତାର ଶରଧା, ଜେଜେ ଅଜା ଓ ଡାଡୀ ଅଜାଙ୍କୁ ଭୟ । ଚନ୍ଦା ଅଜା କେବେ ଆସିଲେ ତାଙ୍କୁ ବି କିଛି କରେନା । ମୋତେ ଓ ସାନ ଅଜାଙ୍କୁ ବି ଆଉ ଡରିଲା ନାହିଁ । ଉମା ଫିଟିଛି ଜାଣିଲେ ପଡୋଶୀ ଲୋକେ ତାଟି କାବାଟ କିଳି ଦିଅନ୍ତି । କିନ୍ତୁ ଆଗେ ସମସ୍ତଙ୍କର ଚାଳ ଘର ଥିଲା, କାନ୍ଥ ଓ ଚାଳ ଭିତରେ ବାଟ ରହୁଥିଲା, ସେବାଟେ ସେ ଘରକୁ ଘର ପଶିଯାଏ ।
ନାତୁଣୀମାନଙ୍କୁ ବୁଝାଇବାକୁ ପଡିଲା ମାଟି ଘରର ବର୍ଣ୍ଣନା ।
ତାପରେ ଉମାକୁ ସଦାବେଳେ ବାନ୍ଧି ରଖାଗଲା । ଭାରି ଦୁଃଖ ଲାଗେ କିନ୍ତୁ ଉପାୟ ନଥାଏ ।
କ୍ରିଷ୍ଣା କହିଲା, ତାକୁ ତାହେଲେ ଜଙ୍ଗଲରେ ଛାଡି ଦେଲନି । ହଁ ହଁ, ମୋ ବାପା ଯେମିତି ଆମ ମିଠୁକୁ ପିଞ୍ଜରାରୁ ଖୋଲି ଉଡାଇ ଦେଲେ ମୋ ଜନ୍ମଦିନ ସକାଳେ, କହିଲା ଜୁପିଟର୍ ।
ସେଇ କଥା ତ କହୁଛି, ମନ ଦେଇ ଶୁଣ ।
ଦିନେ ସକାଳେ ଆମେ ଉଠି ଦେଖିଲା ବେଳକୁ ଉମା ନାହିଁ କି ତା ଜଞ୍ଜିର ନାହିଁ । ସେତେବେଳକୁ ଡାଡୀ ଅଜା ସୈନ୍ୟ ବାହିନୀରୁ ଅବସର ନେଇ ଘରକୁ ଆସିଲେଣି, ସେ ଭୋରୁ ଉଠି ବ୍ୟାୟାମ କାରିବାକୁ ଯାଆନ୍ତି । ଆମେ ଭାବିଲୁ ସେ ଫେରିଲେ ଆଉ ଟିକେ ଗଳିକନ୍ଦି ଦେଖିବେ । ଉମା ଚେନ୍ ସହ ଫିଟିଛି ମାନେ ବେଶି ଡିଆଁଡିଇଁ କରି ପାରିବ ନାହିଁ, ଏଇ ପାଖରେ କେଉଁଠି ଥିବ । ମନରେ ଭୟ ଥିଲେ ମଧ୍ୟ, ସମସ୍ତେ ନିତ୍ୟକର୍ମରେ ଲାଗି ପଡିଲେ । ଜେଜେ ଅଜା ଚାରିଆଡେ ଖୋଜୁ ଥାଆନ୍ତି । କେଉଁଠି ବି ମିଳିଲା ନାହିଁ ।
ଗଲା କୁଆଡେ, କିଧର୍ ଗୟି, ହୋୟାର୍, ଏମିତି ସଭିଏଁ ପଚାରି ପକାଇଲେ ।
ଡାଡୀ ଅଜା ବି ଫେରିଲେ ନାହିଁ । ତାଙ୍କ ମଟର ସାଇକେଲ୍ ଘରେ ଥାଏ, ସାଇକେଲଟି ନଥାଏ. ସେ କାହାରିକୁ କିଛି କହି ନଥାନ୍ତି ।
ଆମ୍ମା-ଆଈଙ୍କୁ ବି ନୁହଁ? - ପଚାରିଲା ନହ୍ନୀ ।
ଭାଉଜ ସେପଟୁ ଶୁଣୁଥିଲେ, କହିଲେ- ନାଁ ମୋତେ କିଛି କହି ନଥିଲେ ।
କୁହ କୁହ ତାପରେ କଣ ହେଲା?
କେତେ ସମୟ ପରେ କଥା ସଠିକ ଜଣା ପଡିଲା, ଡାଡୀ ଅଜା, ଉମାକୁ କେଉଁଠି ଜଙ୍ଗଲରେ ଛାଡିବାକୁ ନେଇଛନ୍ତି । ଅବସର ପରେ ସେ ଭାରି ଖୁସି ଥିଲେ, ମୁକ୍ତିର ଆନନ୍ଦ ବୁଝୁଥିଲେ, କେତେ ଥର କହିବାର ସମସ୍ତେ ଶୁଣିଥିଲେ ସେ ଉମାକୁ ମୁକ୍ତ କରିଦେବେ ।
କାହାରି ମନରେ ସୁଖ ନଥିଲା, ଦୁଷ୍ଟ ହେଲା ବୋଲି ସିନା । ତୁମେ ସବୁ ଦୁଷ୍ଟ ହେଉଛ ତୁମକୁ ତାହେଲେ କେଉଁଠି ଛାଡି ଦେଇ ଆସିବା କି?
ନା ମ, ଉମାଟା ଥିଲା ଭଲ ହୋଇଥିଲା, ଆଜି ସେ ଡାଡୀ ଅଜା ଆସନ୍ତୁ, ଅତି ହେଇଛନ୍ତି, କହିଲେ ଏକାଧିକ ନାତୁଣୀ ।
ଧୈର୍ଯ୍ୟ ଧରି ଶୁଣ ତା ପରେ କଣ ହେଲା, ଏତେ ବ୍ୟସ୍ତ କାହିଁକି?
ବେଳ ଘଡିଏ ହେଲା, ସେମାନେ ଫେରିଲେନି, ମଧ୍ୟାହ୍ନ ଯାଇ ଅପରାହ୍ନ ହେଲା, ତଥାପି ସେମାନଙ୍କର ଦର୍ଶନ ମିଳିଲା ନାହିଁ । ସମସ୍ତେ ଦୁଃଖ ଓ ଆଶଙ୍କାରେ ଥାଆନ୍ତି । ପିଲାମାନେ ବି ଚୁପ୍ ହୋଇ ଶୁଣିଲେ । ମୁହଁ ଅନ୍ଧାର ସନ୍ଧ୍ୟାବେଳେ ଡାଡୀ ଅଜା ଫେରିଲେ କ୍ଳାନ୍ତ ଶ୍ଳାନ୍ତ ହୋଇ ସାଇକେଲରେ । ଉମାର ଜଞ୍ଜିର ତ ଆଣିଥିଲେ ଉମା ନଥିଲା । ବହୁତ ଉଦାସ ଦିଶୁଥିଲେ । ସେହି ସନ୍ଧ୍ୟାବେଳେ ବି ଗାଧୋଇ ଆସି ନୀରବରେ କଣ ଦୁଇଟା ଖାଇଦେଇ, ଚୁପଚାପ୍ ଯାଇ ଶୋଇପଡିଲେ ।
ଘର ଲୋକେ କେହି କିଛି ପଚାରିବାର ଆଗ୍ରହ କରି ପାରିଲେ ନାହିଁ ।
ପିଲାଏ ଦିଶିଲେ ବିମର୍ଷ ।
ଆଉ ଉମା! ପିକୁ ପଚାରିଲା ।
ସମସ୍ତେ ସେଦିନ ରାତିରେ ଭଲ ଭାବେ ଶୋଇ ପାରିଲେ ନାହିଁ । ପରଦିନ ସକାଳୁ ଡାଡୀ ଅଜା ପୁଣି ଗାଏବ୍ । ଆଜି କିନ୍ତୁ ତାଙ୍କ ରାଜଦୁତ୍ ଗାଡି ନେଇକି ଯାଇଥିଲେ । ସେ ଗତ ଦିନଭରି କାହାକୁ ପଦୁଟାଏ ବି କହି ନଥିଲେ । କେହି କିଛି ଠଉରାଇ ପାରୁନଥାନ୍ତି ଏହାର ରହସ୍ୟ । ସେଦିନ ବି ସକାଳ, ମଧ୍ୟାହ୍ନ ଯାଇ, ଅପରାହ୍ନ ଶେଷ ହେବାକୁ ବସିଲାଣି, ଡାଡୀ ଅଜା ଫେରିଲେ, ତାଙ୍କ କାନ୍ଧ ଉପରେ ଉମା ଧୀରସ୍ଥିର ବସି ହେଲମେଟକୁ ଜାବୁଡି ଧରିଥାଏ । ଦେହରେ ତାର ଜୀବନ ନଥାଏ । ତାକୁ ଖାଇବାକୁ ଓ ପିଇବାକୁ ଦିଆଗଲା, କିଛି ଖାଇଲା ନାହିଁ ତୁହାକୁ ତୁହା ପାଣି ପିଇବାକୁ ଲାଗିଲା, କେଜାଣି କେତେ । କି ଶୋଷ, ବୋଧହୁଏ କାଲିଠୁ କିଛି ଖାଇ ନଥିଲା କି ପିଇ ନଥିଲା କାରଣ ସେ ତାପରେ ପ୍ରାୟ ଫେଣାଏ କଦଳୀ ଖାଇ ପୁଣି ଭାତ ବି ଖାଇଥିଲା ।
ଏବେ ଡାଡୀ ଅଜା ଖୁବ୍ ଖୁସିରେ ଗପିଲେ, କଣ ସବୁ ହୋଇଥିଲା ।
ପିଲା ମାନଙ୍କୁ ରାତି ଭୋଜନ ପାଇଁ ଡକା ଗଲା ।
ପିଲାଏ ଜିଦି କଲେ ଶୁଣିବା ପାଇଁ, କଣ କହିଲେ ଡାଡୀ ଅଜା? ଭାଉଜ ଓ ଦେଇ ଖୋଇ ଦେଉଥାଆନ୍ତି, ମୁଁ କଥାର ଖିଅ ପୁଣି ଯୋଡିଲି ।
ଭାରି ବିପଦର କଥା, ପିଲାଏ! ତୁମେମାନେ ସେଦିନ ଦେଖିଛ ଏଠାରୁ ପ୍ରାୟ ଚାଳିଶି କିଲୋମିଟର ଦୂର ଚଣ୍ଡିଖୋଲ ମହାବିନାୟକ ମନ୍ଦିରରେ କେତେ ମାଙ୍କଡ, ହାତରୁ ଛଡେଇ ନେଇ ଖାଆନ୍ତି, ଚଷମା ନେଇ ଯାଆନ୍ତି, ଖାଇବାକୁ ଦେଲେ ଫେରାନ୍ତି । ତୁମ ଡାଡୀ ଅଜା ଭାବିଲେ ସେଇଠି ନେଇ ଉମାକୁ ଛାଡି ଆସିବେ, ସେ ମୁକ୍ତିର ଆନନ୍ଦରେ ରହିବ । ଫଳ କିନ୍ତୁ ଓଲଟା ହେଲା । ଆମକୁ ସିନା ସବୁ ମାଙ୍କଡ ଏକା ପ୍ରକାର ଦେଖା ଯାଆନ୍ତି, ସେମାନେ କିନ୍ତୁ ପରସ୍ପର ଚିହ୍ନା ହୁଅନ୍ତି । ସେମାନେ ଉମାକୁ ଦେଖି ଖେଦିଆସିଲେ, ଶହ ଶହ । ବୋଧେ ସେ ଦୁଇଜଣଙ୍କୁ ମାରି ପକେଇ ଥାଆନ୍ତେ । ସେତେବେଳେ ସେମାନେ ମନ୍ଦିରଠୁ ଦୂର ଏକ ଜଳାଶୟ ନିକଟରେ ଥାଆନ୍ତି । ଭଲ, ଡାଡୀ ଅଜାଙ୍କ ମୁଣ୍ଡକୁ ବୁଦ୍ଧିଟିଏ ଜୁଟିଲା, ସେ ପାଣି ଭିତରକୁ ପଶିଲେ, ଉମା ମୁଣ୍ଡ ଉପରେ ଡରେ ମରେ ବସିଥାଏ । ସେ ବେଳେ ମୋବାଇଲ୍ ଫୋନ ନଥିଲାଯେ କାହାକୁ ସାହାଯ୍ୟ ପାଇଁ ଫୋନ୍ କରିବେ । ଭାଗ୍ୟ ଭଲ, ମୋରମ ମାଟି ପଙ୍କ ନାହିଁ, ଟ୍ରକ୍ ପୁରାଇ ଧୋଇବା କାମ ଡ୍ରାଇଭର ମାନେ କରନ୍ତି । ଏମିତି ଜଣେ ଗାଡିବାଲା ଏମାନଙ୍କ ଏ ଅବସ୍ଥା ଦେଖି, ଟ୍ରକ୍ ପୋଖରୀର ଟିକେ ଭିତରକୁ ପୁରାଇ ଆଣି, କେବିନ୍ ଖୋଲିଦେଲେ, ଦୁହେଁ ଚଟାପଟ୍ କେବିନ୍ ମଧ୍ୟକୁ ପଶିଗଲେ ଓ କବାଟ ଦେଇଦେଲେ । ସେଠାରୁ ଦୂରକୁ ପଳାଇଲେ । ମାଙ୍କଡ ମାନେ ଚାଲିଗଲେ । କେହିଜଣେ ସାଇକେଲଟା ଆଣି ଗାଡି ଡାଲାରେ ଚଢାଇ ଦେଲା ।
ଅନେକ ବାଟ ଗଲା ପରେ ମାଙ୍କଡ ନଥିବା ଗୋଟିଏ ଛକରେ ଓହ୍ଲାଇ ପଡିଲେ । ସେଇଠି ଗୋଟିଏ ଡିମ୍ବିରି ଗଛର ଫଳ ପାଚିଥାଏ । ଉମା ଚଢି ଖାଉଥାଏ । ଡାଡୀ ଅଜା ସେଇଠି ତାକୁ ଠକି ପଳାଇ ଆସିଲେ ।
ଆମେ ତାହେଲେ ତାଙ୍କୁ ଏବେ ଠକ ଅଜା ଡାକିବୁ କେହିଜଣେ କହିଲାରୁ ଅନ୍ୟମାନେ, ହଁ ହଁ, କହି ଉଠିଲେ । ଠକ ଅଜା ଏତେ ବାଟ ସାଇକେଲ ଚଲାଇ ଯାଇ ପାରନ୍ତି? ବାବାଃ ।
ଠକି ଆସିଲେ ସିନା, ଘର ଯେତିକି ପାଖେଇ ଆସିଲା, ସେ ସେତିକି ଚିନ୍ତିତ ହୋଇପଡିଲେ । ପୁଣି ଯଦି ଉମା ସେ ମାଙ୍କଡମାନଙ୍କ ହାବୁଡରେ ପଡିଯାଇଥିବ!
ରାତିରେ ଆଉ କଣ ସେ ଶୋଇଛନ୍ତି? ପାହାନ୍ତାରୁ ମୋଟର ସାଇକେଲ୍ ନେଇ ଉମାକୁ ଖୋଜିବାକୁ ଗଲେ । ଲୋକଙ୍କୁ ପଚାରି ପଚାରି ପାଞ୍ଚ ଗାଆଁ ଖୋଜିବା ପରେ ଯାଇ ଉମାକୁ ଠାବ କଲେ ।
ରାମାୟଣରେ ହନୁମାନ ଯାଇଥିଲେ ମାତା ସୀତାଙ୍କୁ ଲଙ୍କାରେ ଠାବ କରିବାକୁ । ଏଠି ତୁମ ଡାଡୀ ଅଜା ଗଲେ ମାଙ୍କଡ ଉମାକୁ ଖୋଜିବାକୁ । ଉମା ଆସି ସୁନାଝିଅପରି କାନ୍ଧରେ ବସି ପଡିଲା । ଜମା ଓହ୍ଲାଇଲା ନାହିଁ । ସେ ଏତେ ଡରି ଯାଇଥିଲାଯେ, ଘରେ ନପହଞ୍ଚିବା ପର୍ଯ୍ୟନ୍ତ ନା କିଛି ଖାଇଲା ନା ପିଇଲା ।
ଉମା ପୁଣି ଦୁଷ୍ଟ ହେଲା ନା ନାହିଁ, ସେ କୁଆଡେ ଗଲା । ପଚାରିଲେ ନାତୁଣୀମାନେ ।
ମତେ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡା କାଠ । ସ୍ୱଭାବ ତାହାର ବଦଳିଲା ନାହିଁ, ସେମିତି ବନ୍ଧାହୋଇ ରହିଲା ବହୁ ବର୍ଷ । ବୁଢୀ ହୋଇ ଆୟୂଷ ପୁରିବାରୁ ମରିଗଲା । ସେଇ ଯେଉଁ ଲେମ୍ବୁ ଗଛ ଦେଖୁଛ, ତାହାରି ତଳେ ସେ ପୋତା ହୋଇଥିଲା, ଦେଖୁନା ତା ଦେହର ସାର ପାଇ ଗଛଟି କେମିତି ଛନ ଛନିଆ, ଓ କେତେ ଲେମ୍ବୁ ଫଳୁଛି ତହିଁରେ । ଏମିତି ସେ ଆମ ଋଣ ଶୁଝି ସାରିଲାଣି ।
ପିଲାଏ ଏବେ ଖାଇସାରି ହାଇ ମାରୁଥିଲେ, ଶୀଘ୍ର ଶୋଇ ପଡିଲେ ।