ଆଲୋ ଏ’ କୋକାକୋଲା ...
ଆଲୋ ଏ’ କୋକାକୋଲା ...


କିଛି ବାଟ ଗଲାପରେ ହଠାତ୍ ଛୋଟ ଦୋକାନ କେତୋଟି ଦୂରରୁ ତା ଆଖିରେ ପଡିବାରୁ ଭାରି ଖୁସି ଲାଗିଲା ତାକୁ । ସେ ଯଲ୍ଦି ଯଲ୍ଦି ପାହୁଣ୍ଡ ପକାଇ, ସେଠାରେ ପହଂଚି, ଗୋଟେ ଦୋକାନ ପାଖରେ ଝାଲମୁଢି ବାକ୍ସଟାକୁ ତଳେ ରଖିଦେଇ କହିଲା
-ଆଲୋ ଏ କୋକାକୋଲା, ଯଲ୍ଦି ଗୋଟାଏ ଖୋଲିଦେଲୁ, ମୁଁ ଢକଢକ କରି ପିଇଦିଏଁ । ଭାରି ଶୋଷ
-ମୋ ନାଁ ରଙ୍ଗଣୀ । କୋକାକୋଲା ନୁହେଁ । ଆଉ ସେମିତି ଡାକିବନି କହୁଛିି । ନିଅ, ଖୋଲି ଦେଲି । ମନ ଇଛା ପିଇ ଯାଅ
ରାମୁ ଏକା ନିଶ୍ୱାସକେ ବଟଲଟାଯାକ ପିଇ ଦେଇ, ହାକୁଡିଟାଏ ମାରି, ରଙ୍ଗଣୀ ମୁହଁକୁ ଚାହିଁ ଟିକେ ନରମ ଗଳାରେ କହିଲା
-କହିଲୁନି ତ କେତେ ଦେବି
-ଦଶ ଟଙ୍କା ଦିଅ । ଯମା ଜାଣିଥିବ କି ? କେତେ ଫଟେଇ ହେଉଛି ଦେଖ । ଗାଁ’ରୁ ଆସିଛି ବୋଧେ
ରାମୁ ଖୁସିରେ ଖଡଖଡିଆ ଦଶ ଟଙ୍କିଆ ନୋଟ୍ଟି ପକେଟ୍ରୁ ବାହାର କରି ତା ହାତକୁ ଦେଲାବେଳେ କହିଲା
-ଆଛା, ଏ ଦୋକାନ ତୁ କେବେଠୁ କଲୁଣି
-ଏଇ ଛଅ ବର୍ଷ ହେବ । ବାପା ବୋଉ ଚାଲିଗଲା ପରେ ମୁଁ ଏକା ସମ୍ଭାଳୁଛି ପରା
-ସତ କହିଲୁ କୋକାକୋଲା, ତୁ ଏବେ ଏକା
-ହଁ’ ରେ ଝାଲମୁଢି ବାବୁ । ଏ ଦୁନିଆରେ ମୋ’ର ଆଉ କେହି ନାହାନ୍ତି
-ମୋ ନାଁ ରାମୁ ବୁଝିଲୁ । ମୋତେ ଆଉ ସେମିତି ଡାକିବୁନି । ଭାରି ସରମ ମାଡୁଛି
-ତମେ ବି ମୋତେ ଆଉ କୋକାକୋଲା ଡାକିବନି ତ
-ନା ନା । ତୋତେ ମଜାରେ ଟିକେ ଡାକିଦେଲି ନା । ହଉ ମୁଁ ଏବେ ଆସୁଛି । ତୁ ବସିଥା
ରାମୁ ଝାଲମୁଢି ବାକ୍ସଟାକୁ କାନ୍ଧରେ ପକାଇ ଯିବାକୁ ଉଦ୍ୟତ ହେଉଥିବାବେଳେ ପଛରୁ ରଙ୍ଗଣୀ ଡାକି କହିଲା
-ଆଉ କହିଲନି ତ ତୁମ ଘର କଥା
-କ’ଣ ଆଉ କହିବି ? ତୋ ଅବସ୍ଥା ଯାହା, ମୋ ଅବସ୍ଥା ସେଇଆ । ମୋ’ର ବି କେହି ନାହାନ୍ତି । ଗାଁ’ରେ ବୁଲି ବୁଲି ବେପାର କରୁଥିଲି । ଭଲ ଚାଲିଲାନି ବୋଲି ସହର ଆସିଛି । ଆଛା କହିଲୁ ସହର ଆଉ କେତେ ଦୂର
-ଏଇଠୁ ମାତ୍ର ୩ କି.ମି ହେବ ।
-ଯାହା ହେଉ ଭଲ ହେଲା । ଏଠାରେ ରହିବାକୁ କେଉଁଠି ଘରଭଡା ମିଳିବ
-ଆମ ଘର ଖାଲି ଅଛି । ରହିବ
-ରୋଗୀ ଖୋଜୁଥିଲା ଯାହା, ବଇଦ ବତେଇଲା ତାହା
-ମୋତେ କିଛି କହିଲ କି
-ନା ନା । ମୁଁ ରହିବି । ଏମିତି ସୁବିଧା ଆଉ କୋଉଠି ପାଇବିନି