Subal Mohapatra

Others

2.5  

Subal Mohapatra

Others

ଆଖି...

ଆଖି...

5 mins
7.9K


ସୁବଳ ମହାପାତ୍ର

ଭିତରକୁ ଯାଅ, ଝିଅ ର ପଟି ଖୋଲା ସରିଲାଣି, ଏବେ ସେ ସବୁ କିଛି ଦେଖି ପାରିବ.....

ନର୍ସ ର ଏତକ କଥା କାନରେ ବାଜିବା କ୍ଷଣି ପରେଶ ଗୋଟେ ଡିଆଁ ରେ ହାଜର ହୋଇଗଲା ଡାକ୍ତରଖାନା ଖଟ ଉପରେ ବସିଥିବା ତା ଝିଅ ପାଖରେ। ଝିଅ ଜନ୍ମ ରୁ ଅନ୍ଧ। ବାର ବର୍ଷ ପରେ ଆଜି କେହି ଜଣେ ସହୃଦୟ ବ୍ୟକ୍ତିଙ୍କ ଦୟାରୁ ତାଙ୍କ ଆଖି ଦୁଇଟି ଝିଅ କୁ ମିଳିଛି, ନଚେତ ବିଚାରି ଜୀବନ ଯାକ ଏମିତି ଅନ୍ଧୁଣି ଜୀବନ ବିତେଇଥାନ୍ତା। ନେତ୍ରଦାନ କରିଥିବା ସେ ଭଗବାନଙ୍କ ଉଦ୍ଦେଶ୍ୟ ରେ ଉପରକୁ ଦୁଇହାତ ଟେକି ପ୍ରଣାମ ଜଣେଇଲା ସେ। ଡାକ୍ତର ବାବୁ ଝିଅ କୁ କହୁଥାନ୍ତି ଆସ୍ତେ ଆସ୍ତେ ଆଖି ଖୋଲ, ଏପଟେ ନର୍ସ କୁ ସୂଚନା ଦେଉଥାନ୍ତି ଘର ଭିତର ର ଲାଇଟ ସବୁ କୁ ଧିମା କରିବା ପାଇଁ, ବନ୍ଦ ଥିବା ଆଖି ହଠାତ ଏତେ ଉଜ୍ବଳ ଆଲୋକ ସହ୍ୟ କରି ନପାରେ। ନର୍ସ ଭଉଣୀ ଜଣଙ୍କ ବି ଆସ୍ତେ ଆସ୍ତେ ଗୋଟେ ଗୋଟେ ଲାଇଟ ଜଳେଇବା ପାଇଁ ସ୍ବୀଚ ବୋର୍ଡ ପାଖରେ ହିଁ ଠିଆ ହୋଇଥାନ୍ତି। ଝିଅ ଏବେ ଆସ୍ତେ ଆସ୍ତେ ଆଖି ଖୋଲିଲା, ସବୁ ଆଡକୁ ଦେଖି ପାରି ଆବା କାବା ହୋଇ ସବୁ ଆଡକୁ ଚାହିଁଲା। ମା କୁ ଆଖି ବନ୍ଦ କରି ପ୍ରଥମେ ଅନୁଭବ କଲା ପରେ ତା ପରେ ଆଖି ଖୋଲି ଆଉ ଥରେ ଚାହିଁଲା। ମୁହଁ ରେ ହସ ଖେଳିଗଲା ତା'ର। ଆସ୍ତେ ଆସ୍ତେ ସବୁଆଡକୁ ମୁହଁ ବୁଲେଇ ଥର ଥର କରି ଦେଖିଲା ସେ। ପରେଶ ସବୁ ଦେଖୁଥାଏ। ଝିଅ ଦେଖି ପାରୁଛି ଦେଖି, ଠାକୁରଙ୍କ ଉଦ୍ଦେଶ୍ୟ ରେ ଓ ସେ ଅମର ଆତ୍ମା ଯିଏ ଚକ୍ଷୁଦାନ କରିଥିଲେ ତାଙ୍କ ଉଦ୍ଦେଶ୍ୟ ରେ ଆଉ ଥରେ ହାତ ଯୋଡ଼ିଲା। ଝିଅ ପାଖକୁ ଆସି ଝିଅ ଆଖିକୁ ଚାହିଁ ଚମକି ପଡିଲା ସେ....ଆଖି ଦୁଇଟି କୁ ଦେଖି ତାକୁ ଏମିତି ଲାଗିଲା...ଏଇଟା ତ ସେଇ ଆଖି ଯାହାକୁ ସେ କଲେଜ ରେ ପଢିବା ବେଳେ ପ୍ରଶଂସା କରିବାକୁ ଭୁଲୁ ନଥିଲା....

****

-- ହେଃ, ତମେ ନା ଭାରି...

-- ମୁଁ କଣ କଲି କି? ଏ କମଳ ନୟନ ଦୁଇଟି ର ପ୍ରେମ ରେ ପଡିଛି ଯାହା। ଆଉ ତ କିଛି ମାଗିନି, କେବଳ ଏ ଆଖି ଦୁଇଟି ରେ ମୋ ପାଇଁ ପ୍ରେମ ମେଞ୍ଚେ ତ ମାଗିଛି। ଏତିକି ବି ଦେଇ ପାରିବନି?

-- ନା, ନା, ଏ ସବୁ କିଛି ତ ତୁମର ହେଲେ...

-- ହେଲେ ପୁଣି କଣ?

-- ଘରେ ମାନିଲେ ସିନା। ଘରେ ତ ଆମ ପ୍ରେମ ର ଘୋର ବିରୋଧ କରୁଛନ୍ତି।

-- ଆରେ, ମୁଁ କେତେବେଳେ କହିଲି ଯେ ତୁମେ ଘର ବିରୁଦ୍ଧ ରେ ଯାଇ ମୋତେ ବାହା ହୁଅ ବୋଲି। ମୁଁ ତ ଏ ଆଖି ଦୁଇଟି ଦେଖି ତୁମକୁ ଭଲ ପାଇ ବସିଲି। ଭଲ ପାଉଛି ବୋଲି ତ ଖାଲି କହିଛି।

-- ଆଛା? ଆଉ କଣ କଣ ସବୁ ଦେଖି ସମସ୍ତେ ଭଲ ପାଆନ୍ତି ଟିକେ କହିବ କି?

-- ଆଉ? ଆଉ କିଛି ଦେଖିବାର ସୌଭାଗ୍ୟ ମୋର କାହିଁ? ତୁମେ ତ ଆସିବ ବୁର୍ଖା ପିନ୍ଧି। ଯେଉଁଠି ଆଖି ଦୁଇଟି ବି ଜାଲି ଭିତରେ ଦେଖିବାକୁ ପଡେ। ଜାଣିଛ, କଲେଜ ର ପ୍ରଥମ ଦିନ ତୁମେ ଯେତେବେଳେ ମୋତେ ପେନ ମାଗିଥିଲ, ମୁଁ ସେତେବେଳେ ଏଇ ଆଖି ଦୁଇଟି ହିଁ ଦେଖିବାର ବୃଥା ଚେଷ୍ଟା କରୁଥିଲି। ମନେ ଅଛି ନା?

-- ହଁ ଯେ....

-- ତୁମର ସେ ଟଣା ଟଣା ଆଖି ଦୁଇଟି କୁ ଦେଖିଦେଲେ ମୋ ଦିନ ଯାକର ପରିଶ୍ରମ ଲାଘବ ହୋଇ ଯାଏ, ଯେଉଁ ଦିନ ନଦେଖେ ସେଦିନ କାହିଁକି କେଜାଣି ଜମା ଭଲ ଲାଗେନି।

-- ଥାଉ, କଲେଜ ସରିଲା ପରେ କିଏ, କାହାକୁ, କେତେ ଦେଖିବ ଜଣା ପଡିବ ନି....ଦେଖାଯାଉ...

****

କଲେଜ ସରି ଯାଇଥିଲା। ପରେଶ ପାଖରୁ ରଜିଆ ଆସ୍ତେ ଆସ୍ତେ ଦୁରେଇ ଯାଇଥିଲା। ଦୂରତା ବଢିଲେ ପ୍ରେମ ବି ବୋଧେ କମ ହୋଇଯାଏ। କିଛି ଦିନ ଫୋନ, ତା ପରେ ସବୁ ବନ୍ଦ। ପରେଶ ଲାଗିଥିଲା ଚାକିରୀ ଖଣ୍ଡେ ପାଇଁ ଆଉ ରଜିଆ? ନା.... ପରେଶ ପାଖରେ କିଛି ଖବର ନଥିଲା ତା'ର। ମଝିରେ ମଝିରେ ମନେ ପଡେ ସେ ଆଖି ଦୁଇଟି....ଯାହାକୁ ଭଲ ପାଏ, ତା'ର ବର୍ଣ୍ଣନା କରିବା ବୋଧେ ଅସମ୍ଭବ.... ଚାକିରୀ ପାଇ ଦୂର ସହରକୁ ଚାଲି ଯାଇଥିଲା ପରେଶ। ଆଉ ରଜିଆ ରହିଯାଇଥିଲା ସେହି ସହର ରେ କିନ୍ତୁ କାହା ପାଖରେ ବି ତା'ର କିଛି ଖବର ନଥିଲା।

ଚାକିରୀ ପାଇ, ବାହାହୋଇ, ଝିଅ ହେଲା ପରେ ଡାକ୍ତର ଯେତେବେଳେ କହିଲେ, ଝିଅ ର ଆଖି ଖରାପ, ସେ ଦୁନିଆଁ କୁ ଦେଖି ପାରିବ ନାହିଁ, ସେତେବେଳେ ଭୟଙ୍କର ଭାବରେ ଆଘାତ ପାଇଥିଲା ପରେଶ। ଦିନେ ଏହି ପରି ଆଖି ଦୁଇଟିର ତ ସେ ପ୍ରେମିକ ଥିଲା। ଶେଷରେ ଭଗବାନ ତା ଝିଅ ଠୁ ଆଖି ଛଡେଇ ନେଲେ?? ହେ ଭଗବାନ.... ଡାକ୍ତରଙ୍କ ପରାମର୍ଶ ରେ ସେ ଡୋନେଟ କରାଯାଉଥିବା ଆଖି ପାଇଁ ଆପ୍ଲାଇ ବି କରିଥିଲା। ହେଲେ ତା ନମ୍ବର ଆସିବା ପୂର୍ବରୁ ଡାକରା ଆସି ଯାଇଥିଲା ଝିଅ ପାଇଁ।

****

ଝିଅ ଆଉ ସ୍ତ୍ରୀକୁ ଡାକ୍ତର ଖାନାରୁ ଆଣି ଘରେ ଛାଡ଼ି ସେ ହୃଦସ୍ତ ବାହାରି ଗଲା ରଜିଆ ଘରକୁ, ପହଞ୍ଚି ଅମ୍ମୀଜାନଙ୍କୁ ପଚାରି ବୁଝିଲା ସବୁ ଘଟଣା। ଅମ୍ମୀଜାନ କହି ଚାଲିଥିଲେ...ହାଁ ବେଟା, ରୋଜ଼ୀ ତୁମକୁ ବହୁତ ଭଲ ପାଉଥିଲା। କଲେଜ ବେଳୁ ଆମେ ଜାଣିଥିଲୁ ଏ କଥା। କଲେଜ ପଢିବା ବେଳେ ହିଁ ତା'ର ଦେହ ଟିକେ ଖରାପ ହେଲା। ଡାକ୍ତର କହିଲେ ଅଜବ ବେମାରୀ, ଭଲ ହେବ ନାହିଁ। ଆଉ ଦଶ ବାର ବର୍ଷ ମାତ୍ର, ବେସି ହେଲେ ପନ୍ଦର ବର୍ଷ ଯାଏଁ ବଞ୍ଚିପାରେ। ତାକୁ ନିଜ ଇଛା ରେ ଛାଡ଼, ସେ ଯାହା କରୁଛି କରୁ, କିଛି କୁହନି। ସେଦିନୁ ତାକୁ ଆମେ କିଛି କହୁ ନଥିଲୁ।ସେଥିପାଇଁ ଆମେ ତାକୁ ତା ଇଛା ରେ ଛାଡିଥିଲୁ। ସେ ଯାହା ଚାହୁଁଥିଲା କରୁଥିଲା। ତାକୁ ବି ଜଣା ଥିଲା ଯେ, ସେ ମରି ମରି ବଞ୍ଚିଛି।

ତୁମେ ଯେଉଁଦିନ ତାକୁ ଭଲପାଅ ବୋଲି କହିଲ, ସେଦିନ ସେ ଆସି ମୋତେ ସବୁ କଥା କହି ବହୁତ କାନ୍ଦିଲା। ତୁମକୁ ରୋକ ଠୋକ ମନା କରିଦେଲା ବୋଲି ମୋତେ କହିଲା। ତା ପରେ ଜାଣିଲି ତୁମେ ଦୁଇଜଣ ସାଙ୍ଗ ହେଲ। ତୁମେ ତା'ର ବହୁତ ପ୍ରଶଂସା କର ବୋଲି କୁହେ ମୋତେ। ସେ ତୁମକୁ ଭଲ ପାଇଲେ ବି ଧର୍ମ ଅଲଗା ର ଦ୍ବାହି ଦେଇ, ଆମେ ମନା କରୁଛୁ ବୋଲି କୁହେ। ହେଲେ ପ୍ରକୃତ କାରଣ ଥିଲା ତା ବେମାରୀ, ଯାହା ତାକୁ କିଛି ବର୍ଷ ମାତ୍ର ବଞ୍ଚିବାକୁ ଦେଲା।

ଆହୁରି ଜାଣିଛ? ତୁମ ବାହାଘରରେ ସେ ଯାଇଥିଲା। ବର କାରର ବହୁତ ପଛରେ , ତୁମେ ନ ଦେଖିଲା ଭଳି ମନଖୋଲା ନାଚିଥିଲା ସେଦିନ। ଆମେ ତା ପାଖରେ ଥିଲେ ବି ତାକୁ କେହି ବାରଣ କରି ନଥିଲୁ। ତୁମ ଝିଅ ହେବାର କିଛି ଦିନ ପରେ ସେ ଜାଣିଲା ଯେ ଝିଅ ର ଆଖି ଖରାପ, ସେଦିନ ହିଁ ଯାଇ ନେତ୍ରଦାନ କରିବ ବୋଲି କହି ଆସିଥିଲା ।

ଗତକାଲି ସେ ଆମକୁ ଛାଡି ଚାଲିଗଲା। କହି ଗଲା, "ଅମ୍ମୀ, ତୁ ଜମା ବ୍ୟସ୍ତ ହ ନି...ମୁଁ ଅଛି ଏଇଠି, ଏଇ ସହରରେ। ସବୁବେଳେ ଦେଖି ପାରିବି ସମସ୍ତଙ୍କୁ। ତୁମ ସୁଖ, ଦୁଃଖ ରେ ଭାଗିଦାର ହେବି। ଖାଲି ପରେଶକୁ ଏତିକି କହିବୁ ମୋତେ ଭୁଲ ବୁଝିବେନି"।

****

ପରେଶ ର ଆଉ କିଛି ପଚାରିବାର ନଥିଲା, ନା ଆଉ କିଛି ବାକି ଥିଲା କହିବାକୁ। ଆଖିରୁ ଲୁହ ପୋଛିସେ ବାହାରି ଯାଉଥିଲା ଡାକ୍ତରଖାନା ଆଡେ, ନିଜ ଆଖି ଦୁଇଟିକୁ ଡୋନେଟ କରିବା ଲାଗି....

କେଉଁଠି ଗୋଟେ ଜାଗାରେ ପଢ଼ିଥିବାର ତା'ର ମନେ ପଡୁଥିଲା...

ନିଜର ଦେହାନ୍ତ ପରେ ବି

- ଯଦି ଆପଣ ବଞ୍ଚିବାକୁ ଚାହୁଁଛନ୍ତି,

- ନିଜ ଲୋକଙ୍କୁ ସବୁବେଳେ ଦେଖିବାକୁ ଚାହୁଁଛନ୍ତି,

- ଏ ସୁନ୍ଦର ଦୁନିଆଁ କୁ ଜୀବନ କାଳ ଭିତରେ ଭଲରେ ଦେଖି ପାରି ନାହାନ୍ତି, କିମ୍ବା ଆଉ କିଛିଦିନ ଦେଖିବାକୁ ଚାହୁଁଛନ୍ତି,

- ଯେଉଁ ଜାଗାକୁ ଆପଣ ଯାଇ ପାରିନାହାନ୍ତି କିମ୍ବା ଦେଖି ପାରି ନାହାନ୍ତି, ସେପରି ଜାଗା ସବୁ ଦେଖିବାକୁ ଚାହୁଁଛନ୍ତି

ତେବେ ନେତ୍ରଦାନ କରନ୍ତୁ, ଅନ୍ୟ କାହା ଦ୍ବାରା ଏହା ସବୁ ସମ୍ଭବ।

ଆଉ ଜଣଙ୍କୁ, ଏ ସୁନ୍ଦର ଦୁନିଆଁ କୁ ଉପଭୋଗ କରିବାକୁ ଦିଅନ୍ତୁ, ଏ ସୁନ୍ଦର ପ୍ରକୃତି କୁ ଦେଖିବାକୁ ଦିଅନ୍ତୁ।

-- ସମାପ୍ତ--

ପଢନ୍ତୁ, ମଜା ନିଅନ୍ତୁ ଓ ମତାମତ ଦିଅନ୍ତୁ....ଜୟ ଜଗନ୍ନାଥ I ଧନ୍ୟବାଦ...

ସୁବଳ ମହାପାତ୍ର

ଖଲାରୀ, ଅନୁଗୁଳ, ଓଡିଶା

ଫୋନ-(୦)୯୩୭୬୦୧୨୫୦୦

ଇମେଲ - subal.mohapatra@gmail.com


Rate this content
Log in