T.Durga Prasad Rao

Others

5.0  

T.Durga Prasad Rao

Others

ଆଖି ଠାରୁ ଓଠ ଯାଏଁ

ଆଖି ଠାରୁ ଓଠ ଯାଏଁ

5 mins
14K




ମୋ ଅଫିସ୍ ଯିବା ରାସ୍ତାରେ ତା ସହ ମୋର ନିତି ଦେଖା ହୁଏ । କାରଣ ଅଫିସ୍.ର ଅବ୍ୟବହିତ ପୂର୍ବରୁ ପଡ଼େ ତାର ଘର । ବାଁ ପାଖରେ । ମୋ ଅଫିସ ଆଉ ଟିକିଏ ଆଗକୁ ଗଲେ ଡାହାଣ ପଟେ । କେବେ ଘର ସାମ୍ନାରେ ଠିଆ ହେବା ସମୟରେ । କେବେ ରାସ୍ତା ଆରପାଖ ନଳକୂଅରୁ ପାଣି ଭରୁଥିବା ସମୟରେ । କେତେବେଳେ କେମିତି ସଂଯୋଗ ବଶତଃ ଦେଖା ବି ହୁଏ ବଜାର ଘାଟରେ । ମୁଁ ଇଚ୍ଛା କରି ଚାହେଁ । ମୋତେ ଲାଗେ ପୃଥିବୀର କିଛି କିଛି ସୁନ୍ଦର ଚିଜ ଯେମିତି ମୋରି ଆଖି ପାଇଁ ହିଁ ସୃଷ୍ଟି ହୋଇଛି । ଆଉ ମୁଁ ସେସବୁକୁ ଯଦି ମୋ ବିଶ୍ଳେଷଣ ଆଖିରେ ଥରେ ନ ଦେଖିଛି, ସେଇ ସୁନ୍ଦରତାର ଭରପୁର ମଜା ନ ନେଇଛି ତାହେଲେ ତାଙ୍କ ସୌନ୍ଦର୍ଯ୍ୟର ମୁଲ୍ୟବୋଧ ଊଣା ପଡ଼ିଯିବ । ଠିକ୍ ତା ଘର ପାଖାପାଖି ହେଲେ ଆଖି ଦୁଇଟା ଅଭ୍ୟାସ ବଶତଃ ଆପେ ଆପେ ତାକୁ ଖୋଜି ବୁଲେ । ସେତେବେଳେ କେହି କେଉଁଠି ମୋତେ ଲକ୍ଷ୍ୟ କରୁଥିବେ, ମୋର ଅଭଦ୍ରାମୀରେ ମୋର ସାତପୁରୁଷ ଉଦ୍ଧାର କରୁଥିବେ, ସେଥିପ୍ରତି ମୋର ତିଳେ ହେଁ ଭୃକ୍ଷେପ ନ ଥାଏ । ଭୃକ୍ଷେପ ନ ଥାଏ କହିଲେ ଭୁଲ୍ ହେବ, ସତରେ ସେଇ କ୍ଷଣିକ ସମୟ ମୁଁ ଭୁଲିଯାଏ ଯେ ମୁଁ ଜଣେ ସଭ୍ୟ ସମାଜର ମଣିଷଟିଏ ଆଉ ତା ସହ ଜଣେ ସରକାରୀ ଚାକିରିଆଟିଏ । ପ୍ରାୟ ଦେଖାହୁଏ ତା ସହ । ଯେଉଁଦିନ ଦେଖା ହୋଇପାରେନି, ସେଦିନ ମନ ନିରାଶାରେ ଭରିଯାଏ । ତାର ଗୋଟିଏ ଝଲକ ପାଇବା ପାଇଁ ମୁଁ ଅଫିସ୍ ହତାରେ ପହଞ୍ଚିବା ଯାଏଁ ପାଞ୍ଚ ସାତ ଥର ପଛକୁ ଫେରି ଚାହେଁ ତା ଘର ଆଡେ଼ । ତେବେ ମୁଁ ଯେ ଏକା ତାକୁ ଚାହେଁ, ସେକଥା ନୁହେଁ । ସେ ବି ବେଳେବେଳେ ମୋ ଆଡ଼େ କିଛି କ୍ଷଣ ଚାହିଁ ରହିଯାଏ । ତାପରେ ମୁହଁ ତଳକୁ କରିନିଏ ।

ଝିଅ ମାନଙ୍କର ଏସବୁ ଚାହିଁ ରହିବା ଲକ୍ଷଣର ଅର୍ଥ କଣ ତାହା ଏ ଯାଏଁ ମୋର ବୋଧଗମ୍ୟ ହୋଇ ପାରିନାହିଁ । ହୁଏତ ମୁଁ ସେମାନଙ୍କ ଭିତରେ ଖୋଜିବା ସୁନ୍ଦରତା ସେମାନେ ମୋଠି ଖୋଜୁ ଥାଇପାରନ୍ତି । ମୋର ଏ ବାଚାଳାମି ଚାଲୁ ରହିଲା ମୁଁ ବିବାହ କଲା ପରେ ବି । ଅବଶ୍ୟ ବିବାହଟା ମୋର ସେ ତଥାକଥିତ ଝିଅ ସହ ହୋଇନାହିଁ । ସେ ଝିଅ କାହାକୁ ଭଲପାଇ ଘରୁ ଲୁଚି ଚାଲିଯାଇ ଥିଲା ତାର ପ୍ରେମିକ ସାଙ୍ଗରେ । ସେକଥା ମୁଁ ଜାଣିଲି ମୋ ବିବାହର କିଛି ଦିନ ପରେ । ଇତିମଧ୍ୟରେ ସେ ପୁଣି ଫେରି ଆସିଥିଲା ଆମ ସହରକୁ । ମାତ୍ର ଅଳ୍ପ କିଛି ମାସର ବ୍ୟବଧାନ । ତା ଭିତରେ ମୋ ଆଖି ହୁଏତ ଅନେକ ଥର ତାର ଦେଖା ପାଇବା ପାଇଁ ଛଟପଟ ହୋଇଥିବ।

ପୁଣି ଆମର ଦେଖା ହେଲା ବଜାର ଘାଟରେ, ସଉଦା ପନିପରିବା ମାର୍କେଟ୍.ରେ । ଅବଶ୍ୟ ଅଫିସ୍ ଯିବା ବେଳେ ଯେମିତି ନିତି ଦେଖା ହେଉଥିଲା ତାଙ୍କ ଘର ଆଗରେ, ସେମିତି ଆଉ ହେଉନଥିଲା । କାରଣଟା ଆପଣ ଜାଣୁଥିବେ, ବିବାହ ପରେ ସେ ତା ମାଆ ଘରେ କାହିଁକି ବା ରହିବ? ପୁଣି ସେଇ ଚାରିଚକ୍ଷୁର ମିଳନ, କିଛିକ୍ଷଣର ନିରବତା, ତାପରେ ଯେଝା ରାସ୍ତାରେ । ମୁଁ ହୁଏତ ଗୋଟିଏ ସୌନ୍ଦର୍ଯ୍ୟପିପାଷୁ ମନ ନେଇ ତାର ସୁନ୍ଦର ଚେହେରା ଆଡ଼େ ଚାହିଁରହେ । ହେଲେ ସେ ଏତେ କଣ ଦେଖେ ମୋ ଭିତରେ? ବୁଝି ପାରେନି କିଛି । ସବୁକିଛି ପୁଣି ସ୍ୱାଭାବିକ ହୋଇଯାଏ ପର ମୁହୁର୍ତ୍ତରେ । ବେଳେ ବେଳେ ଏକ ଛୋଟ ଇଚ୍ଛାଟିଏ ଜାଗୁରିତ ହୁଏ ତା ସହ ଟିକିଏ କଥା ହେବା ପାଇଁ । ପଚାରି ଦେବା ପାଇଁ ଯେ ସେ ବି କାହିଁକି ମୋତେ ଏତେ ନିରେଖି ଦେଖେ ।

ତେବେ ଆପଣମାନେ ଭାବନ୍ତୁ ନାହିଁ ଯେ ମୁଁ ଏକଥା ମୋ ଆପଣା ପତ୍ନି ଠାରୁ ଲୁଚାଇ ରଖିଛି । କଦାପି ନୁହେଁ, ବରଂ ଆମେ ଦୁହେଁ ଏକାଠି ଯାଉଥିବା ସମୟରେ ଯଦି ସେ ଦେଖା ହୋଇଯାଏ, ମୁଁ ମଜାରେ ୟାଙ୍କୁ କହିଦିଏ-ଏଇ ଦେଖ ମୋର ପ୍ରେମିକା ଯାଉଛି । ମୋ ପତ୍ନି ମଧ୍ୟ କଥାଟାକୁ ଥଟ୍ଟାମଜାରେ ନିଅନ୍ତି । ମୋ ଗାଲଟାକୁ ଚିପି ଦେଇ ଓଠରେ ଦୁଷ୍ଟାମୀ ଭରି କହନ୍ତି - ଭାରି ତ ଇଏ, ବାହା ହେଲନି ତାକୁ । ମୁଁ ଆଉ ଟିକେ ଦୁଷ୍ଟାମୀ ବଢ଼ାଇ ଦେଇ କହେ - ତାକୁ ଯଦି ବାହା ହୋଇଥାନ୍ତି, ତୁମ ପରି ସୁନାଗୋରୀଟିଏ କେଉଁଠୁ ପାଇଥାନ୍ତି? ମୋ ଜବାବରେ ସେ କହନ୍ତି - ସେ ବି ତ ସୁନାଗୋରୀଟିଏ । ହଁ ଯେ... ହେଲେ ତମ ସମ ନୁହେଁ । ମୋ ଉତ୍ତରରେ କୁରୁଳି ଉଠନ୍ତି ପତ୍ନି ।

ମୁଁ ମୋ ପତ୍ନିଙ୍କୁ ତୁଛା ପ୍ରଶଂସା କରୁଛି ବୋଲି ଭାବୁଛନ୍ତି କି? କ୍ଷାନ୍ତ ରୁହନ୍ତୁ ସେଥିରୁ । କାରଣ ମୋ ପତ୍ନି ସତରେ ସୁନ୍ଦରୀଟିଏ । ଏ ସୌନ୍ଦର୍ଯ୍ୟର ପୁଜାରୀ କଣ ଏମିତି ସେମିତି ଝିଅଟିଏ ବାହା ହୋଇ ଯାଇଥାନ୍ତା?

ଦିନେ ପାର୍କରେ ଏକା ଏକା ବୁଲୁଥାଏ । ଆଖିରେ ପଡ଼ିଲା ସେ ବି ଆସିଛି ତାର ସ୍ୱାମୀ ସହ ପାର୍କକୁ । ଗୋଟିଏ ସିମେଣ୍ଟ୍ ବେଞ୍ଚଟାରେ ବସି ଦୁହେଁ କଣ ସବୁ କଥା ହୋଇ ହସା ହସି ହେଉଥାନ୍ତି । ମୋ ଉପରେ ଆହୁରି ତାର ନଜର ପଡ଼ି ନ ଥାଏ । ମୁଁ ଚୁପ୍ କରି ଦୁଇ ପାଦ ଆଗେଇ ଯାଇ ନ ଦେଖିଲା ପରି ଆଉ ଗୋଟିଏ ସିମେଣ୍ଟ ବେଞ୍ଚରେ ବସିଲି । ତାର ସ୍ୱାମୀ ଉଠିଗଲା ପପ୍କର୍ନ୍ ଆଣିବା ଉଦ୍ଦେଶ୍ୟରେ । ସେତେବେଳେ ଯାଇ ତାକୁ ଫୁରୁସତ ମିଳିଲା ପାର୍କର ଚାରିପଟେ ଆଖି ବୁଲେଇ ନେବା ପାଇଁ । ମୋ ଆଖିରେ ତାର ଆଖି ମିଶିଯିବା କ୍ଷଣି ଅପଲକ କିଛିକ୍ଷଣ ଚାହିଁ ଦେଇ ଟିକିଏ ଇତଃସ୍ତତଃ ହୋଇ ଆଖି ତଳକୁ କରିନେଲା । ଆଜି କିନ୍ତୁ ମୁଁ ନଛୋଡବନ୍ଧା । ସେମିତି ଚାହିଁ ରହିଲି ତା ଆଡ଼େ ଏକା ଜିଦ୍.ରେ ସବୁ ଭଦ୍ରାମୀକୁ ଜଳାଞ୍ଜଳି ଦେଇ । ସେ ପୁଣି ଥରେ ଚାହିଁ ଦେଇ ମୁହଁ ତଳକୁ କଲା । ମଝିରେ ଥରେ ଚାହିଁ ଦେଉଥିଲା ପପ୍କର୍ନ୍ ଠେଲା ଆଡ଼କୁ । ମୁଁ ଦେଖିଲି ଠେଲା ପାଖରେ ଭିଡ଼ ଅନେକ । ତା ସ୍ୱାମୀ ଏତେ ଜଲ୍ଦି ଫେରି ପାରିବ ନାହିଁ । ଛେପ ଢୋକି ମୋ ଭିତରେ ଥିବା ସବୁ ସାହସ ଠୁଳ କରି ପଚାରିଲି - ଆଉ କେମିତି ଅଛ? ସେ ଟିକିଏ ଆଶ୍ଚର୍ଯ୍ୟ ହୋଇ ମୋ ଆଡ଼େ ଅସ୍ଥିର ଆଖିରେ ଚାହିଁଲା । ସେ ବୋଧହୁଏ ଅପ୍ରତ୍ୟାଶିତ ଏମିତି ଏକ ପରିସ୍ଥିତିର ସାମ୍ନା କରିବ ଭାବି ନଥିଲା । କିଛି କହିଲା ନାହିଁ । କଥା ଆରମ୍ଭ କରିଛି ଯେତେବେଳେ ମୁଁ ଛାଡ଼ିବା ଜନ୍ତୁ ନୁହେଁ । ପୁଣି ପଚାରିଲି - ତୁମକୁ ଦେଖିଲେ କାହିଁକି କେଜାଣି ମୋ ଭିତରେ ତୁମକୁ ବାରମ୍ବାର ଦେଖିବାର ଇଚ୍ଛାଟିଏ ଜାଗୃତ ହୁଏ। ତୁମକୁ କଣ ସେମିତି କିଛି ଲାଗେ? କିଛି ଉତ୍ତର ନାହିଁ । ସେ ସ୍ୱାଭାବିକ ହୋଇ ପାରୁନଥିଲା । ଚାରିଆଡ଼କୁ କନ କନ ହୋଇ ଚାହୁଁଥିଲା । ଗୋଟିଏ ପର ପୁରୁଷ ସହିତ କଥା ହେବାର ଦୁଷ୍ପରିଣାମର ଚିନ୍ତା ବୋଧହୁଏ ତାକୁ ଘାରୁଥିଲା । ମୁଁ ପୁଣି ପଚାରିଲି - ତୁମକୁ ଦେଖିଲେ ହିଁ ମୋ ଅନ୍ତର ଭିତରେ କେଉଁଠି କିଛି ଘାଣ୍ଟିଚକଟି ହୋଇଯାଏ । ଲାଗେ ଯେମିତି କେଉଁଠି ଏକ ଅଡୁଆ ସୂତାର ଖିଅଟିଏ ମୋତେ ତୁମ ସହ ବାନ୍ଧି ପକାଇବାକୁ ଚେଷ୍ଟା କରୁଛି । ହୃଦୟ ଭିତରେ ସତେ ଯେମିତି କିଛି... ଆଲୋଡ଼ନ! ଆନ୍ଦୋଳନ! ତୁମକୁ କଣ ସେମିତି କିଛି ଅନୁଭୁତ ହୁଏ? ସେ ଉଠି ଠିଆ ହେଲା । ମୁଁ ଦେଖିଲି ତାର ସ୍ୱାମୀ ଦୁଇ ହାତରେ ଦୁଇଟା ପପ୍କର୍ନ୍ ପ୍ୟାକେଟ୍ ନେଇ ଫେରୁଛି । ସେ ତା ସ୍ୱାମୀର ବାହୁ ସହ ବାହୁ ଛନ୍ଦି ଯିବାକୁ ଉଦ୍ୟତ ହେଲା । ମୁଁ ଧରା ପଡ଼ି ଯାଇଥିବା ପ୍ରେମିକଟିଏ ପରି ତାର ଚାଲିର ଅପରୂପ ଛନ୍ଦକୁ କି ଏକ ଦୂର୍ବାର ଆକର୍ଷଣରେ ଚାହିଁ ରହିଥିଲି ।

କିଛି ଦୂର ଗଲା ପରେ ସେ ପଛକୁ ଫେରି ଚାହିଁଲା । ଓଠଫାଙ୍କରେ ତାର ଲାଗି ରହିଥିଲା ଦୁଷ୍ଟାମୀ ହସଟିଏ । ମୁଁ ପାଇ ଯାଇଥିଲି ମୋର ସବୁ ଅସମାହିତ ପ୍ରଶ୍ନର ଉତ୍ତର । ଏଣିକି ଦେଖାହେଲେ କେବଳ ତାର ଆଖି ନୁହେଁ ଓଠ ବି କଥା କହେ ।


Rate this content
Log in