STORYMIRROR

Sanuja Meghamala

Others

4  

Sanuja Meghamala

Others

ଯୋଡ଼ାଏ ଆଖି

ଯୋଡ଼ାଏ ଆଖି

1 min
240


ଯୋଡ଼ାଏ ଆଖି ପ୍ରଜାପତି ପରି

ଘୂରି ବୁଲନ୍ତି ମୋ ଚାରିପାଖେ

ସେ ଆଖିରେ ସ୍ଵପ୍ନ ଥାଏ

ସମ୍ଭାବନା ବି ଥାଏ

ଥାଏ କିଛି ଆଶା ଓ ବିଶ୍ୱାସ

ମୋତେ ନୀରବତାରେ କିଛି

କହୁଥିବା ସେ ଆଖିର ଭାଷା 

ବୋଧେ ମୁଁ ବୁଝି ପାରେନାହିଁ ।

ନ ବୁଝି ମଧ୍ୟ ସେ ଆଖି ଯୋଡ଼ାକ ପ୍ରତି

ମୋର କାହିଁ କେତେ ଦୁର୍ବଳତା

ସମ୍ପର୍କ ଯେମିତି ଜନ୍ମ ଜନ୍ମର

ସେ ଆଖି ଭିତରେ କାହା ପ୍ରତିଛବି

ଖୋଜିବାକୁ ଇଚ୍ଛା ହୁଏ ବାରମ୍ବାର

ଡର ଲାଗେ କାଳେ ନିଜକୁ

ଆବିଷ୍କାର କରିଦେବି ସେଠି

ନିଜ ଅଜାଣତରେ ଅଟକି ଯାଏ ପାଦ ।


ସେ ଆଖିରେ ନା ଲୁହ ଥାଏ 

ନା ହସର ଛୋଟ ଝଲକ

କେମିତି ଉଦାସିଆ ଗମ୍ଭୀର ଭାବ

ଜମା ଜାଣି ପାରେନି

ହାରି ଯାଇଥିବାର ଦୁଃଖ ନା

ପୁରୁଣା ସ୍ମୃତିର ଉଦ୍ ବେଳନ

ଅବା ଅପେକ୍ଷା ବହୁ ଦିନରୁ 

ସୁଖର ଦୁଃଖର ସାଥୀଟା ପାଇଁ

ଯାହା ପ୍ରତୀକ୍ଷାରେ ଅଛି 

କିନ୍ତୁ ଖୋଜିବା ଏ ଯାଏଁ ସରିନି 

ଜହ୍ନ, ତାରା , ସରଗର ପରୀ କାହାକୁ ଖୋଜେ  

ସେ ଆଖି ଏତେ ସନ୍ତର୍ପଣରେ ।


ଏତେ ଆକର୍ଷଣ କେମିତି ଭରିଛି

ନିରୀହ ସେ ଅକୁହା ଆଖିରେ

ବାରମ୍ବାର ଭିଡ଼ି ହୋଇଯାଏ

ସେ ଆଖିର ଠିକ୍ ସାମ୍ନାକୁ

ଯେବେ ଭେଟିଯାଏ ବେଳ ଅବେଳରେ

ଆଖି ଯୋଡ଼ାକ ନିରୀକ୍ଷଣ କରୁଥାନ୍ତି

ମୋର ପ୍ରତ୍ୟେକ ଗତିବିଧିକୁ

ମୋର ସମସ୍ତ ଅସ୍ତିତ୍ବ ମୁଁ ହଜେଇ ଦିଏ 

ନିମିଷକ ଭିତରେ ଡୁବି ଯାଏ ସେ

କଳା ଡୋଳାର ବିରାଟ ଗର୍ତ୍ତରେ 

ଖୋଜି ଖୋଜି ପାଏନି ନିଜକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍