ଯୋଗମାୟା
ଯୋଗମାୟା
ଶରତ ଲଗନ କରେ ଆବାହନ ମଧୁର ମଳୟ ଅନିଳ
ମନ୍ଦ ଗତିରେ ଧରଣୀ ବକ୍ଷରେ ଅଧୀରେ ମାରଇ ଲହର
କେତେ ସାଜସଜ୍ଜା ଆସ ମା' ଗିରିଜା
ଅବତରି ଆସ ଆସ ଦଶଭୁଜା
ମାତିଛି ମହିଷା ଅସୁର ।।
ଶୁଭ୍ର ଅଭ୍ର ମେଘ ଆକାଶ ମାର୍ଗ ଦିଶୁଅଛି ମନୋରମ
କାଶ ଫୁଲ ଶୋଭା ସତେ କି ତୋ ଧ୍ଵଜା କରୁଛି ଧରଣୀ ମଣ୍ଡନ
ବାଜିଲାଣି ତୂରୀ ମଙ୍ଗଳ ମହୁରୀ
ଅମର ଭୂବନୁ ଆସ ଅବତରି
ବାଜଇ ଟମକ ନିଶାଣ ।।
ଶୁଭ୍ର ଶାରଦୀୟ ଜହ୍ନ ଧରାମୟ କରୁଅଛି ଶୀତଳିତ
ପଡଇ ସୁଷୀମ କେତେ ଯେ ଅସୀମ ଶେଫାଳୀରେ ବିଶୋଭିତ
ଆସ ମହାମାୟା ଦେବୀ ଯୋଗମାୟା
ବରଦ ହସ୍ତେ ତୋ ବିତରି ସୁଦୟା
ଧରଣୀ ହେଉ ବି-ମୋହିତ ।।
ଲକ୍ଷ୍ମୀ, ସରସ୍ଵତୀ ସଙ୍ଗେ ଗଣପତି ସେନାନି ସମ୍ଭୁ ତନୟ
ସହିତ ଗୋ ମାତ ଘେନି ଅସ୍ତ୍ରଶସ୍ତ୍ର ସର୍ବ ଦେବାଦେବୀ ଚୟ
ଆସ ମହାଦେବୀ କୈଳାସ ବାସିନୀ
ବେଦ ମନ୍ତ୍ର ଘୃତ ଯଜ୍ଞେ ମା'ଭବାନୀ
ହେଲାଣି ମେଦିନୀ ଅଥୟ ।।
ଦୁର୍ନୀତି, ଅନୀତି, ଅପ-ସଂସ୍କୃତି ଦୁଷ୍କର୍ମ ରାକ୍ଷସ ସମ
ପ୍ରଦୂଷଣ ଭରା ହୋଇଛି ଏଧରା ଆଉ ଯେତେ ତାର ସଇନ
ଆଜି କରୁଛନ୍ତି ଏଠାରେ ରାଜୁତି
ବଳି ପଡେ ଜ୍ଞାନ, ବିବେକ ଓ ବୁଦ୍ଧି
ଖୋଲିଦେ ତୃତୀୟ ନୟନ ।।
ଶରତ ଋତୁର ପାର୍ବଣ ଲଗ୍ନରେ ତୋର ମଙ୍ଗଳ ସଙ୍ଗୀତ
ହୋଇ ପ୍ରତିଭାତ ହେଉ ମା’ ପ୍ରଭାତ ନୂଆ ସୂର୍ଯ୍ୟ ଉଦ୍ଭାସିତ
ପାପ ଅପକର୍ମ ଦୂର ହୋଇ,ଧର୍ମ
ଖେଳିଯାଇଛି ପୁଣ୍ୟ ପୀୟୂଷ ସୁରମ୍ୟ
ହୋଇ ଉଠୁ ମୋ ଭାରତ ।।
ଗିରିଜା ଭବାନୀ ଗଣେଶ ଜନନୀ ପ୍ରଫୁଲ୍ଲ ଦୁଃଖେ ଅଧୀର
ତୋର ପଦାମ୍ବୁଜେ ଆଶ୍ରୟ ମୁଁ ଖୋଜେ ନାହିଁ ଅନ୍ୟ ପ୍ରତିକାର
ଏ ଦୁଃଖ ରୁ ବାରେ ରକ୍ଷାକର ଥରେ
ମାରି ଏ ମହିଷା ତୋର କରିବାଳେ
ମୋ ପୁଜା ଫୁଲ ଘେନାକର ।।
କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
