ଯନ୍ତ୍ରଣାର ଶୀତ୍କାର
ଯନ୍ତ୍ରଣାର ଶୀତ୍କାର
କୋଳାହଳମୟ ନଗରୀ,
ବ୍ୟସ୍ତ,ତୀବ୍ର ଗତିରେ ଦଉଡୁ ଥିବା ଜୀବନ,
ଆଉ ସେଇ ଜୀବନକୁ ବୋହି ବୋହି ,
ଯନ୍ତ୍ରବତ୍ ମଣିଷ ସକାଳୁ ସଞ୍ଜ ଯାଏ,
ଯନ୍ତ୍ରଣା,କଷ୍ଟକୁ ଆଡେଇ ଦେଇ ,
ଯାନ୍ତ୍ରିକ ନଗରୀର ଭିଡ଼ରେ ନିଜକୁ ହଜାଇ,
ସତରେ କଣ ନିଜ ଅସହ୍ୟ ଯନ୍ତ୍ରଣା ହାତରୁ ମୁକ୍ତି ପାଇଛି?
ଛୋଟ ଛୁଆଟି ବି ଭୁଲି ଯାଇଛି ,
ତା ଶୈଶବର ସରଳ,ନୀରିହ ସମୟକୁ ,
ସକାଳର ପାହାନ୍ତି ନିଦକୁ ଦଳି ମକଚି,
ତା ସ୍କୁଲ ବ୍ୟାଗରେ ଭର୍ତ୍ତି କରି ଦେଇ,
ସ୍କୁଲ ବସରେ ଝୁଲି ଝୁଲି ସମସ୍ତ ଯନ୍ତ୍ରଣା,
ବ୍ୟସ୍ତତାର ଚାଦରରେ ଘୋଡାଇ ଦେଇ,
ଆଗକୁ ବଢ଼ିଚାଲିଛି ଆଉ ଅଭ୍ୟାସ କରି ଚାଲିଛି,
ଭବିଷ୍ୟତ ଯନ୍ତ୍ରଣାକୁ ଭୁଲିଯିବାର କୌଶଳ ।
ସୁଖ ସ୍ଵାଚ୍ଛନ୍ଦ୍ୟ ଭରା ପ୍ରାସାଦର ବି ଅଛି ଯନ୍ତ୍ରଣା,
ଫୁଟପାଥର ବୁଭୁକ୍ଷୁ, ବାସହରା ମଣିଷର ବି ଅଛି ଯନ୍ତ୍ରଣା,
ପ୍ରତିଟି ମଣିଷ ଯନ୍ତ୍ରଣାର କାରାଗାର ଭିତରେ ବନ୍ଦୀ,
ଠିକ୍ ଯେମିତି ସୁବର୍ଣ୍ଣ ପଞ୍ଜୁରୀ ଆବଦ୍ଧ ପକ୍ଷୀଟିଏ ପରି,
ବାହ୍ୟ ଚାକଚକ୍ୟରେ ନିଜକୁ ସଜାଇ ,
ଛଳନାର ମୁଖା ପିନ୍ଧି,କପଟୀ ହସ ଓଠରେ ମାଖି,
ସମସ୍ତ ଯନ୍ତ୍ରଣାକୁ ମାଡ଼ି ମକଚି ହୃଦୟର କେଉଁ ଏକ,
ଅନ୍ଧାରିଆ କୋଣରେ ଲୁଚାଇବାକୁ ବୃଥା ଚେଷ୍ଟା କରି ଚାଲିଛି,
ହେଲେ ଯନ୍ତ୍ରଣାରେ ଶୀତ୍କାର ବ୍ୟସ୍ତ ନଗରୀର ଭିଡ଼ରେ ବି ଶୁଭୁଚି।