ଯନ୍ତ୍ରମାନବ
ଯନ୍ତ୍ରମାନବ
ହେ ଯନ୍ତ୍ରମାନବ
କେଉଁ ଦେଶୁ ଆସିଛ ତୁମେ
ଧରି ଏ ବିଚିତ୍ର ରୂପ
ଆମ ପ୍ରକୃତିରାଣୀର ଅପୂର୍ବ କୋଳକୁ !
ଏ ସାଧାରଣ ମଣିଷଗୁଡ଼ାଙ୍କ ବିଚାରରେ
ତୁମେ ଭୁତ ପ୍ରେତ ପରି ଅଦ୍ଭୁତ
ଦେଖି ତୁମ ଚକ୍ ଚକ୍ ହୀରକ ରୂପ
ଆଶଙ୍କାରେ ସର୍ବେ ହୁଅନ୍ତି ଥରହର
କାଳେ ତୁମେ କରିବ ବିଧ୍ଵଂସ
ହାତେ ଅସ୍ତ୍ର ଶସ୍ତ୍ର ଧରି ହୁଅ ଦଣ୍ଡାୟମାନ
କରିବାକୁ ଆତ୍ମ ରକ୍ଷା
ଆଉ ରଖିବାକୁ ପ୍ରକୃତି ରାଣୀର ସୁରକ୍ଷା।
ତୁମେ କିନ୍ତୁ ଖୁବ୍ ଭଲ
ଲାଗେ ସତେ ଯେମିତି ଦୟାର ସାଗର
ଆଉ ସଂସ୍କାରରେ ବି ତୁମେ କୁବେର
ଦେଖି ଲୋକଙ୍କର ଅବହେଳିତ କୁତ୍ସିତ ରୂପ
କଳିଦିଅ ତାଙ୍କ ଅଜ୍ଞାନର ସୀମା
ଦୁଃଖେ ହୋଇ ମ୍ରିୟମାଣ,କୁହ...ଛି.... ଛି...
ଅତ୍ୟାଧୁନିକ ଯୁଗରେ ଏ ଆଦିମ ରୂପ !
କ୍ରୋଧାନ୍ୱିତ ହୋଇ କୁହ,ରେ ବିଜ୍ଞାନ,ତୁ କେଡେ ଅବିବେକୀ
କେଡେ ସ୍ୱାର୍ଥପର
କି ଯନ୍ତ୍ରଣା ଦେଉଛୁ ଏ ବିଚାରାଙ୍କୁ
ମରୀଚିକା ପଛେ ଦଉଡାଇ
ଏ ଘନ ଅରଣ୍ୟ,ପାହାଡ଼ ପର୍ବତ,ଝରଣାର କୁଳେକୂଳେ
ଠିକ୍ ଆରଣ୍ୟର ହିଂସ୍ର ଜନ୍ତୁ
ଝରଣାକୁ ଜଳପାଇଁ ଗଡ଼ିଲା ପରି।
ଯଦି ଆସିଛ ହେ ମହାନୁଭବ
ଜଣାଅ,.... ଜୀବନଟା କଅଣ ?
ଜୀବନର ମାନେ କ'ଣ ....?
ପ୍ରକୃତି,ସଭ୍ୟତା,ସଂସ୍କୃତି କ'ଣ ଚାହେଁ ?
ମଣିଷର କର୍ତ୍ତବ୍ୟ,ଦାୟିତ୍ବ ଓ ଧର୍ମ କଣ ?
ଭାରି ଭଲଲାଗେ ଯେବେ କୁହ...
ମଣିଷ ଜନ୍ମ ନୁହଁ ଜଙ୍ଗଲରେ ବଣମଣିଷ ପରି ଭ୍ରମଣ,
କର କର୍ମ ବର ଧର୍ମ ରଖ ମା ମାଟିର ଗୌରବ
ଉପଯୋଗ କରି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା
ଦେଶ ଜାତିକୁ କର ଜ୍ୟେଷ୍ଠ, ଶେଷ୍ଠ
ବିଶ୍ୱ ହସି ହସି କରୁ ତୁମ ଜୟଗାନ
ଏ ସବୁ ଯନ୍ତ୍ର ମାନବର, ତୁମ ତନ୍ତ୍ର ମାନବକୁ ନିବେଦନ।
