ଯମପୁରେ ଭାଳେଣି
ଯମପୁରେ ଭାଳେଣି
ମୁଣ୍ଡରେ ହାତ ଦେଇ କହନ୍ତି ଜନ୍ତୁପତି..
କି କରିବି ଏବେ ହେଲା ଏହି କି ଦୁର୍ଗତି..!!
ଧର୍ମରାଜ ହୋଇ ମୁଁ ଯେ କରଇ ବିଚାର...
ତ୍ରିଦେବଙ୍କ ଠାରୁ ବଡ଼ ଆଜି ମୁଁ ନାଚାର..!!
ଯାଏ ଯେବେ ମହିଶୀ ସବାର ହୋଇ ମୁହିଁ..
କେହି ତେବେ ମୋହ ବାଟ ନ ଜଗନ୍ତି କାହିଁ..!!
ଚିତ୍ରଗୁପ୍ତ କରଇ ଯେ ସବୁ ଲିପିବଦ୍ଧ..
କିଏ କିପରି ମରିବ କରିବି କା ବଧ..!!
ଦୁର୍ଘଟଣା ହେଉ ଅବା ସର୍ପର ଦଂଶନ..
ହେଉ ଅକାଳ ମରଣ ଥାଉ କି କାରଣ..!!
କେହି ବଞ୍ଚି ପାରନ୍ତିନି ମୋ ଫାଶରୁ ବଞ୍ଚି..
କିନ୍ତୁ ମାର୍କଣ୍ଡେୟ ବଞ୍ଚେ ମହେଶଙ୍କୁ ପାଞ୍ଚି..!!
ସତ୍ୟବାନ ବଞ୍ଚିଗଲା ସାବିତ୍ରୀ ବଳରେ...
ପାରିଲିନି ମୁଁ ଯେ ଜିତି ତାହାକୁ କଳରେ..!!
ଏମିତି କିଛି ଛାଡ଼ିଲେ ଆଉ କେହି ନାହିଁ..
ଆଜି କିନ୍ତୁ ମୁଁ ଡରୁଛି ରଖ ହେ ଗୋସେଇଁ..!!
ଯାଇଥିଲି ଆଣିବାକୁ ପ୍ରାଣ କିଛି ବାନ୍ଧି..
ଦେଖିଲି ମର୍ତ୍ତ୍ୟରେ ଏକ ରୋଗ ଦେଲା ଧନ୍ଦି..!!
ଲୋକମାନେ ସବୁ ଅକାଳରେ ମରୁଛନ୍ତି..
ଆୟୁଷ ଥାଉ କି ନାହିଁ ସବୁ ଡରୁଛନ୍ତି..!!
ଚକିତ ହେଲି ଦେଖି ଏ ମଣିଷ ମଡକ..
ପଡ଼ିଲା ସତକି ମୋର ମଥାରେ ଚଡ଼କ..!!
ଛୁଇଁଦେଲେ କାଳେ ଏହି ରୋଗ ଗ୍ରାସ କରେ..
ଦେହରୁ ଦେହକୁ ଯାଇ ପରାଣକୁ ହରେ..!!
ମୁଁ ଥାଉ ଥାଉ ସେ ରୋଗ ସଭିଙ୍କୁ ମାରିଲା..
ସେ ପ୍ରାଣ ଆଣିବା ବେଳେ ଶୂନ୍ୟବାଣୀ ହେଲା..!!
ଛୁଇଁଦେଲି ମୁଁ ଯେ ସବୁ କରୋନା ରୋଗୀଙ୍କୁ..
ଆସିଗଲା ସେ ଭୁତାଣୁ ମୋହରି ଦେହକୁ..!!
ସେ ଭୁତାଣୁ କାଳେ ମୋତେ ଜୀବନେ ମାରିବ..
ଯମ ଆଜି ସତେ କି ପ୍ରଭୁ ରୋଗରେ ମରିବ..!!??
କୁହ ପ୍ରଭୁ ଏଥକୁ କି କରିବା ଉପାୟ..
କିପରି ମନରୁ ମୋର ଯିବ ଏହି ଭୟ..!!??
ନ ବଞ୍ଚିଲେ ଦେବତା ଜଗତ କି ବଞ୍ଚିବ..!!??
ତୁମ ସଂରଚନା ଆଉ କିପରି ରହିବ..!!??
କିଛି କରି ଉପାୟ ଶିଖାଅ ଯେ ମୋତେ..
ଯାଇ ପୁଣି କହିବି ମୁଁ ତାହାକୁ ଜଗତେ..!!
ବଞ୍ଚିଲେ ମଣିଷ ପାପ ପୁଣ୍ୟ ଯେ ଜାଣିବା..
ସ୍ଵର୍ଗ କି ମର୍ତ୍ତ୍ୟ ଆମେ ତାଙ୍କୁ ପଠାଇବା..!!??
ଶୁଣି ସବୁ ତ୍ରିଦେବ ଯେ ସଭା ଡକାଇଲେ..
ଏ ବିପଦୁ ଉଦ୍ଧାରିବା ବୋଲି ତ କହିଲେ..!!
ସର୍ବେ ହାତ ଯୋଡ଼ି ଏବେ ଅପେକ୍ଷା କରିବା..
ଦେବାଦେଶ ଆସିଲେ ଯେ ନିସ୍ତାର ପାଇବା..!!??
ଯମପୁରେ ଭାଳେଣି ପଡିଛି ଥରେ ଭାବ..
ଛାର ମଣିଷ ଆଉ କି ସମାଧାନ ଯେ କରିବ..!!??
ମୃତ ପ୍ରାଣେ ଜୀବନ ସେ ହିଁ ଭରି ପାରିବେ..
ଯୁଗେ ଯୁଗେ କଲା ପରି ଆମକୁ ରଖିବେ..!!
