ଯା ଖେଳିବୁ ଖେଳ
ଯା ଖେଳିବୁ ଖେଳ
ହେଇ ଦେଖ୍ ଯିଏ
ପୂରୁବ ଆକାଶେ ଆସୁଛି ଉଇଁ
ସୂରୁଯ ସେ ତା'ର
କିରଣ ଯାଉଛି ମାଟିକି ଛୁଇଁ ।।
ଆକାଶରେ ଦେଖ୍
ଉଡି ଯାଉଛନ୍ତି ଚଢେଇମାନେ
କାନ ଡେରି ଦେଲେ
କାକଳି ତାଙ୍କର ଶୁଭିବ କାନେ ।।
ଫୁଲମାନେ ଏବେ
ପାଖୁଡା ତାଙ୍କର ଦେଲେଣି ଖୋଲି
ସବୁରି ଆଖିରେ
ସରସ ହରଷ ଦିଶିବେ ବୋଲି ।।
ଘାସ ଛନଛନ
ପଡିଆଟି ଭାରି ସବୁଜ ଦିଶେ
ଖୁସି ହୁଏ ମନ
ଆଖି ଦୁଇ ଯେବେ ତହିଁରେ ମିଶେ ।।
ଧୀରେ ଧୀରେ ବହି
ଶୀତଳ ପବନ ଗାଉଛି ଗୀତ
ସେଇ ପବନରେ
ସକାଳ ବୁଲିବା ଦେହକୁ ହିତ ।।
ସୁନାଝରା ଏଇ
ଦୁନିଆର ଯେତେ ସୁନ୍ଦର ଠାଣି
ବସିଗଲେ ଦଣ୍ଡେ
କୋଳେ ତା'ର ଦେଖି ପାରିବୁ ଜାଣି ।।
କାନ୍ଦ ଫାନ୍ଦ ନୁହେଁ
ନାଚି କୁଦି ଯା' ଖେଳିବୁ ଖେଳ
ତୁ'ଯେ କୁନିପିଲା
ଇଏ ପରା ତୋର ଖେଳିବା ବେଳ ।।