ଉନ୍ମତ୍ତ ପ୍ରଣୟୀ
ଉନ୍ମତ୍ତ ପ୍ରଣୟୀ
ହେ କଳଧୌତ କଳତ୍ର
ତୁମ କଳ,ସୁଶ୍ରୀ ଗାତ୍ର
ନେଲା ମୋ ଚିତ୍ତ ।
ପ୍ରୀତି କଲମ୍ବ ଭେଦିଲ
ମଧୁ କଲ୍ଲୋଳ ଝୁଣିଲ
କି କଲ ଗେଲ ।
ମୁଁ ବଳି ସାଜି ତ୍ରିପାଦ
ଭୂମି ଦେଲି ମାରି ସ୍ୱାଦ
ତ୍ୟାଗ,ପ୍ରଣୟ,ଆହ୍ଲାଦ ।
ତ୍ୱଦୀୟ ଆସ୍ୟ,ପ୍ରଣୟ
କପୋଳ,କବରୀ,କଷାୟ
ସାହିତ୍ୟ ରାହିତ୍ୟ କାବ୍ୟ ।
ମୁଁ ବୋଲି ମହାକାବ୍ୟ
ଭୂ,ଗ୍ଲୌ,ଖ ରାଜ୍ୟେ ଭର୍ସିତ
କୁ ଛନ୍ଦେ ତ୍ଵଦୀୟ ।
ବିଗର୍ହଣ ଅବରୋଧେ
ଅଦୃଶ୍ୟ ହେଲ ଭୂ ମଧ୍ୟେ
ବଳୀ, ସୀତା ତୁଲ୍ୟ ।
ବାତ୍ମା ଦ୍ଵି ଶୋଣିତେ ସିକ୍ତ
ବପୁ,ହୃଦୟ କମ୍ପିତ
ଆତ୍ମା ମୋ ହୃଷିତ ।
ମୋ ସିକଥ ଆୟୁ କ୍ଷୀଣ
ତ୍ରାସେ ଆବୃତ ଆନନ
ତୁମ୍ଭ ପାଇଁ ପ୍ରାଣ ।
ତୁମ୍ଭେ ତୃଷ୍ଣୀମ୍ଭାବେ ରୁରୁ
କେଉଁ ଭେଲକିରେ ମାରୁ
ରେ ଶ୍ରେଷ୍ଠ ନାୟିକା ।
କାହା ଦୋଷରେ? ଆୟୁଷ
ଦୁହିଁଙ୍କ କ୍ଷପାରେ ଶେଷ
ମୁଁ ନା ହସ୍ତରେକା ।
ମୁଁ ମୋ ପ୍ରୀତି ବି ଉନ୍ମତ୍ତ
ବଦଳିଗଲା ମୋ କୃତ୍ୟ
ପର ନର କଥା ଶୁଣି ।
ବିଶ୍ୱାସେ ବିଷ ମିଶାଇ
ମୁଁ ନିନ୍ଦି, ନିନ୍ଦା ଶୁଣାଇ
ମାରିଦେଲିରେ ରମଣୀ ।
ବିନା ଦୋଷେ ଖୁଣି ଖୁଣି
ସାଜିଲି ତୋ ପ୍ରାଣ ଖୁଣୀ
ଧିକ ମୋ ପ୍ରେମ
ଧିକ ମୁଁ ପ୍ରଣୟୀ ।।