STORYMIRROR

Sanjukta Rout

Others

3  

Sanjukta Rout

Others

ଉଇଁ ଉଠୁ ନବ ରବି

ଉଇଁ ଉଠୁ ନବ ରବି

1 min
1.0K



ଉତ୍କଳ ଗୌରବ ମଧୁବାବୁ ପୁଣି

ପାରଳାର ଯୁବରାଜ

କେତେ ଜ୍ଞାନୀ ଗୁଣି ଜାତି ସ୍ଵାର୍ଥ ଲାଗି

କରିଥିଲେ ଯେଉଁ କାର୍ଯ୍ଯ


କେତେ ଯେ ସଂଘର୍ଷ କେତେ ବଳିଦାନ

ଓଡ଼ିଆ ମାଟିର ବ୍ୟଥା

ଉତ୍କଳ ଦିବସ କହେ ଇତିହାସ

ଉତ୍କଳର ପୂର୍ବ ଗାଥା


ମହାନ ଅଟଇ ଏ ଉତ୍କଳ ଭୂଇଁ

ପୂଣ୍ୟରେ ଚିର ଶୋଭିତ

ଚଣ୍ଡାଶୋକକୁ ବି ଧର୍ମାଶୋକେ ପୁଣି

କରିଥିଲା ପରିଣତ


ଧନ୍ୟ ତା' ସ୍ଥାପତ୍ୟ ଧନ୍ୟ ତା' ଐତିହ୍ୟ

ବିଶ୍ଵେ ନାହିଁ ସମତୁଲ

ବାର ମାସେ ଏଠି ତେର ପର୍ବ ପଡ଼େ

ମହା ପ୍ରସାଦ ଅମୂଲ୍ୟ


ଧନ୍ୟ ତା' ସଂସ୍କୃତି ଧନ୍ୟ ତା' ଭାସ୍କର୍ଯ୍ଯ

ଧନ୍ୟ ତା'ର ଚାରୁକଳା

ମନ୍ଦିର ମାଳିନୀ ଅଟେ ଏଇ ଭୂଇଁ

ଆଧ୍ୟାତ୍ମିକତାରେ ଭରା


ପୁରୀ କୋଣାରକ ସାକ୍ଷୀ ଅଛି ତା'ର

ଅମର କିର୍ତ୍ତୀରାଜିର

ଭଗ୍ନ ଅବଲୁପ୍ତ ଶିଳା କହେ ଆଜି

ପୂର୍ବ ଗଉରବ ତା'ର


ପବନ ଯାହାର କରେ ଜୟ ଗାନ

ମହୋଦଧି ପାଦ ଧୁଏ

କଳକଳ ନାଦେ ଯାହାର ବୁକୁରେ

ନଦନଦୀ ବହିଯାଏ


ତା' ପୂଣ୍ୟ କୋଳରେ ଜନ୍ମଲଭି ଆମେ

ଧନ୍ୟ ହୋଇଛି ଜୀବନ

ସେବକ ତାହାର ଅଟୁ ଆମେ ସର୍ବେ

ସେବାରେ ଦେବା ପରାଣ


ହୁଅ ଆଗୁସାର ହେ ଉତ୍କଳ ବୀର

ବୀରତ୍ଵେ ହୁଅ ମଣ୍ଡିତ

ଅମାରାତ୍ରୀ ହଟୁ ଉତ୍କଳ ଆକାଶୁ

ଶୁପ୍ତରୁ ହୁଅ ଜାଗ୍ରତ


ଉତ୍କଳ ଆକାଶେ ଉନ୍ନତିର ସତେ

ଉଇଁ ଉଠୁ ନବ ରବି

ସର୍ବଶ୍ରେଷ୍ଠ ରାଜ୍ୟ ହେଉ ସେ ଭୂଖଣ୍ଡେ

ତୋଳି ଦିଅ ପୂର୍ବ ଛବି


**** ସଂଯୁକ୍ତା ରାଉତ ****

ଜୟପୁର , କୋରାପୁଟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍