ଉଡନ୍ତା ପଲଙ୍କ
ଉଡନ୍ତା ପଲଙ୍କ
ଊର୍ଦ୍ଧ୍ଵ ଆକାଶକୁ ଚାହୁଁଥିଲି କାଲି
ଅଳିନ୍ଦରେ ହୋଇ ଛିଡା
ଜକେଇ ଆସିଲା ଲୁହସବୁ ଖାଲି
ଦେଇ ଦୁର୍ଭାବନା ପୀଡା ।
ପବନ ସହିତ ଯାଉଥିଲି ଭାସି
ବଢେ ଅନ୍ଧକାର ଭାରା
ଆର୍ତ୍ତନାଦ ଶୁଣି ମିଳିଗଲେ ଆସି
ପାଶେ ମୋ ଅସଂଖ୍ୟ ତାରା ।
ଲୁହାର ଜଞ୍ଜିର ଧରିଥିଲି ଭିଡି
ଭାଗ୍ୟ ରଖିଥିଲା ଘେରି
ଲହୁଲୁହାଣ ମୁଁ ହୋଇଥାନ୍ତି ସିଡି
ତଳେ ପଡି ହେଲେ ଡେରି ।
ଅନ୍ଧାର ହିଁ ମୋତେ ରଖିଥିଲା ଧରି
କାରଣ ଯଦି ପଚାର
ମୋ ଭିତରେ ଯାହା ରହିଥିଲା ଭରି
ନାହିଁ ତାର ଉପଚାର ।
ପାଇଲି ଝଲକ ଉଡନ୍ତା ପଲଙ୍କ
ଦିବ୍ୟଲୋକେ ଗଲା ଭାସି
ନିଦ୍ରା ମଗନରେ ଉଚ୍ଚ ଗଗନରେ
ଦେଖାଦେଲ ତୁମେ ଆସି ।
ସୁଖସ୍ବପ୍ନେ ମଜ୍ଜି ଆଲୋକରୁ ହଜି
ଅନ୍ଧକାରେ ଗଲ ଧୀରେ
ପୂର୍ବ ସ୍ମୃତି କାହୁଁ ମାଡି ଆସି କାହୁଁ
ବୁଡାଇଲା ଶୋକନୀରେ ।
ଗଭୀର ନିଦରେ ଶୋଇଗଲି ଶେଷେ
ନଥିଲା ଉଠିବା ଚିନ୍ତା
ଅବଶ୍ୟ କେତେକ ଦେଖି ଏହି ବେଶେ
ଭାବିଲେ ଜାଳିବେ ଚିତା ।
ଭାବୁଛି ଫେରିବି ଅଳିନ୍ଦରେ ଏହି
ଯେବେ ହେବ ତୁମେ ଠିଆ
ତୁମ ଛଡା ମୋତେ ଦେଖିବେନି କେହି
ଜଳିଯିବ ତାଙ୍କ ହିଆ ।
ଆସିଛି ପଛରେ ପୃଥିବୀକୁ ଛାଡି
ନଭେ ପାଦଚିହ୍ନ ସତ
ମନରୁ ତୁମର ପୋଛିବନି କାଢ଼ି
ଶୁଖିନି ଏଯାଏଁ କ୍ଷତ ।