ଉଡା
ଉଡା
✍️ ସୁଧାକର ସେଠୀ
ମାଳ ଉଡା
ସ୍ବପ୍ନ ଦୁନିଆର ନୂଆ ଠିକଣା
କୁନିକୁନି ଆଖିଭରି ଯାଏ
ପାଦ ଥକେନା , ମାଡିଚାଲେ
ଗାଁ ଗୋହିରି ପାରିହେଲେ
ବିଲ ରାସ୍ତା ନମାଣିଆ ଗହିର
ଉଚ୍ଚା ନୀଚା ଜୀଆ ହୁଙ୍କା ଭରା
ଆଖିଆଗରେ
ନଇକୁଲାଗି ଯାତ ପଡିଆ।
ମାଳ ଉଡା
ଲମ୍ବା ଶାଳ କାଠର ଖମ୍ବ
ତା ଉପରେ କସରତ
ପାଖେ ସଦୃଶ୍ୟ ମଞ୍ଚା ଜଣପରେ
ଜଣେ ଉଭା
ପାଟ ଭକତା ହାତେ ଆଜ୍ଞାମାଳ
ଅଣ୍ଟାକୁ ଯୋରରେ ରସିରେ ଭିଡା
କିଳିକିଳା ଶବଦ ସହ ହାଡି ଵାଜାର
ଅଦ୍ଭୁତ ମିଶ୍ରଣ
ଯୋରରେ ଖୋଳ କରତାଳ ମାଡ
ଭକ୍ତଙ୍କ ହରିଵୋଲରେ
ଆରମ୍ଭ ହେଲା ଉଡାଣ
ଶୂନ୍ୟରେ ଶୁନ୍ୟରେ ଗୋଟିଏ
ଅବା ଦୁଇଟି ଚକର।
ମାଳ ଉଡା
ମାସକ ଆଗରୁ ଭକ୍ତାଙ୍କ
ଗାଁକୁ ଗାଁ ଭ୍ରମଣ
ପରମ୍ପରା ସେ କେଉଁ ଦିନର
ହଜି ଯାଏ ନିଦ
ଜେଜମା କାନି ଛାଡି
ଦୌଡିଆସୁ ଦେଖିବାକୁ
ଭକ୍ତାନାଟ।
ଶୁଭି ଯାଏ ମନ ଛୁଆଁ ଲୋକଗୀତ
ବାଜା ତାଳେ ତାଳେ
ସେ ଉଦଣ୍ଡ ନୃତ୍ୟ।
କଥା କମ ସ୍ବପ୍ନ ଅନେକ।
ମାଳ ଉଡା।
ନିଷ୍ଠାସହ ଏକ ମାସ
ଖାଦ୍ୟ ଗ୍ରହଣରେ ନୀତି
ଉଡାଖୁଣ୍ଟ ମାଜଣା ସହ
ବାସୁଳି ମା'ଙ୍କ ପୂଜା ଆରଧନା।
ତା ମହିମାକୁ ନେଇ
ଘୁରି ବୁଲୁଥାଏ କେତେ କଥା
ଏ କାନରୁ ସେ କାନକୁ
ସବୁ କର୍ଯ୍ୟ ସୁଚାରୁ ରୂପେ
ଦଳ ବଦ୍ଧ କାର୍ଯ୍ୟର ସୁନ୍ଦର ନମୂନା।
ରାଗ ଦ୍ଵେଷ ଭୂଲି
ବସ୍ତିସାରା ଏକ ମନ ଏକ ପ୍ରାଣ ।
ଉଡା ପରେ ପୁଣି ଆରମ୍ଭ
ହୋଇଯାଏ କୁକୁଡା, ଛେଳି
ଆଦି ଛୋଟ ଛୋଟ କଥାକୁ
ନେଇ ବାଦ ଵିଷମ୍ବାଦ ।
ମାଳ ଉଡା
ଜଳ ପାଟ, ନିଆଁ ପାଟ
କଣ୍ଟା ପାଟ ପରେ
ଆସେ ଉଡାଖୁଣ୍ଟେ
ଭକ୍ତାଙ୍କ ଉଡାଣ ।
ଡାକ ବାଜି ଯନ୍ତ୍ରର ଗର୍ଜନ
ସହ ନାନା ଜାତି ବାଜା ମାଡେ
ପରିବେଶ ଭାବପୂର୍ଣ୍ଣ
ଶହ ଶହ ଶ୍ରଦ୍ଧାଳୁଙ୍କ
ସମାଗମେ ହୁଏ ସମାପନ ।
ମାଳ ଉଡା
କେତେ ସ୍ବପ୍ନ ସମ୍ଭାବନା
କୁନି କୁନି ପାଦ ଥକେନା
କୁନି କୁନି ଆଖି ଘୁରି ବୁଲୁଥାଏ
ଦେଖିବାକୁ ରଂଗବେରଙ୍ଗ ଖେଳନା।
ବିପଣି ସମାଗମେ ଘୁରି ଯାଏ ମୁଣ୍ଡ
ସବୁ କିଣିବାକୁ ହୁଏ ଇଛା
କୁନି ହାତ ଯାହାପାରେ
ସାଉଁଟି ଚାଲେ
ଜେଜେ ମାଙ୍କ ଥଟ୍ଟା ଆଉନେବୁ
ରଖିତ ପାରୁନୁ ସେତିକ ଥାଉ ।
ମାଳ ଉଡା
କଲେଜ ପଢିଲା ପରେ
ଆଉ ଯାଇନି
ବାହାରେ ବାହାରେ ସମୟକଟେ
ଏ ଭିତରେ ସରି ଯାଏ ଉଡା ପର୍ବ।
ଆଜି କାହିଁ ଭାରି ଇଛା ହେଉଛି
ଫେରି ଯିବାକୁ ପାଖ ଗାଁ
ଦେଖିବାକୁ ଉଡା ଯାତ।
ବାଜା ତାଳେ ଖୁବ ନାଚିବାକୁ
ଗାଁ ଗାଁ ଭକ୍ତାଙ୍କ ପଛେ ପଛେ
ଗୋଡେଇ ଗୋଡେଇ ଯିବାକୁ ।
ପୁଣି ସନ୍ଧ୍ୟାରେ
ଉଡା ଦେଖି ଯିବାପାଇଁ
ନଖାଇ ରୁଷିବାକୁ ।
ସୁନାମୁହିଁ ନଦୀ ଘାଟ ଅଳ୍ପ ପାଣିରେ
ଚାଲି ଚାଲି ପାରି ହେବାକୁ ।
ଆଜି ସବୁ ସ୍ବପ୍ନସମ
କର୍ମଜଞ୍ଜାଳେ ପେଶି ହୋଇ
ନାହିଁ ନିସ୍ତାର।
ଖାଲି ଅଛି ସ୍ବପ୍ନରେ
ସ୍ବପ୍ନରେ ମାଳ ଉଡା ଭ୍ରମଣ।
