STORYMIRROR

Ajaya Mahala

Others

4  

Ajaya Mahala

Others

ତୁମକୁ ଫରକ ପଡିବ ନାହିଁ

ତୁମକୁ ଫରକ ପଡିବ ନାହିଁ

2 mins
278

ତୁମକୁ ଫରକ ପଡିବ ନାହିଁ


"ମୋ ଭଲମନ୍ଦରେ

ଆଗ ପରି ଜଡିତ ଅଛ ତୁମେ ?

ଅଣଚାଶ ମୂର୍ତ୍ତି ପବନ ବହିଲେ

କି ସମ୍ପର୍କର କେଉଁ ଭୂସ୍ଖଳନରେ 

ମୋ ବିଶ୍ୱାସର ମୂଳଦୁଆ ଦୋହଲି ଗଲେ ବି

ମୁଁ ଜାଣେ,ତୁମକୁ ଫରକ ପଡିବ ନାହିଁ ।"


ତୁମ ମୁହଁରୁ ସେତକ ଶୁଣିଦେଲେ 

କେତେ ଗମ୍ଭୀରତା ସହ ଭାବିନିଏ 

ଏଇଟା ଆତ୍ମ ନିରୀକ୍ଷଣ କରିବାର 

ବେଳ ବୋଲି ।

ଜଡ଼ତ୍ୱର ଉଈ ହୁଙ୍କାକୁ

ଫାଉଡା ମାରି ନିଶ୍ଚିହ୍ନ କରିବାକୁ ବସେ

ପୁଣି ଥରେ ।

ମାଟିରେ ଆଣ୍ଠେଇ ପଡ଼ି

ପୁଣି ଶିଖର ଛୁଇଁ ବାକୁ 

ହାତ ବଢାଏ ଆକାଶକୁ।

ତୁମ ପାଇଁ ସେହି

ମନଲୋଭା ଫୁଲଟିକୁ ତୋଳିବାକୁ 

ସରୁଆ କଦମ୍ବ ଡାଳକୁ ଚଢିଯାଏ ।


କେବେ ଭାବିଛ

ବେଳେ ବେଳେ ତୁମର 

ଏ କଥା ପଦକ ଛାତିରେ ଧରି 

ମୁଁ ଭାବିବାକୁ ଲାଗେ କେତେ ।

ଉଦାସୀନତାର ଚୁଲି ପାଉଁଶରେ

ନିଃଶେଷ ହୋଇଯାଇଥିବା ଆଶା ପରି

ବଞ୍ଚିଥିବା ପୌରୁଷ ଟିକକର ନିଆଁକୁ 

ନଳରେ ଫୁଙ୍କି ଉଜ୍ଜୀବିତ କରିବାକୁ 

କେତେ ତୁମେ ଚେଷ୍ଟା କର 

ପାଉଁଶ ଭିତରୁ; 

- ଆଉ ତାକୁ ସମ୍ଭାଳି ସମ୍ଭାଳି,

ଯେମିତି ଥକି ଯାଇଛ 

କେଉଁ କାଳୁ ।


ତମ ଅଭିଯୋଗକୁ 

ଏକାଥରକେ ସତ ବୋଲି ଭାବିନିଏ 

ମତେ ଲାଗେ, ଯେମିତି ୟା ଭିତରେ ସତରେ 

ମୁଁ ମୁଗୁନି ପଥରଟେ ପାଲଟି ଯାଇଛି ?

ଏମିତି ପଥର, 

ଯିଏ କଥାର ଶାଣ ଦିଆ ନିହାଣକୁ 

ଲେଶ ମାତ୍ର ଭ୍ରୁକ୍ଷେପ କରେନା;

ଯାକୁ ନା ସର୍ଦ୍ଦି ହୁଏ, ନା ଜ୍ୱର ହୁଏ,

ନା ଯାହାର ଦେହ ଥକେ ।

ପୁଣି ଏପରି ବି କେବେ ଲାଗେ

ଯେମିତି ମୁଁ ସବୁ ବାହୁଙ୍ଗା ହରେଇ ବସିଥିବା 

ପାଟ ବିଲ ମଝିର ଲଣ୍ଡା ତାଳଗଛ 

ଯିଏ କେବେ  

କାହାର ମାନ ଅପମାନ

ନିରୋଳା ମୂହୁର୍ତ୍ତ ଗୁଡିକରେ

ସାଥି ହେବାର ସାମର୍ଥ୍ୟ ରଖେନା ।


ନିଜକୁ ପଚାରି ସତ କହିବ,

କେବେ ଫରକ ପଡି ନ ଥିଲା ମତେ

ତୁମ ହସ କାନ୍ଦରେ ?

ତୁମେ କଅଣ ଦେଖିବାକୁ ଚାହଁ 

ତୁମ ପାଇଁ ଯତ୍ନଶୀଳ ହେବାର ପଣକୁ 

ପତାକାଟେ ପରି 

ଲୋକ ଦେଖାଣିଆ ଭାବେ 

ସବୁବେଳେ ଉଡେଇ ରଖି ଥାଆନ୍ତି ?

ନା ତୁମେ ନିଜ ନାସ୍ତିବାଦରେ 

ହଜେଇ ଦେଇଛ 

ତୁମ ଆଗର 

ସେ ନଦୀ ପରି ପ୍ରଗଳ୍ଭତା ?

ଏକ କପୋଳକଳ୍ପିତ ଦୂରତ୍ୱକୁ ନେଇ

ସତରେ ଧୀରେ ଧୀରେ ତମେ 

ଦୂରେଇ ତ ଯାଇନ

ରେଳ ଲାଇନଟେ ପରି

ଦୂରକୁ, ବହୁତ ଦୂରକୁ ?



ତୁମକୁ ଭଲ ପାଇବାରେ 

ଜିତିଛି ଆଉ ହାରିଛି ବି ।

ମୋ ହାରିଥିବା ଦିଗଟି 

ଗିଟାରର ସେହି ତାର ନୁହେଁ କି

ଯାହା ତୁମ ପାଇଁ ସଙ୍ଗୀତ 

ତୋଳିବାକୁ ଯାଇ

କେତେ ଥର ଛିଣ୍ଡିଥିଲା, 

ଆଉ ଯୋଡିଥିଲା ?

ଆମ ଜୀବନ ସଙ୍ଗୀତ ତଳେ ପ୍ରଚ୍ଛନ୍ନ

ମୋର ସବୁ ଚେଷ୍ଟା ଆଉ ଶ୍ରମ ସବୁକୁ

ତମେ ଅନୁଭବ କରିଛ 

ଯାହା ହାରମୋନିୟମ ପୃଷ୍ଠତଳର 

ଖଞ୍ଜି ହୋଇଥିବା କାଠ ଆଉ ଧାତୁର 

ରିଡ଼ ସବୁ ପରି

ଲୁଚି ଲୁଚି ସଙ୍ଗୀତକୁ 

କେବେ ଜନ୍ମ ଦେଇଥିଲା ?


ତମେ ସମ୍ବେଦନା ଆଉ ଲୁହ ନେଇ

ଆଗକୁ ବଢି ଯାଉଥିବା ନଦୀ ହେଲେ

ମତେ ସହଜ ରୂପ ଦେଇ 

ସ୍ଥାଣୁ, ନିଶ୍ଚଳ ନିର୍ଜୀବ 

କୂଳଟେ ରୂପେ ଧରି ନିଅ ।

ନିଜ ଗତି ଆଉ ରୂପକୁ 

ସହସା ତୁମ ପରି 

ବଦଳାଇ ପାରେନା ବୋଲି

ତମ ଭଲ ମନ୍ଦ ନେଇ

ମତେ ଫରକ ପଡେନା ବୋଲି 

କହି ଦିଅ ନା ତମେ?

ହେ ନଦୀରୂପା,

ଛାତି ଉପରେ ପଡିଥିବା ଚିକ୍କଣ ପଟୁକୁ 

ଦୁଇ ଆଙ୍ଗୁଳିରେ ଉଠାଇ 

ଥରେ ପରୀକ୍ଷା କର ତ !

ଦେଖିବ, ତୁମର ଆଜିଯାଏଁ କରିଥିବା

ପ୍ରତ୍ୟେକଟି ଅଳି ଅଭିଯୋଗ 

ମୁଁ ଅହ ରହ ଭସାଇ ଦେଇଥିବା

ମୋ ଅବକ୍ଷୟର ପୀଡା ସହ ମିଶି 

ଚୁର୍ଣ୍ଣିଭୂତ ମୃତ୍ତିକାରେ

ସେଇଠି କେଉଁଠି 

ପଡି ରହିଥିବେ ।


        


Rate this content
Log in