ତୁମେ
ତୁମେ
ତୁମେ ହିଁ ତ ପ୍ରଭୁ
ଅମୃତ , ଅକ୍ଷୟ
ତୁମେ ଦିବ୍ୟାଲୋକ ଧାରା
ତୁମେ ହିଁ ତ ଶାନ୍ତି
ତୁମେ ହିଁ ତ ମୁକ୍ତି
ତୁମେ ଆନନ୍ଦ ପସରା।
ତୁମେ ହିଁ ଜନକ
ତୁମେ ହିଁ ଜନନୀ
ତୁମେ ସଖା ଭାଇବନ୍ଧୁ
ତୁମେ ହିଁ ତ ସ୍ନେହ
ତୁମେ ହିଁ ତ ପ୍ରେମ
ତୁମେ କରୁଣାର ସିନ୍ଧୁ।
ତୁମେ ହିଁ ଅତୀତ
ତୁମେ ଭବିଷ୍ୟତ
ତୁମେ ହିଁ ତ ବର୍ତ୍ତମାନ
ତୁମେ ହିଁ ଅନନ୍ତ
କାଳର ଲହରୀ
ତୁମେ ସତ୍ୟ ଚିରନ୍ତନ।
ତୁମେ ହିଁ ତ ବୁଦ୍ଧି
ତୁମେ ହିଁ ତ ବଳ
ତୁମେ ଜପ ତପ ଧ୍ୟାନ
ତୁମେ ହିଁ ତ ଭକ୍ତି
ତୁମେ ହିଁ ତ ଶକ୍ତି
ତୁମେ ପୂଜା ଆରାଧନ।
ତୁମେ ହିଁ ନିଶ୍ଵାସ
ତୁମେ ହିଁ ବିଶ୍ଵାସ
ତୁମେ ହିଁ ତ ଦିବ୍ୟଜ୍ଞାନ
ତୁମେ ହିଁ ସାଧନା
ତୁମେ ହିଁ ତ ସିଦ୍ଧି
ତୁମେ ହିଁ ଆତ୍ମଦର୍ଶନ।
ତୁମେ ଜଳ ସ୍ଥଳ
ନଭ ଅଗ୍ନି ବାୟୁ
ତୁମେ ଜଗତକାରଣ
ତୁମେ ସୂର୍ଯ୍ୟ ଚନ୍ଦ୍ର
ଗ୍ରହ ତାରାବୃନ୍ଦ
ତୁମେ ସର୍ବ ବିଶ୍ଵପ୍ରାଣ।
ସ୍ଥାବର ଜଙ୍ଗମ
କୀଟ ପତଙ୍ଗରେ
ତୁମେ ପ୍ରଭୁ ! ସମେ ବ୍ୟାପ୍ତ
ତଥାପି କାହିଁକି
ମନୁଷ୍ୟ ନବୁଝେ
ହିଂସା ଦ୍ଵେଷେ ହୁଏ ଲିପ୍ତ ।
ଦିଅ ଜ୍ଞାନ ଚକ୍ଷୁ
ଅଜ୍ଞାନୀ ମାନବେ
ଲଭୁ ସିଏ ସମଦୃଷ୍ଟି
ହୃଦୟରୁ ଶୁଣୁ
ଓଁକାର ନିନାଦ
ମଧୁମୟ ଦେଖୁ ସୃଷ୍ଟି।