ତୁମେ-ମୁଁ
ତୁମେ-ମୁଁ
ତୁମେ ତୃପ୍ତି ମୁଁ ଅତୃପ୍ତ ତଥାପି
ପୟପାୟୀ ପୁଣି ତୃଷାତୁର ସମ
ପ୍ରାପ୍ତି ପରେ ବି ଅପ୍ରାପ୍ତ ଅନୁଭବେ
ଭାବେ ଲଭିବାକୁ ଭାବ ଅନୁକ୍ଷଣ।।
ତୁମ ମୋହେ ମୋହିତ ମୁଁ ସମ୍ମୋହିନୀ
ହେତୁ ହେଜିବାକୁ କେବେ କୁହନାହିଁ
ରୁହ ସଦା ମରମେ ମୋ ମିଶିମିଶି
ଭିନ୍ନ ହେବାର ନାହିଁ ଗୋ ପ୍ରୟୋଜନ।।
ତୁମେ କୋହ ହୋଇ କହିଯାଅ ଯଦି
ଲୁହ ହୋଇ ମୁଁ ନିଗିଡ଼ି ପଡୁଥିବି
ଛାତି ଥରେଇ ଥରୁଟେ ବାହାରିଲେ
ଓଦା ଓଦା ଲାଗେ ଦୁଇ ଆଖି କୋଣ।।
ତୁମେ ସ୍ମୃତି ଫରୁଆର ସପନ ମୋ
ମୁଁ ଢ଼ାଙ୍କୁଣୀ ର ଅଧାଖୋଲା ଆଖି
ଯେବେ ଦେଖେ ମୁଁ ତନ୍ଦ୍ରା କୁ ଚହଲେଇ
ନହୁଲୀ ସଞ୍ଜର ମହୁଲିଆ ଜହ୍ନ।।
ତୁମେ ଲାଜ ମୁଁ ତୁମର ଆଲାଜୁକ
ଅବନତ ମୁଖ ସୁଖ ଅବଲୋକି
ଅନୁଭବ ବୈଭବର ଭାବଭୋଳ
ବିହ୍ଵଳ ପ୍ରୀତି ଗୀତିକା ଅନୁପମ।।
ତୁମେ ଧୈର୍ଯ୍ୟ ମୋ ଅଧୈର୍ଯ୍ୟ ମୁହୂର୍ତ୍ତର
ତୁଣୀର ର ଶାଣ ଦିଆ ତୀକ୍ଷ୍ଣ ତୀର
ତୁମ ଅଜେୟ ବିଜୟ ନିନାଦ ର
ପ୍ରତିଧ୍ବନି ମୁଁ ଗୁଞ୍ଜିତ ଅନୁକୋଣ।।
ତୁମେ ପ୍ରେରଣା ମୁଁ ଚେଷ୍ଟିତ ମୁହୂର୍ତ୍ତ
ତୁମ ଯୋଗେ ସଂଯୋଗ ମୋ ପରିପୂର୍ଣ୍ଣ
ହେବା ନହେବାର ତୃପ୍ତି ଅତୃପ୍ତିର
ଚିର ଆବୃତ୍ତି ର ସ୍ଥିର ଉଚ୍ଚାରଣ।।