STORYMIRROR

Kailash Chandra Sahani

Others

4  

Kailash Chandra Sahani

Others

ତୁମେ ଈଶ୍ବର ବୋଲି

ତୁମେ ଈଶ୍ବର ବୋଲି

1 min
215


ତୁମେ ଈଶ୍ବର ବୋଲି

କିଛି କହିପାରୁନି ମୁଁ

ଯାବତ ଯନ୍ତ୍ରଣାକୁ ହସି ହସି ବରିନେଇଛି ,

ତୁମେ ଈଶ୍ବର ବୋଲି

ମୋତେ ବିଖଣ୍ତିତ କରିଛ

ତୁମ କୋମଳ ହାତର ନିହାଣ ମୁଗୁରରେ

ମୋତେ ବିଚୂର୍ଣ୍ଣ ବିଦୀର୍ଣ୍ଣ କରିଛ',

ପୋଷ ପୋଷ ରୁଧିର ପରି

ଝରିଛି ମୋ ଦେହରୁ ଆୟୁଷ

ଆଉ ମୋତେ ମୂର୍ତ୍ତୀଟିଏ କରି

ଠିଆ କରିଦେଇଛ ତୁମ ବଡ ଦାଣ୍ଡରେ !


ତୁମେ ଈଶ୍ବର ବୋଲି

ମୋ ଶୁଖିଲା ଦେହର ଦାରୁରେ

ତୁମ ବଟାଳିର ଆଘାତ ଦେଇଛ

ମୋତେ ଚର୍ ଚର୍ କାଟିଚ କରତରେ

ତୁମ ଇଚ୍ଛାରେ ମୋତେ କଣ୍ଢେଇଟେ କରିଛ

ମୋ ସ୍ବପ୍ନ କୁ ଭାଙ୍ଗି

ତୁମ ପରି ଅଥର୍ବ କରିଛ  !


ହେ ଈଶ୍ବର !

ତୁମ ଇଚ୍ଛାରେ ମୋତେ ଗଢିଚ ଭାଙ୍ଗିଚ

ମୋ ଇପ୍ସିତ ଇଚ୍ଛାକୁ କବର ଦେଇ

ବାଲି ଘରଟିଏ ଗଢିଚ,

ତୁମ ହାତର କ୍ରୀଡନକଟିଏ ମୁଁ

ମୋ ସାମର୍ଥ୍ୟ ବାହାରେ ମୋ

ସୁଖର ସଂସାର ।

ମୋ ଉଜୁଡା କ୍ଷେତର ଜୀବନ

ଆଜିବି ଡେଣା ଝାଡେ ଉଡିବାକୁ

ଛୁଇଁବାକୁ ନୀଳ ଆକାଶର ଜହ୍ନ ତାରା

ମୋ ବିଳସିତ ମହୁଆ ମନ

କଳିବାକୁ ଚାହେଁ ଗଭୀର ସାଗର ।


ତୁମେ କିନ୍ତୁ ଈଶ୍ବର ବୋଲି

କାଟି ଦେଇଛ ମୋ ସୁକୁମାର ଡେଣା

ମୋ ଉଚ୍ଚାଟ ମନ ର ନିଭୃତ ବାସନା

ମୋ ପରିଧୀରେ ମୋତେ ବିନ୍ଧୁରେ ସିନ୍ଧୁ ଦେଖାଇଛ

ମାଟିର ମୂର୍ଚ୍ଚିତ କୋଳରେ

ଲେଖି ଦେଲ ମୋର ଶେଷ ଠିକଣା !

ତୁମେ ଈଶ୍ବର ବୋଲି

ମୁଁ ସମର୍ପିତ ଚିରଦିନ

ତୁମ ଇଚ୍ଛାରେ ମୁଁ ତୁଠ ପଥର

ନ ହେଲେ କେଉଁ ବଂଶୀଧାରୀ ନଟନାଗର

ତୁମ ଇଚ୍ଛାରେ ମୁଁ ଶିଳା ସୈକତ

ଅବା ଶାଳଗ୍ରାମ ଟିଏ

ତୁମରି ଇଚ୍ଛାରେ ଆଜି ଫୁଟିଯାଏ

ପାରିଜାତ ପରି

ମୋ ଅନ୍ଧ ଅହମିକା ସତ୍ତ୍ବେ !!

-----------


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍