ତୁମେ ହେ ଆଦିତ୍ୟ ଧ୍ରୁବ
ତୁମେ ହେ ଆଦିତ୍ୟ ଧ୍ରୁବ
ଆବଡା ଖାବଡା ପଥର ଦେଖିଲେ
ଜାଗେ ସବୁ ମନେ ଭୟ
ସେହି ପଥରକୁ ଗଢିଦେଲେ ମୂର୍ତ୍ତୀ
ମିଳଇ ନାନା ଅଭୟ
ନିଜକୁ ସଜେଇ ଶିଶୁ ଶିଳ୍ପୀଟିଏ
ଅପ୍ରାଣ ଉଦ୍ୟମ କରି
ନିହାଣ ମୁନରେ ସ୍ଥିର ଚିତ୍ତ ଧାରେ
ଆଙ୍କିଲି କୃଷ୍ଣ ମୁରାରୀ
ତୁମରି ଇଙ୍ଗିତେ ଏ ଜନ ଜଗତ
ଆତଜାତ ପ୍ରଭୁ ସାଇଁ
ଜଡଠୁ ଚେତନା ଭର ଉଦ୍ଦୀପନା
ବିବେକ ବେଢାରେ ଥାଇ
ପାର୍ବତୀ ମାତାଙ୍କ ହଳଦୀ ମଳୁଖେ
ଭରିଦେଇ ଥିଲ ପ୍ରାଣ
ସେହି କିମ୍ବଦନ୍ତୀ କଥା କହେ ପ୍ରଭୁ
ପ୍ରତି କ୍ଷଣ ଅନୁକ୍ଷଣ
ଗଢିନି ଦେଉଳ ଅନନ୍ତ ଅଖିଳ
ମୁଁ ଅଟଇ ନରାଧମ
ସଭିଏଁ କୁହନ୍ତି ଦୁଇଟି ପିଣ୍ତରେ
ତୁମେ ଅଟ ଏକ ବ୍ରହ୍ମ
ଶାଶ୍ୱତ ସୁନ୍ଦର ହେ ସ୍ରଷ୍ଟା ସୃଷ୍ଟିର
ଗଢିଛ ଏହି ବ୍ରହ୍ମାଣ୍ତ
ଯେଉଁ ବ୍ରହ୍ମାଣ୍ତରେ ମାଛଟେ ପଡିଲେ
ହୋଇଯାଏ ଛଅ ଖଣ୍ତ
ମୋ ହାତେ ଗଢା ତୁମ ପ୍ରତି ମୂର୍ତ୍ତୀ
ଆବେଗର ଅନ୍ବେଷଣ
କେତେ ବଖାଣିବି ହେ ଅବର୍ଣ୍ଣନୀୟ
ତୁମେତ ଆରତ ପ୍ରାଣ
ନାରାୟଣ ହୋଇ ନରସିଂହ ରୁପେ
ହିରଣ୍ଯକୁ କଲ ବଧ
ତ୍ରେତୟାରେ ରାମ ରାବଣ ବଧିଲ
ତୁମେ ହେ ଆଦିତ୍ୟ ଧ୍ରୁବ
ନିୟତି ହେ ତୁମେ ନ୍ୟାୟ ନିର୍ଣ୍ଣୟକ
ପଥ କର ଉନ୍ମୋଚନ
ହସୁଥାନ୍ତୁ ଜନେ ତୁମ ଅବଦାନେ
ଯୁଗେ ଯୁଗେ ଜୟ ଗାନ
ଦାଶରଥି ସାହୁ
କଳମ୍ବ / ଗଜାଂମ